/odishatv-khabar/media/media_files/2025/12/19/30-gita-teachings-that-can-change-your-life-2025-12-19-18-08-25.jpg)
ଗୀତାର ୩୦ଟି ଉପଦେଶ Photograph: (OTV)
ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ପ୍ରିୟ ବନ୍ଧୁ ଅର୍ଜୁନଙ୍କୁ (ଯାହାଙ୍କୁ ପାର୍ଥ ବା ଧନୁର୍ଦ୍ଧର ବୋଲି କୁହନ୍ତି) କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ଏହି ଉପଦେଶଗୁଡ଼ିକ ଜୀବନର ବିଭିନ୍ନ ଦିଗକୁ ଆଲୋକପାତ କରି ଧର୍ମ, କର୍ମ, ଭକ୍ତି ଓ ମୋକ୍ଷ ବିଷୟରେ ଗଭୀର ଜ୍ଞାନ ପ୍ରଦାନ କରନ୍ତି। ଗୀତାରେ ମୋଟ ୭୦୦ ଶ୍ଳୋକ ରହିଛି, କିନ୍ତୁ ଏହାର ମୁଖ୍ୟ ଉପଦେଶଗୁଡ଼ିକୁ ୩୦ଟି ପ୍ରମୁଖ ବିନ୍ଦୁରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ମହାଭାରତ କାହାଣୀ (Mahabharat Story) ପରିପ୍ରେକ୍ଷୀରେ ଜାଣନ୍ତୁ ଗୀତା ଉପଦେଶର ବିସ୍ତୃତ ବ୍ୟାଖ୍ୟା।
:୧. ଆତ୍ମା ହେଉଛି ଅମର (ଅଧ୍ୟାୟ-୨): ଶରୀର ନଶ୍ୱର, କିନ୍ତୁ ଆତ୍ମା ଅବିନାଶୀ। ଅର୍ଥାତ ଦେହର ମୃତ୍ୟୁ ଅଛି, ଏହା କ୍ଷୟ ହେବ, କିନ୍ତୁ ଆତ୍ମା ବଂଚିରହେ। ଏହାର ବିନାଶ ଅସମ୍ଭବ। ମୃତ୍ୟୁ କେବଳ ଶରୀରର, ଆତ୍ମା ଚିରକାଳୀନ। ଏହା ଜାଣି ମଧ୍ୟ ଶୋକ କରିବା ଉଚିତ୍ ନୁହେଣ ବୋଲି ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ବିଷାଦ ଦୂର କରିବାକୁ ଏହିପରି ଉପଦେଶ ଦେଇଥିଲେ ପ୍ରଭୁ କୃଷ୍ଣ।
୨. ନିଷ୍କାମ କର୍ମଯୋଗ (ଅଧ୍ୟାୟ ୨-୩): କର୍ମ କର, କିନ୍ତୁ ଫଳର ଆଶା ନ କର। କର୍ମକୁ ଧର୍ମ ଭାବରେ ବିଚାର କରି ଏହାକୁ ଈଶ୍ୱରକୁ ଅର୍ପଣ କର। ସେ ହିଁ ଆମ କର୍ମର ମାଲିକ, ସେ ଚାହିଁଲେ ଏହାର ପ୍ରତିଦାନରେ ଫଳ ଦେବ ନହେଲେ ନାହିଁ। ଏହିପରି ଭାବନା ମନକୁ ଶାନ୍ତି ଦେଇ ବନ୍ଧନରୁ ମୁକ୍ତ କରେ।
୩. ସ୍ୱଧର୍ମ ପାଳନ (ଅଧ୍ୟାୟ-୩): ପରର ଧର୍ମ ଅନୁସରଣ କରି ସିଦ୍ଧ ହେବା ଅପେକ୍ଷା, ନିଜର ଧର୍ମ (କ୍ଷତ୍ରିୟ ହିସାବରେ ଯୁଦ୍ଧ କରିବା) ପାଳନ କରିବା ଉତ୍ତମ। ଅର୍ଜୁନଙ୍କୁ ଯୁଦ୍ଧ କରିବାକୁ ପ୍ରେରଣା ଦେଇଥିଲେ ଶ୍ରୀକୃଷ୍ଣ।
୪. ସମତ୍ୱ (ସମତା) (ଅଧ୍ୟାୟ୨): ସୁଖ-ଦୁଃଖ, ଲାଭ-କ୍ଷତି, ଜୟ-ପରାଜୟ ବେଳେ ସମାନ ଆଚରଣ ପ୍ରଦର୍ଶନ କରିବା। ଏହା ଯୋଗୀର ଲକ୍ଷଣ। ଏପରି ଉପାୟରେ ମନରେ ସ୍ଥିରତା ଆସେ।
୫. ଇନ୍ଦ୍ରିୟ ନିୟନ୍ତ୍ରଣ (ଅଧ୍ୟାୟ ୨-୬): ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରି ମନକୁ ନିୟନ୍ତ୍ରଣ କର। ଅନିୟନ୍ତ୍ରିତ ଇନ୍ଦ୍ରିୟ ମନୁଷ୍ୟକୁ ବିନାଶ କରେ। ମଣିଷର ଅଧିକାଂଶ ଦୁଃଖ ତା ଇନ୍ଦ୍ରିୟ ପାଇଁ ହିଁ ଆସିଥାଏ।
୬. ଜ୍ଞାନଯୋଗ (ଅଧ୍ୟାୟ ୪): ଆତ୍ମଜ୍ଞାନ ଦ୍ୱାରା ବ୍ରହ୍ମକୁ ଜାଣିବା। ଜ୍ଞାନୀ ସମସ୍ତଙ୍କଠାରେ ସମାନ ଦେଖେ ଏବଂ ମୋକ୍ଷ ଲାଭ କରେ।
୭. ଭକ୍ତିଯୋଗ (ଅଧ୍ୟାୟ ୯-୧୨): ଈଶ୍ୱରଙ୍କୁ ସର୍ବୋଚ୍ଚ ଭକ୍ତି କରି ନିଜକୁ ତାଙ୍କ ନିକଟରେ ସମର୍ପଣ କର। ଭକ୍ତି ହିଁ ସର୍ବୋତ୍ତମ ମାର୍ଗ। ଅର୍ଜୁନଙ୍କ ଆଗରେ ପ୍ରଭୁ ଶ୍ରୀକୃଷ୍ଣ ନିଜକୁ ପରମାତ୍ମା ଭାବେ ପ୍ରକାଶ କରିଛନ୍ତି।
୮. କର୍ମର ରହସ୍ୟ (ଅଧ୍ୟାୟ ୪): କର୍ମ କରିବା ଅନିବାର୍ଯ୍ୟ, କିନ୍ତୁ ନିଷ୍କାମ ଭାବରେ କର୍ମ କଲେ ବନ୍ଧନ ସୃଷ୍ଟି ହୁଏନାହିଁ। ଏକଥା ପାର୍ଥଙ୍କୁ ବୁଝାଇଛନ୍ତି ତାଙ୍କ ବନ୍ଧୁ ଶ୍ରୀକୃଷ୍ଣ।
୯. ତିନି ଗୁଣର ପ୍ରଭାବ (ଅଧ୍ୟାୟ ୧୪): ସତ୍ତ୍ୱ, ରଜଃ ଓ ତମଃ ଗୁଣ ପ୍ରକୃତିରୁ ଉତ୍ପନ୍ନ। ସତ୍ତ୍ୱଗୁଣକୁ ବଢ଼ାଇ ମୋକ୍ଷ ଲାଭ କର।
୧୦. ବିଶ୍ୱରୂପ ଦର୍ଶନ (ଅଧ୍ୟାୟ ୧୧): ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ବିଶ୍ୱରୂପ ଦେଖାଇ ସମଗ୍ର ବିଶ୍ୱ ତାଙ୍କଠାରେ ଅଛି ବୋଲି ପ୍ରମାଣ କଲେ।
୧୧. ଧ୍ୟାନଯୋଗ (ଅଧ୍ୟାୟ ୬): ମନକୁ ନିୟନ୍ତ୍ରଣ କରି ଧ୍ୟାନ କର। ଯୋଗୀ ସର୍ବତ୍ର ସମ ଦେଖେ ଏବଂ ଶାନ୍ତି ଲାଭ କରେ।
୧୨. କ୍ଷେତ୍ର-କ୍ଷେତ୍ରଜ୍ଞ (ଅଧ୍ୟାୟ ୧୩): ଶରୀର କ୍ଷେତ୍ର ଏବଂ ଆତ୍ମା କ୍ଷେତ୍ରଜ୍ଞ। ଏହା ଜାଣି ପ୍ରକୃତିରୁ ମୁକ୍ତ ହେବା।
୧୩. ପୁରୁଷ ଓ ପ୍ରକୃତି (ଅଧ୍ୟାୟ ୧୩): ପୁରୁଷ (ଆତ୍ମା) ଓ ପ୍ରକୃତି ଦୁଇ ଭିନ୍ନ। ପ୍ରକୃତିର ବନ୍ଧନରୁ ମୁକ୍ତ ହେବାକୁ ଜ୍ଞାନ ଆବଶ୍ୟକ।
୧୪. ଦୈବୀ ଗୁଣ ଓ ଆସୁରିକ ଗୁଣ (ଅଧ୍ୟାୟ ୧୬): ମଣିଷ ପାଖରେ ଥିବା ଦୈବୀ ଗୁଣ ତାକୁ ମୋକ୍ଷ ପ୍ରାପ୍ତି ଆଡ଼କୁ ନେଇ ଯାଏ। ଯେତେବେଳେ କି ତା ଭିତରେ ଥିବା ଆସୁରିକ ଗୁଣ ତାକୁ ବନ୍ଧନ ଆଡ଼କୁ ନେଇଯାଏ।
୧୫. ଶ୍ରଦ୍ଧା ଓ ଭକ୍ତି (ଅଧ୍ୟାୟ ୧୭): ଶ୍ରଦ୍ଧାଯୁକ୍ତ ଭକ୍ତି ଦ୍ୱାରା ଈଶ୍ୱରଙ୍କୁ ଖୁସି କରାଯାଇ ପାରେ। ତିନି ପ୍ରକାର ଶ୍ରଦ୍ଧା ଅଛି – ସାତ୍ତ୍ୱିକ, ରାଜସ ଓ ତାମସ।
୧୬. ସର୍ବୋଚ୍ଚ ସମର୍ପଣ (ଅଧ୍ୟାୟ ୧୮): ଈଶ୍ୱର ଚାହାଁନ୍ତି ସମସ୍ତ କର୍ମ ମୋତେ ଅର୍ପଣ କରି ମୋଠାରେ ଶରଣାଗତ ହୁଅ। ମୁଁ ତୋତେ ସମସ୍ତ ପାପରୁ ମୁକ୍ତ କରିବି।
୧୭. ମନର ନିୟନ୍ତ୍ରଣ (ଅଧ୍ୟାୟ ୬): ମଣିଷର ମନ ସବୁଠାରୁ ଅଧିକ ଚଞ୍ଚଳ ଓ ତୀବ୍ର ପରିବର୍ତ୍ତନଶୀଳ। ଏହା କିଛି ବି ଭାବିପାରେ। ହଠାତ୍ କୋଟି କୋଟି ମାଇଲ୍ ଅତିକ୍ରମ କରିପାରେ। ଏହାକୁ ନିୟନ୍ତ୍ରଣରେ ରଖିବା କଷ୍ଟକର। କିନ୍ତୁ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ଏହାକୁ ନିୟନ୍ତ୍ରିତ କରିହୁଏ।
୧୮. ସମସ୍ତେ ଈଶ୍ୱରଙ୍କ ଅଂଶ (ଅଧ୍ୟାୟ ୧୫): ଏ ସମଗ୍ର ଜୀବଜଗତ ପରମାତ୍ମାଙ୍କ ଅଂଶ। ତେଣୁ ଯେହେତୁ ସମସ୍ତଙ୍କ ମୂଳ ଗୋଟିଏ, ତେଣୁ ଏଠି ସମସ୍ତେ ସମାନ। ଅନ୍ୟ ପ୍ରତି ଆମ ଦୃଷ୍ଟିକୋଣ ଏହା ହେବା ଉଚିତ।
୧୯. ଯୋଗର ମାର୍ଗ (ଅଧ୍ୟାୟ ୫): କର୍ମଯୋଗ, ଜ୍ଞାନଯୋଗ, ଭକ୍ତିଯୋଗ ଓ ସନ୍ନ୍ୟାସ ଯୋଗ – ଏ ସମସ୍ତ ମାର୍ଗ ଗୋଟିଏ ଦିଗକୁ ଯାଇଛି। ତାହା ହେଲା ମୋକ୍ଷ ପ୍ରାପ୍ତି।
୨୦. ଗୀତାର ରହସ୍ୟ ଗୋପନୀୟ (ଅଧ୍ୟାୟ ୧୮): ଏହି ଜ୍ଞାନ ଭକ୍ତଙ୍କୁ ଦେବା ଉଚିତ୍। ଯିଏ ଭକ୍ତିସହ ଶ୍ରବଣ କରେ, ସେ ମୋକ୍ଷ ଲାଭ କରେ।
୨୧. ଅହଂକାର ତ୍ୟାଗ (ଅଧ୍ୟାୟ ୩, ୧୩): କର୍ମ କରିବା ବେଳେ "ମୁଁ କରୁଛି" ଭାବନା ତ୍ୟାଗ କର। ସମସ୍ତ କର୍ମ ପ୍ରକୃତିର ଗୁଣ ଦ୍ୱାରା ହୁଏ, ଆତ୍ମା କେବଳ ସାକ୍ଷୀ ରୁହେ। ଏହା ବନ୍ଧନରୁ ମୁକ୍ତି ଦିଏ।
୨୨. ଯଜ୍ଞ ଭାବନା (ଅଧ୍ୟାୟ-୩): ଆମେ କରୁଥିବା ପ୍ରତିଟି କାମକୁ ଏକ ଯଜ୍ଞର ଆୟୋଜନ ବୋଲି ବିଚାର କରିବା ଉଚିତ। ଯଜ୍ଞ ଦ୍ୱାରା ଦେବତାମାନେ ପ୍ରସନ୍ନ ହୁଅନ୍ତି ଏବଂ ଲୋକକଲ୍ୟାଣ ହୁଏ। ସ୍ୱାର୍ଥପର କର୍ମ ଚୋରି ସଦୃଶ।
୨୩. ସ୍ଥିତପ୍ରଜ୍ଞର ଲକ୍ଷଣ (ଅଧ୍ୟାୟ-୨): ଯିଏ ସୁଖ-ଦୁଃଖରେ ବିଚଳିତ ହୁଏ ନାହିଁ, ରାଗ-ଦ୍ୱେଷରୁ ମୁକ୍ତ ଏବଂ ଇନ୍ଦ୍ରିୟକୁ ଜୟ କରିଛି, ସେ ସ୍ଥିତପ୍ରଜ୍ଞ, ଏହା ଯୋଗର ଉଚ୍ଚତମ ଅବସ୍ଥା।
୨୪. ଗୁଣାତୀତ ଅବସ୍ଥା (ଅଧ୍ୟାୟ-୧୪): ଯିଏ ତିନି ଗୁଣରୁ ଉର୍ଦ୍ଧ୍ୱକୁ ଉଠି ସମସ୍ତଙ୍କୁ ସମାନ ଭାବରେ ଦେଖେ, ସୁଖ-ଦୁଃଖରେ ଅବିଚଳିତ ରୁହେ ଏବଂ ମତେ ଭକ୍ତି କରେ, ସେ ଗୁଣାତୀତ ହୁଏ।
୨୫. ପୁରୁଷୋତ୍ତମ ଯୋଗ (ଅଧ୍ୟାୟ-୧୫): ସଂସାରକୁ ଅଶ୍ୱତ୍ଥ ବୃକ୍ଷ ସଦୃଶ ବୋଲି କହି ତାହାର ମୂଳକୁ ଉପରେ ଏବଂ ଶାଖାକୁ ତଳେ ବର୍ଣ୍ଣନା କରାଗଲା। ବୈରାଗ୍ୟ ଦ୍ୱାରା ଏହା ଛେଦନ କରି ପରମ ପୁରୁଷଙ୍କୁ ପ୍ରାପ୍ତ ହେବା।
୨୬. ଅନନ୍ୟ ଭକ୍ତି (ଅଧ୍ୟାୟ ୯): ଯିଏ ଅନନ୍ୟ ଭାବରେ ମୋତେ ଭଜେ, ତା'ର ଯୋଗକ୍ଷେମ ମୁଁ ବହନ କରେ। ଭକ୍ତ ମୋ' ପ୍ରିୟ ଏବଂ ମୁଁ ତା'ର ପ୍ରିୟ।
୨୭. ସମସ୍ତ ପ୍ରାଣୀରେ ଈଶ୍ୱରଙ୍କୁ ଦର୍ଶନ (ଅଧ୍ୟାୟ-୫ ଓ ୬): ଜ୍ଞାନୀ ଭକ୍ତ ସମସ୍ତ ପ୍ରାଣୀ ଭିତରେ ମୋତେ ଦେଖେ – କୁକୁରଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ। ଏହା ସର୍ବଭୂତ ସମତ୍ୱ।
୨୮. କର୍ମଫଳ ତ୍ୟାଗ (ଅଧ୍ୟାୟ-୧୮): କର୍ମଫଳ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କର। ଏହା ଦ୍ୱାରା ମନୁଷ୍ୟ ଶାନ୍ତି ଲାଭ କରେ ଏବଂ ମୋକ୍ଷ ପ୍ରାପ୍ତ ହୁଏ।
୨୯. ଶାସ୍ତ୍ରର ଅଧିକାର (ଅଧ୍ୟାୟ-୧୬): ଶାସ୍ତ୍ରବିଧି ଅନୁସାରେ କର୍ମ କରିବା ଉଚିତ୍। ନିଜ ଇଚ୍ଛାନୁସାରେ କର୍ମ କରି ବିଭ୍ରାନ୍ତ ହେବା ନାହିଁ।
୩୦. ଗୀତା ଶ୍ରବଣ ଓ ପ୍ରଚାରର ମହତ୍ତ୍ୱ (ଅଧ୍ୟାୟ-୧୮): ଯିଏ ଏହି ଗୀତାଶାସ୍ତ୍ରକୁ ଭକ୍ତିର ସହ ଶ୍ରବଣ କରେ ଏବଂ ଅନ୍ୟମାନଙ୍କୁ କହେ, ସେ ମୋତେ ପୂଜା କରେ ଏବଂ ମୋକ୍ଷ ଲାଭ କରେ।
ଏହି ଉପଦେଶଗୁଡ଼ିକ ଜୀବନର ପ୍ରତି ପଦକ୍ଷେପରେ ପଥପ୍ରଦର୍ଶକ ହେବ। ଶ୍ରୀକୃଷ୍ଣଙ୍କ ଏହି ଦିବ୍ୟବାଣୀ ଅର୍ଜୁନଙ୍କ ବିଷାଦ ଦୂର କରି ତାଙ୍କୁ ଯୁଦ୍ଧ କରିବାକୁ ପ୍ରେରିତ କଲା ଏବଂ ଆଜି ମଧ୍ୟ ଆମ ଜୀବନକୁ ଆଲୋକିତ କରୁଛି।
Troubling Past of KISS: କିସର ରେକର୍ଡ ଖରାପ ! ଆଗରୁ ଯାଇଛି ଅନେକ ଜୀବନ

Mystery Death: ପୁରୁଷ ବନ୍ଧୁଙ୍କ ଘରେ ଅଧ୍ୟାପିକାଙ୍କ ଲାସ୍, କାଳ ହେଲା କି ଲିଭ୍-ଇନ୍ ରିଲେସନ୍ ?

KISS Student Murder: OHRCରେ କିସ୍ ଛାତ୍ର ହତ୍ୟା ମାମଲା, ସ୍ବାଧୀନ ଭାବେ ଘଟଣାର ତଦନ୍ତ ପାଇଁ ଆବେଦନ

Miracle at Hirakud: ଯୁବତୀ ପାଇଲେ ପୁନର୍ଜନ୍ମ, ଉଦ୍ଧାର ହେଲେ ହୀରାକୁଦ ଡ୍ୟାମର ଗଭୀର ଜଳରୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)