Advertisment

Vidura’s Golden Advice to Dhritarashtra: ମହାଭାରତ ଯୁଦ୍ଧ ପୂର୍ବରୁ ବିଦୁର କହିଥିଲେ ଧୃତରାଷ୍ଟ୍ରଙ୍କୁ, କେମିତି ରହିବେ ସୁଖୀ

ସଞ୍ଜୟ ପାଣ୍ଡବମାନଙ୍କ ପାଖରୁ ଫେରି ଅଧ ରାତିରେ ଧୃତରାଷ୍ଟ୍ରଙ୍କ ପାଖକୁ କାହିଁକି ଆସିଥିଲେ? କାହିଁକି ତାପରେ ଧୃତରାଷ୍ଟ୍ରଙ୍କୁ ରାତିରେ ନିଦ ହେଲାନି ? କାହିଁକି ପୁଣି ବିଦୁର ଆସିଲେ ତାଙ୍କ ପାଖକୁ? ସେଦିନ ରାଜସଭାରେ କ'ଣ ହେଲା ଯେ ଭୀଷ୍ମ ବିରକ୍ତ ହେଲେ? ଏ ସବୁର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

ସଞ୍ଜୟ ପାଣ୍ଡବମାନଙ୍କ ପାଖରୁ ଫେରି ହସ୍ତିନାପୁରରେ ପହଞ୍ଚିଲେ ଓ ସିଧା ରାଜା ଧୃତରାଷ୍ଟ୍ରଙ୍କ ପାଖକୁ ଗଲେ। ରାଜାଙ୍କ ଅନ୍ତଃପୁର ପାଖରେ ପହଞ୍ଚି ଦ୍ୱାରପାଳ ହାତରେ ରାଜାଙ୍କ ପାଖକୁ ଖବର ପଠାଇଲେ । ଦ୍ୱାରପାଳ ଅନୁମତି ଆଣି ଆସିଲାପରେ ଧୃତରାଷ୍ଟ୍ରଙ୍କ ସମ୍ମୁଖରେ ଛିଡା ହେଇ କହିଲେ, ‘ମହାରାଜ ମୁଁ ସଞ୍ଜୟ। ପାଣ୍ଡବମାନଙ୍କ ପାଖରୁ ଆପଣଙ୍କ ପାଇଁ ବାର୍ତ୍ତା ଆଣି ଆସିଛି ।’

Advertisment

ଯୁଧିଷ୍ଠିର ଓ ତାଙ୍କ ଅନ୍ୟ ଭାଇମାନେ କୁଶଳରେ ଅଛନ୍ତି ବୋଲି ଧୃତରାଷ୍ଟ୍ରଙ୍କୁ ସଞ୍ଜୟ ଜଣାଇଲେ । ଆହୁରି ଜଣାଇଲେ ଯେ ସର୍ବଦା ଧର୍ମର ରାସ୍ତାରେ ବାଟ ଚାଲୁଥିବା ଯୁଧିଷ୍ଠିର ତାଙ୍କ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ତାପରେ ସଞ୍ଜୟ କହିଲେ, ‘ହେ ମହାରାଜ ଆପଣ ଭୀଷ୍ମ ଆଦି ବିଜ୍ଞ ମଣିଷଙ୍କ କଥା ନଶୁଣି କର୍ଣ୍ଣ ଓ ଶକୁନି ଆଦିଙ୍କ କୁମନ୍ତ୍ରଣା ଦ୍ୱାରା ପରିଚାଳିତ ହେଇ ପାଣ୍ଡବମାନଙ୍କ ଦୁଃଖ କଷ୍ଟର କାରଣ ହେଇଛନ୍ତି । ଆପଣ ଯେତିକି ପାପ କରିଛନ୍ତି ସେଥିରୁ କୁରୁକୁଳକୁ ଧ୍ୱଂସ ହେବାରୁ କେହି ରକ୍ଷା କରିପାରିବେନି ।

ଯଦି ଆପଣ ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଫେରାଉନାହାଁନ୍ତି ତେବେ ଶୁଖିଲା ଘାସକୁ ନିଆଁ ପୋଡିଲା ପରି ଅର୍ଜୁନ କୁରୁବଂଶକୁ ଜାଳି ସଂପୂର୍ଣ୍ଣ ନିର୍ମୂଳ କରିପକାଇବେ । ଏବେ ମୁଁ ଏତେ ବାଟ ଆସିଥିବାରୁ ଶାରୀରିକ ଭାବରେ କ୍ଲାନ୍ତ । ଆସନ୍ତାକଲି ସଭାରେ ମୁଁ ଯୁଧିଷ୍ଠିର ଯାହା ସବୁ କହିଲେ ସବୁ କହିବି।’

Advertisment

ବିଦୁର ଆସି ସତକଥା କହିଲେ

ସଞ୍ଜୟ ଏପରି କହି ସେଠାରୁ ବାହାରି ଗଲାପରେ ରାଜା ଧୃତରାଷ୍ଟ୍ର ବ୍ୟସ୍ତ ବିବ୍ରତ ହେଇପଡିଲେ । ତୁରନ୍ତ ଦ୍ୱାରପାଳ ହାତରେ ସେଇ ରାତିରେ ବିଦୁରଙ୍କୁ ଡକାଇ ପଠାଇଲେ । ବିଦୁର ଆସି ପହଞ୍ଚିଲା ପରେ ଧୃତରାଷ୍ଟ୍ର କହିଲେ, ‘ହେ ବିଦୁର ଏବେ ଏବେ ପାଣ୍ଡବମାନଙ୍କ ପାଖରୁ ସଞ୍ଜୟ ଫେରିଲେ ଓ ମୋତେ ଅନେକ ପ୍ରକାର ତିରସ୍କାର କରି ଗଲେ ।  ଯୁଧିଷ୍ଠିର ତାଙ୍କୁ ଯାହା କହିଲେ ସେ କାଲି ରାଜସଭାରେ କହିବେ । ମୋତେ ବଡ ବ୍ୟସ୍ତ ଲାଗୁଛି । ନିଦ ବି ଲାଗୁନି । ଇନ୍ଦ୍ରୀୟ ସବୁ ନିସ୍ତେଜ ଲାଗୁଛନ୍ତି ।’

ବିଦୁର କହିଲେ, ‘ମହାରାଜ କାମୁକ, ଚୋର, ବିପଦରେ ପଡିଥିବା ଓ ପରଧନରେ ଲୋଭ ରଖିଥିବା ମଣିଷ ଏବଂ ସବୁକିଛି ହରେଇ ସାରିଥିବା ମଣିଷଙ୍କୁ ରାତିରେ ନିଦ ହୁଏନି । କିନ୍ତୁ ଆପଣଙ୍କୁ କାହିଁକି ନିଦ ହେଉନାହିଁ? ଆପଣ ଏଇ ସବୁରୁ କୌଣସି ମହାପାପ କରିନାହାନ୍ତି ତ? ପରଧନରେ ଲୋଭ କରି ପରିତାପ କରୁନାହାଁନ୍ତି ତ?’

ଧୃତରାଷ୍ଟ୍ର କହିଲେ, ‘ହେ ବିଦୁର ଆମ ବଂଶରେ ତୁମେ ଅତ୍ୟନ୍ତ ଧାର୍ମିକ ଓ ପଣ୍ଡିତ ମଣିଷ । ଦୟାକରି ମୋତେ କିଛି ଭଲ କଥା କୁହ । କିଛି ଭଲ ଉପଦେଶ ଦିଅ ।’

ବିଦୁର କହିଲେ, ‘ହେ ମହାରାଜ, ଯିଏ ନିଜର ଶକ୍ତି ଅନୁସାରେ କାମ କରୁଥାନ୍ତି, କାହାର କିଛିବି ଅଯଥାରେ କ୍ଷତି କରନ୍ତି ନାହିଁ, ବିପତ୍ତି ସମୟରେ କାତର ହୁଅନ୍ତି ନାହିଁ, ସମ୍ମାନ ପାଇ ଆନନ୍ଦିତ ଓ ଅପମାନରେ ସନ୍ତାପିତ ହୁଅନ୍ତି ନାହିଁ, ଯିଏ ସର୍ବଦା ପ୍ରଶଂସନୀୟ କର୍ମ କରନ୍ତି ଓ କୌଣସି ନିନ୍ଦନୀୟ କର୍ମ କରନ୍ତି ନାହିଁ ସେମାନଙ୍କୁ ପଣ୍ଡିତ କୁହାଯାଏ ।  ଯିଏ ଶାସ୍ତ୍ର ଜ୍ଞାନରେ ଶୂନ୍ୟ ହେଇ ନିଜକୁ ପଣ୍ଡିତ ବୋଲି ଭାବନ୍ତି ଓ ଦରିଦ୍ର ହେଇ ନିଜକୁ ଉଦାରଚିତ୍ତ ମନେକରନ୍ତି ଏବଂ ପଶାପାଲି ପରି ହୀନ କର୍ମରୁ ଅର୍ଥପ୍ରାପ୍ତିର ଇଚ୍ଛା ରଖନ୍ତି, ସେମାନେ ମୁର୍ଖ ଶ୍ରେଣୀରେ ଗଣା ହୁଅନ୍ତି ।

ଯେମିତି ଆପଣଙ୍କ ବଡ ପୁଅ ଦୁର୍ଯ୍ୟୋଧନ । ଯିଏ ଭକ୍ତିହୀନ କର୍ଣ୍ଣ ପରି ଲୋକକୁ ବିଶ୍ୱାସ କରି ପାଖରେ ରଖନ୍ତି ଓ ପାଣ୍ଡବଙ୍କ ପରି ବିଶ୍ୱସ୍ତ ଭକ୍ତ ମନୋଭାବର ମଣିଷମାନଙ୍କୁ ପରିତ୍ୟାଗ କରନ୍ତି ସେମାନଙ୍କୁ ପଣ୍ଡିତମାନେ ମହାମୂର୍ଖ କୁହନ୍ତି ।’

ସଞ୍ଜୟ ଆହୁରି କହିଲେ ଯେ, ‘ହେ ମହାରାଜ ଆପଣ ନିଜେ ଜାଣନ୍ତି ଆପଣ କ'ଣ କରିଛନ୍ତି । ଆପଣ ଜାଣନ୍ତି ଆପଣଙ୍କ ମୂର୍ଖ ଏବଂ ଗର୍ବୀ ପୁଅମାନେ ଛଳନାରେ ଓ ଅଧର୍ମରେ ପାଣ୍ଡବମାନଙ୍କ ରାଜ୍ୟ ଅପହରଣ କରିଛନ୍ତି। ରାଜସଭାରେ ପାଞ୍ଚଭାଇ ଓ ସେମାନଙ୍କ ଧର୍ମପତ୍ନୀଙ୍କୁ ଅପମାନିତ ଓ ଲାଂଛିତ କରିଛନ୍ତି । ଏବେ ପାଣ୍ଡବମାନେ ସେମାନଙ୍କ ରାଜ୍ୟ ଫେରିପାଇବାକୁ ଆଗଭର ହେଇଛନ୍ତି । ଧର୍ମତଃ ତାହା ମଧ୍ୟ ସେମାନଙ୍କର ପ୍ରାପ୍ୟ । ଆପଣ ହସ୍ତିନାପୁରର ରାଜା । ରାଜା ଭାବରେ ନିଜ ପୁଅର ବିରୋଧକୁ ନଶୁଣି ପାଣ୍ଡବମାନଙ୍କୁ ସେମାନଙ୍କ ପ୍ରାପ୍ୟ ରାଜ୍ୟ ଫେରାଇଦିଅନ୍ତୁ । ଏବେବି ସମୟ ଅଛି ଆପଣଙ୍କ ପୁଅମାନଙ୍କୁ ପ୍ରଥମେ ଶାସନ କରନ୍ତୁ ।

ହେ ରାଜା ! ସାମ, ଦାନ, ଭେଦ ଓ ଦଣ୍ଡ ଉପାୟ ଅବଲମ୍ବନ କରନ୍ତୁ । ରୂପ, ରସ, ଗନ୍ଧ, ସ୍ପର୍ଶ ଓ ଶବ୍ଦକୁ ଜୟ କରନ୍ତୁ । ସୁହୃଦ, ଅମାତ୍ୟ, କୋଷ, ଦୁର୍ଗ, ରାଷ୍ଟ୍ର ଓ ବଳକୁ ଜାଣନ୍ତୁ ।  ନାରୀ, ପଶା, ମୃଗୟା, ପାନ, କଟୁବାକ୍ୟ, କଠୋର ଦଣ୍ଡ ଓ ଅର୍ଥଦୂଷଣକୁ ପରିତ୍ୟାଗ କରନ୍ତୁ ଓ ସୁଖି ରୁହନ୍ତୁ ।

ଧୃତରାଷ୍ଟ୍ର କହିଲେ, ‘ ବିଦୁର ଭାଇ ମୋର ତୁମେ ଯାହା କହୁଛ ସତ କହୁଛ ଓ କୁରୁକୁଳର ଭଲ ପାଇଁ କହୁଛ। ମୁଁ ସବୁ ବୁଝିପାରୁଛି । କିନ୍ତୁ ମୁଁ ମୋ ପୁଅମାନଙ୍କ ମନରେ ଦୁଃଖ ଦେଇପାରିବିନି । ସେମାନଙ୍କୁ କୌଣସି ପରିସ୍ଥିତିରେ ତ୍ୟାଗ କରିପାରିବିନି ।’

ତାପରେ ବିଦୁର ଅନେକ ଶାସ୍ତ୍ରରୁ ଉଦ୍ଧାର କରି ଅନେକ କଥା ସାରା ରାତି ଧୃତରାଷ୍ଟ୍ରଙ୍କୁ ଶୁଣାଇଲେ ।
 
ସକାଳ ହେବାରୁ କୁରୁସଭା ଆରମ୍ଭ ହେଲା ଓ ସଞ୍ଜୟ ପାଣ୍ଡବମାନଙ୍କ ପାଖରୁ ବାର୍ତ୍ତା ଆଣି ଆସିଛନ୍ତି ବୋଲି ଜଣାଗଲା । ସମସ୍ତେ ପରମ ଉତ୍ସୁକତାରେ ଶୁଣିବାକୁ ଅପେକ୍ଷା କରିଥା'ନ୍ତି ।

ସଞ୍ଜୟ ପୂରା ସଭାକୁ ସମ୍ମାନ ଜଣାଇ ତାଙ୍କ କଥା ଆରମ୍ଭ କଲେ ।
‘କେଶବଙ୍କ ଆଗରେ ଯୁଧିଷ୍ଠିରଙ୍କ ଅନୁମତିରେ ବୀର ଧନଞ୍ଜୟ, ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ ଯାହା ଯାହା କହିଲେ ତାହା ମୁଁ କହୁଛି । ସେ କହିଲେ ଯେଉଁ ମନ୍ଦବୁଦ୍ଧି କର୍ଣ୍ଣଙ୍କ ସହାୟତାରେ ପାଣ୍ଡବମାନଙ୍କ ସହ ଯୁଦ୍ଧ କରିବାକୁ ଦୁର୍ଯ୍ୟୋଧନ ମନସ୍ଥ କରିଛନ୍ତି ସେଥିପାଇଁ କୃଷ୍ଣ ଓ ମୁଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛୁ । ଅସ୍ତ୍ରଧାରୀ ଭୀମସେନ, ଅର୍ଜୁନ, ନକୁଳ, ସହଦେବ, ବାସୁଦେବ, ସାତ୍ୟକି, ଧୃଷ୍ଟଦ୍ୟୁମ୍ନ ଓ ଶ୍ରୀଖଣ୍ଡି ଆଦି ଏ ସମସ୍ତ ମହାରଥି ଯୁଦ୍ଧପାଇଁ ଏବେ ଅପେକ୍ଷା କରି ବସିଛନ୍ତି ।

ଅତୀତରେ ଆମେ ଅନେକ ଥର ଦୟା ଦେଖାଇ ଦୁର୍ଯ୍ୟୋଧନଙ୍କୁ ଜୀବନରେ ମାରିଦେଇନୁ । ବରଂ ଆମେ ଅନେକ ଥର କୌରବମାନଙ୍କୁ ବିଭିନ୍ନ ବିପଦରୁ ରକ୍ଷା କରିଛୁ । ଏବେ ଯଦି ଦୁର୍ଯ୍ୟୋଧନ ଆମକୁ ଆମର ପୈତୃକ ସମ୍ପତ୍ତି ନଫେରାନ୍ତି ତେବେ ସଂପୂର୍ଣ୍ଣ କୁରୁକୁଳ ନିଶ୍ଚୟ ଧ୍ୱଂସ ପାଇଯିବ ।’
ଅର୍ଜୁନ ଆହୁରି କହିଲେ ଯେ ‘ମୋ ଗାଣ୍ଡିବ ଧନୁ ଯୁଦ୍ଧ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହେଇ ରହିଛି । ବିନା ସ୍ପର୍ଶରେ ଗୁଣ ତା'ର କମ୍ପିତ ହେଉଛି । ମୋ ତୂଣୀରରେ ଥିବା ବାଣମାନେ ଧନୁରେ ଚଢିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛନ୍ତି । ମୋ ରଥର ପତାକା ସବୁଦିନ ପଚାରୁଛି, ହେ ଅର୍ଜୁନ ତୁମ ରଥ କେବେ ଯୁଦ୍ଧକୁ ବାହାରିବ?’

ତାପରେ ସଞ୍ଜୟ ପାଣ୍ଡବ ଓ ଶ୍ରୀକୃଷ୍ଣ ତାଙ୍କୁ ଯାହା ଯାହା କୁରୁସଭାରେ ଏବଂ ବିଶେଷକରି ଦୁର୍ଯ୍ୟୋଧନକୁ କହିବାକୁ କହିଥିଲେ ସବୁକିଛି କହିଲେ । ସବୁ ଶୁଣି ସାରିଲା ପରେ ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ କହିଲେ, ‘ହେ ପୁତ୍ର ତୁମେ ପ୍ରକୃତରେ କୃଷ୍ଣ ଓ ଅର୍ଜୁନଙ୍କୁ ଚିହ୍ନିନ । ସେମାନେ ହେଲେ ନର ନାରାୟଣ । ଅସଂଖ୍ୟ ଦୈତ୍ୟ ଦାନବଙ୍କୁ ସେ ଦୁହେଁ ମିଳିମିଶି ସଂହାର କରିଛନ୍ତି । ତାଙ୍କ ସହାୟତାରେ ଇନ୍ଦ୍ରଦେବ ତାଙ୍କର ଅନେକ ପରମ ଶତ୍ରୁଙ୍କୁ ବିନାଶ କରିଛନ୍ତି । ଇନ୍ଦ୍ରଙ୍କ ସହ ସୁରାସୁରମାନେ ମଧ୍ୟ ମର୍ତ୍ତ୍ୟଲୋକରେ ସେମାନଙ୍କୁ ପରାସ୍ତ କରିପାରିବେନି। ହେ ଦୁର୍ଯ୍ୟୋଧନ, ତୁମେ ଯେତେବେଳେ କୃଷ୍ଣଙ୍କୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରି ଧନୁର୍ଦ୍ଧାରୀ ଅର୍ଜୁନଙ୍କ ସହ ରଥରେ ବସିଥିବାର ଯୁଦ୍ଧକ୍ଷେତ୍ରରେ ଦେଖିବ, ସେତବେଳେ ମୋତେ ନିଶ୍ଚୟ ମନେପକାଇବ ।

ତୁମେ ଯୁଦ୍ଧରୁ ପଛକୁ ନଫେରିଲେ ନିଜର ଅସଂଖ୍ୟ ପ୍ରିୟଜନଙ୍କ ମରଣ ଦେଖିବ । ତୁମର ରାଜ୍ୟ, ଧନ, ଅଭିମାନ, ଗର୍ବ ଓ ଗୌରବ ସବୁକିଛି ନଷ୍ଟ ହେଇଯିବ। ତୁମେ ମୋ କଥା ନଶୁଣି ଯଦି ପର୍ଶୁରାମଙ୍କ ଦ୍ୱାରା ଅଭିଶପ୍ତ ନିଚ୍ଚ କୁଳରେ ଜନ୍ମ ହେଇଥିବା ସୂତପୁତ୍ର କର୍ଣ୍ଣ, ମନ୍ଦବୁଦ୍ଧି ସୁବଳ ପୁତ୍ର ଶକୁନି ଓ କ୍ଷୁଦ୍ରମନା ତୁମ ସାନଭାଇ ଦୁଃଶାସନଙ୍କ କଥା ଶୁଣି କାମ କରିବ ତେବେ ତା' ପରାଭବ ତୁମକୁ ଭୋଗିବାକୁ ପଡିବ ।’

ପିତାମହ ଭୀଷ୍ମଙ୍କ କଥା ଶୁଣି କର୍ଣ୍ଣ ତାଙ୍କ ସ୍ଥାନରୁ ଉଠି ଠିଆହୋଇ କହିଲେ, ‘ହେ ପିତାମହ ଆପଣ ଯେଉଁ ଅଭିଯୋଗ କରିଛନ୍ତି ସେ ଗୁଣ ମୋ ପାଖରେ ନାହିଁ । ଧୃତାରାଷ୍ଟ୍ରଙ୍କ ପୁଅମାନେ ଜାଣନ୍ତି ଆମେ କିଛି ବି ପାପ କରିନାହୁଁ । ଆମର ଏକମାତ୍ର ବାସନା ଯୁଦ୍ଧକ୍ଷେତ୍ରରେ ପାଣ୍ଡବମାନଙ୍କୁ ବିନାଶ କରିବୁ । ଆପଣ ଜାଣି ଜାଣି ମୋ ପ୍ରତି କଟୁବାକ୍ୟ ପ୍ରୟୋଗ କରୁଛନ୍ତି କାରଣ ମୁଁ ସ୍ୱଧର୍ମ ତ୍ୟାଗ ନକରି କ୍ଷତ୍ରୀୟ ଧର୍ମକୁ ଆଶ୍ରୟ କରିଛି । କେମିତି କୌରବମାନଙ୍କ ଶକ୍ତି ବୃଦ୍ଧି ହେବ ମୁଁ ସେତିକି ମାତ୍ର ଚାହେଁ ।’

କର୍ଣ୍ଣଙ୍କ କଥା ଶୁଣି ଭୀଷ୍ମଦେବ ରାଜା ଧୃତରାଷ୍ଟ୍ରଙ୍କୁ ଚାହିଁ କହିଲେ, ‘ଏ କର୍ଣ୍ଣ ଯେଉଁ କହୁଛନ୍ତି ପାଣ୍ଡବମାନଙ୍କ ସଂହାର କରିବେ ସେ ପାଣ୍ଡବଙ୍କ ଷୋହଳଅଣାରୁ ଅଣାଏ ମଧ୍ୟ ହେବେ ନାହିଁ । ତୁମ ଦୁରାତ୍ମା ପୁତ୍ରମାନଙ୍କର ଭାଗ୍ୟରେ ଯେଉଁ ଅନର୍ଥ ଉପସ୍ଥିତ ହୋଇଛି ତାହା କେବଳ ଏଇ କର୍ଣ୍ଣ ପାଇଁ ହୋଇଛି ବୋଲି ବୁଝିଯାଅ । ତୁମ ମନ୍ଦମତି ପୁତ୍ର ଦୁର୍ଯ୍ୟୋଧନ ଏଇ କର୍ଣ୍ଣକୁ ଆଶ୍ରୟ ଦେଇ ଦେବୋପମ ପାଣ୍ଡବମାନଙ୍କୁ ଅପମାନିତ କରିଛି । କର୍ଣ୍ଣଙ୍କ ବୀରତ୍ୱ ଆମେ ବହୁବାର ପୂର୍ବରୁ ଦେଖିଛୁ ।

ଅର୍ଜୁନ ବିରାଟଙ୍କ ନଗରୀରେ ଯୁଦ୍ଧବେଳେ ଯେତେବେଳେ ତାଙ୍କ ଭାଇକୁ ବିନାଶ କରିଥିଲେ ସେତେବେଳେ ଏ କ'ଣ କରିଥିଲେ? କ'ଣ ପ୍ରତିଶୋଧ ନେଇଥିଲେ ? ଅର୍ଜୁନ ଯେଉଁ କୌରବ ମହାରଥିମାନଙ୍କୁ ପରାସ୍ତ କରିଥିଲେ ସେମାନଙ୍କ ଭିତରେ କର୍ଣ୍ଣ ଥିଲେ ନା ନାହିଁ? ମୁର୍ଚ୍ଛାହେଇ ପଡିଥିବା ବୀରମାନଙ୍କ ଉତ୍ତରୀୟ ହରଣ କଲାବେଳେ କର୍ଣ୍ଣ କ'ଣ କରୁଥିଲେ? ଏବେ ଏଠାରେ ବୃଷଭ ପରି ଗର୍ଜନ କରୁଛନ୍ତି କିନ୍ତୁ ଯେବେ ଗନ୍ଧର୍ବମାନେ ଦୁର୍ଯ୍ୟୋଧନଙ୍କୁ ଅପହରଣ କରୁଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ସୂତପୁତ୍ର କର୍ଣ୍ଣ କ'ଣ କରୁଥିଲେ?

ହେ ଧୃତରାଷ୍ଟ୍ର ! ଏ କର୍ଣ୍ଣ ସବୁବେଳେ ବହୁତ ମିଛ ଅହମିକା ଦେଖାନ୍ତି । କାହା କଥା ନଶୁଣି ତୁମେ ଏବେ କୁରୁକୁଳର ମଙ୍ଗଳ ବିଷୟରେ ଚିନ୍ତା କର । ମୁଁ ଅବଶ୍ୟ ଜାଣି ପାରୁଛି ତୁମର ମନ୍ଦବୁଦ୍ଧି ପୁତ୍ରମାନଙ୍କ ପାଖରେ କୌଣସି ଭଲ ପରାମର୍ଶର କୌଣସି ଅର୍ଥ ନାହିଁ ।’

ପିତାମହ ଭୀଷ୍ମଙ୍କ ଏପରି କଥା ଶୁଣି ପୂରା ସଭାରେ ନୀରବତା ଛାଇଗଲା । ଏତିକି କହି ତାପରେ ଭୀଷ୍ମ ବିଷାଦପୂର୍ଣ୍ଣ ମୁହଁ ନେଇ ନିଜ ଆସନରେ ବସି ପଡିଲେ।

Mahabharat Mahabharat Story
Advertisment
Related Articles
Advertisment