Advertisment

Political Storm over ‘Traitor’ Remark in Nuapada Bypoll: ନୂଆପଡ଼ା ଉପନିର୍ବାଚନରେ ‘ବେଇମାନ’ଶବ୍ଦର ଝଡ଼ – କିଏ କରୁଛି ବେଇମାନୀ ?

ନବୀନଙ୍କ ଏଭଳି କାର୍ଯ୍ୟକୁ ବିଜୟ ଯେଉଁ ଗୋଟିଏ ବାକ୍ୟରେ ବାଖ୍ୟା କରିଥିଲେ, ତାହା ଥିଲା ଏହିପରି ‘ଆଇ ହାଭ୍ ବିନ୍ ବ୍ୟାକଷ୍ଟାବ୍ଡ ।’ ଏହାର ଅର୍ଥ ହେଲା ‘ମୋତେ ପଛରୁ ଛୁରିକାଘାତ କରାଯାଇଛି ।’ ଜାତୀୟ ଗଣମାଧ୍ୟମଗୁଡ଼ିକ ନବୀନଙ୍କ ଏଭଳି ରାଜନୈତିକ ପଦକ୍ଷେପକୁ ‘ମାକିଆଭେଲିଆନ୍ ପଲିଟିକ୍ସ’ କହିଥିଲେ ।

author-image
Akshaya Kumar Sahoo
nuapada bypoll

nuapada bypoll Photograph: (OTV)

ବେଇମାନ କିଏ? କଣ ଏହାର ସଂଜ୍ଞା? ଓଡିଶା ରାଜନୀତିରେ ଏହା କ’ଣ ମହତ୍ତ୍ୱ ରଖୁଛି? ଏବେ କାହିଁକି ଏହି ଶବ୍ଦଟି ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଏତେ ମାତ୍ରାରେ ଆଲୋଚନା ହେଉଛି? ଏହି ଆଲୋଚନା କାହାର ସ୍ୱାର୍ଥକୁ ବେଶି ସହାୟତା କରୁଛି ବା କରିବାକୁ ଯାଉଛି?

Advertisment

ଯଦି ବିଗତ ୨୫ ବର୍ଷର ଓଡ଼ିଶା ରାଜନୀତିକୁ ଅନୁଧ୍ୟାନ କରିବା, ତେବେ ଏହି ‘ବେଇମାନ' ଶବ୍ଦକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ୨୦୧୨ ମସିହା ମେ’ ୩୦ ତାରିଖ ଦିନ ପ୍ୟାରୀମୋହନ ମହାପାତ୍ରଙ୍କ ପ୍ରତି ପ୍ରୟୋଗ କରିଥିଲେ ।

ମେ’ ୩୦ ତାରିଖ ଥିଲା ମେ’ ୨୯ ତାରିଖ ଦିନର ପରବର୍ତ୍ତୀ ଦିନ । ଏହି ଦିନ ପ୍ୟାରୀମୋହନ ତାଙ୍କର ତଥାକଥିତ ‘ମିଡନାଇଟ ଅପରେସନ’ ଉଦ୍ୟମ କରିଥିଲେ ବୋଲି କୁହାଯାଏ, ଯାହାକୁ ଖୋଦ୍ ପ୍ୟାରୀମୋହନ ଏହି ‘ମିଡନାଇଟ୍ ଅପରେସନ’ ଆରୋପକୁ ‘ଅସତ୍ୟ’ ବୋଲି କହିଥିଲେ । ‘ବେଇମାନ’ ଅପବାଦ ପ୍ୟାରୀମୋହନଙ୍କୁ ଏହା ବେଶ ବାଧିଥିଲା । ବହୁ ସମୟ ଓ ଶ୍ରମ ଦେଇ ପ୍ୟାରୀମୋହନ ବିଜୁ ଜନତା ଦଳକୁ ଏକ କ୍ୟାଡରଯୁକ୍ତ ବା ସମର୍ପିତ କର୍ମୀମାନଙ୍କ ଦଳ ଭାବେ ଗଢି ତୋଳିଥିଲେ। ନବୀନଙ୍କ ଏତାଦୃଶ ଶବ୍ଦ ତାଙ୍କୁ ଢେର୍ ମାନସିକ ଦୁଶ୍ଚିନ୍ତା ମଧ୍ୟକୁ ଟାଣି ନେଇଥିଲା । ଏହି ଚାପରୁ ସେ ମୁକ୍ତ ହୋଇପାରିନଥିଲେ ଏବଂ ଧୀରେ ଧୀରେ ରୋଗଗ୍ରସ୍ତ ହୋଇ ଶେଷରେ ପ୍ରାଣ ହରାଇଥିଲେ । ଶେଷ ପର୍ଯ୍ୟନ୍ତ ସେ ଚାହୁଁଥିଲେ, ନବୀନ ତାଙ୍କୁ ଏହି ଅପବାଦରୁ ମୁକ୍ତ କରନ୍ତୁ ।

Advertisment

ପ୍ୟାରୀମୋହନ ସର୍ବଦା କହୁଥିଲେ ଯେ “ମିଡ଼୍ ନାଇଟ୍ ଅପରେସନ’ ଏକ ‘ମ୍ୟାନୁଫାକ୍ଚର୍ଡ ମିଥ୍’ ବା ତିଆରି ହୋଇଥିବା ମନଗଢ଼ା କାହାଣୀ ଥିଲା । ଦଳର କିଛି ନେତା ତାଙ୍କୁ ଦଳରୁ ବାହାର କରିବା ପାଇଁ ଏଭଳି ଏକ ଷଡ଼ଯନ୍ତ୍ର କରିଥିଲେ । ଏହି ଷଡ଼ଯନ୍ତ୍ରରେ ଜଣେ ଡେଙ୍ଗା ଓ ଜଣେ ଗେଡ଼ା ନେତାଙ୍କର ବେଶ୍ ଭାଗିଦାରୀ ଥିଲା ବୋଲି ସେ କହିଥିଲେ । ପ୍ୟାରୀଙ୍କର ହାତ ତିଆରି ନେତା ଦ୍ୱୟଙ୍କ ମଧ୍ୟରୁ ଡେଙ୍ଗାକୁ ସାମନ୍ୟ ବିଶ୍ୱାସ କରାଯାଇପାରେ, ଗେଡ଼ାକୁ ଆଦୌ ନୁହେଁ ବୋଲି ସେ କହିଥିଲେ ।

ପ୍ରକୃତରେ ପ୍ୟାରୀଙ୍କ ସମୟରୁ ବେଇମାନୀ ଆରମ୍ଭ ହୋଇଥିଲା ନା ତା’ ପୂର୍ବରୁ? ଇତିହାସ କୁହେ ଯେତେବେଳେ ଭାରତ ଓ ଓଡ଼ିଶାର ରାଜନୈତିକ ବ୍ୟବସ୍ଥା ୧୯୯୦ ଦଶକର ଶେଷ ଭାଗରେ ଏକ ଅନିଶ୍ଚିତ ତଥା ଅସ୍ଥିର ସମୟ ଦେଇ ଗତି କରୁଥିଲା, ସେଇ ସମୟରେ ଓଡ଼ିଶାରେ ବିଜୁ ଜନତା ଦଳ ଏକ ସାମାଜିକ ଓ ରାଜନୈତିକ ବିପ୍ଳବରୁ ଜନ୍ମ ନେଇଥିଲା । ଜାତୀୟସ୍ତରରେ ଜନତା ଦଳ ସବୁଠାରୁ ବଡ଼ ଅଣକଂଗ୍ରେସ ଦଳ ର୍ପୂବରୁ ବେଶ୍ ଶକ୍ତ ଥିଲେ ହେଁ ଏହାର କେନ୍ଦ୍ରୀୟ ନେତୃତ୍ୱମାନଙ୍କ ଉଚ୍ଚାକାଂକ୍ଷା ପାଇଁ ଦଳ ବହୁଧା ବିଭକ୍ତ ହୋଇ ଜନତା ଦଳ (ୟୁନାଇଟେଡ), ଜନତା ଦଳ (ଧର୍ମନିରପେକ୍ଷ), ସମାଜବାଦୀ ଜନତା ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ ସୃଷ୍ଟି ହେଲେ । ଓଡ଼ିଶାରେ ଯେଉଁମାନେ ଉପରୋକ୍ତ ଦଳଗୁଡ଼ିକ ସହିତ ନରହିଲେ ସେମାନେ ବିଜୁ ଜନତା ଦଳ ତିଆରି କଲେ । ଏହି ଦଳ ତିଆରି ହେବାରେ ବିଜୟ ମହାପାତ୍ରଙ୍କର ପ୍ରମୁଖ ଭୂମିକା ରହିଥିଲା ।

୨୦୦୦ ମସିହାରେ ବିଜେଡ଼ି କ୍ଷମତାକୁ ଆସିବା ପୂର୍ବରୁ ନବୀନ ଜାଣିପାରିଲେ ବା ତାଙ୍କୁ ଜଣାଇଦିଆଗଲା ଯେ ଯଦି ଦଳ କ୍ଷମତାକୁ ଆସୁଛି, ତେବେ ସେ ଆସ୍କା ଲୋକସଭାର ସଦସ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ରହିଯିବେ, -- କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଏହାପରେ ସେ ଯାହା କଲେ ତାହା ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ କେବେ ଘଟିନାହିଁ । ବିଜୁ ଜନତା ଦଳ(BJD)ର ପରିକଳ୍ପନା କରିଥିବା ଏବଂ ତାକୁ ସାକାର କରିଥିବା ବିଜୟ ମହାପାତ୍ରଙ୍କୁ ପାଟକୁରା ନିର୍ବାଚନମଣ୍ଡଳୀରୁ ଲଢ଼ିବା ପାଇଁ ଟିକେଟ୍ ଦେଲେ । ସେ ନାମାଙ୍କନପତ୍ର ଦାଖଲ ବି କଲେ ।

ନାମାଙ୍କନପତ୍ର ଦାଖଲର ଶେଷ ତାରିଖରେ ଶେଷ ସମୟର ମାତ୍ର ଅଳ୍ପ କେତେ ମିନିଟ୍ ପୂର୍ବରୁ ଅତି ଜଘନ୍ୟ ଭାବରେ ଚଞ୍ଚକତା କରି ତାଙ୍କର ଟିକେଟ୍ କାଟିଦେଲେ। ଶେଷ ମୁହୂର୍ତ୍ତରେ ଆଉଜଣଙ୍କୁ ଟିକେଟ ଦେଇଦେଲେ । ଏହାଫଳରେ ବିଜୟ ଆଉ ୨୦୦୦ ମସିହାରେ ନିର୍ବାଚନ ଲଢ଼ିପାରିଲେ ନାହିଁ । 

ନବୀନଙ୍କ ଏଭଳି କାର୍ଯ୍ୟକୁ ବିଜୟ ଯେଉଁ ଗୋଟିଏ ବାକ୍ୟରେ ବାଖ୍ୟା କରିଥିଲେ, ତାହା ଥିଲା ଏହିପରି ‘ଆଇ ହାଭ୍ ବିନ୍ ବ୍ୟାକଷ୍ଟାବ୍ଡ ।’ ଏହାର ଅର୍ଥ ହେଲା ‘ମୋତେ ପଛରୁ ଛୁରିକାଘାତ କରାଯାଇଛି ।’ ସେତେବେଳେ ଜାତୀୟ ଗଣମାଧ୍ୟମଗୁଡ଼ିକ ନବୀନଙ୍କ ଏଭଳି ରାଜନୈତିକ ପଦକ୍ଷେପ ନେଇ ହତଚକିତ ହେବା ସହିତ ତାଙ୍କର ଏହିଭଳି ପଦକ୍ଷେପକୁ ‘ମାକିଆଭେଲିଆନ୍ ପଲିଟିକ୍ସ’ କହିଲେ ।

ରାଜନୈତିକ ଦାର୍ଶନିକ ନିକୋଲ ମାକିଆଭେଲିଙ୍କ ଦର୍ଶନ ଅନୁସାରେ ରାଜନୀତିର ଉଚ୍ଚସୋପାନ ଚଢ଼ିବାକୁ ହେଲେ ଯେ କୈାଣସି କଳାକୌଶଳ ଆପଣାଇଲେ ତାହା ଭୁଲ ନୁହେଁ ।
ବିଜୟଙ୍କ ପରେ ପାଳି ପଡ଼ିଥିଲା ରାମକୃଷ୍ଣ ପଟ୍ଟନାୟକ, ନଳିନୀ ମହାନ୍ତି, ଦିଲ୍ଲୀପ ରାୟ, କମଳା ଦାସ, ଶରତ କର, ବ୍ରଜକିଶୋର ତ୍ରିପାଠୀ, ବୈଜୟନ୍ତ ପଣ୍ଡା, ଅମର ପ୍ରସାଦ ଶତପଥୀ ଏବଂ ଆହୁରି ଅନେକ ନେତାଙ୍କର । ଏମାନେ ସମସ୍ତେ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ।

'ବେଇମାନ' ଶବ୍ଦକୁ ନେଇ ଆରୋପ ଦୋଷାରୋପ

ନଭେମ୍ବର ୬ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (Mohan Charan Majhi) ନୂଆପଡ଼ାର କୋମନା ଠାରେ ଅନୁଷ୍ଠିତ ନିର୍ବାଚନ ସଭାରେ ନବୀନଙ୍କ ‘ବେଇମାନୀ’ ଚରିତ୍ରର ଏକ ଲମ୍ବା ଚିଠା ଉପସ୍ଥାପନ କରିଥିଲେ । ବିଜେପୁରର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡ଼ିର ମିଶାଇ ଉପନିର୍ବାଚନ ଲଢାଇବା ଠାରୁ ଆରମ୍ଭ କରି କାକଟପୁରର ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ ପଦ ଲୋଭ ଦେଖାଇ ବିଜେଡ଼ିକୁ ନେବା, ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହଙ୍କୁ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ମିଶାଇବା କ’ଣ ବେଇମାନୀ ନୁହେଁ ବୋଲି ସେ ପ୍ରଶ୍ନ କରିଥିଲେ ।

ନବୀନଙ୍କୁ ପ୍ରଶ୍ନ କରିବା ପଛରେ ଯେଉଁ କାରଣ ରହିଛି ତାହା ଆଲୋଚନାର ଅପେକ୍ଷା ରଖୁଛି । ତାହା ହେଲା ଏହି କିଛି ଦିନ ପୂର୍ବରୁ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ୁଥିବା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କ ଦଳ ପରିବର୍ତ୍ତନ କରିବାକୁ ‘ବେଇମାନୀ’ ଆଖ୍ୟା ଦେବା । ଶ୍ରୀ ମାଝୀ ପ୍ରଶ୍ନ କରିଥିଲେ ଯେ ଯେଉଁ ଦଳ ପାଇଁ ରାଜେନ୍ଦ୍ର ବାବୁ ତାଙ୍କର ସମସ୍ତ ଶ୍ରମ ଓ ସମୟ ଦେଇଥିଲେ, ସେହି ଦଳ ତାଙ୍କର ଅସୁସ୍ଥତା ସମୟରେ ତାଙ୍କ ସହିତ ଛିଡ଼ା ନହେବା କ’ଣ ବେଇମାନୀ ନୁହେଁ କି ?

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିଜୟ ମହାପାତ୍ର ଓ ନଳିନୀ ମହାନ୍ତିଙ୍କ ପ୍ରତି ନବୀନ ପଟ୍ଟନାୟକ ଯେଉଁ ଆଚରଣ କରିଥିଲେ, ତାହା କ’ଣ ବେଇମାନୀ ନୁହେଁ କି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ।
ଅନ୍ୟପକ୍ଷରେ ଏବେ ଯାହା ଆଲୋଚନା ହେଉଛି ଯେ ନବୀନଙ୍କ ଭଳି ଜଣେ ଚତୁର ନେତା ନୂଆପଡ଼ା ଉପନିର୍ବାଚନ ପ୍ରଚାରରରେ ଜାଣିଶୁଣି ‘ବେଇମାନ’ ଶବ୍ଦ ପ୍ରୟୋଗ କରିପାରିଥାଆନ୍ତି । କାରଣ ତାଙ୍କ ସରକାରଙ୍କ ୨୪ ବର୍ଷ ମଧ୍ୟରେ ନୂଆପଡ଼ାରେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ ।

ବେକାରୀ ସମସ୍ୟା, ଚାଷୀ ସମସ୍ୟା, ବିଗିଡ଼ି ଯାଇଥିବା ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ଠାରୁ ଦୃଷ୍ଟି ହଟାଇବା ପାଇଁ ଏଭଳି ସେ ଏକ ମନ୍ତବ୍ୟ ରଖିଛନ୍ତି ବୋଲି ଆଲୋଚନା ହେଉଛି ।

ସେ ଯାହାହେଉ ନାଁ କାହିଁକି, ପ୍ରସଙ୍ଗ ବଦଳରେ ଏବେ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ‘ବେଇମାନ’ ଓ ‘ବେଇମାନୀ’ ଶବ୍ଦ ଦୁଇଟି ଉଭୟ ବିଜେଡ଼ି ଓ ବିଜେପି(BJP) ଦଳର ମୁଖ୍ୟ ଅସ୍ତ୍ର ପାଲଟିଛି । ଦେଖିବାର କଥା ଏହି ଅସ୍ତ୍ର ପ୍ରୟୋଗ କରି କିଏ କେତେ ନିର୍ବାଚନ କ୍ଷେତରୁ ଅଧିକ ଫସଲ କାଟିପାରୁଛି ।

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।

Advertisment
Related Articles
Advertisment