Advertisment

After a Major Setback: ଛିଡ଼ି ଯାଇଥିବା ପର ପୁଣିଥରେ ଯୋଡ଼ି ଉଡ଼ିପାରିବେ କି ନବୀନ? ଆହ୍ୱାନ ଅନେକ

ବିଜୁ ଜନତା ଦଳର କିଛି ନେତାଙ୍କର ଅହଙ୍କାର, ଦୁର୍ନୀତି ଓ ଅନୀତି ଆଉ ଏକ ପଙ୍କିଳ ପରିସ୍ଥିତି କରିସାରିଥିଲା । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କରି ଅମଲାତନ୍ତ୍ରକୁ ଶକ୍ତିଶାଳୀ କରି କ୍ଷମତା ଓ ଅର୍ଥ ଆହରଣ ଜନସାଧାରଣଙ୍କୁ ବ୍ୟତିବ୍ୟସ୍ତ କରାଇଥିଲା ।

author-image
Akshaya Kumar Sahoo
Naveen Patnaik

Naveen Patnaik Photograph: (OTV)

ଡିସେମ୍ବର ୮ ତାରିଖ, - ସୋମବାର ଦିନ ସଂଧ୍ୟା । ବାହାରେ ଥଣ୍ଡାର ପ୍ରକୋପ ଧିରେଧିରେ ବଢୁଥାଏ । ହେଲେ ବିଧାନସଭା ଭିତରେ ରାଜନୈତିକ ଉଷ୍ମତା ଅନୁରୂପ ଭାବେ ବୃଦ୍ଧି ପାଉଥାଏ । ସୋମବାର ଦିନ ଥିଲା ରାଜ୍ୟର ୧୭ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରିବାର କାର୍ଯ୍ୟ । ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେଲେ ସରକାରଙ୍କ ଶୀତକାଳୀନ ଅଧିବେଶନର କାର୍ଯ୍ୟ ପ୍ରାୟତଃ ସମାପ୍ତ ହେଲା ବୋଲି ଧରିନେବାକୁ ହେବ । ତେଣୁ ଏହି ଦିନଟିକୁ ଉଭୟ ଶାସକ ଓ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ ବେଶ୍ ଗୁରୁତ୍ୱର ସହିତ ନେଇଥିଲେ ।

Advertisment

ପ୍ରତ୍ୟେକ ଦଳର ସଦସ୍ୟ ନିଜ ନିଜର ପ୍ରସ୍ତୁତି ଅନୁସାରେ ବିଧାନସଭା ଗୃହ ଭିତରେ ପରସ୍ପରକୁ ବାଗ୍ମୀତା ଓ ତଥ୍ୟ ପରିବେଷଣରେ ପରାସ୍ତ କରିବାକୁ ଏକ ପ୍ରକାର ପଣ କରିଆସିଥିବା ପରି ପ୍ରତୀୟମାନ ହେଉଥିଲା । ବିରୋଧୀ ବିଜୁ ଜନତାଦଳ ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ଅରୁଣ ସାହୁଙ୍କ ସମେତ ଅନେକ ମୋହନ ମାଝୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାରକୁ ଏକ ପ୍ରକାର ଧୂଲେଇ କରିବା ପାଇଁ ବିଭିନ୍ନ ତଥ୍ୟ ଉପସ୍ଥାପନ କରି ଶାଣିତ ଭାବରେ ନିଜର ବକ୍ତବ୍ୟ ରଖିଥିଲେ ।

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଓ ଅଶୋକ ଦାସ ମଧ୍ୟ ସରକାରୀ ଦଳକୁ ଘେରିବାକୁ ଭରପୂର ଉଦ୍ୟମ କରିଥିଲେ । ଶାସକ ଦଳ ଦରଫରୁ ଟଙ୍କଧର ତ୍ରିପାଠୀ, ଉପାସନା ମହାପାତ୍ର, ଲକ୍ଷ୍ମଣ ବାଗ, ସୁଧୀର ରଂଜନ ପାଟ୍ଟଯୋଶୀ, ପ୍ରତାପ ଚନ୍ଦ୍ର ନାୟକ, ଦୁଷ୍ମନ୍ତ ସ୍ୱାଇଁ, ପଦ୍ମଲୋଚନ ପଣ୍ଡା, ଦୁର୍ଗା ପ୍ରସନ୍ନ ନାୟକ, ମନୋରଂଜନ ଦ୍ୟାନସାମନ୍ତରାୟ ଓ ସନ୍ତୋଷ ଖଟୁଆ ପ୍ରମୁଖ ମଧ୍ୟ ବିରୋଧୀଙ୍କ ଅଭିଯୋଗର ଜୋରଦାର ଉତ୍ତର ରଖିବାକୁ ଚେଷ୍ଟା କରିଥିଲେ ।

Advertisment

ବିରୋଧୀ ଓ ଶାସକ ଦଳ ସଦସ୍ୟମାନଙ୍କ ବେଶ୍ ଆକର୍ଷଣୀୟ ଯୁକ୍ତିତର୍କ ପରେ ସମସ୍ତଙ୍କ ଲକ୍ଷ୍ୟ ରହିଥିଲା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ବ୍ୟକ୍ତବ୍ୟ ଉପରେ ।  ମୁଖ୍ୟମନ୍ତ୍ରୀ ପୂରା ପ୍ରସ୍ତୁତ ହୋଇ ଆସିଥିଲେ । ପ୍ରଥମରୁ ହିଁ ସେ ବିରୋଧୀଙ୍କୁ ପୂରା ସିଧାସିଧା ହିସାବ ଦେବା ଆରମ୍ଭ କରିଦେଲେ । ସେ କହିଥିଲେ, ମୁଁ ଆଶ୍ୱସ୍ତ କରିବାକୁ ଚାହେଁ ଯେ  ବଜେଟରେ ବରାଦ ଅର୍ଥର ବିନିଯୋଗ ସନ୍ତୋଷଜନକ ରହିଛି । ଗତବର୍ଷ ନଭେମ୍ବର ସୁଦ୍ଧା ୪୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିଲା । ଏ ବର୍ଷ ୪୪ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ।

ସେହିପରି ରାଜସ୍ୱ ସଂଗ୍ରହ ୮ ଦଶମିକ ୩ ପ୍ରତିଶତ ବୃଦ୍ଧି ପାଇଛି । ଏହା ବଜେଟ୍ ଆକଳନର ୫୪ ପ୍ରତିଶତ । ଏହି ସମୟ ମଧ୍ୟରେ ରାଜ୍ୟକୁ ୫୦ହଜାର ୪୬୨ କୋଟି ଟଙ୍କାର କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ସହି କେନ୍ଦ୍ରୀୟ ସହୟତା ମିଳିଛି । ଏହା ଗତବର୍ଷ ଠାରୁ ପ୍ରାୟ ୬ ହଜାର କୋଟି ଟଙ୍କା ବା ୧୩ ପ୍ରତିଶତ ଅଧିକ । ଶ୍ରୀ ମାଝୀ କହିଥିଲେ ଯେ ରାଜ୍ୟର ମୁଣ୍ଡପିଛା ଆୟ ୨୬ହଜାର ୯୭୮ଟଙ୍କା ରହିଛି । କୃଷି, ଶିଳ୍ପ ଓ ସେବା କ୍ଷେତ୍ରରେ ରାଜ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି ।

ଏହାପରେ ମୁଖ୍ୟମନ୍ତ୍ରୀ ସିଧାସଳଖ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିଧାନସଭାରେ ନିରନ୍ତର ଅନୁପସ୍ଥିତିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ ଶ୍ରୀ ପଟ୍ଟନାୟକଙ୍କର ବିଧାନସଭାରେ ବସିବା ପାଇଁ ଦୁଇ ମିନିଟ୍ ସମୟ ନାହିଁ । ହେଲେ ସେ ନୂଆପଡ଼ା ଦୁଇ ଦୁଇ ଥର ଯାଇ ସେଠାରେ ଘଣ୍ଟା ଘଣ୍ଟା କାଳ ପ୍ରଚାର କରିପାରୁଛନ୍ତି । ଏହିଥିରୁ ତାଙ୍କର ରାଜ୍ୟ ସ୍ୱାର୍ଥ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ ପାଉଛି ବୋଲି ସେ କଟାକ୍ଷ କରିଥିଲେ । ସେ ପ୍ରଶ୍ନ କରିଥିଲେ ଯେ ବିରୋଧୀ ଦଳ ନେତା ଗୃହରେ କେତେ ସମୟ ଗତ ୯ ଦିନରେ ବସିଛନ୍ତି ଓ କେତେଗୋଟି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଖାଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ (ପୂର୍ବର ଟୁଇଟର)ରେ ନିଜର ମନ୍ତବ୍ୟ ପୋଷ୍ଟ କରିଦେଲେ କୌଣସି ସମସ୍ୟାର ସମାଧାନ ହୋଇଯିବ ନାହିଁ କି ନିଜର ଦାୟିତ୍ୱ ସରିଗଲା ବୋଲି ଭାବିବା ଉଚିତ୍ ନୁହେଁ ବୋଲି ସେ ନବୀନଙ୍କୁ ଇଙ୍ଗିତ କରି କହିଥିଲେ । ତାଙ୍କର ଉତ୍ତର ସମୟରେ ବିରୋଧୀ ବିଜୁ ଜନତା ଦଳର ଅନୁପସ୍ଥିତିକୁ ମୁଖ୍ୟମନ୍ତ୍ରୀ ତୀବ୍ର ସମାଲୋଚନା କରିଥିଲେ ।

ଶାଣିତ ପ୍ରତ୍ୟୁତ୍ତର

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ପ୍ରତ୍ୟୁତ୍ତର ଥିଲା ବେଶ୍ ଶାଣିତ ଓ ମର୍ମଭେଦୀ । ୨୦୨୪ ବିଧାସଭା ନିର୍ବାଚନ ପରଠାରୁ ନବୀନ ପ୍ରତ୍ୟକ୍ଷ ଜନ ସମ୍ପର୍କରେ ନଆସି କାଁଭାଁ ସାମାଜିକ ଗଣମାଧ୍ୟମରେ କିଛିଟା ପୋଷ୍ଟ କରି ରହିଯାଉଛନ୍ତି । ତାଙ୍କର ବିଧାନସଭାରେ ଅନୁପସ୍ଥିତି ମଧ୍ୟ ବିଜୁ ଜନତା ଦଳକୁ ପଛରୁ ଗୋଡ଼ ଭିଡ଼ି ଧରିଲା ପରି ହେଉଛି । ନିଜର ନେତାଙ୍କ ଅନୁପସ୍ଥିତିରେ ବିରୋଧୀ ବିଜୁ ଜନତା ଦଳ ସଦସ୍ୟମାନେ ସେତେଟା ପ୍ରଭାବୀ ପ୍ରଦର୍ଶନ ରଖିପାରୁନାହାଁନ୍ତି ।

ନବୀନଙ୍କର ଶାରୀରିକ ଭାବେ କିଛି ସମସ୍ୟା ରହିଥାଇପାରେ । କିନ୍ତୁ ସେ ଯେତେବେଳେ ପାଖାପାଖି ୫୫୦ କିଲୋମିଟର ଦୂର ନୂଆପଡ଼ା ଯାଇ ଘଣ୍ଟାଘଣ୍ଟା ପ୍ରଚାର କରିପାରୁଛନ୍ତି, ତାଙ୍କ ଘର ନିକଟରେ ଥିବା ବିଧାନସଭା ନଆସିବାକୁ ସହଜରେ ଗ୍ରହଣ କରାଯାଇନପାରେ । କୁହାଯାଏ ଯେ ନବୀନଙ୍କ ପିତା ବିଜୁ ପଟ୍ଟନାୟକ ଏକ ‘ଝଡ଼ର ଇଗଲ’ ଥିଲେ – ଅର୍ଥାତ୍ ଏକ ଝଡ଼ରୁ ଜନ୍ମ ନେଇଥିଲେ । କିନ୍ତୁ ପ୍ରକୃତରେ ଝଡ଼ର ଇଗଲ ହେଉଛନ୍ତି ନବୀନ ।

ନବେ ଦଶକର ଶେଷପାଦରେ କଂଗ୍ରେସର ଗୋଳିଆ ରାଜନୀତିରୁ ଏ ଓଡ଼ିଆମାନଙ୍କୁ ବାହାର କରିବା ପାଇଁ ଏକ ସାମାଜିକ ଓ ରାଜନୈତିକ ଝଡ଼ରୁ ତାଙ୍କର ରାଜନୈତିକ ଜନ୍ମ ହୋଇଥିଲା । ସେ ଝଡ଼ ପରେ ଓଡ଼ିଶା ଆକାଶ ଏକ ପ୍ରକାର ନିର୍ମଳ ଓ ପ୍ରଶାନ୍ତ ହୋଇଯାଇଥିଲା । ନବୀନ ଏଠି ୨୪ ବର୍ଷ କାଳ କିଙ୍ଗ୍ ଇଗଲ ଭାବେ ଉଡ଼ିବୁଲିଲେ । ହେଲେ ଏହାରି ଭିତରେ ବିଜୁ ଜନତା ଦଳର କିଛି ନେତାଙ୍କର ଅହଙ୍କାର, ଦୁର୍ନୀତି ଓ ଅନୀତି ଆଉ ଏକ ପଙ୍କିଳ ପରିସ୍ଥିତି କରିସାରିଥିଲା । ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କରି ଅମଲାତନ୍ତ୍ରକୁ ଶକ୍ତିଶାଳୀ କରି କ୍ଷମତା ଓ ଅର୍ଥ ଆହରଣ ଜନସାଧାରଣଙ୍କୁ ବ୍ୟତିବ୍ୟସ୍ତ କରାଇଥିଲା ।

ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା । ଏହିସବୁ ପୃଷ୍ଠଭୂମିରେ ଜନ୍ମ ନେଇ ସାରିଥିଲା ଆଉ ଏକ ଝଡ଼ । ଆଉ ସେହି ଝଡ଼ ନବୀନଙ୍କ ଡେଣାକୁ ଛିଣ୍ଡାଇ ଦେଇ ତାଙ୍କୁ ତଳେ ପକାଇ ଦେଇଥିଲା । ନବୀନ ପୁଣିଥରେ ଡେଣା କଅଁଳାଇ ଉଡ଼ିପାରିବେ କି ନାହିଁ ସମୟ କହିବ । ହେଲେ କଟିଯାଇଥିବା ଡେଣାକୁ ଯଦି ସେ ଯୋଡ଼ିଯାଡ଼ି ଉଡ଼ିବାକୁ ଚାହାଁନ୍ତି ତେବେ ତାଙ୍କୁ ସମସ୍ୟା ମୂଳକୁ ଯିବାକୁ ପଡ଼ିବ - ଅଧ୍ୟୟନ କରିବାକୁ ପଡ଼ିବ ପ୍ରକୃତ ସତ୍ୟକୁ । ସ୍ୱୀକାର କରିବାକୁ ପଡ଼ିବ ବାସ୍ତବ ତଥା ପାହାଡ଼ ପରି ଦଣ୍ଡାୟମାନ ହୋଇଥିବା ଆହ୍ୱାନଗୁଡ଼ିକୁ । ନଚେତ୍ ବିଜୁ ଜନତା ଦଳକୁ ଏମିତି ଏକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ, ଯେଉଁଥିରୁ ବାହାରିବା ବେଶ୍ କଷ୍ଟକର ହୋଇପଡ଼ିବ ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।  

Naveen Patnaik BJD BJP Chief Minister Mohan Majhi
Advertisment
Related Articles
Advertisment