/odishatv-khabar/media/media_files/2025/12/30/surgeon-2025-12-30-14-14-32.jpg)
Surgeon Photograph: (OTV)
ମୂଳ ରଚନା- ପ୍ରଫେସର ଡାକ୍ତର ସର୍ବାନନ
ଅନୁବାଦ- ଡାକ୍ତର ବନବିହାରୀ ମିଶ୍ର, ଅବସରପ୍ରାପ୍ତ ସର୍ଜରୀ ବିଶେଷଜ୍ଞ
ମୁଁ ରୋଗୀଟିର MRI ସ୍କାନ ଦେଖୁଥିଲି। ମୋ ଦେହହାତ କୋଲ ମାରିଗଲା । କିନ୍ତୁ ଏସିର ଥଣ୍ଡା ଯୋଗୁଁ ନୁହେଁ, ସତେକି ମୋ ରୋଗୀଟିର ମୃତ୍ୟୁ ପରୱାନା ମୁଁ ପଢୁଛି କି !
ମୋ ହସ୍ପିଟାଲ ମୋତେ ଜଣେ କିମ୍ବଦନ୍ତୀ ସର୍ଜନର ସମ୍ମାନ କରେ। ମୁଁ ଡାକ୍ତର ସର୍ବାନନ । ଏବେ ଅବସରପ୍ରାପ୍ତ। ଭାସ୍କୁଲାର ସର୍ଜରୀ ବିଭାଗର ମୁଖ୍ୟ ଥିଲି । ମଣିଷ ଶରୀର ଭିତରେ ଅପରେସନ୍ କରି କରି ମୋ ଜୀବନର ଚାରୋଟି ଦଶକ ବିତାଇଛି। ଆମ ଦେହର ଶିରା ଧମନୀ ମାନଙ୍କର ଗଳିକନ୍ଦି ମୁଁ ଜାଣିଛି। ହୁଏତ, ମୋ ଚେନ୍ନାଇର ସାହିଗଳି ମଧ୍ୟ ମୁଁ ସେତିକି ବିସ୍ତୃତ ଭାବରେ ଜାଣି ନଥିବି।
ମୋର ଏଇ ହାତରେ କେତେବେଳେ ମଣିଷର ହୃଦଯନ୍ତ୍ରକୁ ଧରିଛି ଆଉ ପ୍ରାୟ ଛାତିକୁ ପିଚକାରୀ କରୁଥିବା କ୍ଷତମାନଙ୍କୁ ସାଧ୍ୟ କରିଛି। କିନ୍ତୁ ଏଇ ସ୍କାନ ରିପୋର୍ଟଟିକୁ ଦେଖି ମୋତେ ଲାଗିଲା, ମୁଁ ସତରେ କ’ଣ ଜଣେ କିମ୍ବଦନ୍ତୀ? ମୁଁ କ’ଣ ସତରେ ସର୍ଜନ? ମୁଁ ବୋଧ ହୁଏ ଗୋଟେ ପ୍ରବଞ୍ଚକ ।
ମହିଳା ରୋଗୀଟି ଥିଲା ‘ଗୌରୀ’ । ଜଣେ ଏକାକୀ ମା’। ଛବିଶ ବର୍ଷର। ଗୋଟିଏ ଭୋଜନାଳୟରେ ଦୁଇଟି ସିଫ୍ଟରେ କାମ କରେ, କେବଳ ପିଲାଟିକୁ ଦି ବେଳା ଦି ମୁଠା ଖାଦ୍ୟ ଯୋଗାଡିବାକୁ। ଭୋଜନାଳୟରେ କଫି ପରଶିଲା ବେଳେ ଅଚେତ୍ ହୋଇ ପଡିଗଲା। ପରୀକ୍ଷାରୁ ଜଣାଗଲା, ତା’ର ମସ୍ତିଷ୍କରେ ଗୋଟିଏ ମସ୍ତବଡ Aneurysm (ଧମନି ଫୁଲା) ହୋଇଛି, ପୁଣି ମଝି ମସ୍ତିଷ୍କରେ। ତାକୁ କାଟି ବାହାର କରିବା ପ୍ରାୟତଃ ଅସମ୍ଭବ।
ଏହାକୁ ଅପରେସନ୍ କରି ହେବନି ବୋଲି ଆମ ବିଭାଗର ମୁଖ୍ୟ ‘ବର୍ଦ୍ଧନ’ କହିଥିଲେ। “ଯଦି ତୁମେ ଏହାକୁ ଅପରେସନ୍ କରିବ, ତେବେ ଖୁବ୍ ସମ୍ଭବ ଅପରେସନ୍ ଟେବୁଲ୍ ଉପରେ ହିଁ ସେ ମରିଯିବ। ଯଦି ତାକୁ ଛାଡି ଦେବ, ତେବେ ବି ହୁଏତଃ ତା’ର ଆୟୁ ମାତ୍ର ୪୮ ଘଣ୍ଟା ବି ଥାଇ ନ ପାରେ! ଯାହାହେଲେ ବି ସେ ମୃତ ବୋଲି ଧରିନିଅ।”
ଡାକ୍ତରୀ ପଢ଼ିବା ବେଳେ ଆମକୁ ଶିକ୍ଷା ଦିଆଯାଏ ଯେ, ଅପରେସନ୍ ପୂର୍ବରୁ ଆମକୁ ଜୀବନ-ମରଣର ଅନୁପାତ ଦେଖି ଅପରେସନ୍କୁ ଆଗଭର ହେବା ବିଧେୟ। ସଫଳତାର ସମ୍ଭାବନାକୁ ତଉଲିବାକୁ ହେବ। ଗୌରୀର ବଞ୍ଚିବା ସମ୍ଭାବନାକୁ ବିଚାରି ଏହା ମନେ ହେଲା ଯେ, ତା’କୁ ତା’ ଭାଗ୍ୟ ଉପରେ ଛାଡିଦେବା ଠିକ୍ ହେବ।
କିନ୍ତୁ ଗୌରୀର ଆଖିକୁ ଆଖି ମିଶେଇ ଦେଖିଲି। ତା’ର ପ୍ରାୟ ଚାରି ବର୍ଷର ଝିଅଟିର ଚିରାଫଟା ଜାମାକୁ ଦେଖିଲି। ସେ ତା’ ଖାତାରେ ପେନ୍ସିଲ୍ରେ ଇଆଡୁ ସିଆଡୁ ଗାରେଇବାରେ ଲାଗିଛି। ଯଦି ଗୌରୀ ମରିଯାଏ, ଏଇ ଝିଅଟି ଏକାକୀ ହୋଇଯିବ। ସମସ୍ତଙ୍କ ଦୟାରେ ବଞ୍ଚିଛି।
ମୁଁ ନିଷ୍ପତ୍ତି ନେଇଗଲି, କହିଲି, “ମୁଁ ଏହାକୁ ଅପରେସନ୍ କରିବି।” ସମସ୍ତେ ମୋତେ ଏମିତି ଚାହିଁଲେ ଯେ, ସତେକି ମୁଁ ଗୋଟେ ପାଗଳ! (ହୋଇପାରେ ଯେ ସତରେ ମୁଁ ଗୋଟେ ବାଇଆ!)
ଅପରେସନ୍ ପୁର୍ବ ରାତିରେ ମୁଁ ମୋ ଅଫିସ୍ରେ ଲାଇଟ୍ ଲିଭେଇ ବସିଲି। ଝରକା ବାହାରେ ସହରର ଆଲୁଅ ଝଲସୁଥିଲା। ଗୋଟିଏ ଜୀବନ ଯେ, ଏପଟେ ସୁତାଖିଅରେ ଝୁଲୁଛି-ସେଥିରେ କାହାର କି’ ଯାଏ ଆସେ? କହି ତ ଦେଲି, ଏବେ ମୁଁ ଭିତରେ ଭିତରେ ଡରିଗଲି ନିଶ୍ଚୟ। ପଥର ପରି ଦମ୍ଭ ହାତ ଆଙ୍ଗୁଠି ମୋର ଅଳ୍ପ ଥରୁଥିଲା। ଶେଷ ଥର ପାଇଁ ଆଉ ଥରେ ସ୍କାନ ରିପୋର୍ଟ ଉପରେ ଆଖି ବୁଲେଇ ଆଣିଲି। କେଉଁ ବାଟେ ସେ Aneurysm କୁ ପହଞ୍ଚି ପାରିବି, ଭାବି ହେଲାନି। ମୋ ପାଇଁ ଏଇଟା ଆତ୍ମଘାତୀ ନିଷ୍ପତ୍ତି?
ମୁଁ ଡାକ୍ତରୀ ବିଜ୍ଞାନର ଛାତ୍ର। ମୋ ହାତ, ମୋ ଛୁରୀ-କଇଁଚି, ରକ୍ତଚାପ, ହାଡମାଂସ ସାଙ୍ଗରେ ମୋର ନିତିଦିନିଆ ପରିଚିତି। ମାତ୍ର ମୋ ଟେବୁଲ୍ ଉପରେ ଗଦାଗଦା ଡାକ୍ତରୀ ବହିର ସବୁଠୁ ତଳେ, ମୁଁ ଗୋଟିଏ ଛୋଟ ପୁରୁଣା ଲାମିନେଟେଡ୍ ପ୍ରଭୁ ବୈଦେଶ୍ବରଙ୍କର ଫଟୋ ରଖିଥାଏ। ସେଇଟି ମୋ ଜେଜେ ମା’ ମୋତେ ମେଡିକାଲ୍ ପଢିବା ପାଇଁ ଗଲା ବେଳେ ଦେଇଥିଲେ। କହିଥିଲେ- “ମନେ ରଖିବୁ! ଚିକିତ୍ସା କରିବା କାମଟି ତୋର, କିନ୍ତୁ ଭଲ କରିବା କାମଟି ତୋର ନୁହେଁ, ଭଗବାନଙ୍କର।”
ମୁଁ ଫଟୋଟିକୁ ଉଠାଇ ଧରିଲି। ଆଉ ହାତଟି ମୁଁ ଗୌରୀର ଟ୍ରିଟମେଣ୍ଟ ଫାଇଲ୍ ଉପରେ ରଖି, କୌଣସି ମନ୍ତ୍ର କିମ୍ବା ପ୍ରାର୍ଥନା ନ କହି କେବଳ ସତେକି ମୁଁ ଅନ୍ଧାରକୁ କହି ଚାଲିଲି- ହେ ପ୍ରଭୁ! ମୋ ହାତରେ ଏତେ ଶକ୍ତି ନାହିଁ। କାଲି ସକାଳେ ମୋ ହାତକୁ ତୁମେ ଚଳାଅ। ମୋ ହାତକୁ ତୁମକୁ ଅର୍ପିଲି। କାଲି ତୁମେ ହିଁ ସର୍ଜନ ହୁଅ।
ପରଦିନ ସକାଳେ ଅପରେସନ୍ ଥିଏଟର ପ୍ରସ୍ତୁତ। ନର୍ସମାନେ ନୀରବରେ କର୍ମମୁଖର। କାହାରି ମୁହଁରୁ କଥା ବାହାରୁନଥାଏ। ନିଶ୍ଚେତକ ଡାକ୍ତର ମୋ ଆଡେ ଚାହୁଁ ନଥାନ୍ତି ମଧ୍ୟ। କାରଣ ସମସ୍ତେ ଜାଣିଛନ୍ତି ଯେ, ଗୌରୀକୁ ଆମେ ମାରିବାକୁ ଯାଉଛୁ ସତେ କି?
ଆମେ ଗୌରୀର ମୁଣ୍ଡ ଖୋଲିଲୁ।
ସ୍କାନ ରିପୋର୍ଟରୁ ଯାହା ଭାବିଥିଲି, ତା’ଠାରୁ ଦଶଗୁଣ କଠିନ କାମ ମନେ ହେଉଥାଏ। ସାମାନ୍ୟ ମାତ୍ର ମୋ ହାତ ଥରିଲେ, ସବୁ କିଛି ଗଲା। ହାତ ବଢାଇଲି। ନର୍ସ ମୋ ହାତକୁ ଅଣୁ କଇଁଚିଟି ବଢେଇ ଦେଲା। ମୁଁ କୌଣସି ତୃଟି ନ କରି Aneurysm ରେ ଅଣୁ ଗବାକ୍ଷଟିଏ କରିଦେଲି। ଏଇଟା ହିଁ ଥିଲା ଜୀବନ-ମରଣର ସନ୍ଧିକ୍ଷଣ।
ତା’ପରେ! ତା’ପରେ ଠିକ୍ ଠିକ୍ ଅପରେସନ୍ ସରିଗଲା।
OT ସମ୍ପୂର୍ଣ୍ଣ ନୀରବ ନିସ୍ତବ୍ଧ। କେବଳ ମନିଟରର ବିପ୍ ବିପ୍ ଶବ୍ଦ। ମୋ ସମଗ୍ର ଶରୀରରେ ଅଚାନକ ଏବଂ ଅଦ୍ଭୁତ ଉଷ୍ମତା ଆସିଗଲା। Adrenaline Hormone ଯୋଗୁଁ ନୁହେଁ, ମୁଁ ଅନୁଭବ କଲି ଗୋଟିଏ ଅଦ୍ଭୁତ ଶାନ୍ତି! ନିଦା ଶାନ୍ତି! ଓଜନିଆ ଶାନ୍ତି!
ମୋ ହାତ ଆଉ ଆଙ୍ଗୁଠି ମାନ ଖୁବ୍ କ୍ଷୀପ୍ର ଗତିରେ କାମ କରି ଚାଲିଥିଲେ ସେହି ସମୟତକ। ନାହିଁ ନାହିଁ। ବରଂ କହିଲେ ଠିକ୍ ହେବ ଯେ, ମୋ ହାତ ଆଙ୍ଗୁଠି ମାନ ବିଜୁଳି ବେଗରେ କାମ କରି ଚାଲିଥିଲେ ବୋଲି ମୁଁ ଦେଖୁଥିଲି ମାତ୍ର!
ମୁଁ ଆଗରୁ କେବେ ବି କରିନଥିବା କାମଟିଏ କରି ସାରିଥିଲି। ସତୁରୀ ବର୍ଷର ଗୋଟିଏ ସର୍ଜନର ଆଙ୍ଗୁଠି ଗୁଡିକ ଖୁବ ନିର୍ଦ୍ଦିଷ୍ଟ ଭାବରେ ତ୍ବରିତ ଗତିରେ କାମ କରି ଚାଲିଥିଲେ। ଲେଶ ମାତ୍ର ଦ୍ବିଧା ନଥାଇ...! ମୋ ନିଜ ଅକ୍ତିଆରରେ ମୁଁ ନଥିଲି। ସତେ କି କିଛି ଅଜଣା ଶକ୍ତି ମତେ ସଞ୍ଚାଳିତ କରୁଥିଲା।
ପ୍ରଥମ ଶବ୍ଦ ଶୁଭିଥିଲା- Anesthesist ଙ୍କ ମୁହଁରୁ, “BP is stable”
ମୁଁ କିଛି କହିନଥିଲି। କହି ପାରିନଥିଲି। ମୁଁ ସମ୍ମୋହନ ପୀଡିତ ଥିଲି। ମନେ ହେଲା, ସତେ କି ମୁଁ ଅପରେସନ୍ କରୁନଥିଲି। ମୋ ପଛରେ ଠିଆ ହୋଇ ଆଉ ଜଣେ କେହି ଡାକ୍ତର ଅପରେସନ୍ କରୁଥିଲେ। ମୁଁ ମାତ୍ର ରୋବୋଟ୍ ଟିଏ ପରି ନିର୍ଦ୍ଦେଶ ମାନି ଚାଲିଥିଲି।
ପଇଁଚାଳିଶି ମିନିଟ୍ ପରେ, ମୁଁ ଶେଷ ଯନ୍ତ୍ରପାତିକୁ ଅପରେସନ୍ ଟ୍ରେ’ରେ ପକେଇ ଦେଇ ଗ୍ଲୋବ୍ସ କାଢିଦେଲି।
Aneurysm ଟି ଆଉ ନାହିଁ। ସହକାରୀମାନଙ୍କୁ ମୁଣ୍ଡର ଖପୁରୀ ହାଡ଼ ଆଦିକୁ ପୁଣି ସିଲେଇ କରିବାକୁ ନିର୍ଦ୍ଦେଶ ଦେଲି।
OT ହଠାତ୍ ଚଳଚଞ୍ଚଳ ହୋଇ ଉଠିଲା। କେହି କେହି ନର୍ସ କାନ୍ଦି ପକାଇଲେ। ଜୁନିଅର ଡାକ୍ତରମାନେ ଅବିଶ୍ବାସର ଦୃଷ୍ଟିରେ ମନିଟର ମେସିନକୁ ଚାହିଁଥିଲେ। ସତରେ କ’ଣ ପେସେଣ୍ଟ ବଞ୍ଚିଗଲା!
ଆମେ ଅଯଥାରେ ଗୋଟିଏ ବିନ୍ଦୁ ମଧ୍ୟ ରକ୍ତ ନଷ୍ଟ କରିନୁ। ଅବିଶ୍ବାସ୍ୟ ଭାବରେ ଆମେ ସଫଳ ହୋଇଗଲୁ।
ମୋ ଗାଉନ୍ କାଢି ଦେଇ ମୁଁ ହାତ ଧୋଇବାକୁ ଗଲି। ସେଠି ଲାଗିଥିବା ଦର୍ପଣରେ ନିଜକୁ ଦେଖି ସ୍ତବ୍ଧ ହୋଇଗଲି। ସାଧାରଣତଃ ପ୍ରତିଟି ଅପରେସନ୍ ପରେ ମୁଁ ନିଜକୁ ଘର୍ମାକ୍ତ କ୍ଲାନ୍ତ ମନେ କରିଥାଏ। ମୋ ମେରୁହାଡ କଟ କଟ କରୁଥାଏ।
କିନ୍ତୁ ଏଥର ମୁଁ ଶାନ୍ତ, ଉଷୁମ ଆଉ ଟୋପାଏ ମଧ୍ୟ ଝାଳ ମୋ ଦେହରେ ନାହିଁ। ମୋ ଲୋଳିତ ଚର୍ମଯୁକ୍ତ ହାତ ଦୁଇଟିକୁ ଚାହିଁଲି। ସେଇ ହାତ ଦୁଇଟି ହିଁ ଆଜି ଗୋଟିଏ ମା’କୁ ବଞ୍ଚେଇ ରଖି ପାରିଲେ। ସମସ୍ତେ ଭାବିଲେ ମୁଁ ହିଁ ସେ ନୀରିହ କୁନିଝିଅକୁ ଛେଉଣ୍ଡ ହେବାରୁ ରକ୍ଷା କରି ଦେଇଛି। ମାତ୍ର ମୁଁ ଜାଣିଛି ସତ କ’ଣ!
ମୋ ଅଫିସ୍ କୋଠରୀକୁ ଫେରିଗଲି। ପ୍ରଭୁ ବୈଦେଶ୍ବରଙ୍କର ସେଇ ଛୋଟ ଫଟୋଟିକୁ ଧରିଲି। ଏଥର ମୋ ଟେବୁଲ୍ ଉପରେ ନ ରଖି ମୋ ପକେଟ୍ରେ ତାକୁ ରଖିଲି।
ସପ୍ତାହେ ପରେ ରୋଗିଣୀକୁ ଡିସଚାର୍ଜ ସାର୍ଟିଫିକେଟ୍ ମୋରି ଦସ୍ତଖତରେ ଦେଇଥିଲି। ତା’ ଝିଅଟିର ହାତକୁ ଧରି ଚାଲି ଚାଲି ହସ୍ପିଟାଲରୁ ବିଦା ହେବା ବେଳେ ସେ ମୋତେ କୃତଜ୍ଞତାସୂଚକ ଧନ୍ୟବାଦଟିଏ ଦେଇଥିଲା। ଆଉ ମଧ୍ୟ ମୋତେ ଆମ ହସ୍ପିଟାଲର ହିରୋ ବୋଲି କହି ଚାଲିଗଲା ବେଳେ ମୁଁ ତାକୁ ହସି ହସି କହିଥିଲି, “ମୁଁ ତ’ ଏକା ଏକା ତୁମକୁ ଅପରେସନ୍ କରିନଥିଲି।”
ସେ ଭାବିଥିବ ଯେ ମୁଁ ମୋ ସର୍ଜିକାଲ ଟିମ୍ କଥା କହୁଛି ବୋଲି। ମାତ୍ର ମୁଁ ଜାଣିଛି ମୁଁ କାହାର କଥା କହିଥିଲି।
ବିଜ୍ଞାନ “କେମିତି” ର ଉତ୍ତର ବତେଇଥାଏ। ସେ ଅନେକ କିଛି “କେମିତି?” ର ଶିକ୍ଷା ମଣିଷକୁ ଦେଇପାରେ। କିନ୍ତୁ ସବୁ “କାହିଁକି?” ର ଉତ୍ତର ଦେଇନଥାଏ। ସମ୍ଭାବ୍ୟ ମୃତ୍ୟୁ ମୁଖକୁ କାହିଁକି (?) ଠେଲି ଦିଏ, ପୁଣି ସେଇ ମୃତ୍ୟୁ ମୁହଁରୁ କାହିଁକି (?) ଫେରାଇ ଆଣେ; ବାଟ ନ ଦିଶୁଥିବା ବେଳେ କାହିଁକି (?) ବାଟଟିଏ ବତେଇଦିଏ, ବିଜ୍ଞାନ ଏହାର ଉତ୍ତର ଦେବାକୁ ଏ ଯାଏଁ ଅକ୍ଷମ।
ସମୟେ ସମୟେ, ତୁମେ ମାନିବାକୁ ବାଧ୍ୟ ହୁଅ ଯେ, ତୁମେ ଗୋଟିଏ ଉପକରଣ ମାତ୍ର! ସେଦିନ, ସେଇ ମଙ୍ଗଳବାର ଦିନ OT ନମ୍ବର ଚାରିରେ ସେଇ ମହାନ୍ ସର୍ଜନ ଆସି ପହଞ୍ଚିଥିଲେ।...।
ନିରାଶ ହେବା ନାହିଁ। ସମ୍ପୂର୍ଣ୍ଣ ଅସମ୍ଭବ, ସମ୍ପୂର୍ଣ୍ଣ ଅନ୍ଧକାର ଭିତରେ ମଧ୍ୟ ‘ଚମତ୍କାରିତା’ ତୁମର ହାତ ପାଖକୁ ଆସିଥାଏ। କେବଳ ଦୃଢ ମନୋବଳ ଓ ନୀରବ ପ୍ରାର୍ଥନା ବଳରେ। ଜୟ ବୈଦେଶ୍ବର ।
OMC MD Undertakes Mine Visits: ବକ୍ସାଇଟ୍ ଓ ଲାଇମଷ୍ଟୋନ ଆଉଟପୁଟ ବୃଦ୍ଧି ପାଇଁ ପ୍ରୟାସ, ଖଣି ଅଞ୍ଚଳ ପରିଦର୍ଶନ କଲେ OMC MD

New Year Rush Builds Up in Shreekhetra: ଦିନକ ପରେ ନୂଆବର୍ଷ, ଶ୍ରୀକ୍ଷେତ୍ରରେ ବଢ଼ୁଛି ଭିଡ଼

Vigilance Raids: PEOଙ୍କ ଘରେ ଭିଜିଲାନ୍ସ ରେଡ୍, ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ

Vigilance Raid: ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ଏକାଧିକ ସ୍ଥାନରେ ରେଡ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)