Advertisment

Horror In Odisha: ମରିଗଲା ମାନବିକତା, ମଝି ରାସ୍ତାରେ ସ୍ବାମୀର ଶବକୁ ଜଗି ବସିଛି ସ୍ତ୍ରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଦୁଲାରୀଙ୍କ ସ୍ୱାମୀଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଅର୍ଥାଭାବ କାରଣରୁ ମୃତଦେହକୁ ବାରିପଦାକୁ ଫେରାଇ ନେବାକୁ ଅସମର୍ଥ ଥିଲେ ଦୁଲାରୀ। ତେବେ ଏନେଇ ତାଙ୍କୁ ସାହାଯ୍ୟ କରିଥିଲେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି।

author-image
Manas Ranjan Mohanty
Kendrapara-Husband-Death

Kendrapara-Husband-Death Photograph: (OTV)

ମୁଣ୍ଡ ପିଟି ପିଟି କାନ୍ଦୁଛି ସ୍ତ୍ରୀ। ମଝି ରାସ୍ତାରେ ସ୍ବାମୀର ଶବକୁ ଜଗି ବସିଛି। ନିମିଷକେ ତାର ହସ ଖୁସିର ସଂସାରଟି ହୋଇଯାଇଛି ଛାରଖାର। ଆଉ ଜନ୍ମ ଜନ୍ମକୁ ସାଥୀ ହୋଇ ରହିବାର କଥା ଦେଇଥିବା ଲୋକଟି ତାକୁ ଅଧା ରାସ୍ତାରେ ଛାଡ଼ିଦେଇ ଆରିପରାକୁ ଚାଲିଯାଇଛି। ଏମିତି କିଛି ଦେଖିବାକୁ ମିଳିଥିଲା କେନ୍ଦ୍ରାପଡା ଜିଲ୍ଲା ଚଣ୍ଡୀଖୋଲ-ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଦୁହୁରିଆ ଛକରେ।

Advertisment

ସୂଚନା ମୁତାବକ  ମହିଳା ଜଣକ ହେଉଛନ୍ତି ଦୂଲାରୀ ମାରଢି। ରବିବାର ସିଏ ଓ ତାଙ୍କ ସ୍ୱାମୀ କାମ କରିବା ପାଇଁ ବାଲେଶ୍ବରୁ କେନ୍ଦ୍ରାପଡ଼ା ଆସିଥିଲେ। ଆଉ ଗୁରୁବାର ଦିନ ବସଯୋଗେ ଘରକୁ ଫେରୁଥିଲେ। ହେଲେ ଦୁହୁରିଆ ଛକ ପାଖରେ ହଠାତ ତାଙ୍କ ସ୍ୱାମୀଙ୍କୁ ହୃଦଘାତ ହୋଇଥିଲା। ହେଲେ ସେ ସମୟରେ ସାହାଯ୍ୟ କରିବେ କଣ ଉଭୟଙ୍କୁ ବସରୁ ତଳକୁ ଓହ୍ଲାଇଦେଇ ଛାଡ଼ି ପଳାଇଥିଲେ ବସ କର୍ମଚାରୀ। ଆଉ ଅସହାୟ ପରି ମଝି ରାସ୍ତାରେ ସ୍ୱାମୀର ଶବକୁ ଜଗି ବସିଥିଲେ ଦୂଲାରୀ। କେହି ତାଙ୍କୁ ସାହାଯ୍ୟ କରୁନଥିଲେ। ଲାଗୁଥିଲା ସତେ ଯେମିତି ଏଠି ହଜିଯାଇଥିଲା ମଣିଷପଣିଆ ।



ହେଲେ ଏହି ସମୟରେ ଖବପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଦୁହୁରିଆ ବ୍ୟବସାୟୀ ସଂଘ ସମ୍ପାଦକ ସନାତନ ମୁଦୁଲୀ। ଆଉ ଦୂଲାରୀଙ୍କୁ ତାଙ୍କ ଘର ଠିକଣା ପଚାରି ବୁଝିଥିଲେ। ଏନେଇ ସେ ପୋଲିସକୁ ଫୋନ କରି ଜଣାଇଥିଲେ ମଧ୍ୟ କେହି ଆସିନଥିଲେ। ଫଳରେ ସ୍ଥାନୀୟ ଦୋକାନୀଙ୍କ ସହାୟତାରେ ନିଜେ ପଇସା ଖର୍ଚ୍ଚ କରି ଏକ ଆମ୍ବୁଲାନ୍ସ୍ ଡାକିଥିଲେ। ଆଉ ସ୍ୱାମୀଙ୍କୁ ଧରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ଦୂଲାରୀ। ଆଜିକା ସମୟରେ ମାନବିକତା ମରି ଗଲାଣି। ଅନେକ ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ମୃତଦେହକୁ କେହି ସାହାଯ୍ୟ କରୁନଥିଲେ କହି ଦୁଃଖ ପ୍ରକାଶ କରିଛନ୍ତି ସନାତନ ।

ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଦୁଲାରୀଙ୍କ ସ୍ୱାମୀଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଅର୍ଥାଭାବ କାରଣରୁ ମୃତଦେହକୁ ବାରିପଦାକୁ ଫେରାଇ ନେବାକୁ ଅସମର୍ଥ ଥିଲେ ଦୁଲାରୀ। ତେବେ ଏନେଇ ତାଙ୍କୁ ସାହାଯ୍ୟ କରିଥିଲେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି। ସେମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ମହାପ୍ରଣାୟନ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ଦୁଲାରୀ ନିଜ ସ୍ୱାମୀଙ୍କ ମୃତଦେହକୁ ନେଇ ବାରିପଦା ଯାଇଥିଲେ। ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ଶବ ଶତ୍କାର ପାଇଁ ତାଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା ।


Advertisment
Advertisment