Advertisment

Odisha Forest Dept Spent: ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା...ବନ ସୁରକ୍ଷା ପାଇଁ ୫୧ ଥାର ଗାଡ଼ି କିଣାକୁ ନେଇ ଚର୍ଚ୍ଚା

ଘୋଡ଼ା ୬ଟଙ୍କା, ଦାନା ୯ଟଙ୍କା। ଗାଡ଼ିର ଦାମ୍ ୧୪ ଲକ୍ଷ, ମୋଡିଫିକେସନ୍ ପାଇଁ ଖର୍ଚ୍ଚ ପ୍ରାୟ ୧୦ ଲକ୍ଷ ଟଙ୍କା। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, କିଣିଥିଲା ୫୧ଟି ମହିନ୍ଦ୍ରା ଥାର ଗାଡ଼ି।

author-image
OTV Bureau
THAR

THAR Photograph: (OTV)

ଘୋଡ଼ା ୬ଟଙ୍କା, ଦାନା ୯ଟଙ୍କା। ଗାଡ଼ିର ଦାମ୍ ୧୪ ଲକ୍ଷ, ମୋଡିଫିକେସନ୍ ପାଇଁ ଖର୍ଚ୍ଚ ପ୍ରାୟ ୧୦ ଲକ୍ଷ ଟଙ୍କା। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, କିଣିଥିଲା ୫୧ଟି ମହିନ୍ଦ୍ରା ଥାର ଗାଡ଼ି। ଜଙ୍ଗଲ ନିଆଁ ରୋକିବା, ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ବନ କର୍ମଚାରୀ ଓ ସ୍କ୍ବାଡ୍ ନିୟୋଜନ, ବନ୍ୟଜନ୍ତୁ ସୁରକ୍ଷା, ଅନିୟମିତ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଆଦି ଉଦ୍ଦେଶ୍ୟରେ ଜଙ୍ଗଲ ବିଭାଗ ଏହି ଗାଡି କିଣିଥିଲା। ଯେଉଁ ଗାଡ଼ିର ମୂଲ୍ୟ ଥିଲା ୭ କୋଟି ୧୪ ଲକ୍ଷ ୭୦ ହଜାର ଟଙ୍କା। କିଣା ବେଳେ ଗୋଟିଏ ଗାଡ଼ିର ଦାମ ଥିଲା ୧୪ ଲକ୍ଷ।  

Advertisment

ତେବେ ଏ ଗାଡ଼ି କିଣାଯିବା ପରେ ଏଥିରେ ମୋଡିଫିକେସନ ପାଇଁ ବନ ବିଭାଗ ପ୍ରତି ଗାଡ଼ି ପିଛା ଖର୍ଚ୍ଚ କରିଛି ୧୦ ଲକ୍ଷ ଟଙ୍କା। ଅର୍ଥାତ ରିନୋଭେସନରେ ଖର୍ଚ୍ଚ ହୋଇଛି ୫ କୋଟି ୨ ଲକ୍ଷ ୪୭ ଟଙ୍କା। ତେବେ ବନ ବିଭାଗର ଏ ଗାଡ଼ି କିଣା ଆଉ ମୋଡିଫିକେନ୍ସ ପରେ ଏହାର ଆବଶ୍ୟକତାକୁ ପ୍ରଶ୍ନ ଉଠାଇଛନ୍ତି ବହୁ ବନ୍ୟପ୍ରାଣୀ ବିଶେଷଜ୍ଞ। ସେମାନଙ୍କ କହିବା କଥା, ଥାର ଭଳି ମାତ୍ର ୪ ଜଣ ଲୋକ ବସିବା ଭଳି ଗାଡ଼ିକୁ କାହିଁକି କିଣିଥିଲା ବନ ବିଭାଗ। ଯଦି ଅଫ୍ ରୋଡିଂ ଉଦ୍ଦେଶ୍ୟରେ କିଣାଯାଇଥିଲା, ତେବେ ଏଥିରେ ଏତେ ଟଙ୍କାର ମୋଡିଫିକେସନ୍ ଆବଶ୍ୟକତା କାହିଁକି ପଡ଼ିଲା। ଏହା ପଛରେ କିଛି ଦୁର୍ନୀତିଖୋର ବାବୁଙ୍କ ମନ୍ଦ ଉଦ୍ଦେଶ୍ୟକୁ ବି ଇଙ୍ଗିତ କରିଛନ୍ତି ବନ୍ୟ ପ୍ରାଣୀ ବିଶେଷଜ୍ଞ। ଯାହାକୁ ନେଇ ଏବେ ବିଭାଗରେ ସୃଷ୍ଟି ହୋଇଛି ଥାର କମ୍ପନ।...

କେବଳ ବନ୍ୟପ୍ରାଣୀ ବିଶେଷଜ୍ଞ ନୁହନ୍ତି, ସମାନ ପ୍ରସଙ୍ଗରେ ଗତ ମାର୍ଚ୍ଚରେ ବିଧାନସଭାରେ ଅନୁରୂପ ପ୍ରଶ୍ନ ଉଠାଇଥିଲେ ବିଜେଡି ବିଧାୟକ ଅରୁଣ ସାହୁ। ବନ ବିଭାଗ କେତେ ଟଙ୍କାରେ କେତେ ଗାଡ଼ି କିଣିଛି, ଆଉ ୟାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଛି, ତାକୁ ନେଇ ପ୍ରଶ୍ନ କରିଥିଲେ ଅରୁଣ ସାହୁ। ଯାହାର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ ଉତ୍ତରରେ ତଥ୍ୟ ରଖିଥିଲେ ଯେ, ରାଜ୍ୟର ମୋଟ ୨୨ଟି ବନ୍ୟପ୍ରାଣୀ ଡିଭିଜନକୁ ବଣ୍ଟାଯାଇଛି ୫୧ଟି ଥାର ଗାଡ଼ି। ଯାହା ମଧ୍ୟରୁ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନକୁ ମିଳିଛି ସର୍ବାଧିକ ୬ଟି ଗାଡ଼ି। ସେହିଭଳି ସାତକୋଶିଆ ଡିଭିଜନକୁ ମିଳଛି ୫ଟି ଗାଡ଼ି। ତେବେ ଏ ଗାଡ଼ି ଆସିବା ପରେ ଜଙ୍ଗଲରେ ଚୋରି, ବନ୍ୟପ୍ରାଣୀ ସୁରକ୍ଷା ଓ ନିଆଁ ଲିଭା କ୍ଷେତ୍ରରେ ବିଭାଗକୁ ସଫଳତା ମିଳିଥିବାରୁ ସରକାରଙ୍କ ଏ ପଦକ୍ଷେପକୁ ସ୍ବାଗତ କରିଛନ୍ତି ବହୁ ବୁଦ୍ଧିଜୀବୀ। ଅନ୍ୟପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଆବଶ୍ୟକତା ଠାରୁ ମୋଡିଫିକେସନରେ ଅଧିକ ଖର୍ଚ୍ଚ ହୋଇଥିଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ।

ଗତବର୍ଷ ନଭେମ୍ବରରେ ଭୁବନେଶ୍ବର ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଏକ ଭବ୍ୟ ସମାରୋହରେ ୫୧ ଥାର ଗାଡ଼ି ସହ ମୋଟ ୧୪୦ଟି ଗାଡ଼ିକୁ ବନ ବିଭାଗ ଉଦ୍ଦେଶ୍ୟରେ ଲୋକର୍ପଣ କରାଯାଇଥିଲା।...ବାରିପଦାରୁ ମାଣିକ ଲାଲ ପାଣି, କଟକରୁ ପ୍ରଭାତ ବିଷୋୟୀ, ଭୁବନେଶ୍ବରରୁ ସୌମ୍ୟ ରଂଜନ ସାହୁ, ଅରୁଣ କୁମାର ସାହୁଙ୍କ ରିପୋର୍ଟ, ଓଟିଭି

Advertisment
Related Articles
Advertisment