Advertisment

Ganja Oil: ଗଞ୍ଜେଇ ଖୋଜୁଥିଲେ ମିଳିଲା ତେଲ, କିପରି ପ୍ରସ୍ତୁତ ହୁଏ ଗଞ୍ଜେଇ ତେଲ

ଗଞ୍ଜେଇ କଲିରୁ ତିଆରି ହେଉଛି ପାସିସ୍ ତେଲ। ଲିଟର ପିଛା ଦାମ ୧୦ରୁ ୧୨ ଲକ୍ଷ ଟଙ୍କା। ପ୍ରଥମ ଥର ପାଇଁ ଓଡିଶାରୁ ଜବତ ହେଲା ତେଲ। ଖୁବଶୀଘ୍ର ମାଫିଆଙ୍କୁ ଧରାଯିବ ବୋଲି ଏସପି କହିଛନ୍ତି।

author-image
Chinmayee Sahoo
GANZA-OIL-SMUGGLING

GANZA-OIL-SMUGGLING Photograph: (OTV)

ଗଞ୍ଜେଇ ଖୋଜୁଥିଲେ ମିଳିଲା ତେଲ। ଏମିତି ସେମତି ତେଲ ନୁହେଁ ତାହା ହେଉଛି ପାସିସ୍ ତେଲ। ଗଞ୍ଜେଇ କଲିରୁ ତିଆରି ହେଉଥିବା ଏହି ତେଲର ଲିଟର ପିଛା ଦାମ୍ ପ୍ରାୟ ୧୨ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ସାମଗ୍ରୀ ପୋଲିସ ହାତରେ ଲାଗିବା ପରେ ସାମନାକୁ ଆସିଛି ପୂରା ଘଟଣା। ଓଡିଶାରେ ପ୍ରଥମ ଭାବେ ମାଲକାନଗିରି ପୁଲିସ ୬୦ ଲିଟର ଗଂଜେଇ ତେଲ ଜବତ କରିବା ପରେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ, କଣ ଏ ଗଂଜେଇ ତେଲ, କିଭଳି ହୁଏ ପ୍ରସ୍ତୁତ ଓ ଏହାକୁ କେଉଁ କାମରେ ବିନିଯୋଗ କରାଯାଏ ? ଖୁବଶୀଘ୍ର ମାଫିଆଙ୍କୁ ଧରାଯିବ ବୋଲି ଏସପି କହିଛନ୍ତି।
ଗଞ୍ଜେଇ ନୁହେଁ ଏବେ ଖୋଜାପଡିଛି ଗଞ୍ଜେଇ ତେଲ। ଚାହିଦା ଯେମିତି ବେପାର ବି ସେମିତି। ମାଲକାନଗିରି ପୁଲିସ ଚିତ୍ରକୋଣ୍ଡା ଥାନାର ଏସାର ଛକ ନିକଟରୁ କିଛି କିଛି ତରଳ ପଦାର୍ଥର ପ୍ୟାକେଟ ପାଇବା ପରେ ଏବେ ଏହାର ଖୁଲାସା ହୋଇଛି। ଯାଞ୍ଚ ସମୟରେ ଏହା ଗଂଜେଇରୁ ପ୍ରସ୍ତୁତ ତେଲ ବୋଲି ଜାଣିବାକୁ ପାଇଛି ପୋଲିସ। ତେବେ କଣ ଏହି ଗଂଜେଇ ତେଲ? କିଭଳି ହୁଏ ତେଲ ପ୍ରସ୍ତୁତ? ପ୍ରଥମେ ଗଂଜେଇକୁ ପାକଳ ହେବା ପରେ କିଆକୁ ଅଲଗା କରାଯାଇ ସେଥିରୁ ଅଠାଳିଆ ଅଂଶ ବାହାର କରାଯାଏ। ସେହି ଅଂଶକୁ କେମିକାଲ ମିଶ୍ରଣ କରି ମେସିନ ଦ୍ବାରା ସେଥିରୁ ତେଲ ବାହାର କରାଯାଏ। ୩୦ରୁ ୪୦ କିଲୋ ଗଂଜେଇରେ ଏକ ଲିଟର ତେଲ ପ୍ରସ୍ତୁତ ହୋଇଥାଏ। ଯାହାର ମୂଲ୍ୟ ଅଢେଇ କୋଟି ଟଂକା ହେବ ବୋଲି ପୁଲିସ କହିଛି। ଏହି ତେଲରେ ଔଷଧୀୟ ଗୁଣ ସହ ନିଶା ମଧ୍ୟ ରହିଛି। ଏହି ତେଲକୁ ବ୍ୟଥାର ଉପଚାର ପାଇଁ ବ୍ୟବହାର କରାଯାଇଥାଏ। ଏହାସହ ଏହାକୁ ଶୁଙ୍ଘିଲେ ଓ ଖାଦ୍ୟରେ ମିଶାଇ ଖାଇଲେ ମଧ୍ୟ ନିଶା ହୋଇଥାଏ ବୋଲି କହିଛନ୍ତି ବିଶେଷଜ୍ଞ।
ମାଲକାନଗିରିରେ ଗତ କିଛି ଦିନ ହେବ ଗଂଜେଇ ପାଇଁ ସ୍ବତନ୍ତ୍ର ଡ୍ରାଇଭ କରିବା ସହ କଡାକଡି ଯାଞ୍ଚ କରୁଛି ପୁଲିସ। ତେଣୁ ମାଫିଆମାନେ ଯେତେ ପ୍ରକାର ଅଭିନବ ଉପାୟରେ ଗଂଜେଇ ନେବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେବା ପରେ ଏବେ ତାକୁ ତରଳ କରି ଚାଲାଣ କରିବା ପାଇଁ ମସୁଧା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଯାହାକୁ ଧରିବାରେ ସଫଳ ହୋଇଛି ପୁଲିସ। ଏହା ଓଡିଶାର ପ୍ରଥମ ଘଟଣା ବୋଲି ପୁଲିସ କହିଥିବା ବେଳେ ପୂର୍ବରୁ କର୍ଣ୍ଣାଟକ ,ତାଲିମନାଡୁ,କେରଳ,ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଏଭଳି ମାମଲା ସାମାନାକୁ ଆସିଥିଲା। ଏହି ଘଟଣାରେ ସଂପୃକ୍ତ ମାଫିଆମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି।
ଗଞ୍ଜେଇ ଧରୁ ଧରୁ ତେଲ ଖୋଜି ପାଇବା ପରେ ଏବେ ଏହାକୁ ନେଇ ଚାଲିଛି ଖୋଳତାଡ। ତେବେ କେବେଠୁ ଏ ତେଲ ପ୍ରସ୍ତୁତ ହେଉଥିଲା ଆଉ କୁଆଡେ ଯାଉଥିଲା ସେନେଇ ଅଧିକ ତଦନ୍ତ ହେଲେ ସ୍ପଷ୍ଟ ହେବ। 

Advertisment
Ganja
Advertisment
Related Articles
Advertisment