Advertisment

KIIT KISS Accused of Covering: ମିଛ କହି ମ୍ୟାନେଜ୍ କରିବାରେ ମାହିର୍ , ରଙ୍ଗ ବୋଳି ଦୋଷ ଘୋଡ଼ାଇବାରେ ସାତିର୍

ଆଖିରେ ଆଙ୍ଗୁଠି ଗେଞ୍ଜି, କିଭଳି ହତ୍ୟା ମାମଲାକୁ ଅଘଟଣ କହି ଭୁଆଁ ବୁଲାଇଥିଲା କିସ୍, ତାର ପର୍ଦ୍ଦାଫାସ୍ ହୋଇଛି। ଦୋଷ ଲୁଚାଇବାକୁ କଅଁଳ ଆଦିବାସୀ ପିଲାଟିର ଶବ ସହିତ ଖେଳିବାକୁ ବି ପଛାଇଲେନି।

author-image
OTV Bureau
KISS-COVER

KISS-COVER Photograph: (otv)

ଆଖିରେ ଆଙ୍ଗୁଠି ଗେଞ୍ଜି, କିଭଳି ହତ୍ୟା ମାମଲାକୁ ଅଘଟଣ କହି ଭୁଆଁ ବୁଲାଇଥିଲା କିସ୍, ତାର ପର୍ଦ୍ଦାଫାସ୍ ହୋଇଛି। ଦୋଷ ଲୁଚାଇବାକୁ କଅଁଳ ଆଦିବାସୀ ପିଲାଟିର ଶବ ସହିତ ଖେଳିବାକୁ ବି ପଛାଇଲେନି। ନୀରିହ ପିଲାଟିକୁ ହଷ୍ଟେଲରେ ମର୍ଡର କରାଯାଇଥିଲେ ମଧ୍ୟ ପରିବାର, ପୋଲିସ ଓ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖାଗଲା। ପୁଅ ପାଇଖାନାରେ ପଡ଼ି ଡାକ୍ତରଖାନାରେ ଭର୍ତ୍ତି ହେବା ଓ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ କିସ୍ ଶୁଣାଇଥିଲା ସୁଦୁ ଗପ। ଏପରିକି ଘଟଣା ପ୍ରଘଟ ହୋଇଯିବା ଭୟରେ ପୋଷ୍ଟମର୍ଟମ ନକରି ମୃତଦେହକୁ ବାପାଙ୍କ ହାତରେ ପଠାଇ ଦେଇଥିଲେ। ଅତି ଚାଲାକିର ସହିତ କିଛି କାଗଜରେ ଦସ୍ତଖତ ବି ନେଇଗଲେ। ଅର୍ଥାତ୍ ସବୁଥର ଭଳି ଏଥର ବି ମାମଲାକୁ ଚାପିଦେବାକୁ ପ୍ରାଣପ୍ରଣେ କସରତ୍ କରିଥିଲା କିସ୍। କିନ୍ତୁ ଛାତ୍ର ବେକର କଳାଦାଗ କିସ୍  କଳା କାରନାମାର ମୁଖା ଖୋଲିଦେଲା। ସଂଗୀନ ମାମଲାକୁ ଲୁଚେଇ ଦେବାକୁ ଉଦ୍ୟମ କରିଥିବାରୁ ଆଗକୁ କିସ୍ ଅଡ଼ୁଆ ବଢିପାରେ ବୋଲି ମତ ରଖିଛନ୍ତି ଆଇନଜୀବୀ। 

Advertisment



ହଜାର ହଜାର ଆଦିବାସୀ ପିଲାଙ୍କୁ ସବୁ ସୁବିଧା ଦେଇ ପାଠ ପଢ଼ାଉଥିବାର ଡିଣ୍ଡିମ ପିଟୁଥିବା କିସରେ କିନ୍ତୁ ବାସ୍ତବ ସ୍ଥିତି ଯେ ପୂରା ଅଲଗା ସେ କଥା 8 ବର୍ଷ ତଳୁ ସିଡବ୍ଲୁସି ତଦନ୍ତରୁ ଉଜାଗର ହୋଇ ସାରିଥିଲା। ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ 2017ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ରିପୋର୍ଟ ଦେଇଥିଲେ। ଏହାକୁ ନେଇ ଜାତୀୟ ମାନବାଧିକାର କମିଶନ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ । ହେଲେ ୟା ପରେ କଣ ହେଲା ସମସ୍ତେ ଅନ୍ଧାରରେ। ଖାଲି କିସ୍ ନୁହଁ କିଟ୍ ବି ଅନେକ ସମୟରେ ବିବାଦକୁ ଆସିଛି । କେତେବେଳେ କିଏ ଜୀବନ ହାରୁଛି, ତ ଆଉ କାହାକୁ ହତ୍ୟା କରାଯାଉଛି। ବର୍ଷକରେ ଚାରି ଚାରିଟି ଅଭାବନୀୟ ଘଟଣା ଘଟିଥିଲେ ବି ମୁହଁ ଖୋଲୁନାହାନ୍ତି ଦୁଇ ଅନୁଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ହେଲେ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଉପରେ ରାଗ ଉତାରିବାକୁ ଭୁଲିନାହାନ୍ତି।ଗତ ୩ ତାରିଖରେ ଏକ କାର୍ଯ୍ୟକ୍ରମରେ ଅଚ୍ୟୁତ କହିଥିଲେ, ମୋ ପଛରେ ଦିନରାତି କେତେ ପଡ଼ିଛନ୍ତି। ଯେତେ ପାରୁଛ ଟିଭିରେ କୁହ, ହେଲେ ମୁଁ ସେମିତି ମେଣ୍ଟେନ୍ କରିକି ରହିଛି । ଯେତେ କୁତ୍ସାରଟନା କଲେ ମଧ୍ୟ କେହି କିଛି ଧରିପାରୁନାହାନ୍ତି କି କରିପାରୁନାହାନ୍ତି। ସେପଟେ ଅଚ୍ୟୁତଙ୍କୁ ଦାୟିତ୍ବଜ୍ଞାନର ପାଠ ପଢାଇଛନ୍ତି ମୃତ ଛାତ୍ରଙ୍କ ଅଜା । 

ଏଠି ପ୍ରଶ୍ନ ଉଠୁଛି, କିଟ୍ ଓ କିସରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କ'ଣ ମିଛ କି ? ନିଜ ଅନୁଷ୍ଠାନକୁ ନ ସଜାଡ଼ି ଗଣମାଧ୍ୟମକୁ ଦୋଷ ଦେବା କି ପ୍ରକାର ଆଭିମୁଖ୍ୟ ? କିଭଳି ଓ କାହାକୁ ମେଣ୍ଟେନ୍ କରି ରଖିଛନ୍ତି ଅଚ୍ୟୁତ ? ଯଦି କିଟ୍ ଓ କିସ୍ ସ୍ବଚ୍ଛ, ତେବେ ମୁହଁ ଖୋଲିବାକୁ ପଛଘୁଞ୍ଚା କାହିଁକି ? ଭବିଷ୍ୟତ ଗଢା ନାଁରେ କିଟ୍ ଓ କିସରେ ଭଲ ଶିକ୍ଷା ବ୍ୟବସାୟ କରାଯାଉନି ତ ? ଖାଲି ଚକାଚକ୍ ବିଲଡିଂ କରି ଡିଣ୍ଡିମ ପିଟାଯାଉଛି ନା ସରକାରୀ ଗାଇଡଲାଇନର ବି ଅନୁପାଳନ ହେଉଛି ? ଅଚ୍ୟୁତଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିବା ସହିତ କଡ଼ା ସମାଲୋଚନା କରିଛନ୍ତି ଶିକ୍ଷାବିତ।

Advertisment
Related Articles
Advertisment