Advertisment

Surprise School Visit: ସ୍କୁଲ ଭିଜିଟରେ ଆସିଥିଲେ, ଅଳନ୍ଦୁ ଦେଖି ଝାଡୁ ମାରିଲେ DEO

ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ସାନମସିଗାଁସ୍ଥିତ ହାଇସ୍କୁଲ ପରିଦର୍ଶନ କରିଥିଲେ । ସେହି ସମୟରେ ସ୍କୁଲ ଭିତରେ ପଶିଲା ବେଳକୁ କାନ୍ଥ ଗୁଡିକରେ ଲମ୍ବିଥିଲା ବୁଢିଆଣୀ ଜାଲ ଓ ଅଳନ୍ଦୁ । ବର୍ଷ ବର୍ଷ ଧରି ସଫେଇ ହୋଇନଥିବା ଭଳି ଜଣାପଡୁଥିଲା ।

author-image
Tapan Swain
DEO Sweeps

DEO Sweeps Photograph: (OTV)

ସ୍କୁଲ କାନ୍ଥରେ ଲମ୍ବିଥିଲା ବୁଢିଆଣୀ ଜାଲ ଓ ଅଳନ୍ଦୁ । ଏଭଳି ପରିବେଶ ଦେଖି ବିଗିଡ଼ିଲେ ଜିଲ୍ଲା ଶିକ୍ଷାଧିକାରୀ । ଅଧିକାରୀଙ୍କ ବିରକ୍ତି ଦେଖି ମଧ୍ୟ ଶିକ୍ଷକ ଓ ପିଅନମାନେ ଅଣଦେଖାକଲେ । ଗୁରୁତ୍ୱ ଦେଲେ ନାହିଁ ।  ଶେଷରେ ନିଜେ ଝାଡୁଧରି କାନ୍ଥରେ ଥିବା ବୁଢିଆଣୀ ଜାଲ ଓ ଅଳନ୍ଦୁ ସଫା କରିଛନ୍ତି ଖୋଦ ଜିଲ୍ଲା ଶିକ୍ଷାଧିକାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ବ୍ଲକ ସାନମସିଗାଁସ୍ଥିତ ଜଳିନୀ ମାତା ଉଚ୍ଚବିଦ୍ୟାଳୟରେ ।  

Advertisment

ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ସାନମସିଗାଁସ୍ଥିତ ହାଇସ୍କୁଲ ପରିଦର୍ଶନ କରିଥିଲେ । ସେହି ସମୟରେ ସ୍କୁଲ ଭିତରେ ପଶିଲା ବେଳକୁ କାନ୍ଥ ଗୁଡିକରେ ଲମ୍ବିଥିଲା ବୁଢିଆଣୀ ଜାଲ ଓ ଅଳନ୍ଦୁ । ବର୍ଷ ବର୍ଷ ଧରି ସଫେଇ ହୋଇନଥିବା ଭଳି ଜଣାପଡୁଥିଲା । ଭୂତକୋଠି ଭଳି ଦୃଶ୍ୟ ଦେଖି ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ଓ କର୍ମଚାରୀଙ୍କ ଉପରେ ବର୍ଷିଥିଲେ ଡିଇଓ । ସ୍କୁଲ ବିଦ୍ୟାର ମନ୍ଦିର ହୋଇଥିବା ବେଳେ ଅପରିଷ୍କାର ପରିବେଶରେ ଶିକ୍ଷାଦାନକୁ ନେଇ ବିଗିଡ଼ିଥିଲେ ।

DEO ବିଗିଡିବା ପରେ ମଧ୍ୟ କୌଣସି କର୍ମଚାରୀ ପ୍ରତିକ୍ରିୟା ନଦେଇ ନୀରବ ରହିଥିଲେ ମଧ୍ୟ ସେଗୁଡିକ ସଫା କରିବାକୁ ପଦକ୍ଷେପ ନେଇନଥିଲେ । ଫଳରେ DEO ଛତ୍ରପତି ସାହୁ ନିଜେ ଏକ ଝାଡୁ ଧରି ସ୍କୁଲ କାନ୍ଥ ସଫା କରିଥିଲେ । ଏହି ବିଦ୍ୟାଳୟରେ ୨ ଜଣ ପିଅନ ଓ ଜଣେ ସ୍ୱିପର ରହିଥିଲେ ମଧ୍ୟ DEO ସଫା କରିବା ସମୟରେ କେହି ମଧ୍ୟ ପାଖକୁ ନଯାଇ ଦେଖଣାହାରୀ ସାଜିଥିଲେ ।

Advertisment

ମଧ୍ୟାହ୍ନ ଭୋଜନରେ ଗଡ଼ବଡ଼

ସେହିଭଳି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମଧ୍ୟ ଏହା ଦେଖି ଚୁପ ରହିଥିଲେ । ଏହାପରେ DEO ମଧ୍ୟାହ୍ନ ଭୋଜନ ତଦାରଖ କରିଥିଲେ । ମଧ୍ୟାହ୍ନ ଭୋଜନରେ ମେନ୍ୟୁରେ ଅଣ୍ଡା ତରକାରୀ ଥିବାବେଳେ ଅଣ୍ଡା ଖାଉନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଫଳ ଦିଆନଯାଇ, ତରକାରୀ ବଦଳରେ ଡାଲମା ପ୍ରସ୍ତୁତ ହୋଇଥିଲା। ଏହାକୁ ନେଇ DEO କ୍ଷୋଭ ପ୍ରକାଶ କରିଥିଲେ । ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ମଧ୍ୟ DEO ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ସହିତ କଥା ହେବା ସହ ପାଠ ପଢ଼ାଇ ଜିଲ୍ଲା ଶିକ୍ଷାଧିକାରୀ ଫେରିଥିଲେ। ଶିକ୍ଷାଧିକାରୀଙ୍କ ଏଭଳି କାର୍ଯ୍ୟକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଛି । ଆଗକୁ କାର୍ଯ୍ୟାନୁଷ୍ଠାନ ହେବା ଆଶଙ୍କାରେ ଶିକ୍ଷକମାନେ ଭୟଭୀତ ହୋଇପଡିଛନ୍ତି । 

ସ୍କୁଲରେ ଜିଲ୍ଲା ଶିକ୍ଷାଧିକାରୀ ଝାଡୁ ଧରି ସଫାକରିବା ଘଟଣାକୁ ନେଇ ଆମେ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ପଚାରିଥିଲୁ l ସେ କିନ୍ତୁ କ୍ୟାମେରା ବନ୍ଦ ଥିବାବେଳେ ତାଙ୍କର ଭୁଲ ହୋଇଥିବା ସ୍ୱୀକାର କରିଥିଲେ ମଧ୍ୟ କ୍ୟାମେରା ସାମନାରେ ଚୁପ୍ ରହିଥିଲେ । ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ ।  ଅନ୍ୟପଟେ ସ୍କୁଲ ପରିବେଶ ଅପରିଷ୍କାର ଘଟଣାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ।

DEO School Visit
Advertisment
Related Articles
Advertisment