/odishatv-khabar/media/media_files/2025/12/19/allegations-of-poor-living-2025-12-19-21-08-36.jpg)
Allegations of Poor Living Photograph: (OTV)
ଖୋଲିଗଲା ଅଚ୍ୟୁତ ସାମନ୍ତଙ୍କ `କିସ' କାରସାଦି । ଆତ୍ମପ୍ରଚାରରେ ପୂରା ଚିକଣ । ହେଲେ ବାସ୍ତବ ସ୍ଥିତି ଫୁଲ୍ ରୁଗୁଣ । ନିଜକୁ ମନେମନେ ଆଦିବାସୀ ପିଲାଙ୍କ ଭାଗ୍ୟବିଧାତା ବୋଲାଉଥିବା ଅଚ୍ୟୁତ ପାରାଭାଡ଼ି ଭଳି ଥୁଆ ହୋଇଥିବା ଷ୍ଟାଣ୍ଡରେ ରଖୁଛନ୍ତି ଆଦିବାସୀ ପିଲାଙ୍କୁ। ଏ ପାରାଭାଡ଼ି ହିଁ କିସ୍ ପିଲାଙ୍କ ପାଇଁ ହଷ୍ଟେଲ୍। ପ୍ରାୟ ୫ ଫୁଟ ଲମ୍ବା ଓ ୩ ଫୁଟ ଓସାରର ଟିଣ ଚାଦର ଉପରେ ବିତୁଛି ଛାତ୍ରଛାତ୍ରୀଙ୍କ ଜୀବନ। ୟା ଉପରେ ପଢୁଛନ୍ତି, ଏଇଠି ଶୋଉଛନ୍ତି ଆଉ ଜିନିଷପତ୍ର ବି ରଖୁଛନ୍ତି। ସାର୍ଟପ୍ୟାଣ୍ଟ ହଳେ ଥୋଇବାକୁ ବାଡ଼ରେ ଟଣା ହୋଇଥିବା ଡୋର ଭରସା। ଉପରତଳ ହୋଇ ପିଲାଙ୍କୁ ପଶୁମାନଙ୍କ ଭଳି ଜୀବନ ବିତାଇବାକୁ ପଡ଼ୁଛି ଅଚ୍ୟୁତଙ୍କ ଆତ୍ମପ୍ରଚାରର ଅନୁଷ୍ଠାନ କିସରେ।
ଗତ ୧୭ ତାରିଖରେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ଗସ୍ତ ସମୟରେ ଉଠିଥିବା ଏସବୁ ଫଟୋ ଖୋଲିଦେଇଛି ଅଚ୍ୟୁତଙ୍କ କିସ୍ ଚାଲବାଜି। ଆଦିବାସୀ ପିଲାଙ୍କୁ କିସ୍ ଯନ୍ତ୍ରଣା ଖାଲି ରହଣୀରେ ଅଟକିନି, ଖାଇବା ଦେବାରେ ବି ଚଳାଇଛି ମନମାନୀ। ନିଜ ୱେବସାଇଟରେ ଉପମା, ଇଡିଲିର ପ୍ରଚାର କରି ପିଲାଙ୍କୁ ଦେଉଛି ଶୁଖିଲା ଚୁଡ଼ାଚିନି । ତା ପୁଣି ନିଇତି ଗୋଟିଏ ପ୍ରକାରର ଖାଇବା। ଏଭଳି ମାଳମାଳ ସଂଗୀନ ଅଭିଯୋଗ କିସରେ ଛାତ୍ରଛାତ୍ରୀଙ୍କ ଅବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି, ଖୁବଶୀଘ୍ର ପୁଣି କିସ୍ ଯାଇ ପିଲାଙ୍କ ରହଣୀ ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ତଦନ୍ତ କରାଯିବ।
କିସ୍ କଳା କାହାଣୀ ବେଶ୍ ରହସ୍ୟପୂର୍ଣ୍ଣ। ନା ଏହା ଭିତରକୁ କାହାକୁ ଛଡ଼ାଯାଏ ନା ସୂଚନା ଅଧିକାରରେ ସୂଚନା ମିଳେ। ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଗସ୍ତବେଳେ କ୍ୟାମ୍ପସ ଭିତରକୁ ଯିବାକୁ ଚାହିଁଥିଲେ ମଧ୍ୟ ଗଣମାଧ୍ୟମକୁ ଛାଡ଼ିନଥିଲେ କିସ୍ ସୁରକ୍ଷାକର୍ମୀ। ସୂଚନା ଅନୁସାରେ, ଆଦିବାସୀ ସ୍କୁଲ ଓ ହଷ୍ଟେଲ ପରିଚାଳନା ପାଇଁ କିସ୍ ସରକାରଙ୍କଠାରୁ ମୋଟା ଅଙ୍କର ଅନୁଦାନ ନିଏ। ଭିତ୍ତିଭୂମି ବିକାଶ ପାଇଁ ୨୦୦୭-୦୮ରୁ ୨୦୧୧-୧୨ ମସିହା ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟଠାରୁ ୧୨ କୋଟି ଟଙ୍କା ନେଇଥିଲେ ଅଚ୍ୟୁତ। ୨୦୧୭ ମସିହାରେ ବିଧାନସଭା ତଥ୍ୟ ଅନୁଯାୟୀ କିସ୍ ଲାଗି ରାଜ୍ୟ ସରକାର ପ୍ରତି ମାସରେ ୭୫ ଟନ୍ ଚାଉଳ ଯୋଗାଉଛନ୍ତି। ଅର୍ଥାତ ପ୍ରତିବର୍ଷ କିସକୁ ଚାଉଳ ଦେବା ବାବଦରେ ସରକାର ଖର୍ଚ୍ଚ କରୁଛନ୍ତି ପ୍ରାୟ ୨୨ କୋଟି ୫୦ ଲକ୍ଷ ଟଙ୍କା। ଏତେସବୁ ସରକାରୀ ସୁବିଧା ସହଯୋଗ ପାଇବା ପରେ ବି ପିଲାଙ୍କୁ ଭଲରେ ରଖିପାରିବାରେ ଅସମର୍ଥ ଅଚ୍ୟୁତ। ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମାନବାଧିକାର କର୍ମୀ ।
କିସରେ ପିଲାମାନେ ଅତି ଦୟନୀୟ ସ୍ଥିତିରେ ରହୁଥିବା ୮ ବର୍ଷ ତଳୁ ପର୍ଦ୍ଦାଫାସ କରିସାରିଥିଲା ସିଡବ୍ଲୁସି ତଦନ୍ତ। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ବି ହୋଇଥିଲା। ଅତିନିମ୍ନମାନର ରହଣୀ, ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ପିଲାଙ୍କୁ ମୌଳିକ ସୁବିଧା ମିଳୁନଥିବା ଜାଣିବାକୁ ପାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠୁ ସ୍ପଷ୍ଟୀକରଣ ମାଗିଥିଲେ ଜାତୀୟ ମାନବାଧିକାର କମିଶନ୍। କିନ୍ତୁ ତାପରେ କଣ ହେଲା, ତାହା ଲୋକଲୋଚନକୁ ଆସିନାହିଁ ।
ରାଜ୍ୟର ସବୁଠାରୁ ବଡ଼ ଆବାସିକ ସ୍କୁଲ କରିଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ଏବଂ ହଜାର ହଜାର ଆଦିବାସୀ ପିଲାଙ୍କୁ ରଖି ପାଠ ପଢାଉଥିବାର ଆତ୍ମଗର୍ବ ଦେଖାଉଥିବା ଅଚ୍ୟୁତ-ପିଲାଙ୍କ ସହ ଖାଲି ଫଟୋ ଉଠାଇ ମାଇଲେଜ ନେଉଛନ୍ତି ନା କେବେ ପାରାଭାଡ଼ି ହଷ୍ଟେଲ ବୁଲି ଦେଖିଛନ୍ତି ? ସରକାରଙ୍କଠୁ ସବୁ ସହଯୋଗ ପାଇ ମଧ୍ୟ କାହିଁକି ପିଲାଙ୍କୁ ଏଭଳି ଦୟନୀୟ ଅବସ୍ଥାରେ ରଖୁଛନ୍ତି ? ବିଭିନ୍ନ କାର୍ଯ୍ୟକ୍ରମରେ ବହପ ଦେଖାଉଥିବା ସାମନ୍ତ, ଏ ପ୍ରସଙ୍ଗରେ ଚୁପ୍ କାହିଁକି ?
ଏକ ଦାୟିତ୍ବସମ୍ପନ୍ନ ଗଣମାଧ୍ୟମ ଭାବରେ ପୂର୍ବରୁ ବାରମ୍ବାର କିଟ୍ ଓ କିସ୍ ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ କରିଛି ଓଟିଭି। ହେଲେ ଅଚ୍ୟୁତଙ୍କ କେଳେଙ୍କାରୀକୁ ଯେମିତି ଆଖି ବୁଜିଦେଇଛନ୍ତି ଉଭୟ ପ୍ରଶାସନ ଓ ସରକାର। ପୁଳାପୁଳା ପ୍ରମାଣ ଥାଇ ବି ଆକ୍ସନ ଜିରୋ। ଆରମ୍ଭରୁ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ହୁଏତ ଆଜି ନୀରିହ ପିଲାଙ୍କ ଜୀବନ ଯାଉନଥାନ୍ତା କି ହଷ୍ଟେଲର ବିକଳ ଚିତ୍ର ସାମ୍ନାକୁ ଆସୁନଥାନ୍ତା। ଏବେ ଦେଖିବାର କଥା- କେବେ ହେଜୁଛନ୍ତି ସରକାର ? କେବେ ହେଉଛି ଆକ୍ସନ୍ ?
KISS Student Murder: OHRCରେ କିସ୍ ଛାତ୍ର ହତ୍ୟା ମାମଲା, ସ୍ବାଧୀନ ଭାବେ ଘଟଣାର ତଦନ୍ତ ପାଇଁ ଆବେଦନ

Miracle at Hirakud: ଯୁବତୀ ପାଇଲେ ପୁନର୍ଜନ୍ମ, ଉଦ୍ଧାର ହେଲେ ହୀରାକୁଦ ଡ୍ୟାମର ଗଭୀର ଜଳରୁ

Bangladesh Burns Again: କିଏ ଏହି ଓସ୍ମାନ ହାଦି ? ଯାହା ପାଇଁ ପୁଣିଥରେ ବାଂଲାଦେଶରେ ଜଳୁଛି ନିଆଁ

Controversy Eases for Mohan: ବିବାଦରୁ ବାହାରିବା ପାଇଁ ମୋହନଙ୍କ ଲାଗି ରାସ୍ତା ଖୋଲିଲା, ଜନତାଙ୍କ ଆକ୍ରୋଶରୁ ବର୍ତ୍ତିଯିବେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)