Advertisment

School Get Together: ୬୦ ବର୍ଷ ପରେ ପୁଣି ସ୍କୁଲରେ ପାଦ ଦେଲେ, ସ୍ମୃତି ସାଉଁଟିଲେ

ଯେଉଁଠିକୁ ଦିନେ ବସ୍ତାନି କାନ୍ଧେଇ ଆସୁଥିଲେ, ଆଜି ସେହି ସ୍କୁଲକୁ ବଙ୍କୁଲିବାଡ଼ି ଧରି ଆସିଛନ୍ତି । ଆଉ ସ୍କୁଲ ମାଟିରେ ପାଦ ଦେଉ ଦେଉ ସତେ ଯେମିତି ପୁଣିଥରେ ଛୁଆ ହୋଇଯାଇଛନ୍ତି ସଭିଏଁ ।

author-image
Chinmayee Sahoo
Nilagiri School Get Together

Nilagiri School Get Together Photograph: (OTV)

ଯେଉଁଠିକୁ ଦିନେ ବସ୍ତାନି କାନ୍ଧେଇ ଆସୁଥିଲେ, ଆଜି ସେହି ସ୍କୁଲକୁ ବଙ୍କୁଲିବାଡ଼ି ଧରି ଆସିଛନ୍ତି । ଆଉ ସ୍କୁଲ ମାଟିରେ ପାଦ ଦେଉ ଦେଉ ସତେ ଯେମିତି ପୁଣିଥରେ ଛୁଆ ହୋଇଯାଇଛନ୍ତି ସଭିଏଁ । କିଏ ଆସୁ ଆସୁ ଶଙ୍ଖ ଫୁଙ୍କୁଲା ତ ଆଉ କିଏ କାନ୍ଦେଣା ପ୍ରତିଯୋଗିତାରେ ବାହୁନି ବାହୁନି ଗଡିଗଲା । ବୟସ ସିନା ସତୁରୀ ଡେଇଁଲାଣି, ହେଲେ ପିଲାଦିନେ ପାଠ ପଢିଥିବା ସେହି ସ୍କୁଲରେ ପହଞ୍ଚିବା ପରେ ମନାଟା ପୁଣି ଯେମିତି ସେଦିନର ସ୍କୁଲ ଯାଉଥିବା ଚପଳମତି ପିଲା ହୋଇଯାଇଛି । 

Advertisment

କିଏ ପୁଅ-ଝିଅଙ୍କ ସହ ତ ଆଉ କିଏ ନାତିନାତୁଣୀଙ୍କୁ ଧରି ଧାଇଁ ଆସିଛି ସ୍କୁଲ । ଆସିବେନି ବା କେମିତି, ସ୍କୁଲ ପରା ତାର ୬୦ ବର୍ଷ ପୂରଣ କରିବାକୁ ଯାଉଛି । ଦିନ କେଇଟା ପରେ ହୀରକ ଜୟନ୍ତୀ ଉତ୍ସବ । ତା' ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ହେବ । ନିଜକୁ ସେଇ ପ୍ରତିଯୋଗିତାରେ ସାମିଲ କରିବାକୁ ସବୁ ପୁରାତନ ଛାତ୍ରଛାତ୍ରୀ ସ୍କୁଲ ମୁହାଁ । ୭୦-୭୫ ବୟସରେ ବି ସ୍କୁଲ ପ୍ରତି କାହାରି ମୋହ ତୁଟିନି । ପୁରୁଣା ସାଙ୍ଗସାଥିଙ୍କୁ ଏକାଠି ପାଇ ସମସ୍ତେ ଖୁସିରେ ବିଭୋର ।  

କିଏ କାନ୍ଦଣା ପ୍ରତିଯୋଗିତାରେ ଭାଗ ନେଇ ବିଚାରକ ଓ ଦର୍ଶକଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲାଣି ତ କିଏ ହୁଳହୁଳି ପକାଇ ପ୍ରଥମ ହେଲାଣି । ଆଉ କିଏ ସ୍କୁଲ ବାରଣ୍ଡାରେ ରଙ୍ଗୋଲି ପ୍ରତିଯୋଗିତାରେ ଭାଗନେଇ ସୁନ୍ଦର ସୁନ୍ଦର ଚିତ୍ର କଲାଣି । ଆଉ ଯିଏ କୌଣସି ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି ସେମାନେ ସମସ୍ତଙ୍କ ପାଇଁ ହଣ୍ଡା ବସାଇ ରୋଷେଇ ଚଲାଇଛନ୍ତି । ସତରେ କେତେ ଖୁସିର ମୁହୂର୍ତ୍ତ । ପୁଣିଥରେ ପିଲା ହୋଇଯିବାକୁ ଦୂରଦୂରାନ୍ତରରୁ ସ୍କୁଲ ଦୌଡି ଆସିଛନ୍ତି ପୁରାତନ ଛାତ୍ରଛାତ୍ରୀ । 

Advertisment

ରବିବାର ଦିନ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଂଚାୟତର ସାନପାଟପୁର ଉଚ୍ଚ ବିଦ୍ୟାଳୟର ଚିତ୍ର କିଛି ଏଭଳି ଦେଖିବାକୁ ମିଳିଥିଲା । ପିଲାଙ୍କ ସହ କିଏ କେତେ ପିଲା ହୋଇପାରିବ ସତରେ ଯେମିତି ଏକ କମ୍ପିଟିସନ ଚାଲିଥିଲା ଏଠି । ପୁରାତନ ଛାତ୍ରଛାତ୍ରୀଙ୍କ କାନ୍ଦଣା ଓ ହୁଳହୁଳି ପ୍ରତିଯୋଗିତା ଦେଖି ଭାରି ମଜା ଲାଗୁଥିବାର କହିଛନ୍ତି ଏବେକାର ଛାତ୍ରଛାତ୍ରୀ ।

ଆଗକୁ ସ୍କୁଲରେ ପାଳନ ହେବାକୁ ଥିବା ହୀରକ ଜୟନ୍ତୀରେ ସ୍କୁଲ ସହ ସବୁ ପୁରାତନ ପିଲାଙ୍କୁ ଯୋଡିବା ଓ ପୁଣିଥରେ ପିଲାଦିନର ସ୍ମୃତି ତାଜା କରାଇବାକୁ ଏଭଳି ଉଦ୍ୟମ କରାଯାଉଥିବା କହିଛନ୍ତି ହୀରକ ଜୟନ୍ତୀ କମିଟିର ସଭାପତି । ସତରେ, ଜୀବନକୁ ଉପଭୋଗ କରିବାକୁ ଦେହବଳ ନୁହଁ ମନୋବଳ ଦରକାର ତାହା ପ୍ରମାଣିତ କରାଇଛନ୍ତି ସ୍କୁଲର ଏ ପୁରାତନ ଛାତଛାତ୍ରୀ ।

Baleswar
Advertisment
Related Articles
Advertisment