ରାଜ୍ୟରେ ଅଦିନିଆ ବର୍ଷା ପରେ ପାଗ ସଂପୂର୍ଣ୍ଣ ବଦଳି ଯାଇଛି । ଏବେ ପାରଦ ଖସିବା ସହ ଅନୁଭୂତ ହେଲାଣି ଶୀତ । ତେବେ ଆଜି ଓ ଆସନ୍ତାକାଲି ସକାଳ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ମିଳିଛି । ଏହି ୬ ଜିଲ୍ଲା ହେଲା ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଂଜ ଓ ସମ୍ବଲପୁର।
ଏହି ଜିଲ୍ଲା ଗୁଡ଼ିକରେ ଆଜି ଓ ଆସନ୍ତାକାଲି ସକାଳୁ ପ୍ରବଳ କୁହୁଡ଼ି ହେବା ସମ୍ଭାବନା ରହିଛି । ତେଣୁ ଯାତାୟାତ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାରଦ ଆହୁରି ଖସିବ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ନୂଆବର୍ଷରେ ରାଜ୍ୟକୁ ପୁଣି ଶୀତ ଫେରିବ।
ଅଧିକ ପଢ଼ନ୍ତୁ: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର
Also Read
ଅନ୍ୟପଟେ ପ୍ରଥମେ ଲଘୁଚାପ ବର୍ଷା ଆଉ ଏବେ ହାତୀ ଉପଦ୍ରବ । ଏହାରି ଭିତରେ ଚାଷୀର ଯେମିତି ମେରୁଦଣ୍ଡ ଭାଙ୍ଗି ଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତର ଏକାଧିକ ଗ୍ରାମରେ ଅମଳ ଧାନ ନଷ୍ଟ । ଶହ ଶହ ଚାଷୀଙ୍କ ଖଳାରୁ ଅମଳ ହୋଇଥିବା କଳେଇ ଖାଇ ଦେଉଛନ୍ତି ହାତୀ । ବନ ବିଭାଗ ହାତୀପଲ ଘଉଡାଇବା ଦିଗରେ ପଦକ୍ଷେପ ନେଉ ନଥିବାରୁ ସେମାନଙ୍କ ଜୀବିକା ସହିତ ଜୀବନ ମଧ୍ୟ ବିପଦରେ ଥିବା ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସାନଖେମୁଣ୍ଡି ଚାଷୀ ବେଶ ପ୍ରଭାବିତ । ଧାନ ଫସଲ ସମେତ ମୁଗ, ବିରି ପନିପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।
ଏବେ ବି ବିଲରେ ଚାଲିଛି ବର୍ଷା ପାଣି । କୋଇଡାରେ ବି ଅବସ୍ଥା ସାଂଘାତିକ୍ । ଲଘୁଚାପ ବର୍ଷା ପରେ କୋଇଡା ଅଞ୍ଚଳକୁ ଫେରିଲା ଘନ କୁହୁଡି ସାଙ୍ଗକୁ ଶୀତ । ଲଗାତାର ଗୋଟିଏ ସପ୍ତାହ ବର୍ଷାର ପ୍ରଭାବ କୋଇଡା ଅଞ୍ଚଳରେ ଦେଖା ଦେଇଥିବା ବେଳେ ଆଜି ସକାଳୁ ଖଣି ଅଞ୍ଚଳ କୋଇଡାକୁ ସମ୍ପୂର୍ଣ୍ଣ ଘନ କୁହୁଡି ଢାଙ୍କି ରଖିଛି । ସ୍ଥିତି ଏପରି ଯେ ରାସ୍ତାର ୩୦ ମିଟର ଆଗକୁ ଦୃଶ୍ୟମାନ ହେବା ଅସମ୍ଭବ ହୋଇପଡିଛି ।
ସେପଟେ ଅଦିନିଆ ବର୍ଷା ମାଡ଼ରେ ମେରୁଦଣ୍ଡ ନଇଁ ଯାଇଥିବା ଚାଷୀଙ୍କ ପାଖରେ ଛିଡା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେଲେ । ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଆଜି ବିଭିନ୍ନ କ୍ଷତିଗ୍ରସ୍ତ ଜିଲ୍ଲା ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସରକାରଙ୍କୁ ପାଖରେ ପାଇଁ କାନ୍ଦି କାନ୍ଦି ଗୁହାରି କରିଛି ଚାଷୀ । ଆଉ ଏପଟେ ବିରୋଧୀ, ସରକାରଙ୍କ ବିଫଳତା ନେଇ ଟାର୍ଗେଟ କରିଛନ୍ତି ।
ହାତରେ ଉଜୁଡା ଫସଲ, ଆଖିରୁ ଝରୁଛି ଲୁହ । କାନ୍ଦି କାନ୍ଦି ସରକାରଙ୍କୁ ଗୁହାରି କରୁଛି ଚଷା ପୁଅ । ମତେ ରକ୍ଷା କର, ଋଣ ଛାଡ଼ କର । ଅଦିନିଆ ବର୍ଷାରେ ଧୋଇଯାଇଛି ଫସଲ । ଅଣ୍ଟା ସଳଖିବା ମୁସ୍କିଲ । ଚାଷୀଙ୍କ ପାଖେ ପହଞ୍ଚି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଅସୁବିଧା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।
ଖାଲି ସେତିକି ନୁହେଁ କ୍ଷତିପୂରଣ ପାଇଁ ଗ୍ୟାରେଣ୍ଟି ବି ଦେଇଛନ୍ତି । ଦୀର୍ଘ ବର୍ଷ ପରେ ରାଜ୍ୟର ମୁଖିଆଙ୍କୁ ଏତେ ପାଖରେ ପାଇ ଚାଷୀ ନିଜ ଦୁଃଖକୁ ବଖାଣିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ସବୁ ଅଭିଯୋଗ ଶୁଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅପେକ୍ଷା କରି ରହିଥିବା ଚାଷୀ ହାତରୁ ଉଜୁଡା ଧାନକୁ ଆଣି ନିଜେ ଦେଖି ଆଶ୍ୱାସନା ଦେଇଛନ୍ତି । ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଆଜି ମୁଖ୍ୟମନ୍ତ୍ରୀ ଅଦିନିଆ ବର୍ଷା କ୍ଷୟକ୍ଷତି ନେଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ।