/odishatv-khabar/media/post_attachments/uploadimage/library/16_9/16_9_0/Heatwave_1717044760.jpg)
Heatwave
ଓଡ଼ିଶାକୁ ଫେରିଛି ପ୍ରଚଣ୍ଡ ଗ୍ରୀଷ୍ମଲହରୀ । ସକାଳୁ ସକାଳୁ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି।
ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ଜାରି ରହିଛି। ଗତକାଲି ବଲାଙ୍ଗିରରେ ସର୍ବାଧିକ ୪୬.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗତ ତିନିଦିନ ଭିତରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବଢିଯାଇଛି । ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଗ୍ରୀଷ୍ମ ପ୍ରବାହର କଷ୍ଟକୁ ଆହୁରି ବଢ଼ାଇ ଦେଉଛି ବିଦ୍ୟୁତ ବିଭ୍ରାଟ ଓ ପିଇବା ପାଣି ସମସ୍ୟା । ଆଜି ରାଜଧାନୀରେ ଆକାଶ ସାମାନ୍ୟ ମେଘୁଆ ଥିବା ବେଳେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ସଂସ୍ଥା ଆକଳନ କରିଛି ।
ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର; ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ
କେବଳ ଓଡ଼ିଶା ନୁହେଁ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ଗରମରେ ଦିଲ୍ଲୀବାସୀ ଆଉଟୁପାଉଟୁ ହେଉଛନ୍ତି । ଦିଲ୍ଲୀରେ ଗତକାଲି ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ବେଳେ ଆଜି ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ।ଗତକାଲି ରାଜଧାନୀ ଦିଲ୍ଲୀରେ ୫୦ ଡିଗ୍ରୀ ଉପରେ ପହଞ୍ଚିଲା ପାରଦ । କାଲି ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୫୨.୩ ଡିଗ୍ରୀ ଛୁଇଁଥିଲା । ଯାହାକି ସାରା ଦେଶରେ ସର୍ବାଧିକ ତାପମାତ୍ର ଭାବେ ରେକର୍ଡ ସୃଷ୍ଟି କରିଛି ।
ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅରେଂଜ ଆଲର୍ଟ ଜାରି କରାଯାଇଛି । ରିପୋର୍ଟ ଅନୁସାରେ ଦିଲ୍ଲୀର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ଧରି ତାପମାତ୍ରା ନିୟମିତ ଭାବେ ବୃଦ୍ଧି ପାଉଛି । ଯାହାଫଳରେ ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ପାଇଁ ଦିଲ୍ଲୀକୁ ଅରେଂଜ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ଏଭଳି ତାତି ଯୋଗୁଁ ଲୋକଙ୍କ ଏସି ବ୍ୟବହାର ବଢ଼ିଯାଇଛି ।
ଏଥର ରେକର୍ଡ ପରିମାଣର ବିଦ୍ୟୁତ ମଧ୍ୟ ଲୋକେ ଖର୍ଚ୍ଚ କରିଛନ୍ତି । ପ୍ରାୟ ୮,୩୦୨ ମେଗାୱାଟ୍ ବିଦ୍ୟୁତ ଖର୍ଚ୍ଚ ହୋଇଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଜାରି କରାଯାଇଛି।ପାଣିପାଗ ବିଭାଗର ଆକଳନ ଅନୁୟାୟୀ ଆଜି କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)