Advertisment

ସକାଳେ ଟାଇଁ ଟାଇଁ ଖରା, ଅପରାହ୍ଣରେ ନିର୍ଦ୍ଧୁମ ବର୍ଷା !

ହଠାତ୍ ଉପକୂଳ ଓଡ଼ିଶାରେ ବଦଳିଲା ପାଗର ମିଜାଜ । କୋପ ଦେଖାଇଲା କାଳବୈଶାଖୀ । ବିଭିନ୍ନ ସ୍ଥାନରୁ କ୍ଷୟକ୍ଷତି ରିପୋର୍ଟ ମାଗିଲେ SRC ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Weather News

ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱରକଟକ ସମେତ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖୀ ବର୍ଷା । ତାସହ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା, ପବନ ଓ ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଛି ।

Advertisment

ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଉପକୂଳ ଓଡ଼ିଶାରେ ଆଜି ହଠାତ୍ ବଦଳିଥିଲା ପାଗର ମିଜଜ୍ । ଦିନ ପ୍ରାୟ ୧୦ଟା ସୁଦ୍ଧା ରାଜଧାନୀରେ ତାତିର ପ୍ରକୋପ ଏମିତି ଥିଲା, ଯେ ଘରୁ ବାହାରିବା ଥିଲା ମୁସ୍କିଲ । ପ୍ରଚଣ୍ଡ ଖରା ଓ ଗରମରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଲୋକେ। ତେବେ ଦିନ ଗୋଟାଏ ବେଳକୁ ଉପକୂଳ ଆକାଶରେ ହଠାତ ଘୋଟି ଆସିଥିଲା କଳାମେଘ। ଚାହୁଁ ଚାହୁଁ ବର୍ଷା ଓ ତା ସାଙ୍ଗକୁ ପବନ ବି ମାଡ଼ି ଆସିଥିଲା।

ଆଉ ପ୍ରାୟ ୨ ଘଣ୍ଟା ଧରି ଲାଗି ରହିଥିଲା କାଳବୈଶାଖୀର ପ୍ରଭାବ । ବିଶେଷକରି ଭୁବନେଶ୍ବର, କଟକ, ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ମୁଷଳ ଧାରାରେ ବର୍ଷିଥିଲା ବର୍ଷା ।

Advertisment

ବର୍ଷା ଓ ପବନ ପ୍ରଭାବରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା । ସେହିଭଳି ପୁରୀ ଜିଲ୍ଲା ପିପିଲିରେ ବିଜୁଳି ତାର ଛିଣ୍ଡି ପଡ଼ିବାରୁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। କଟକ ଜିଲ୍ଲା ଆଠଗଡ଼ରେ ବର୍ଷା ଓ ପବନରୁ କିଛି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏପଟେ କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର କିଛି କିଛି ସ୍ଥାନରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। କୋରାପୁଟ ନାରାୟଣପାଟଣାର ଲଙ୍ଗଳଳବେଡା ପଞ୍ଚାୟତରେ ବର୍ଷା ପବନରେ ବହୁ ଘରର ଆଜବେଷ୍ଟସ ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।

ଗଲା କିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରୁ ଅତିଷ୍ଠ ହୋଇ ପଡ଼ିଥିଲେ ରାଜ୍ୟବାସୀ। ତେବେ ଆଜିର କାଳବୈଶାଖୀ ବର୍ଷା ଉପକୂଳବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ପଶ୍ଚିମ ଓଡ଼ିଶା ଆକାଶରେ କିନ୍ତୁ ଆଜି ବି ନିଆଁ ବର୍ଷିଛି । ତତଲା ତାୱାରେ ଭାଜି ହୋଇଛି ପଶ୍ଚିମ ଓଡ଼ିଶାର ବିଭିନ୍ନ ସହର। ସେପଟେ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର ସହ ପଶ୍ଚିମ ଓଡ଼ିଶାର କଳାହାଣ୍ଡି,ବଲାଙ୍ଗୀରରେ କାଳବୈଶାଖୀ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଏପଟେ ଆଜିର କାଳବୈଶାଖୀ ଜନିତ କ୍ଷୟକ୍ଷତି ପରେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC । କୌଣସି ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିଲେ, ତୁରନ୍ତ ପୁନର୍ବାହାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Weather Update Heavy Rainfall
Advertisment
Advertisment