• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘାଇଁ ଘାଇଁ ବାତ୍ୟା ଗୁଜବରେ ପୂର୍ଣ୍ଣଛେଦ ପଡ଼ିଛି । ସପ୍ତାହେ ଭିତରେ ଓଡ଼ିଶାକୁ ନାହିଁ ସାଇକ୍ଲୋନ୍ ବିପଦ ନାହିଁ । ନିଜେ IMD ଡିଜି ବାତ୍ୟା ଆଶଙ୍କାର ଖଣ୍ଡନ କରିଛନ୍ତି । ଓଡ଼ିଶା ରେ ୨୧ କିମ୍ବା ୨୨ ତାରିଖ ବେଳକୁ ଏକ ମହାବାତ୍ୟା ଆସୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ କିଛି ଦିନ ହେଲା ଖବର ପ୍ରକାଶ ପାଇ ଆସୁଛି । ବିଦେଶୀ ପାଣିପାଗ ସଂସ୍ଥା ଓ୍ୱିଣ୍ଡ ଡଟ୍ କମ୍ ଓ ଟ୍ରପିକାଲ ଟ୍ରିଡବିଟ୍ସଙ୍କ ମଡେଲକୁ ଆକଳନ କରି କେତେକ ଗଣମାଧ୍ୟମ ସଂସ୍ଥା ବାତ୍ୟା ଆଶଙ୍କା କରୁଛନ୍ତି ।

ଅଧିକ ପଢ଼ନ୍ତୁ: ‘ବାତ୍ୟା ଗୁଜବ ଠାରୁ ଦୂରେଇ ରୁହନ୍ତୁ’

ଯେହେତୁ ଏବେ ଅକ୍ଟୋବର ମାସ, ତେଣୁ ଓଡ଼ିଶାବାସୀଙ୍କ ମନରେ ବାତ୍ୟାକୁ ନେଇ ଅଧିକ ଛନକା ପଶିଛି । ଏମିତିକି ପାରାଦୀପ ରୁ ବାଲେଶ୍ୱର ଭିତରେ ବାତ୍ୟା ମାଡ଼ ହେବ ବୋଲି ବି କିଛି ଗଣମାଧ୍ୟମରେ ଖବର ପରେ ଡର ବେଶୀ ବଢ଼ିଛି । ହେଲେ ଆଗାମୀ ୭ ଦିନ ମଧ୍ୟରେ ଓଡ଼ିଶାକୁ କୌଣସି ବାତ୍ୟାର ସମ୍ଭାବନା ନାହିଁ ବୋଲି ଆଜି ଓଟିଭିକୁ ସାକ୍ଷାତକାର ଦେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର । ତାସହ କହିଛନ୍ତି-ଉତ୍ତର ଆଣ୍ଡାମାନ ସାଗରରେ କାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସୃଷ୍ଟ ଘୂର୍ଣ୍ଣିବଳୟଟି କ୍ରମଶଃ ଦୁର୍ବଳ ହେଉଛି । ଆସନ୍ତା ୧୭ କିମ୍ବା ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି ।

ଆଜିର ସ୍ଥିତି ଅନୁସାରେ ଉକ୍ତ ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇପାରେ । ତେବେ ୧୮ ତାରିଖ ପରେ ରୂପରେଖ କଣ ରହିବ, ଏବେଠୁ କହିବା ଠିକ୍ ହେବନି । ତେବେ ବାତ୍ୟା ସୂଚନା ଦେବାବେଳେ ଆମେ ସମସ୍ତ ମଡେଲକୁ ଦେଖି ନିର୍ଣ୍ଣୟ ନେଇଥାଉ । ଅନ୍ୟ ବିକଶିତ ରାଷ୍ଟ୍ର ଅପେକ୍ଷା IMD ଅଧିକ ସଠିକ ଆକଳନ କରିଥାଏ ଓ ଭାରତୀୟ ପାଣିପାଗ ସଂସ୍ଥା ଉପରେ ବିଶ୍ୱାସ ରଖନ୍ତୁ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।

ଅଧିକ ପଢ଼ନ୍ତୁ: ବାତ୍ୟା ଖବରକୁ ନେଇ ପ୍ରତିକ୍ରିୟା ରଖିଲେ IMD ଡିଜି

ଏଣେ ବାତ୍ୟା ଗୁଜବରୁ ଦୂରେଇ ରହିବାକୁ ଓଡ଼ିଶା ବାସୀଙ୍କୁ ପରାମର୍ଶ ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେ ଦୋହରାଇଛନ୍ତି-ବାତ୍ୟା ନେଇ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରିନାହିଁ, ବାତ୍ୟା ସମ୍ବନ୍ଧରେ ୭ ଦିନ ଆଗରୁ ପୂର୍ବାନୁମାନ ବି ଆଦୌ ବିଜ୍ଞାନସମ୍ମତ ନୁହେଁ । ତେଣେ ବାତ୍ୟା ନେଇ ଗୁଜବ ପ୍ରଚାର ନକରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏଥିସହ ଲୋକଙ୍କୁ ଭୟଭୀତ କଲାଭଳି ବାତ୍ୟା ସମ୍ପର୍କିତ ଖବର ମଧ୍ୟ ପ୍ରସାରଣ ନକରିବାକୁ କହିଛି । ସେପଟେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଡର ଶରତ ସାହୁ କହିଛନ୍ତି-ଯେହେତୁ ଏବେ ମୌସୁମୀ ଫେରିବାର ବେଳ, ତେଣୁ ସମ୍ପୂର୍ଣ୍ଣ ଅୋବର ମାସ ବାତ୍ୟା ଅନୂକୁଳ ସମୟ । କିନ୍ତୁ ୧୮ ତାରିଖ ପରେ ଘୂର୍ଣ୍ଣିବଳୟର ସ୍ଥିତି ସ୍ପଷ୍ଟ ହେବ ।

ଓଡ଼ିଶା ରେ ଅକ୍ଟୋବର ଏକ ବାତ୍ୟା ମାସ ଭାବେ ପରିଚିତ । ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାର ତାଣ୍ଡବ ଆଜି ବି ଓଡ଼ିଶାବାସୀଙ୍କ ମନରୁ ଲିଭିନି । ସେହିପରି ୨୦୧୩ ଅକ୍ଟୋବରରେ ଫାଇଲିନ୍, ୨୦୧୪ରେ ହୁଡହୁଡ୍ ଓ ୨୦୧୮ରେ ତିତଲି ବାତ୍ୟା ବି ଓଡ଼ିଶାକୁ ଗ୍ରାସିଛି ।