• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର ଅବପାତଟି ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବାଂଲାଦେଶ ଖେପୁପଡ଼ା ପାଖାପାଖି ଉପକୂଳ ଛୁଇଁବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ଉପତ୍ୟକା ଆଡ଼କୁ ଯିବ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି ।

ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ସୁନ୍ଦରଗଡ ଏହି ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ତା’ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି । ସେପଟେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝରର ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି ।

ଲଗାଣ ବର୍ଷା ଯୋଗୁଁ ବୌଦ୍ଧରେ ସ୍ଥିତି ବିଗିଡ଼ିଛି । ୫୭ ନମ୍ବର ଜାତୀୟ ରାଜପଥ ଲଣ୍ଡାବନ୍ଧ ନିକଟରେ ଚାଲିଛି ବନ୍ୟା ପାଣି। ଜାତୀୟ ରାଜପଥ ଉପରେ ପାଣି ଚାଲୁଥିବାରୁ ଚାରି ଛକ ଦେଇ ଭୁବନେଶ୍ୱର ଓ ଫୁଲବାଣୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଛି । ବୌଦ୍ଧ ଜିଲ୍ଲାରେ ଦୁଇ ଦିନ ହେଲା ମୂଷଳ ଧାରାରେ ବର୍ଷା ଲାଗି ରହିଛି । ଆଗକୁ ଯଦି ଏପରି ବର୍ଷା ହୁଏ ତାହେଲେ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା କରାଯାଉଛି।