• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗଲା ଦୁଇ ଦିନ ଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଜି ବି ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ । ଦିନ ୧୦ଟା ପରଠୁ ଅପରାହ୍ଣ ପ୍ରାୟ ୪ଟା ଯାଏଁ ଅଗ୍ନିବର୍ଷା କାରଣରୁ ଆଉଟୁପାଉଟୁ ହୋଇଛନ୍ତି ଲୋକେ । ଆଜି ବାରିପଦାରେ ୪୩ ଡିଗ୍ରୀ ପାର ହୋଇଛି ପାରଦ । ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୯ ଡିଗ୍ରୀ ଅତିକ୍ରମ କରିଛି । ଏ ସ୍ଥିତି ଆହୁରି ଦୁଇ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପଟେ ସ୍ଥିତି ସମୀକ୍ଷା କରି ମୁକାବିଲା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ । ସେପଟେ ଅସହ୍ୟ ତାତି ଭିତରେ ଉପକୂଳରୁ ଉପାନ୍ତ ଯାଏଁ ଲୋକଙ୍କ ଉପରେ ଜଳକଷ୍ଟ ବି ଦାଉ ସାଧୁଛି ।

ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ପାର୍‌ କଲା ତାପମାତ୍ରା ।  ଭୁବନେଶ୍ୱର, ଚାନ୍ଦବାଲି ଓ ହୀରାକୁଦରେ ୪୦ ଉପରେ ଆଜି ରହିଥିଲା ପାରଦ । ଗଲା ଦୁଇ ଦିନ ଭଳି ଆଜି ବି ପ୍ରଚଣ୍ଡ ତାତିରେ ସିଝିଛି ସାରା ଓଡ଼ିଶା । ପଶ୍ଚିମରୁ ପୂର୍ବ, ଉତ୍ତରରୁ ଦକ୍ଷିଣ, ସମଗ୍ର ରାଜ୍ୟକୁ ଅଥୟ କରିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଅପରାହ୍ଣ ସାଢେ ୨ଟା ବେଳକୁ ରାଜଧାନୀ ଭୁବନେଶ୍ୱରକୁ ମିଶାଇ ୫ଟି ସ୍ଥାନରେ ୪୦ ଡିଗ୍ରୀ ଅତିକ୍ରମ କରିଥିଲା ପାରଦ ।

ଏପଟେ ରାଜ୍ୟରେ ଏଭଳି ଅଗ୍ନିବର୍ଷା ଆହୁରି ଦୁଇ ଦିନ ଯାଏଁ ଲାଗି ରହିବ ଏବଂ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୫ ଜିଲ୍ଲା ଓ ୧୫ ତାରିଖରେ ୮ଟି ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି । ଏଣେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍ଥିତି ସମୀକ୍ଷା ପରେ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ।

ଗୋଟେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନ୍ୟପଟେ ରାଜ୍ୟବ୍ୟାପୀ ଉତ୍କଟ ପାଣି ସମସ୍ୟା । ଖୋର୍ଦ୍ଧା ବାଲିପାଟଣା ବ୍ଲକ କରୁଞ୍ଜିପୁର ପଞ୍ଚାୟତରେ ଗ୍ରୀଷ୍ମ ଆରମ୍ଭରୁ ଘାଷି ଅନ୍ଧୁଟି ଗାଁ ଲୋକଙ୍କୁ କଲବଲ କଲାଣି ଜଳକଷ୍ଟ । ଦୁଇ ବର୍ଷ ତଳେ ପଞ୍ଚାୟତବାସୀଙ୍କ ପାଇଁ ହୋଇଥିବା ଓଭର ହେ଼ଡ୍ ଟାଙ୍କି ପ୍ରକଳ୍ପ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଛି । ଗାଁରେ କୂଅ-ପୋଖରୀ ଓ ନଦୀ-ନାଳ ସବୁ ସୁଖିଲା ।

ଖରାଦିନ ଆସିବା ପରେ ନଳକୂଅ ବି ପିଇବା ପାଣିର ଆବଶ୍ୟକତା ପୂରଣ କରିପାରୁନି । ଆଉ ଏ ଚିତ୍ର ସମ୍ବଲପୁର ରେଢାଖୋଲ ବ୍ଲକ ଭରତାପୁର ପଞ୍ଚାୟତର । ଏ ପଞ୍ଚାୟତର ଚୁଡ଼ାପୁଡୁଗ ଗାଁରେ ୪୦ ପରିବାରରୁ ପାନୀୟ ଜଳ ଯୋଗାଇ ଦେବାକୁ ଆଜିକୁ ୮ ବର୍ଷ ତଳୁ ନିର୍ମାଣ ଆରମ୍ଭ ହୋଇଥିଲା ଏ ପାଣି ଟାଙ୍କି । କିନ୍ତୁ ଏବେ ଯାଏଁ ଶେଷ ହେଉନଥିବାରୁ ଗାଁ ଲୋକେ ଆଜି ବି ଚୁଆ ପାଣିକୁ ଭରସା କରୁଛନ୍ତି । ପାଣି ଗରାଟେ ପାଇଁ ଚୁଆ ପାଖରେ ଗାଁ ସାରା ମହିଳାଙ୍କ ଭିଡ଼ । ଗାଁରେ ଥିବା ଗୋଟିଏ ମାତ୍ର ନଳକୂଅରୁ ପିଇବା ଉପଯୋଗୀ ପାଣି ବାହାରୁନଥିବାରୁ ବର୍ଷ ବର୍ଷ ଧରି ଜଳକଷ୍ଟରେ ସଢୁଛନ୍ତି ଲୋକେ ।