/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683818525.jpg)
Odisha Weather News Update
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ମୋକା । ଏହା ୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ । ତେବେ ଓଡ଼ିଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡ଼ିବନି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏପଟେ ରାଜ୍ୟରେ ବଢିଛି ତାତି । ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହୋଇପଡିଛି ଗ୍ରୀଷ୍ମ ପ୍ରବାହ।
ସମ୍ବଲପୁରରେ ମୁଣ୍ଡ ଉପରେ ଛତା, ମୁହଁରେ କପଡା ଆଉ ଆଖିରେ କଳା ଚଷମା ବିନା ଘରୁ ଗୋଡ କାଢିବା ମୁସ୍କିଲ । ମୁଣ୍ଡ ଫଟା ଖରା... ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଦିନ ସାଢେ ୨ଟା ସୁଦ୍ଧା ପାରା ୪୩ ଡିଗ୍ରୀ ଟପିଯାଇଥିଲା । ରାସ୍ତାଘାଟ ଶୂନଶାନ୍ ।
ରେଢାଖୋଲରେ ଜରୁରୀ କାମରେ ବାହାରିଥିବା ଲୋକେ ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ହୋଇପଡିଥିଲେ । ଗରମ ଏମିତି ଯେ, ଘରେ ବି ଛଟପଟ ହୋଇପଡିଥିଲା ଜନଜୀବନ ।
ଝାରସୁଗୁଡାରେ ଦିନ ୧୨ଟା ନହେଉଣୁ ମୁଣ୍ଡ ଫଟା ତାତି । ଆଉ ଦିନ ବଢିବା ସହ ତାଳ ଦେଇ ବଢିଚାଲିଥିଲା ତାତି ।
କଳାହାଣ୍ଡିରେ ବି କଲବଲ କଲାଣି ଖରା । ଗରମ ଅସମ୍ଭାଳ। ଦିନ ୧୦ଟା ବାଜିଲେ ଘରୁ ବାହାରିବାକୁ ମନ ହେଉନି । ଅଂଶୁଘାତ ସ୍ଥିତି ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି । ସେପଟେ ତତଲା କଢେଇରେ ଫୁଟୁଛି ଶିଳ୍ପ ନଗରୀ ତାଳଚେର। କଳକାରଖାନାରୁ ନିର୍ଗତ ଗରମ ଧୂଆଁ ତାଳଚେରର ତାତିକୁ ଆହୁରି ବଢାଇଦେଇଛି । ଲୋକେ ଗରମରେ ତ୍ରାହି ତ୍ରାହି ଡାକିଲେଣି ।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆଗାମୀ ୪-୫ ଦିନ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଦିନ ୧୧ଟାରୁ ୩ଟା ଯାଏଁ ଟାଣ ଖରାରେ ପଦାକୁ ନ ବାହାରିବା, ଖରାରେ କଠିନ ପରିଶ୍ରମ ନକରିବା ଏବଂ ଜରୁରୀ କାମରେ ବାହାରକୁ ଗଲେ ପାଣି ବୋତଲ, ଛତା, କଳା ଚଷମା, ଚପଲ, ହାଲୁକା ଓ ଢିଲା ପୋଷାକ ପିନ୍ଧିବାକୁ ଅବଗତ କରାଯିବ ।
ସେପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ମୋକା’ । ଏହା ଆଜି ମଧ୍ୟରାତ୍ରୀ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବା ସହ ୧୩ ତାରିଖରେ ସବୁଠୁ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ସମୟରେ ରିକର୍ଭ କରିବ । ୧୪ ତାରିଖ ପୂର୍ବାହ୍ନରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୪୫ କିମି ରହିବ। ତେବେ ବାତ୍ୟା 'ମୋକା'ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)