Advertisment

Barabati Floodlight Failure: ବାରବାଟୀ ଅନ୍ଧାର କଳଙ୍କ ପାଇଁ କିଏ ଦାୟୀ ? OCAକୁ ସୋ’ କଜ୍ ନୋଟିସ୍ କଲା ରାଜ୍ୟ କ୍ରୀଡ଼ା ବିଭାଗ

ବାରବାଟୀରେ ଅନ୍ଧାର କଳଙ୍କ । କ୍ରିକେଟ୍ ଭଳି ଲୟର ଖେଳରେ ଅଧଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ଗୁଲ୍ । ଲଜ୍ଜିତ ଓସିଏ, ଅନ୍ତର୍ଜାତୀୟ କ୍ରିକେଟରେ ନିନ୍ଦିତ ଓଡ଼ିଶା ।

author-image
Santosh Kumar Sahoo
undefined

ବାରବାଟୀରେ ଅନ୍ଧାର କଳଙ୍କ

କାହା ଦାୟିତ୍ବହୀନତାରୁ ବଦନାମ ମୁଣ୍ଡାଇଲା ଓସିଏ । କାହା ଅବହେଳାରୁ ବିଶ୍ବ କ୍ରିକେଟ୍ ସମ୍ମୁଖରେ ନିନ୍ଦିତ ହେଲା ଓଡ଼ିଶା । ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା କାଳ ଫ୍ଲଡ୍ ଲାଇଟ୍ ବିଭ୍ରାଟକୁ ନେଇ ସବୁ କ୍ରିକେଟ୍ ପ୍ରେମୀଙ୍କ ମନରେ ଏଇ ପ୍ରଶ୍ନ, ଏଇ ଉଦବେଗ । ଘଟଣାରେ ବିଭ୍ରାଟର କାରଣ ଖୋଜିବାକୁ ଓସିଏକୁ କ୍ରୀଡ଼ା ବିଭାଗ ନୋଟିସ୍ ଜାରି କରିଥିଲା ବେଳେ ପ୍ରସଙ୍ଗରେ ଲାଗିଛି ରାଜନୀତିର ଛିଟା । ବିରୋଧୀ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବେଳେ, ମନ୍ତ୍ରୀ କହିଛନ୍ତି ଦୋଷୀ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।

Advertisment

ବାରବାଟୀରେ ଅନ୍ଧାର କଳଙ୍କ । କ୍ରିକେଟ୍ ଭଳି ଲୟର ଖେଳରେ ଅଧଘଣ୍ଟା ଧରି ଫ୍ଲଡ୍ ଲାଇଟ୍ ଗୁଲ୍ । ଲଜ୍ଜିତ ଓସିଏ, ଅନ୍ତର୍ଜାତୀୟ କ୍ରିକେଟରେ ନିନ୍ଦିତ ଓଡ଼ିଶା । ଇଂଲଣ୍ଡ ଦେଇଥିବା ୩୦୫ ରନର ବିଶାଳ ଟାର୍ଗେଟକୁ ଜବରଦସ୍ତ ଢଙ୍ଗରେ ପିଛା କରୁଥିଲା ଟିମ୍ ଇଣ୍ଡିଆ । ଦୀର୍ଘ ଦିନ ପରେ କ୍ୟାପଟେନ୍ ରୋହିତଙ୍କ ବ୍ୟାଟରୁ ଛକା ଚୌକା ବର୍ଷାର ହେଉଥିଲା । ୧୮ ବଲରୁ ଧୂଆଁଧାର ୨୯ ରନ୍ କରିଥିଲେ । ଜୋଶରେ ଫାଟି ପଡୁଥିଲା ପୂରା ବାରବାଟୀ । ଆଉ ଠିକ୍ ସେତିକି ବେଳେ ବତୀ ଗୁଲ୍, ଫ୍ଲଡ ଲାଇଟ୍ ବନ୍ଦ । ଆଉ ବେଶ୍ କିଛି ସମୟର ଅପେକ୍ଷା ପରେ ବିରକ୍ତିଭାବ ଆଉ ଏ ଫ୍ରଷ୍ଟେସନ୍ ସହ ପଡ଼ିଆ ଛାଡ଼ିଥିଲେ ଦୁଇ ଦଳର ଖେଳାଳି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌ 

Advertisment

ଆଉ ମିନିଟ୍ କି ଦୁଇ ମିନିଟ୍ ନୁହେଁ ପ୍ରାୟ ଅଧଘଣ୍ଟା ବାଧାପ୍ରାପ୍ତ ହେଲା ଖେଳ । ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ଭଳି ମ୍ୟାଚରେ ୨୦ ମିନିଟ୍ ପର୍ଯ୍ୟନ୍ତ ବି ରେଡି ହୋଇ ପାରିଲାନି ବ୍ୟାକ୍ ଅପ୍ । ଅବ୍ୟବସ୍ଥା ଏଇଠି ଅଟକିଲାନି, ଫ୍ଲଡ ଲାଇଟ୍ ଜଳିବା ପରେ ପୁଣି ବଲ୍ ପଡ଼ିବାକୁ ଯାଉଥିଲା ବେଳେ ଉଚ୍ଚଧ୍ବନିରେ ମ୍ୟୁଜିକ୍ ବାଜିବାରୁ ପୁଣି ବିରକ୍ତି ପ୍ରକାଶ କରିବା ସହ ମ୍ୟୁଜିକ୍ ବନ୍ଦ କରିବାକୁ ବାରମ୍ବାର ହାତ ହଲାଇ ସଙ୍କେତ ଦେଇଥିଲେ ରୋହିତ୍ । ଯେଉଁଥିପାଇଁ ଆଉ ୨ ମିନିଟ୍ ଯାଏଁ ଅଟକିଥିଲା ଖେଳ । ଆଉ ଓସିଏ ସମ୍ପାଦକଙ୍କ ଅଜବ ସ୍ପଷ୍ଟୀକରଣ- ଡିଜି ସେଟ୍ ଫେଲ୍ ମାରିବା ପରେ ଷ୍ଟାଣ୍ଡବାଇରେ ଥିବା ଡିଜି ସେଟ୍ ଆଣିବାକୁ ଯିବା ବେଳେ ତା ଆଗରେ ଖେଳାଳିଙ୍କ ବସ୍ ରହିଥିଲା, ଡ୍ରାଇଭର ବି ନଥିଲେ । ଯେଉଁଥିପାଇଁ ବିଳମ୍ବ ହେଲା। ବିଭ୍ରାଟ ପାଇଁ ଓସିଏ ସଂପାଦକ ବସ୍ ଡ୍ରାଇଭରକୁ ଦୋଷ ଦେବା ପରେ ପ୍ରତିକ୍ରିୟାରେ ନିଜ ପକ୍ଷ ବି ରଖିଛି ସଂପୃକ୍ତ ବସସେବା ସଂସ୍ଥାର ଏମଡି । ଆଉ ଏ ଯୁକ୍ତିକୁ କଡା ଭାଷାରେ ନିନ୍ଦା କରିଛନ୍ତି କ୍ରୀଡା ସଂଗଠକ । ପ୍ରଥମେ ଟିକେଟ୍ ବିଭ୍ରାଟ ପରେ ଫ୍ଲଡଲାଇଟ୍ ବନ୍ଦ ହେବା ଘଟଣାକୁ ନେଇ ତ ଚରମରେ କ୍ରିକେଟ୍ ପ୍ରେମୀଙ୍କ ଅସନ୍ତୋଷ ।

ଓସିଏ ସମ୍ପାଦକଙ୍କ ଏହି ଖାମଖିଆଲ ମନ୍ତବ୍ୟ ପରେ ସାଧାରଣ ପ୍ରଶ୍ନ- ଫ୍ଲଡ୍ ଲାଇଟ୍ ବ୍ୟାକ୍ ଅପ୍ ପାଇଁ ଥିବା ଡିଜି ସେଟ୍ ଆଗରେ ଖେଳାଳିଙ୍କ ବସ୍ କେମିତି ରହିଲା ? ବସ୍ ଡ୍ରାଇଭର କାହିଁକି ନଥିଲେ ? ଷ୍ଟାଣ୍ଡ ବାଇ ଡିଜି ସେଟ୍‌କୁ କାହିଁକି ନିକଟରେ ରଖାଯାଇନଥିଲା ? ସାତ ବର୍ଷ ପରେ ବାରବାଟୀକୁ ମ୍ୟାଚ୍ ଆସିଥିଲା । ସରକାରୀ ସ୍ତରରେ ବି ତ୍ରୁଟିଶୂନ୍ୟ ଓ ଶୃଙ୍ଖଳିତ ମ୍ୟାଚ୍ ଆୟୋଜନ ପାଇଁ ପ୍ରସ୍ତୁତିର ଘନ ଘନ ସମୀକ୍ଷା ହୋଇଥିଲା । ଆଉ ତା ସତ୍ତ୍ବେ ବି ଏତେ ବଡ଼ ତ୍ରୁଟି ହେଲା କେମିତି । ଏଥିପାଇଁ ଦାୟୀ କାହା ଦାୟିତ୍ବହୀନତା । ଏହାକୁ ନେଇ ରାଜନୀତି ଜୋର୍ ଧରିଥିଲା ବେଳେ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି । କଂଗ୍ରେସ ମଧ୍ୟ ଓଡ଼ିଶାକୁ ନିନ୍ଦିତ କରିଥିବା ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବ ।

ରାଜ୍ୟବ୍ୟାପୀ ଅସନ୍ତୋଷ ତେଜୁଥିବା ଦେଖି ଆଜି କ୍ରୀଡା ବିଭାଗ ଓସିଏ ସମ୍ପାଦକଙ୍କୁ ଲାଇଟ୍ ବନ୍ଦ ଘଟଣାରେ ୧୦ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଲାଇଟ୍ ଲିଭିବା ବଡ଼ କଥା ନୁହେଁ, ଲାଇଟ୍ ଆସିବାରେ ବିଳମ୍ବ ହେବା ବଡ଼ କଥା। କାହିଁକି, ଡିଜି ଚଳାଇବାରେ ବିଳମ୍ବ ହେଲା, କିଏ ସଂସ୍ଥା, କେଉଁ କମିଟି ଦାୟିତ୍ବରେ ଥିଲେ,ତା’ର ବିସ୍ତୃତ ରିପୋର୍ଟ ମିଳିବା ପରେ ଦାୟିତ୍ବହୀନତା ପାଇଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ପୂର୍ବରୁ ୨୦୧୫ ଅକ୍ଟୋବର ୫ ତାରିଖ ଇଣ୍ଡିଆ- ସାଉଥ୍ ଆଫ୍ରିକା ମ୍ୟାଚ୍ ବେଳେ ମଧ୍ୟ ଷ୍ଟାଡିୟମରେ ଦର୍ଶକଙ୍କ ବିଶୃଙ୍ଖଳିତ ଆଚରଣରୁ ମ୍ୟାଚ୍ ବାଧାପ୍ରାପ୍ତ ହେବାରୁ ବଦନାମ୍ ମୁଣ୍ଡାଇଥିଲା ଓସିଏ । ତେଣୁ ଏବେ ଦେଖିବାର କଥା ହେଉଛି ଓସିଏ ତା ରିପୋର୍ଟରେ କାହାକୁ ଦୋଷୀ ସଜାଉଛି । ତଳ ତଳିଆଙ୍କୁ ବଳି ପକାଇ ଆୟୋଜନର ମଙ୍ଗ ଧରିଥିବା ଅଧିକାରୀ ଖସି ଯିବାର ଉଦ୍ୟମ ହେବନି ତ ?

ଅଧିକ ପଢ଼ନ୍ତୁ: କଟିଲା କଟକରେ, ଚର୍ଚ୍ଚା ପାକିସ୍ତାନରେ

OCA India Vs England ODI Barabati Stadium
Advertisment
Advertisment