/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753787177.jpg)
washington sundar
ପୁଣି ଥରେ ଚର୍ଚ୍ଚାରେ ଓ୍ୱାଶିଂଟନ ସୁନ୍ଦର । ଏଥର ଖେଳ ପାଇଁ ନୁହେଁ ବରଂ ନିଜର ବାପାଙ୍କ ବୟାନ ପାଇଁ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ଓ୍ୱାଶିଂଟନ ସୁନ୍ଦର ଅପରାଜିତ ଶତକ କରି ଦଳକୁ ହାରିବାରୁ ବଞ୍ଚାଇଥିଲେ । ସୁନ୍ଦର ୧୦୧* ରନ୍ କରିଥିଲେ । ଓ୍ୱାଶିଂଟନ ସୁନ୍ଦର ରବୀନ୍ଦ୍ର ଜାଡେଜାଙ୍କ ସହ ମିଳିତ ଭାବେ ୨୦୩ ରନ୍ର ଅପରାଜିତ ଭାଗୀଦାରୀ କରି ମ୍ୟାଚକୁ ଡ୍ର କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ । ଗୋଟିଏ ପଟେ ସୁନ୍ଦରଙ୍କ ପ୍ରଦର୍ଶନର ପ୍ରଶଂସା କରାଯାଉଛି ଅନ୍ୟପଟେ ଓ୍ୱାଶିଂଟନ ସୁନ୍ଦରଙ୍କ ବାପା ଏମ୍ ସୁନ୍ଦରଙ୍କର ଏକ ବଡ଼ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ଯେଉଁଥିରେ ସେ ଚୟନକର୍ତ୍ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚମତ୍କାର ପ୍ରଦର୍ଶନ ପରେ ବି ତାଙ୍କୁ ନିୟମିତ ସୁଯୋଗ ନ ମିଳିବା କାରଣରୁ ବିସିସିଆଇ ଚୟନକର୍ତ୍ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସ୍ପିନ୍ ଅଲରାଉଣ୍ଡର ସୁନ୍ଦର ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ତା’ପରେ ସେ ୧୨ଟି ଟେଷ୍ଟ, ୨୩ଟି ଦିନିକିଆ ଏବଂ ୫୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି।
ଅଧିକ ପଢ଼ନ୍ତୁ: ଟର୍ନିଂ ପିଚ୍ରେ ଅଧିକ ସୁଯୋଗ ଦେବା ଦରକାର, ଆଗକୁ ଆହୁରି ଭଲ ପରଫର୍ମ କରିବେ
ଏକ ସାକ୍ଷାତକାରରେ ସୁନ୍ଦରଙ୍କ ବାପା କହିଛନ୍ତି, “ଓ୍ୱାଶିଂଟନ ନିରନ୍ତର ଭଲ ପ୍ରଦର୍ଶନ କରୁଛି। ତଥାପି, ଲୋକମାନେ ତା’ର ପ୍ରଦର୍ଶନକୁ ଅଣଦେଖା କରନ୍ତି ଏବଂ ଭୁଲି ଯାଆନ୍ତି। ଅନ୍ୟ ଖେଳାଳିମାନଙ୍କୁ ନିୟମିତ ସୁଯୋଗ ମିଳୁଛି, କିନ୍ତୁ ମୋ ପୁଅକୁ ମିଳୁ ନାହିଁ। ଓ୍ୱାଶିଂଟନକୁ ପଞ୍ଚମ ନମ୍ବରରେ ବ୍ୟାଟିଂ କରିବା ଉଚିତ, ଯେପରି ସେ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ କରିଥିଲା । ତାକୁ ନିରନ୍ତର ୫ରୁ ୧୦ଟି ସୁଯୋଗ ମିଳିବା ଉଚିତ। ଆଶ୍ଚର୍ଯ୍ୟଜନକ ଭାବେ ମୋ ପୁଅକୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚୟନ କରାଯାଇ ନଥିଲା।
ସୁନ୍ଦରଙ୍କ ବାପା ଆହୁରି କହିଛନ୍ତି ମୋ ପୁଅକୁ ଗୋଟିଏ-ଦୁଇଟି ମ୍ୟାଚରେ ବିଫଳ ହେବା ପରେ ଦଳରୁ ବାହାର କରାଯାଏ। ଏହା ଠିକ୍ ନୁହେଁ। ଓ୍ୱାଶିଂଟନ ୨୦୨୧ରେ ଇଂଲଣ୍ଡ ବିପକ୍ଷ ଚେନ୍ନାଇରେ ଟର୍ନିଂ ପିଚ୍ରେ ୮୫* ରନ୍ ଏବଂ ସେହି ବର୍ଷ ଅହମଦାବାଦରେ ସେହି ଦଳ ବିପକ୍ଷରେ ୯୬* ରନ୍ ସଂଗ୍ରହ କରିଥିଲା। ଯଦି ଏହି ଦୁଇଟି ପାରି ଶତକରେ ପରିଣତ ହୋଇଥାନ୍ତା, ତେବେ ମଧ୍ୟ ତାକୁ ଦଳରୁ ବାହାର କରାଯାଇଥାନ୍ତା। ସୁନ୍ଦରଙ୍କ ପିତା ଆଇପିଏଲ୍ ଫ୍ରାଞ୍ଚାଇଜି ଗୁଜରାଟ ଟାଇଟାନ୍ସ ଉପରେ ମଧ୍ୟ ନିଜର ମତ ରଖିଛନ୍ତି ।
କହିଛନ୍ତି ମୋ ପୁଅର ମ୍ୟାଚ ଜିତାଇବା କ୍ଷମତା ଥାଇ ବି ତାକୁ ଦଳ କମ ସୁଯୋଗ ଦେଇଛି । ସେ ୨୦୨୫ ଆଇପିଏଲ୍ ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ୨୪ ବଲ୍ରେ ୪୮ ରନ୍ ସଂଗ୍ରହ କରି ନିଜର କ୍ଷମତା ପ୍ରଦର୍ଶନ କରିଥିଲେ, କିନ୍ତୁ ତା’ପରେ ମଧ୍ୟ ତାକୁ ନିୟମିତ ସୁଯୋଗ ମିଳି ନାହିଁ। ରାଜସ୍ଥାନ ରୟାଲ୍ସ ଯଶସ୍ୱୀ ଜୟସୱାଲଙ୍କୁ କେତେ ସମର୍ଥନ କରିଛି, ସୁନ୍ଦରଙ୍କୁ ମଧ୍ୟ ନିରନ୍ତର ସୁଯୋଗ ମିଳିବା ଉଚିତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)