Astrospeak
  • Live TV
  • Read In English

Rishabh Pant IPL 2025 Performance: ବଦଳିଲା ବ୍ୟାଟିଂ ଅର୍ଡର...କିନ୍ତୁ ବଦଳିଲାନି ଭାଗ୍ୟ, ପୁଣି ଫ୍ଲପ୍‌ ହେଲେ ଋଷଭ ପନ୍ତ

ମିଚେଲ ମାର୍ଶଙ୍କ ଅନୁପସ୍ଥିତି ଯୋଗୁଁ ଋଷଭ ପନ୍ତ ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ଓପନିଂ କରିବାକୁ ଆସିଥିଲେ । ପନ୍ତ ନିଜ ବ୍ୟାଟିଂ ଅର୍ଡର ବଦଳାଇଥିଲେ କିନ୍ତୁ ତାଙ୍କ ଭାଗ୍ୟ ବଦଳି ନଥିଲା ।

ବଦଳିଲା ବ୍ୟାଟିଂ ଅର୍ଡର, ବଦଳିଲାନି ଭାଗ୍ୟ
ବଦଳିଲା ବ୍ୟାଟିଂ ଅର୍ଡର, ବଦଳିଲାନି ଭାଗ୍ୟ

ଜାରି ରହିଛି ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ୨୦୨୫ । ଗତ ଶନିବାର IPL ର ୨୬ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍‌କୁ ଲକ୍ଷ୍ନୌ ୬ ୱିକେଟ୍‌ରେ ନିଜ ନାମରେ କରିଛି । କିନ୍ତୁ ଚଳିତ ଆଇପିଏଲରେ ଋଷଭ ପନ୍ତଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଅଧିନାୟକ ପନ୍ତ ବିଫଳ ହୋଇଥିଲେ । ଋଷଭ ପନ୍ତ ୧୮ ବଲ୍‌ ଖେଳି ମାତ୍ର ୨୧ ରନ୍ କରି ଆଉଟ୍‌ ହୋଇଥିଲେ ।

ମିଚେଲ ମାର୍ଶଙ୍କ ଅନୁପସ୍ଥିତି ଯୋଗୁଁ ଋଷଭ ପନ୍ତ ଗୁଜରାଟ ବିପକ୍ଷ ମ୍ୟାଚ୍‌ରେ ଓପନିଂ କରିବାକୁ ଆସିଥିଲେ । ପନ୍ତ ନିଜ ବ୍ୟାଟିଂ ଅର୍ଡର ବଦଳାଇଥିଲେ କିନ୍ତୁ ତାଙ୍କ ଭାଗ୍ୟ ବଦଳି ନଥିଲା । ସେ ବହୁତ ଦିନ ପରେ ଟି-୨୦ କ୍ରିକେଟରେ ଓପନିଂ କରିଥିଲେ । ଏହା ପୂର୍ବରୁ ସେ ୨୦୨୨ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନାପିଅର ଟି-୨୦ରେ ଭାରତୀୟ ଦଳ ପାଇଁ ଓପନିଂ କରିଥିଲେ ।

ଅଧିକ ପଢ଼ନ୍ତୁ: ବିଜୟ ଧାରାକୁ ଫେରିବ କି SRH ? କେମିତି ରହିବ ପାଗ ? ଜାଣନ୍ତୁ...

ଆଇପିଏଲ ଇତିହାସରେ ପଞ୍ଚମ ଥର ପାଇଁ ଋଷଭ ପନ୍ତ ଓପନ୍‌ କରିଥିଲେ । ଏହା ପୂର୍ବରୁ ରିଷଭ ପନ୍ତ ଶେଷ ଥର ପାଇଁ ୨୦୧୬ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷରେ ଓପନିଂ କରିଥିଲେ । ଯଦିଓ ପନ୍ତ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବ୍ୟାଟିଂରେ ବିଫଳ ହୋଇଥିଲେ କିନ୍ତୁ ସେ ଏଡେନ୍ ମାର୍କରାମଙ୍କ ସହିତ ପ୍ରଥମ ୱିକେଟ୍ ପାଇଁ ୩୭ ବଲ୍‌ରେ ୬୫ ରନ୍ ଯୋଡ଼ିଥିଲେ ।

ଯଦି ଆମେ IPL ୨୦୨୫ ଉପରେ ନଜର ପକାଇବା, ତେବେ ଋଷଭ ପନ୍ତ ୬ଟି ମ୍ୟାଚ୍‌ରେ ୮ ହାରରେ ମାତ୍ର ୪୦ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୮୦ ରହିଛି । ଯାହା ପନ୍ତଙ୍କ କ୍ଷେତ୍ରରେ ବହୁତ ଆଶ୍ଚର୍ଯ୍ୟଜନକ । ଋଷଭ ପନ୍ତ ହେଉଛନ୍ତି ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି । ପନ୍ତଙ୍କୁ ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ଦଳରେ ସାମିଲ କରିଥିଲା । କିନ୍ତୁ ପନ୍ତଙ୍କ ବ୍ୟାଟିଂ ପ୍ରଶଂସକଙ୍କୁ ବେଶ୍‌ ନିରାଶ କରିଛି ।

ଆଇପିଏଲ ୨୦୨୫ରେ ଋଷଭ ପନ୍ତ

ବନାମ ଦିଲ୍ଲୀ କ୍ୟାପିଟାଲ୍ସ: ୦ (୬ ବଲ୍‌ରେ)

ବନାମ ସନ୍‌ ରାଇଜର୍ସ ହାଇଦ୍ରାବାଦ: ୧୫ ରନ୍‌ (୧୫ ବଲ୍‌ରେ)

ବନାମ ପଞ୍ଜାବ କିଙ୍ଗ୍ସ: ୨ ରନ୍‌ ( ୫ ବଲ୍‌ରେ)

ବନାମ ମୁମ୍ବାଇ ଇଣ୍ଡିଆନ୍ସ: ୨ ରନ୍‌ ( ୬ ବଲ୍‌ରେ)

ବନାମ କୋଲକାତା ନାଇଟ ରାଇଡର୍ସ: ବ୍ୟାଟିଂ କରିନାହାନ୍ତି

ବନାମ ଗୁଜରାଟ ଟାଇଟନ୍ସ: ୨୧ ରନ୍‌ (୧୮ ବଲ୍‌ରେ)

ମୋଟ: ୪୦ ରନ୍‌ (୫୦ ବଲ୍‌ରେ)

ଯଦିଓ ଚଳିତ ଆଇପିଏଲରେ ଋଷଭ ପନ୍ତ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୬ ୱିକେଟରେ ଏକ ଚମତ୍କାର ବିଜୟ ହାସଲ କରିଥିଲା । ଚଳିତ ସିଜିନରେ ଏହା ଲକ୍ଷ୍ନୌ ସୁପରଜାଏଣ୍ଟସର ଛଅଟି ମ୍ୟାଚ୍ ମଧ୍ୟରୁ ଚତୁର୍ଥ ବିଜୟ । ଏହି ବିଜୟ ସହ ପଏଣ୍ଟ ଟେବୁଲରେ LSG ତୃତୀୟ ସ୍ଥାନରେ ରହିଛି ।

ଅଧିକ ପଢ଼ନ୍ତୁ: ଆରସିବି ମ୍ୟାନେଜମେଣ୍ଟକୁ କଡା ଜବାବ ଦେଲେ ଲୋକାଲ ବୟ ରାହୁଲ