Advertisment

ମିଳୁନି ହକି ଟିକେଟ୍; ନିରାଶ ପ୍ରକୃତ ହକିପ୍ରେମୀ

କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ।

ଅଦ୍ୟତନ ହୋଇଛି
Odisha Hockey World Cup 2023 Tickets

not getting hockey tickets; disappointed true hockey fan

Advertisment

ଷ୍ଟାଡିୟମରେ ବସି ବିଶ୍ୱକପ୍ ହକିର ମଜା ନେବାକୁ ହକିପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିଲେ ବି ଟିକେଟ୍ ଖଣ୍ଡେ ମିଳୁନି। ସେ ଅନ୍‌ଲାଇନ୍ ହେଉ କି ଅଫ୍‌ଲାଇନ୍ ସବୁଠି ଦର୍ଶକ ନିରାଶ। ସେପଟେ କିନ୍ତୁ ସୋସିଆଲ୍‌ ମିଡିଆ ରେ ଖୋଲାଖୋଲି ୧୦ ଗୁଣା ଚଢା ଦରରେ କଳାବଜାରୀ ହେଉଛି ହକି ମ୍ୟାଚ୍ ଟିକେଟ୍।

Advertisment

ଏ ଅଭିଯୋଗରେ ଆଜି କମିଶନରେଟ୍ ପୋଲିସ ୫ କଳାବଜାରୀଙ୍କୁ ଗିରଫ କରିଛି। ସେପଟେ କିନ୍ତୁ ପ୍ରକୃତ ହକିପ୍ରେମୀଙ୍କ ପ୍ରଶ୍ନ ଯଦି ସବୁ ଟିକେଟ୍ ବିକ୍ରି ସରିଛି ତେବେ, ଗ୍ୟାଲେରୀରେ ବହୁ ସିଟ୍ ଫାଙ୍କା ପଡୁଛି କେମିତି?

କାଉଣ୍ଟରକୁ ଗଲେ ମଧ୍ୟ ସେଠାରେ ସୋଲଡ୍ ଆଉଟ୍ ନୋଟିସ୍ ଦେଖି ଭାଙ୍ଗିଯାଉଛି ଖେଳପ୍ରେମୀଙ୍କ ମନ। ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିୟମସ୍ଥିତ ଟିକେଟ୍ କାଉଣ୍ଟର ଆଗରେ ଟିକେଟ୍ ଖଣ୍ଡେ ପାଇଁ ସବୁଦିନ ଚକ୍କର କାଟୁଛନ୍ତି କ୍ରୀଡ଼ାପ୍ରେମୀ। କିନ୍ତୁ କେବଳ ନିରାଶ ହୋଇ ଫେରିବା ବ୍ୟତୀତ ଆଉ କିଛି ଉପାୟ ନାହିଁ।

Advertisment

ଭାରତ ତ ଭାରତ, ଅନ୍ୟ ଦେଶର ମ୍ୟାଚ୍ ଲାଗି ବି ନାସ୍ତିବାଣୀ ଶୁଣିବାକୁ ମିଳୁଛି। ଏଣେ ଟିକେଟ୍‌ର ଅଭାବନୀୟ ସ୍ଥିତିକୁ ଦେଖି ପ୍ରକୃତ ହକିପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ। ସେମାନଙ୍କ ମତରେ ମ୍ୟାଚ୍ ବେଳେ ଗ୍ୟାଲେରୀ ପ୍ରାୟ ଅଧା ଖାଲି ରହୁଛି। ଏପଟେ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ସୋଲଡ୍ ଆଉଟ୍ ଟ୍ୟାଗ୍ ଦେଖାଯାଉଛି। ତାହେଲେ ଟିକେଟ୍ ନେଲା କିଏ, ଆଉ ଦର୍ଶକ ଗଲେ କୁଆଡ଼େ?

ଅଧିକ ପଢ଼ନ୍ତୁ: ହଜାରେ ବର୍ଷର ସହରକୁ ହକି ଫିଭର୍ : ନାଚଗୀତ ଭିତରେ ସେଲିବ୍ରେସନ

ଅନ୍ୟପକ୍ଷରେ ହକିପ୍ରେମୀଙ୍କ ସନ୍ଦେହ, ଅନୁମାନ ଓ ଆଶଙ୍କାକୁ ପ୍ରମାଣିତ କରୁଛି ଏ ଘଟଣା। ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ପାଇଁ ବ୍ୟସ୍ତ କ୍ରୀଡ଼ାପ୍ରେମୀ ଟିକେଟ୍ ଖଣ୍ଡେ ପାଉ ନଥିବା ବେଳେ ସୋସିଆଲ ମିଡିଆରେ ୧୦ ଗୁଣା ଚଢା ଦରରେ ବିକ୍ରି ହେଉଛି ଟିକେଟ୍। ଏମିତିକି କଳାବଜାରୀଙ୍କ ପାଖରେ ମହଜୁଦ୍ ରହିଛି ଭାରତ ଖେଳୁଥିବା ଲିଗ୍ ମ୍ୟାଚର ଟିକେଟ୍।

Advertisment

ଏ ଘଟଣା ସାମ୍ନାକୁ ଆସିବା ପରେ ଟିକେଟ୍‌ କଳାବଜାରୀ ଅଭିଯୋଗରେ ୫ ଯୁବକଙ୍କୁ ଗିରଫ କରିଛି ସହିଦନଗର ପୋଲିସ। କମିଶନରେଟ୍ ପୋଲିସ ଏ ମାମଲାର ତଦନ୍ତ କରୁଥିବା ବେଳେ ସେପଟେ କ୍ରୀଡ଼ାମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପ୍ରକାଶଥାଉ ଯେ ହକି ବିଶ୍ୱକପ୍ ଲାଗି ଗତ ନଭେମ୍ବର ୨୪ରୁ ଅନ୍‌ଲାଇନ୍ ଓ ଡିସେମ୍ବର ୧୯ରୁ କାଉଣ୍ଟର୍‌ରେ ଅଫ୍‌ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ତେବେ ବିକ୍ରିର ପ୍ରଥମ ଦିନରୁ ହିଁ କ୍ରୀଡ଼ାପ୍ରେମୀଙ୍କୁ ଟିକେଟ୍ ମିଳି ନଥିବା ଅଭିଯୋଗ ହୋଇ ଆସୁଥିଲା।

ଏଠାରେ ପ୍ରଶ୍ନ ଉଠେ ଯେ ଟିକେଟ୍ ଗଲା କୁଆଡ଼େ, ଆଉ ନେଲା କିଏ? ଯାହାର ସ୍ପଷ୍ଟ ଉତ୍ତର ନା ଭାରତୀୟ ହକି ଫେଡେରେସନ୍ ନା ଆୟୋଜକ ଓଡ଼ିଶା ସରକାର, କାହାରି ପାଖରେ ନାହିଁ।

(ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀଙ୍କ ରିପୋର୍ଟ)

Hockey World Cup 2023 Hockey India Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ