• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚଢୁଛି ବିଶ୍ୱକପ୍ ହକି ଫିଭର । ହେଲେ ଟିକଟ ମିଳିବ ନା ନାହିଁ, ଆଶଙ୍କାରେ ହକିପ୍ରେମୀ । ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେଉଥିବା ବିଶ୍ୱକପ ହକି ଲାଗି କାଲିଠୁ ଅଫ୍‌ଲାଇନ୍ ଟିକଟ ବିକ୍ରି ହେବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ୮ ନମ୍ବର ଗେଟ୍ ଏବଂ ରାଉରକେଲା ବିର୍ଶା ମୁଣ୍ଡା ଷ୍ଟାଡିୟମର ଦୁଇ ଓ ଛଅ ନମ୍ବର ଗେଟ୍‌ରେ ମିଳିବ ଟିକଟ । ଦିନ ୧୧ଟାରୁ ସଂଧ୍ୟା ୭ଟା ମଧ୍ୟରେ ଟିକଟ ବିକ୍ରି କରାଯିବ ।

ତେବେ କାଉଣ୍ଟରରେ କେତେ ଟିକଟ ବିକ୍ରି ହେବ, ତାହା ସ୍ପଷ୍ଟ କରିନାହିଁ ହକି ଇଣ୍ଡିଆ । ଯାହାକୁ ନେଇ ଉତ୍କଣ୍ଠାରେ ହକି ପ୍ରେମୀ । କାରଣ ୨୦୧୮ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶ୍ୱକପ ବେଳେ ଘଣ୍ଟା ଘଣ୍ଟା ଲାଇନ୍‌ରେ ଠିଆ ହୋଇଥିଲେ ବି ଟିକଟ ନପାଇ ନିରାଶ ହୋଇଥିଲେ ଅନେକ ଖେଳ ପ୍ରେମୀ । ତେଣେ ନଭେମ୍ବର ୨୫ରୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଆରମ୍ଭ ହୋଇଛି । ମାତ୍ର ସାଇଟ୍ ଖୋଲୁ ଖୋଲୁ ଟିକଟ ସରିଯାଇଥିଲା । ତେଣୁ ଏଥର ବି ଖେଳ ଦେଖିବାର ସୁଯୋଗ ପାଇବେ ନା ନାହିଁ, ତାକୁ ନେଇ ବଢିଛି ହକି ପ୍ରେମୀଙ୍କ ଉତ୍କଣ୍ଠା ।

ସୁନ୍ଦରଗଡ଼ ଜିଲ୍ଲାରେ ହକିକୁ ନେଇ ପ୍ରବଳ କ୍ରେଜ୍ । ଏଥର ପୁଣି ବିଶ୍ୱକପ୍ ଆୟୋଜନ ହେଉଛି । ତେଣୁ ଶୀର୍ଘରେ ଦର୍ଶକଙ୍କ ଉତ୍କଣ୍ଠା । ତେବେ ଟିକଟକୁ ନେଇ ଏଠି ବି ସମାନ ସମସ୍ୟା । ମ୍ୟାଚ୍ ଖେଳାଯିବାକୁ ଥିବା ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ୨୦ହଜାର ଦର୍ଶକ ଖେଳ ଦେଖି ପାରିବେ । ମାତ୍ର ଅନଲାଇନ୍‌ରେ କାଁ ଭାଁ ସ୍ଥାନୀୟ ଲୋକ ଟିକଟ ପାଇଛନ୍ତି । ତେଣୁ ଅପେକ୍ଷା କରିଛନ୍ତି ଟିକଟ୍‌କୁ । ଆସନ୍ତାକାଲିକୁ ମାତ୍ର କେତେ ଟିକଟ ବିକ୍ରି ହେବ, ସେମାନଙ୍କ ଭାଗରେ ପଢିବ ନା ନାହିଁ । ତାକୁ ନେଇ ସନ୍ଦେହରେ ରାଉରକେଲାର ହକିପ୍ରେମୀ ।

ଭାରତ ଖେଳିବାକୁ ଥିବା ମ୍ୟାଚ୍ ପାଇଁ ଟିକେଟର ଡିମାଣ୍ଡ ନକହିବା ଭଲ । ଘରୋଇ ଟିମ୍‌କୁ ଚିୟର ଅପ୍ କରିବା ସବୁ ଫ୍ୟାନଙ୍କ ଇଚ୍ଛା । ତେଣୁ ଟିକଟ ବିକ୍ରିରେ ସ୍ୱଚ୍ଛତା ରହୁ ବୋଲି ଦାବି କରିଛନ୍ତି ହକି ପ୍ରେମୀ । ତେବେ ଖେଳ ଆରମ୍ଭ ନହେଉଣୁ ଭାରତ ମ୍ୟାଚ୍‌ର ସବୁ ଅନଲାଇନ୍ ଟିକଟ ସରିଯିବା ଏବଂ ଅଫ୍‌ଲାଇନ୍‌ରେ କେତେ ଟିକଟ ବିକ୍ରି ହେବ, ତାହା ସ୍ପଷ୍ଟ ନଥିବାରୁ ଖେଳପ୍ରେମୀଙ୍କ ମନରେ ଦ୍ୱନ୍ଦ୍ୱ । ଅନ୍ୟପକ୍ଷପରେ ଏନେଇ ହକି ଇଣ୍ଡିଆର ମତାମତ ନେବାକୁ ଆମେ ପ୍ରୟାସ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।

(ରିପୋର୍ଟର- ରାଉରକେଲାରୁ ପବନ ତିୱାରୀ, ଭୁନେଶ୍ୱରରୁ ନିରଞ୍ଜନ ରେଡ୍ଡୀ)