• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚାମ୍ପିଅନ୍ସ ଟ୍ରଫି ଜିତିଲା ପରେ ଭାରତ ଫେରିଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା । ଦୁବାଇରୁ ଫେରି ମୁମ୍ବାଇରେ ପହଞ୍ଚିଛନ୍ତି ରୋହିତ । ସ୍ତ୍ରୀ ଓ ଝିଅଙ୍କ ସହ ରୋହିତ ଭାରତ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ରୋହିତଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ତାଙ୍କୁ ଦେଖିବାକୁ ଫ୍ୟାନ୍‌ଙ୍କ ପ୍ରବଳ ଗହଳି ଲାଗିଥିଲା ।

ସୂଚନା ଅନୁସାରେ ଗତକାଲି ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ । ରୋହିତ ଶର୍ମାଙ୍କ ୭୬ ରନର ପାଳି ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲା । ରୋହିତ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ। ରୋହିତଙ୍କ ରଣନୀତି ପାଇଁ ଭାରତ ଏଥର ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବାରୁ ତାଙ୍କୁ ଢେର ସାରା ସାବାସୀ ମିଳୁଛି ।

ଅଧିକ ପଢ଼ନ୍ତୁ: ପ୍ରଥମେ ଟ୍ରଫି ଜିତିଲେ, ପରେ ହୃଦୟ ଜିତିଲେ ବିରାଟ

ସେପଟେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ଦବଦବା ଜାରି ରହିଛି । ୧୫ ମାସ ଭିତରେ ଦୁଇ ଦୁଇଟି ଆଇସିସି କପ୍ ହାତେଇଛି ଭାରତ । ୧୯ ନଭେମ୍ବର ୨୦୨୩ରେ ଭାରତର ଦିନିକିଆ ବିଶ୍ବକପ୍ ବିଜୟ ସ୍ବପ୍ନକୁ ଅଷ୍ଟ୍ରେଲିଆ ଚୁରମାର କରିଦେଇଥିଲା । ଆଜି ଯାଏଁ ବି ସେ ଦୁଃଖ ଅନେକ କ୍ରିକେଟ ପ୍ରେମୀ ଭୁଲିନଥିବେ । ଲଗାତାର ୧୦ଟି ମ୍ୟାଚ୍‌ ବିଜୟ ପରେ ଭାରତ ହାତରୁ ଖସିଯାଇଥିଲା ବିଶ୍ବକପ୍ ଟ୍ରଫି । ହେଲେ ଭାରତର ସେହି ପରାଜୟ ଖେଳାଳିଙ୍କ ପାଇଁ ବଡ଼ ଶିକ୍ଷା ପାଲଟିଯାଇଥିଲା । ତାପରଠାରୁ ମାତ୍ର ୧୫ ମାସର ବ୍ୟବଧାନ ଭିତରେ ଭାରତ ଦୁଇଟି ଆଇସିସି କପ୍ ହାତେଇଛି । ଗତବର୍ଷ ୨୯ ଜୁନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବକପ ବିଜୟୀ ହୋଇଥିବା ବେଳେ ଗତକାଲି ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଆନ୍ସ ଟ୍ରଫି ହାତେଇଛି ଭାରତ । ଏହି ଦୁଇଟି ଯାକ ଟୁର୍ଣ୍ଣାମେଣ୍ଟରେ ଭାରତ ଗୋଟିଏ ବି ମ୍ୟାଚି ହାରିନାହିଁ । ଯାହା ଏକ ନିଆରା ରେକର୍ଡ ବୋଲି କୁହାଯାଉଛି।

ସେପଟେ ଭାରତୀୟ କ୍ରିକେଟ ଦଳ ଆଜି ଯାଏଁ ୭ଟି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ବିଶ୍ବର ଦ୍ବିତୀୟ ଦଳ ଭାବେ ଭାରତ ଏହି କୃତିତ୍ବ ହାସଲ କରିଛି । ଚାମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ ୪ଟି ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ତୃତୀୟ ଥର ଚାମ୍ପିଆନ୍ସ ଟ୍ରଫି ହାତେଇଛି । ଏହା ପୂର୍ବରୁ ୨୦୦୨ ଓ ୨୦୧୩ରେ ଦୁଇ ଥର ଚାମ୍ପିଆନ୍ସ ଟ୍ରଫି ହାତେଇଥିଲା ଭାରତ । ଅଷ୍ଟ୍ରେଲିଆ ସର୍ବାଧିକ ୧୦ଟି ଆଇସିସି ଟ୍ରଫି ଜିତି ତାଲିକାର ଉପରେ ଥିବା ବେଳେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ।

ଭାରତୀୟ କ୍ରିକେଟ ଦଳ ୧୯୮୩ରେ ଦିନିକିଆ ବିଶ୍ବକପ୍ ଜିତିବା ସହ ଆଇସିସି ଟ୍ରଫି ଅଭିଯାନ ଆରମ୍ଭ କରିଥିଲା। ଏହାପରେ ୨୦୦୨ରେ ଚାମ୍ପିଆନ୍ସ ଟ୍ରଫି, ୨୦୦୭ରେ ଟି-୨୦ ବିଶ୍ବକପ୍, ୨୦୧୧ରେ ଆଇସିସି ଦିନିକିଆ ବିଶ୍ବକପ୍, ୨୦୧୩ରେ ଚାମ୍ପିଆନ୍ସ ଟ୍ରଫି, ୨୦୨୪ରେ ଟି-୨୦ ବିଶ୍ବକପ ସହ ଚଳିତ ବର୍ଷ ଚାମ୍ପିଆନ୍ସ ଟ୍ରଫି ଜିତିବାରେ ସହାୟକ ହୋଇଛି ଭାରତ ।

ଅଧିକ ପଢ଼ନ୍ତୁ: ଆଇପିଏଲରେ ତମାଖୁ ଓ ମଦ ବିଜ୍ଞାପନକୁ ବାରଣ, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ

OTV is now on Whatsapp

Join and get latest news update delivered to you via whatsapp

Join Now