• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦିନକ ପରେ ବାରବାଟୀରେ ହେବ କ୍ରିକେଟର ମହାଯୁଦ୍ଧ । ସୁପର ସଣ୍ଡେରେ ଇଂଲଣ୍ଡ-ଇଣ୍ଡିଆ ମଧ୍ୟରେ ହେବ ସୁପର ସୋ । ଏଥିପାଇଁ ସଜେଇ ହୋଇଛି ଷ୍ଟାଡ଼ିୟମ୍ । ପିଚରୁ ପ୍ୟାଭିଲିୟନ୍, ଷ୍ଟାଡ଼ିୟମରୁ ଟୁଇନସିଟି ବ୍ୟାପି ହୋଇଛି ଜବରଦସ୍ତ ପ୍ରସ୍ତୁତି । ଆସନ୍ତାକାଲି ନେଟ୍ ପ୍ରାକ୍ଟିସ୍ ଲାଗି କଟକ ଯିବେ ଉଭୟେ ଟିମ୍ । ତେଣୁ ଖେଳାଳିଙ୍କ ସୁରକ୍ଷାଠୁ ଦର୍ଶକଙ୍କ ଖେଳ ଦେଖା ଯାଏଁ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି । ଅପରପକ୍ଷେ ଟିକେଟ କଳାବଜାରୀକୁ ନେଇ ଯେଉଁ ଆଶଙ୍କା କରାଯାଇଥିଲା, ତାହା ସତ ପ୍ରମାଣିତ ହେବା ପରେ ଏବଂ ଓଟିଭିରେ ଖବର ବାଜିବା ପରେ ଜୋରଦାର ଧରପଗଡ଼ କରିଛି ପୋଲିସ ।

ଦିନକ ପରେ ବାରବାଟୀ ବ୍ୟାଟେଲ୍...ସୁପର ସଣ୍ଡେରେ ହେବ ସୁପର୍ ସୋ’...ଇଂଲଣ୍ଡ-ଇଣ୍ଡିଆ ଦିନିକିଆରେ ଉଡ଼ିବ ଚୌକା ଛକ୍କା...ଫ୍ୟାନଙ୍କ ଉପସ୍ଥିତିରେ ଗର୍ଜିବ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମ । ଏଥିପାଇଁ ଚମକିଲାଣି ଗ୍ରାଉଣ୍ଡ । ଗ୍ରୀନରୁମରୁ ଭିଆଇପି ବକ୍ସ ସବୁଠି ପ୍ରସ୍ତୁତିର ଶେଷ ସ୍ପର୍ଶ । ପିଚରୁ ପ୍ୟାଭିଲିୟନ୍ ଯାଏଁ ସଜେଇ ହେଲାଣି ରଙ୍ଗାରଙ୍ଗ ଭାବେ । ଗ୍ରାଉଣ୍ଡକୁ ଚେସ୍ ବୋର୍ଡ ଡିଜାଇନର ରୂପ ଦେବା ପାଇଁ ଆମେରିକାରୁ ଆସିଥିବା ୭୭ ଲକ୍ଷ ଟଙ୍କାର ଅତ୍ୟାଧୁନିକୁ ସ୍ବତନ୍ତ୍ର ଗ୍ରାସ କଟିଂ ମେସିନରେ ଚାଲିଛି ଜୋରଦାର କାମ ।

ଅଧିକ ପଢ଼ନ୍ତୁ: ଓଡ଼ିଆ ଯୁବକଙ୍କ ଛାତିରେ ‘ବିରାଟ’ଙ୍କ ଟାଟୁ, କୋହଲିଙ୍କୁ ଦେଖିବାକୁ ଗୋଆରୁ ଆସିଲେ ଭୁବନେଶ୍ୱର

ଆଜି ସମସ୍ତ ପ୍ରସ୍ତୁତି ସରିବା ପରେ ଆସନ୍ତାକାଲି ଉଭୟ ଟିମ୍ ନେଟ୍ସ ପ୍ରାକ୍ଟିସ୍ କରିବେ ପଡ଼ିଆରେ । ଏଥିପାଇଁ ଭୁବନେଶ୍ବରରୁ ଷ୍ଟାଡ଼ିୟମ୍ ଯାଏଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକ ବକ୍ସିବଜାର ପୋଲିସ ଗ୍ରାଉଣ୍ଡରେ ମ୍ୟାଚ୍ ବେଳେ ଆଇନଶୃଙ୍ଖଳା ରକ୍ଷା ନେଇ ବ୍ରିଫିଂ କରାଯାଇଛି । ମ୍ୟାଚ ସମୟରେ ୬୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବାରବାଟୀରେ । ୧୧୦ ଏସିପି ଏବଂ ଇନିସପେକ୍ଟରଙ୍କ ନେତୃତ୍ବରେ ଟିମ୍ ଗୁଡ଼ିକ ଗଠନ କରାଯାଇଛି । ସୁରକ୍ଷା ପ୍ରୋଟୋକଲ୍ ଭିତରେ ରହିବ ଏସଓଜି, ଏସଟିଏଫ୍, କ୍ବିକ୍ ଆକ୍ସନ ଟିମ୍ ।

ମ୍ୟାଚ୍‌କୁ ହାଇସ୍କୋରିଂ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଇଛି ଓସିଏ । ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଆସିଥିବା କଳାମାଟିକୁ ବ୍ୟବହାର କରାଯାଇଛି ପିଚରେ । ଏହା ସହିତ ମୁମ୍ବାଇରୁ ଆସିଥିବା ନାଲିମାଟିରେ ବି ତିଆରି କରାଯାଇଛି ଆଉ ଏକ ପିଚ୍ । ସାର ବି ଆସିଛି ଅଷ୍ଟ୍ରେଲିଆରୁ । ସେହିପରି ପ୍ରଥମ ଥର ପାଇଁ ଲିଜେଣ୍ଡାରୀ ବକ୍ସ କରାଯାଇଛି । ଯେଉଁଠି ବସିବେ ରାଜ୍ୟକୁ ଗୌରାବନ୍ବିତ କରିଥିବା ବ୍ୟକ୍ତିବିଶେଷ ।

ଶେଷ ଥର ପାଇଁ ୧୨ ଜୁନ, ୨୦୨୨ରେ ଦକ୍ଷିଣ ଆଫ୍ରିକା ଏବଂ ଟିମ୍ ଇଣ୍ଡିଆ ମଧ୍ୟରେ ହୋଇଥିଲା ଟି-ଟ୍ବେଣ୍ଟି ଟକ୍କର। ଏବେ ୨ ବର୍ଷର ବ୍ୟବଧାନରେ ଦିନକ ପରେ ହେବାକୁ ଯାଉଛି ଇଂଲଣ୍ଡ ବିପକ୍ଷ ଦିନିକିଆ ଲଢ଼େଇ। ଅପେକ୍ଷା କିଏ ପିନ୍ଧୁଛନ୍ତି ବାରବାଟୀରେ ବିଜୟ ମୁକୁଟ ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

  • Reported by:
  • GAUTAM PANDA , DEBASHISH MOHANTY , Biswajit Acharya

OTV is now on Whatsapp

Join and get latest news update delivered to you via whatsapp

Join Now