/odishatv-khabar/media/post_attachments/uploadimage/library/16_9/16_9_0/Bumrah_1752245320.jpg)
Bumrah
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ୩୮୭ ରନରେ ସୀମିତ ରହିଛି। ଐତିହାସିକ ଲର୍ଡସରେ ଖେଳା ଯାଉଥିବା ଏହି ମ୍ୟାଚରେ ଯଶପ୍ରୀତ ବୁମରା ୫ ୱିକେଟ ସଫଳତା ନେବା ସହିତ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ବ୍ୟାଟିଂ ସହାୟକ ପିଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମଧ୍ୟ ଘରୋଇ ଦଳ ଏହାର ଫାଇଦା ଉଠାଇ ପାରି ନ ଥିଲା।
ପ୍ରଥମ ସ୍ପେଲରେ ବୁମରା, ମହମ୍ମଦ ସିରାଜ ଓ ଗତ ମ୍ୟାଚର ହିରୋ ଆକାଶ ଦୀପ ୱିକେଟ ଶୂନ୍ୟ ରହିଥିଲେ। ତେବେ ନୀତିଶ ରେଡ୍ଡୀ ଦୁଇଟି ୱିକେଟ ନେଇ ଦଳକୁ ବ୍ରେକ ଥ୍ରୁ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ଇଂଲଣ୍ଡ ୪ ୱିକେଟରେ ୨୫୧ ରନ କରିଥିଲା। ପ୍ରଥମ ଥର ପାଇଁ ଇଂଲଣ୍ଡ ଦଳ ଏହାର ବାଜ ବଲ ରଣନୀତିକୁ ଅନୁସରଣ କରି ନ ଥିଲା।
ପ୍ରଥମ ଦିନରେ ଜୋ ରୁଟ ୯୯ରନରେ ଅପରାଜିତ ରହିଥିଲେ। ହାତରେ ୬ ୱିକେଟ ଥିବା ବେଳେ ଇଂଲଣ୍ଡ ନିକଟରୁ ବଡ ସ୍କୋର ଆଶା କରାଯାଉଥିଲା। ଏପରିକି ବୁମରାଙ୍କୁ ଚୌକା ମାରି ଶତକ ପୂରଣ କରିଥିଲେ ରୁଟ।
ଏହାର ଠିକ ପରବର୍ତ୍ତୀ ଓଭରରେ ଏକ ଚମତ୍କାର ବଲରେ ରୁଟଙ୍କୁ ଆଉଟ କରିଥିଲେ ବୁମରା। ୧୯୯ ବଲ ଖେଳି ୧୦ ଚୌକା ସହିତ ସେ ୧୦୪ ରନ କରିଥିଲେ।
ଟେଷ୍ଟ କ୍ରିକେଟରେ ୩୭ ତମ ଶତକ ହାସଲ କରିବା ସହିତ ରାହୁଲ ଦ୍ରାବିଡ ଓ ଷ୍ଟିଭ ସ୍ମିଥଙ୍କୁ ପଛରେ ପକାଇଥିଲେ ରୁଟ। ତେବେ ରୁଟଙ୍କ ୱିକେଟ ପତନ ପରେ ଇଂଲଣ୍ଡ ବ୍ୟାଟିଂ ଲାଇନ ଅପକୁ ଧ୍ବସ୍ତ କରି ଦେଇଥିଲେ ବୁମରା।
ପରବର୍ତ୍ତୀ ଓଭରରେ ଲଗାତାର ବଲରେ ସେ ବେନ ଷ୍ଟୋକ୍ସ ଓ କ୍ରିସ ଓକ୍ସଙ୍କୁ ଆଉଟ କରିଥିଲେ। ଇଂଲଣ୍ତ ସଙ୍କଟରେ ପଡିଥିବା ବେଳେ ୱିକେଟ କିପର ଜେମି ସ୍ମିଥ ଓ ବ୍ରାଇଡେନ କାର୍ସ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।
ସ୍ମିଥ ୫୧ ଓ କାସ ୫୬ ରନର ଇନିଂସ ଖେଳିଥିଲେ। ଜବାବରେ ଇଂଲଣ୍ଡ ଇନିଂସ ୩୮୭ ରନରେ ପହଞ୍ଚିଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ସିରାଜ ଓ ନୀତିଶ କୁମାର ରେଡ୍ଡୀ ୨ଟି ଲେଖାଏ ଓ ରବୀନ୍ଦ୍ର ଜାଡେଜା ୧ ୱିକେଟ ନେଇଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)