/odishatv-khabar/media/post_attachments/uploadimage/library/16_9/16_9_0/savings_1752235467.jpg)
savings
ଜଣେ ଭାରତୀୟ ମାତ୍ର ୪୫ ବର୍ଷ ବୟସରେ ୪ କୋଟି ୭୦ ଲକ୍ଷ ଟଙ୍କା ସଞ୍ଚୟ କରିଛନ୍ତି । ଏହା ପରେ ସେ ଏବେ ଚାକିରି ଛାଡି ଦେଇଛନ୍ତି । ଆପଣ ଭାବୁଥିବେ ସେ ନିଶ୍ଚିତ ଭାବେ ବ୍ୟବସାୟ କରୁଥିଲେ କିମ୍ୱା ଷ୍ଟକ ମାର୍କେଟରେ ଅର୍ଥ ବିନିଯୋଗ କରିଥିବେ । କିନ୍ତୁ ସେ ସେମିତି କିଛି କରିନାହାନ୍ତି । ତାଙ୍କର ସଞ୍ଚୟ କରିବା ମନୋବୃତ୍ତି ତାଙ୍କୁ ଆଜି କୋଟିପତି କରାଇଛି । ଏହା ଅବିଶ୍ୱାସ ମନେ ହେଉଥିଲେ ବି ତାଙ୍କ ପୁତୁରା ଏହା କହିଛନ୍ତି ।
ଏହି ବ୍ୟକ୍ତି ୪୫ ବର୍ଷ ବୟସରେ ୪.୭ କୋଟି ଟଙ୍କା ସଞ୍ଚୟ କରି ଚାକିରି ଛାଡ଼ି ଅବସର ଗ୍ରହଣ କରିଛନ୍ତି । ଏହି ଖବର ସୋସିଆଲ ମିଡିଆରେ ବିଶେଷ କରି Reddit ଏବଂ X ପ୍ଲାଟଫର୍ମରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ବ୍ୟକ୍ତିଙ୍କ ପୁତୁରା ସୋସିଆଲ ମିଡିଆ ପ୍ଲାଟଫର୍ମ Redditରେ ଏହା ସେୟାର କରିଛନ୍ତି । ସେ କହିଛନ୍ତି ତାଙ୍କ କାକା ଆର୍ଥିକ ଶୃଙ୍ଖଳାକୁ ଅଧିକ ଗୁରୁତ୍ୱ ଦିଅନ୍ତି । ସେ ସେଭଳି କୌଣସି ବଡ ଚାକିରି କରୁନଥିଲେ । ସେ ସାଧାରଣ ଚାକିରିଟିଏ କରିଥିଲେ ।
ତାଙ୍କର ସଫଳତାର ମୂଳମନ୍ତ୍ର ଥିଲା ଶୃଙ୍ଖଳିତ ସଞ୍ଚୟ ଏବଂ ଦୀର୍ଘମିଆଦୀ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ।
ଏହି ବ୍ୟକ୍ତି ଜଣକ ୧୯୯୮ ମସିହାରେ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ଆରମ୍ଭ କରିଥିଲେ । ସେତେବେଳେ ଭାରତରେ ମ୍ୟୁଚୁଆଲ ଫଣ୍ଡ ସମ୍ପର୍କୀୟ ସଚେତନତା ବହୁତ କମ୍ ଥିଲା। ସେ ପ୍ରଥମେ ୧୦,୦୦୦ ଟଙ୍କା ବିନିଯୋଗ କରିଥିଲେ ଏବଂ ଏକ ମାସିକ ୫୦୦ ଟଙ୍କାର Systematic Investment Plan (SIP) ଆରମ୍ଭ କରିଥିଲେ।
ତାଙ୍କ ଦରମା ବଢ଼ିବା ସହିତ ସେ ତାଙ୍କ SIP ରାଶିକୁ ବୃଦ୍ଧି କରୁଥିଲେ। କ୍ରମେ ତାଙ୍କ ମାସିକ SIP ୧,୦୦୦, ୨,୦୦୦, ୫,୦୦୦ ଏବଂ ୨୦୧୦ ସୁଦ୍ଧା ୨୦,୦୦୦ ଟଙ୍କା ହୋଇଥିଲା। ସେ କେବେ ହେଲେ ଏହି ବିନିଯୋଗ ବନ୍ଦ କରି ନଥିଲେ।
୨୦୨୫ ମସିହାରେ ୪୫ ବର୍ଷ ବୟସରେ ଅବସର ଗ୍ରହଣ କରିବା ସମୟରେ ତାଙ୍କର ମୋଟ ସଞ୍ଚୟ ୪.୭ କୋଟି ଟଙ୍କାରେ ପହଞ୍ଚିଥିଲା । ସେ CAMS ଷ୍ଟେଟମେଣ୍ଟ ଏବଂ ପାସବୁକ୍ ମାଧ୍ୟମରେ ତାଙ୍କ ପୁତୁରାକୁ ଦେଖାଇଥିଲେ।
ଏହି ବ୍ୟକ୍ତି ସାଧାରଣ ଜୀବନଯାପନ କରୁଥିଲେ। ସେ ଗତ ୩୦ ବର୍ଷ ଧରି ଗୋଟିଏ 2BHK ଘରେ ରହୁଥିଲେ । କାର୍ କିଣିନଥିଲେ । ଏକ ସ୍କୁଟରରେ ଯିବା ଆସିବା କରୁଥିଲେ । ପରିବାରକୁ ଖୁବ୍ କମ୍ ଛୁଟିରେ ବାହାରକୁ ନେଉଥିଲେ। ତାଙ୍କର ଜୀବନଶୈଳୀ ପୂରା ସାଧାସିଧା । ଅବସର ପରେ ସେ ଏବେ ପରିବାରକୁ ଅଧିକ ସମୟ ଦେଉଛନ୍ତି । ବୁଲାବୁଲି କରିବାକୁ ବାହାରକୁ ଯାଉଛନ୍ତି । ସେ ତାଙ୍କ ସଞ୍ଚୟ ସଂପର୍କରେ ପୂର୍ବରୁ ପିଲାଙ୍କୁ କିଛି କହିନଥିଲେ ।
ଏହି ବ୍ୟକ୍ତି ତାଙ୍କ ପୁତୁରାକୁ ଉପଦେଶ ଦେଇଛନ୍ତି ଯେ ତୁମେ ଅଧିକ ରୋଜଗାର କରିବା ଦରକାର ନାହିଁ, ତୁମେ ଶୀଘ୍ର ସଞ୍ଚୟ ଆରମ୍ଭ କରିବା ଦରକାର। ଶୀଘ୍ର ସଞ୍ଚୟ ଆରମ୍ଭ, ନିୟମିତ ବିନିଯୋଗ ଏବଂ ଧୈର୍ଯ୍ୟ ଜଣକୁ ଆର୍ଥିକ ସ୍ୱାଧୀନତା ଦେଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)