Advertisment

Cricket vs Hockey: କଟକରେ କ୍ରିକେଟ୍‌ ଟିକେଟ୍‌ ପାଇଁ ବାଡ଼ାବାଡ଼ି, ଭୁବନେଶ୍ୱରରେ ହକି ଟିକେଟ୍‌ ମିଳୁଛି ମାଗଣା

କ୍ରିକେଟ୍‌ ମ୍ୟାଚ୍‌ ଟିକେଟ୍‌ କିଣିବା ପାଇଁ ସମସ୍ତଙ୍କ ମନରେ ଥାଏ ବେଶ୍‌ ଉତ୍କଣ୍ଠା । ଟିକେଟ୍‌ର ମୂଲ୍ୟ ଯେତେ ହେଉ ନା କାହିଁ ସମସ୍ତେ ଚାହାନ୍ତି ଟିକେଟ ଖଣ୍ଡ କିଣି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କ୍ରିକେଟ୍ ପାଇଁ ବାଡ଼ାବାଡ଼ି, ହକି ମାଗଣା

କ୍ରିକେଟ୍ ପାଇଁ ବାଡ଼ାବାଡ଼ି, ହକି ମାଗଣା

କ୍ରିକେଟ ହେଉଛି ଭାରତରେ ସବୁଠୁ ଲୋକପ୍ରିୟ ଖେଳ । ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ପାଇଁ ପାଗଳ । ସେ ଯେଉଁ ମ୍ୟାଚ୍‌ ହେଉ ନା କାହିଁ କ୍ରିକେଟ୍‌ ଦେଖିବା ପାଇଁ ଷ୍ଟାଡିୟମରେ ସବୁବେଳେ ହୋଇଥାଏ ଖଚାଖଚ୍‌ ଭିଡ଼ । ଭାରତ ଜିତୁ ବା ହାରୁ ଲୋକଙ୍କର କମିନଥାଏ କ୍ରିକେଟ୍‌ ପ୍ରତି ଭଲ ପାଇବା । ସମସ୍ତେ ଚାହାନ୍ତି ଷ୍ଟାଡିୟମରେ ବସି ନିଜ ପସନ୍ଦର ଖେଳାଳିଙ୍କ ଖେଳ ଦେଖିବାକୁ । ସେଥିପାଇଁ କ୍ରିକେଟ୍‌ ମ୍ୟାଚ୍‌ ଟିକେଟ୍‌ କିଣିବା ପାଇଁ ସମସ୍ତଙ୍କ ମନରେ ଥାଏ ବେଶ୍‌ ଉତ୍କଣ୍ଠା । ଟିକେଟ୍‌ର ମୂଲ୍ୟ ଯେତେ ହେଉ ନା କାହିଁ ସମସ୍ତେ ଚାହାନ୍ତି ଟିକେଟ ଖଣ୍ଡ କିଣି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାକୁ ।

Advertisment

ଏଇ ଯେମିତି ଆଜି କଟକ ବାରବାଟୀ ଷ୍ଟାଡିୟମରେ । ଖଣ୍ଡେ ଟିକେଟ୍‌ କିଣିବା ପାଇଁ ଦର୍ଶକଙ୍କର ବାର ବାଜି ଯାଇଥିଲା । ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଥିଲା ଅଫଲାଇନ୍‌ ଟିକେଟ୍‌ ବିକ୍ରି । ଅଫଲାଇନରେ ଟିକେଟ ଖଣ୍ଡେ ହାତେଇବାକୁ ଗତରାତିରୁ ଧାଡ଼ିବାନ୍ଧିଥିଲେ କ୍ରିକେଟ୍ ପ୍ରେମୀ । କିନ୍ତୁ ଟିକେଟ୍‌ ଖଣ୍ଡକ ପାଇଁ ଆଜି ଦିନତମାମ ନାକେଦମ୍ ହୋଇଛନ୍ତି କ୍ରିକେଟ୍‌ ପ୍ରେମୀ । କେତେବେଳେ ଧସ୍ତାଧସ୍ତି ତ ଆଉ କେତେବେଳେ ଦଳାଚକଟା ସ୍ଥିତି । କିଏ ଚେତାଶୂନ୍ୟ ହୋଇପଡ଼ିଲେ ତ ଆଉ କିଏ ଟିକେଟ ନହେଲା ନାଇଁ, ଜୀବନ ବଞ୍ଚାଇ ଘରକୁ ବାହୁଡ଼ିଗଲେ । ତା ମଧ୍ୟରେ ଉପସ୍ଥିତ କିଛି ଦର୍ଶକ ଭାଙ୍ଗିଦେଲେ ବ୍ୟାରିକେଡ୍ । ଏତେ ସବୁ ସହି ମଧ୍ୟ କିଛି କ୍ରିକେଟ୍‌ ପ୍ରେମୀ ଟିକେଟ୍‌ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା । ତେବେ ଆଜି ବାରବାଟୀର ଦୃଶ୍ୟ ବଖାଣୁଥିଲା କ୍ରିକେଟ୍‌ ପାଇଁ କେତେ ପାଗଳ ଆମ ଦର୍ଶକ ।

ଅଧିକ ପଢ଼ନ୍ତୁ: ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍ ଟିକେଟ୍ ପାଇଁ ଲଢ଼େଇ, ଦଳାଚକଟା ସ୍ଥିତିରେ ସନ୍ତୁଳି ହେଲେ ଦର୍ଶକ

Advertisment

ଫେବୃଆରୀ ୯ରେ ବାରବାଟୀରେ ଇଣ୍ଡି‍ଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଫେବୃଆରୀ ୧୫ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି FIH ହକି ପ୍ରୋ ଲିଗ୍‌ । ଫେବୃଆରୀ ୧୫ରୁ ୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଉଭୟ ପୁରୁଷ ଓ ମହିଳା ବର୍ଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭାରତ ସମେତ ୪ଟି ଦେଶ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି କ୍ରିକେଟ୍‌ ଟିକେଟ୍‌ ପାଇଁ ବାଡ଼ାବାଡ଼ି ହେଉଥିବାବେଳେ ଭୁବନେଶ୍ୱରରେ ହେବାକୁ ଥିବା FIH ହକି ପ୍ରୋ ଲିଗ୍ ଟିକେଟ୍‌ କିନ୍ତୁ ମିଳୁଛି ମାଗଣାରେ । ଯାହା ଦର୍ଶାଉଛି ହକି ତୁଳନାରେ କ୍ରିକେଟ୍‌ ଭାରତରେ କେତେ ଲୋକପ୍ରିୟ ।

ଆପଣ FIH ହକି ପ୍ରୋ ଲିଗ୍‌ ଦେଖିବାକୁ ଚାହୁଁଥିଲେ https://ticketgenie.in ୱେବସାଇଟ କିମ୍ବା ଆପ୍‌ ମାଧ୍ୟମରେ ଏହି ଟିକେଟ କରି ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିପାରିବେ । ଜଣେ ବ୍ୟକ୍ତି ପ୍ରତିଦିନ ଅତିବେଶୀରେ ୬ଟି ଟିକେଟ୍‌ କରିପାରିବେ । ତେବେ ଗୋଟିଏ ଟିକେଟ୍‌ରେ ଆପଣ ଗୋଟିଏ ନୁହେଁ ବରଂ ଏକାସାଙ୍ଗରେ ୩ଟି ମ୍ୟାଚ୍‌ ଦେଖିପାରିବେ । ଓଡ଼ିଶା ସରକାର ହକିର ପ୍ରୟୋଜକ ରହିଥିବା ବେଳେ ହକିର ପ୍ରଚାର ପ୍ରସାର ପାଇଁ ହକି ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ସଭାପତି ଦିଲୀପ ତୀର୍କି।

ଗୋଟିଏ ପଟେ ବାରବାଟୀରେ କ୍ରିକେଟ୍‌ ଟିକେଟ୍‌ ମିଳିବା କାଠିକର ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଟିକେଟ୍‌ ମାଗଣା ମିଳିବା କ୍ରୀଡାପ୍ରେମୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ।

ଅଧିକ ପଢ଼ନ୍ତୁ: ପାଇଲେନି ବାରବାଟୀ ମ୍ୟାଚ୍‌ ଟିକେଟ୍‌, ଭାଙ୍ଗିଲେ ବ୍ୟାରିକେଡ୍‌

Cricket Kalinga Stadium Hockey India Barabati Stadium
Advertisment
Advertisment