/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737818519.jpg)
Barabati Stadium To Host ODI Match
ଆସନ୍ତା ଫେବ୍ରୁଆରୀ ୯ରେ ସବୁ କ୍ରିକେଟ ପ୍ରେମୀଙ୍କ ନଜର ରହିବ ବାରବାଟୀ ଷ୍ଟାଡିଅମ ଉପରେ। ଦୀର୍ଘଦିନ ପରେ ବାରବାଟୀ ଆୟୋଜନ କରିବାକୁ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। କିନ୍ତୁ ଉଦବେଗର କଥା ହେଲା, ଏହି ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଏନେଇ ଅଗ୍ନିଶମ ବିଭାଗ ଡିଜି ଅତିରିକ୍ତ ଶାସନ ସଚିବଙ୍କୁ ଅବଗତ କରିଛନ୍ତି। ଏପଟେ ମୁଣ୍ଡ ଉପରେ ମ୍ୟାଚ୍ କାରଣରୁ ନିକଟରେ ଅଗ୍ନିଶମ ବିଭାଗ, ଷ୍ଟାଡିୟମର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ସହ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛି।
ଫେବ୍ରୁଆରୀ ୯। କେମିତି ସୁରୁଖୁରୁରେ ହେବ ବାରବାଟୀ ଲଢେଇ ? କିଭଳି ସୁରକ୍ଷିତ ମ୍ୟାଚ୍ ଦେଖି ଫେରିବେ ପ୍ରାୟ ୪୫ ହଜାର ଦର୍ଶକ ? କେମିତି ସୁଦୃଢ ହେବ ଷ୍ଟାଡିୟମର ଅସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ? ଏଥିପାଇଁ ଜୋରସର ପ୍ରସ୍ତୁତି ସହ ପୁରା ଦମ୍ ଲଗାଇ ଦେଇଛନ୍ତି କମିଶନରେଟ ପୋଲିସ, ଅଗ୍ନିଶମ ବିଭାଗ ଓ ଓସିଏ କର୍ତ୍ତୃପକ୍ଷ। ବିଶେଷକରି ବାରାବାଟୀରେ ସ୍ଥାୟୀ ଅଗ୍ନି ନିରାପତ୍ତା ନଥିବାରୁ ଅସ୍ଥାୟୀ ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ କାମରେ ଲାଗିଛି ଅଗ୍ନିଶମ ବିଭାଗ। ଅଗ୍ନି ନିର୍ବାପନ ଲାଗି ଅଗ୍ନିଶମ ବିଭାଗ ଏଥର ପ୍ରତି ଗ୍ୟାଲେରୀରେ ଫାୟାର ଏକ୍ସଟିଙ୍ଗୁଇସର ବ୍ୟବସ୍ଥା ସହ ୧୮୦ ଜଣ ଫାୟାରମାନଙ୍କୁ ନିୟୋଜିତ କରୁଛି। ଅଘଟଣ ବେଳେ ଉଦ୍ଧାର ପାଇଁ ବହୁ ସଂଖ୍ୟାରେ କର୍ମଚାରୀ ସାଙ୍ଗକୁ ଯନ୍ତ୍ରପାତି ମହଜୁଦ ସାଙ୍ଗକୁ ଷ୍ଟାଡିୟମରେ ମୋଟ ୮ଟି ଦମକଳ ଗାଡ଼ି ମୁତୟନ ରଖିବାକୁ ନିଷ୍ପତ୍ତି ନେଇଛି। ସେପଟେ ପ୍ରେସ ବକ୍ସ, କର୍ପୋରେଟ ବକ୍ସ, ଭିଭିଆଇପି ବକ୍ସରେ ଲଗାଯାଇଥିବା ପୁରୁଣା ଏସିରୁ ସଟ୍ ସର୍କିଟ ଭୟ ଦୂର କରିବାକୁ ଏହାକୁ ବଦଳାଇବାକୁ ପରାମର୍ଶ ଦେଇଛି ଅଗ୍ନିଶମ ବିଭାଗ। ତାସହ ବିଦ୍ୟୁତ ସଂଯୋଗ ଥିବା ଡିଜି ସେଟ, ଇଲୋକ୍ଟ୍ରେନିକ ପ୍ୟାନେଲ ବୋର୍ଡ, ଟ୍ରାନ୍ସଫର୍ମର ସହ ଇଲେକ୍ଟ୍ରି ସାର୍ଟିଫିକେଟ ଦେବାକୁ କୁହାଯାଇଛି। ଏପଟେ କନଫରେନ୍ସ ହଲ, ନ୍ୟୁ ପାଭିଲିୟନ, ଅଲିମ୍ପିକ ଆସୋସିଏସନ୍, କର୍ପୋରେଟ ବକ୍ସ ଆଦିରେ ଅସ୍ଥାୟୀ ସିଡି ନିର୍ମାଣ ପାଇଁ ମଧ୍ୟ ପରାମର୍ଶ ଦେଇଛି ଅଗ୍ନିଶମ ବିଭାଗ।
ଅଧିକ ପଢ଼ନ୍ତୁ: ଚାମ୍ପିଅନ୍ସ ଟ୍ରଫି ଟିମ୍ରେ ଅର୍ଶଦୀପ ସିଂହଙ୍କ ଚୟନ କେତେ ଯଥାର୍ଥ
ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ପାଇଁ ବାରବାଟୀ ଭେନ୍ୟୁ ଘୋଷିତ ହେବା ପରେ ଗତ ଜାନୁଆରୀ ୧୦ରେ ବାରବାଟୀରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା କଥା ଅତିରିକ୍ତ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ ଅଗ୍ନିଶମ ଡିଜି। ଏହା ପୂର୍ବରୁ ୨୦୨୨ରେ ମଧ୍ୟ ବାରବାଟୀ ଷ୍ଟାଡିୟମରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଯାଞ୍ଚ ସମୟରେ ଜଣାପଡିଥିଲା। ଏପରିକି ଅଗ୍ନିଶମ ପ୍ରମାଣ ପତ୍ର ବିନା ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟକ୍ରମ କରାଯାଉଛି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଅଗ୍ନିଶମ ଡିଜି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମରେ ଅଗ୍ନି ନିରାପତ୍ତାକୁ ନିଶ୍ଚିତ କରିବାକୁ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲା ଅଗ୍ନିଶମ ବିଭାଗ। ସେପଟେ ଭୁବନେଶ୍ୱର IITର ଏକ ୧୫ ଜଣିଆ ବୈଷୟିକ କମିଟି ଷ୍ଟାଡିୟମ ଯାଞ୍ଚ କରି ଗ୍ୟାଲେରୀ, ପ୍ୟାଭେଲିୟନ ସହ ମ୍ୟାଚ ପାଇଁ ହେଉଥିବା ସମସ୍ତ ଅସ୍ଥାୟୀ ନିର୍ମାଣ ଯାଞ୍ଚ କରିଛନ୍ତି। ଏପଟେ ଷ୍ଟାଡିୟମରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ସହ ଅନ୍ୟ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ନିଆଯାଉଥିବା ଓସିଏ ସମ୍ପାଦକ ସୂଚନା ଦେଇଛନ୍ତି।
ଦୀର୍ଘ ୫ ବର୍ଷ ପରେ ବାରବାଟୀରେ ପୁଣି ଦେଖିବାକୁ ମିଳିବ ୱାନଡେ ମ୍ୟାଚ୍। ଏହାର ସଫଳ ଆୟୋଜନ ଲାଗି ରାଜ୍ୟ କ୍ରୀଡା ବିଭାଗ, କମିଶନରେଟ ପୋଲିସ ଏବଂ ଅଗ୍ନିଶମ ବିଭାଗ ସହ ଓସିଏ ଜୋରସୋରରେ ଲାଗିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)