• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ୟୁନାଇଟେଡ୍ ଆରବ ଏମିରେଟ୍ସର ଦୁବାଇଠାରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଟିମ୍‌ରେ ବାମହାତି ପେସର୍ ଅର୍ଶଦୀପ ସିଂହଙ୍କୁ ବି ସାମିଲ୍‌ କରାଯାଇଛି । ୨୫ ବର୍ଷୀୟ ଅର୍ଶଦୀପଙ୍କ ଚୟନ ଟିକେ ବିସ୍ମୟକର ଥିଲା, କାରଣ ତାଙ୍କୁ ଅନ୍ୟତମ ପେସର୍ ମହମ୍ମଦ ସିରାଜଙ୍କଠାରୁ ଅଗ୍ରାଧିକାର ଦିଆଯାଇଛି । ଦିନିକିଆ ଆନ୍ତର୍ଜାତିକରେ ସିରାଜ ତାଙ୍କଠାରୁ ଯଥେଷ୍ଟ ଅଭିଜ୍ଞ, ହେଲେ ସେ ୧୫ ଜଣିଆ ଟିମ୍‌ରେ ସ୍ଥାନ ପାଇପାରି ନାହାନ୍ତି ।

ଅର୍ଶଦୀପ ଟି-୨୦ ଆନ୍ତର୍ଜାତିକରେ ଜଣେ ବିଶେଷଜ୍ଞ ପେସର୍‌ ଭାବେ ଟିମ୍‌ର ଅଭିନ୍ନ ଅଙ୍ଗ ହୋଇଗଲେଣି । ଏହି ଫର୍ମାଟ୍‌ରେ ସେ ଭାରତ ପକ୍ଷରୁ ସର୍ବାଧିକ ୯୭ (ଜାନୁଆରୀ ୨୨ ସୁଦ୍ଧା) ୱିକେଟ୍ ମଧ୍ୟ ନେଇଛନ୍ତି । ସେ ଟି-୨୦ ବିଶ୍ୱକପ୍ ୨୦୨୪ରେ ୧୭ ୱିକେଟ୍‌ ନେଇ ମିଳିତ ଭାବେ ଶୀର୍ଷ ୱିକେଟ୍‌ ହାସଲକାରୀ ହୋଇପାରିଥିଲେ । ତେବେ ସେ ଟେଷ୍ଟରେ ପଦାର୍ପଣ କରି ନ ଥିବାବେଳେ ଦିନିକିଆରେ ତାଙ୍କୁ ବେଶୀ ସୁଯୋଗ ମିଳି ନାହିଁ । ସେ ୨୦୨୨ରେ ପ୍ରଥମ ଥର ଦିନିକିଆ ଆନ୍ତର୍ଜାତିକରେ ଖେଳିଥିଲେ । ସେବେଠାରୁ ଏଯାବତ ସେ ୫୦-ଓଭର୍ ଫର୍ମାଟ୍‌ରେ ୮ ମ୍ୟାଚ୍‌ ଖେଳି ୧୨ ୱିକେଟ୍ ଅକ୍ତିଆର କରିଛନ୍ତି । ଏପରିସ୍ଥଳେ ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ମଞ୍ଚ ପାଇଁ ତାଙ୍କ ଚୟନର ଯଥାର୍ଥତା କେତେ, ତାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

କ’ଣ କହିଲେଅଧିନାୟକ ରୋହିତ ଶର୍ମା

ସିରାଜଙ୍କଠାରୁ ଅର୍ଶଦୀପଙ୍କୁ ଅଗ୍ରାଧିକାର ସମ୍ପର୍କରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ସେମାନେ ଏଭଳି ବିକଳ୍ପ ଖୋଜୁଥିଲେ, ଯିଏ ବିଶେଷ ଭୂମିକାରେ ଫିଟ୍‌ ହୋଇପାରିବେ । ସେମାନଙ୍କ ପାଖରେ ଏମିତି ବୋଲର୍ ଅଛନ୍ତି, ଯେଉଁମାନେ ମିଡିଲ୍‌ ଓଭର୍ ଓ ଡେଥ୍ ଓଭର୍‌ରେ ବୋଲିଂ କରିବାର ଦକ୍ଷତା ରଖନ୍ତି । ରୋହିତଙ୍କ କହିବାନୁଯାୟୀ ସିରାଜ ନୂଆ ବଲ୍‌ରେ ଠିକ୍ ଅଛନ୍ତି, କିନ୍ତୁ ପୁରୁଣା ବଲ୍‌ରେ ସେ ସଂଘର୍ଷ କରନ୍ତି । ଅର୍ଶଦୀପ ଏ ଯାବତ ଦିନିକିଆ ଫର୍ମାଟ୍‌ରେ ବେଶୀ ଖେଳି ନାହାନ୍ତି, ହେଲେ ସେ ଅନେକ ଦିନ ଧରି ସୀମିତ ଓଭର୍‌ ଟିମ୍‌ର ଅଂଶବିଶେଷ ରହିଆସିଛନ୍ତି ଏବଂ ଏହି ସମୟରେ ନିଜ ଉପଯୋଗିତା ବି ସାବ୍ୟସ୍ତ କରିଛନ୍ତି ।

ବିଜୟ ହଜାରେ ଟ୍ରଫିରେ ପ୍ରଭାବଶାଳୀ ପ୍ରଦର୍ଶନ

ଭାରତର ମୁଖ୍ୟ ଘରୋଇ ଲିଷ୍ଟ-ଏ ଟୁର୍ଣ୍ଣାମେଣ୍ଟ ‘ବିଜୟ ହଜାରେ ଟ୍ରଫି’ ୨୦୨୪-୨୫ରେ ଅର୍ଶଦୀପ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ସେ ପଞ୍ଜାବ ପକ୍ଷରୁ ୭ ମ୍ୟାଚ୍‌ ଖେଳି ସର୍ବାଧିକ ୨୦ ୱିକେଟ୍‌ ନେଇଥିଲେ । ଏଥିରେ ତାଙ୍କର ଆଭରେଜ୍ ଥିଲା ୧୮.୨୫ ଓ ଇକୋନମୀ ରେଟ୍ ୫.୬୨ । ଗୋଟିଏ ଇନିଂସ୍‌ରେ ସେ ୫ ୱିକେଟ୍‌ ନେଇଥିଲେ । ଅର୍ଶଦୀପ ନୂଆ ବଲ୍‌ରେ ବ୍ୟାଟର୍‌ଙ୍କୁ କ୍ରମାଗତ ଅଡ଼ୁଆରେ ପକାଇବା ସହ ପୁରୁଣା ବଲ୍‌ରେ ବି କମାଲ୍‌ କରିଥିଲେ । ତାଙ୍କର ଏହି ଚମକପ୍ରଦ ଫର୍ମ ଚୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଚାମ୍ପିଅନ୍ସ ଟ୍ରଫି ଓ ଏହା ପୂର୍ବରୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଟିମ୍‌ରେ ସୁଯୋଗ ଦିଆଗଲା । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ବି ସେ ଟିମ୍‌ରେ ଅଛନ୍ତି । ପ୍ରଥମ ମ୍ୟାଚ୍‌ରେ ତାଙ୍କୁ ୨ ୱିକେଟ୍‌ ମିଳିଥିଲା ।

ପେସ୍ ଆକ୍ରମଣରେ ଆସିଲା ବିବିଧତା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଟିମ୍‌ରେ ବିଶେଷଜ୍ଞ ପେସର୍‌ ଭାବେ ଦୁଇ ଅଭିଜ୍ଞ – ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ଶାମୀଙ୍କ ସହ ଅର୍ଶଦୀପ ସିଂହଙ୍କୁ ବି ନିଆଯାଇଛି । ଏହା ଛଡ଼ା ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ବି ରହିଛନ୍ତି । ବୁମ୍‌ରା, ଶାମୀ ଓ ପାଣ୍ଡ୍ୟା – ସମସ୍ତେ ଡାହାଣ ହାତି ପେସର୍ । ଏପରିସ୍ଥଳେ ଅର୍ଶଦୀପ ଆସିବା ଦ୍ୱାରା ଭାରତର ପେସ୍ ଆକ୍ରମଣରେ ବାମହାତି ପେସର୍‌ଙ୍କ ଅଭାବ ଦୂର ହୋଇ ବିବିଧତା ଆସିଲା । ଏହା ଟିମ୍ ପାଇଁ ଗୁରୁତ୍ୱରଖେ । ଏହା ଛଡ଼ା ତାଙ୍କ ବୋଲିଂରେ ମଧ୍ୟ ବିବିଧତା ରହିଛି ।

ବୁମ୍‌ରାଙ୍କ ଅନୁପସ୍ଥିତିରେ ତୁଲାଇ ପାରନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା

ପିଠି ଯନ୍ତ୍ରଣା ଭୋଗୁଥିବା ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍‌ରା ଚାମ୍ପିଅନ୍ସ ଟ୍ରଫିରେ କେତେ ମ୍ୟାଚ୍‌ ଖେଳିପାରିବେ, ତାହାକୁ ନେଇ ସ୍ପଷ୍ଟତା ନାହିଁ । ଚର୍ଚ୍ଚା ହେଉଛି ଯେ ସେ ଗ୍ରୁପ୍ ପର୍ଯ୍ୟାୟ ପାଇଁ ଉପଲବ୍ଧ ହୋଇ ନ ପାରନ୍ତି । ଏପରି ସ୍ଥଳେ ଜଣେ ପ୍ରକୃଷ୍ଟ ବିକଳ୍ପଙ୍କୁ ପ୍ରସ୍ତୁତ ରଖିବାର ଆବଶ୍ୟକତା ରହିଛି । ସେହି ବିକଳ୍ପ ହେଲେ ଅର୍ଶଦୀପ । କେବଳ ବୁମ୍‌ରା ନୁହନ୍ତି, ଦୀର୍ଘ ଦିନ ପରେ ଟିମ୍‌କୁ ଫେରିଥିବା ଶାମୀ ଫିଟ୍ ଅବସ୍ଥାରେ କେତେ ମ୍ୟାଚ୍‌ ଖେଳୁଛନ୍ତି, ତା’ ଉପରେ ବି ନଜର ରହିବ । ତେଣୁ ଟିମ୍‌ରେ ଅର୍ଶଦୀପଙ୍କ ବେଶ୍‌ ଗୁରୁତ୍ୱ ରହିଛି । ଏହି ବାମହାତି ପେସର୍‌ଙ୍କ ଟିମ୍‌ ଇଣ୍ଡିଆ ସହିତ ଖେଳିବାର ଅଭିଜ୍ଞତା ରହିଛି । ଟି-୨୦ ବିଶ୍ୱକପ୍‌ ଖେଳିଥିବା ଯୋଗୁଁ ଆଇସିସି ଟୁର୍ଣ୍ଣାମେଣ୍ଟର ଚାପକୁ ନିୟନ୍ତ୍ରଣ କରିବା ତାଙ୍କ ପକ୍ଷରେ କଷ୍ଟକର ହେବ ନାହିଁ । ପାୱାର ପ୍ଲେରେ ୱିକେଟ୍‌ ହାସଲ ଦକ୍ଷତା ସହ ଡେଥ୍ ଓଭର୍‌ରେ ବିବିଧତା ଜରିଆରେ ବ୍ୟାଟର୍‌ଙ୍କୁ ଅଡ଼ୁଆରେ ପକାଇବାର କଳା ତାଙ୍କୁ ଜଣା । ଆଇପିଏଲ୍ ୨୦୨୪ରେ ସେ ନିଜ ଦକ୍ଷତାର ଝଲକ ଦେଖାଇ ସାରିଛନ୍ତି । ଦିନିକିଆ ଆନ୍ତର୍ଜାତିକରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ ସାମିଲ୍‌ ହେବା ଅର୍ଶଦୀପଙ୍କ ପାଇଁ ଏକ ବଡ଼ ସୁଯୋଗ । ତାଙ୍କୁ ଏହି ସୁଯୋଗର ସଦୁପଯୋଗ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିବାକୁ ହେବ, ଯାହା ଫଳରେ ସେ ଟି-୨୦ ଭଳି ଦିନିକିଆ ଫର୍ମାଟ୍‌ରେ ବି ନିଜକୁ ସ୍ଥାପିତ କରିପାରିବେ ।

OTV is now on Whatsapp

Join and get latest news update delivered to you via whatsapp

Join Now