• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରେମ ଅଢ଼େଇ ଅକ୍ଷର । ସମୟ ବଦଳିବା ସାଙ୍ଗକୁ ପ୍ରେମ ପ୍ରକାଶ କରିବାର ତରିକା ବି ବଦଳୁଛି । ଇଏ ଏମିତି ଏକ ଶବ୍ଦ ଯାହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ କମ ପଡ଼ିବ । ଆଗକାଳର ପ୍ରେମ ଆଉ ଏବେର ପ୍ରେମ ଭିତରେ ଆକାଶ ପାତାଳ ଫରକ୍‌ । ଏବେ ପ୍ରେମ ପାଇଁ କିଏ କାହା ଜୀବନ ନେଇ ଯାଉଛି ତ କିଏ ଜୀବନ ଦେଇ ବି ଦେଉଛି । ପ୍ରେମରେ ସାଥି ପାଇଁ ଦେହରେ ଟାଟୁ କରିବା ଏବେ ଏକ ଫ୍ୟାସନ୍‌ ପାଲଟିଲାଣି । ଟାଟୁ ଏବେ ଯୁବପିଢ଼ିଙ୍କ ପାଇଁ ଏକପ୍ରକାର ପ୍ରେମର ପ୍ରତୀକ ପାଲଟିଛି । କେତେବେଳେ କିଏ ହାତରେ ତ କିଏ ଛାତିରେ ନିଜ ସାଥି ପାଇଁ ଟାଟୁ କରୁଛନ୍ତି । କେବେ ଶୁଣିଛନ୍ତି କି ସ୍ତ୍ରୀ ନିଜ ମୁଣ୍ତରେ ସ୍ୱାମୀ ନାଁରେ ଟାଟୁ କରିବାର । କଥାଟି ଅଡୁଆ ଲାଗୁଥିଲେ ବି ସତ । ଏଭଳି କିଛି ଘଟଣା ଘଟିଛି ବେଙ୍ଗାଲୁରୁ ସହରରେ ।

ଅଧିକ ପଢ଼ନ୍ତୁ: ନିଜ ବାହୁରେ ପତ୍ନୀଙ୍କ ଟାଟୁ କରି ଦେଲେ ସର୍‌ପ୍ରାଇଜ୍

ସ୍ୱାମୀଙ୍କ ପାଇଁ ଥିବା ଭଲପାଇବାକୁ ଟାଟୁ କରି ଦର୍ଶାଇଲେ ସ୍ତ୍ରୀ । ହାତ କି ଗୋଡ଼ ନୁହେଁ ବରଂ ନିଜ ମୁଣ୍ତରେ ସ୍ୱାମୀଙ୍କ ନାଁର ଟାଟୁ କଲେ ମହିଳା । ଟାଟୁର ଚିହ୍ନ ଜୀବନ ସାରା ରହିଥାଏ । ଏଥିପାଇଁ ବଡ଼ ବଡ଼ ଅକ୍ଷରରେ ନିଜ ସ୍ୱାମୀର ନାମକୁ କପାଳରେ ଲେଖିଲେ ସ୍ତ୍ରୀ । ଏହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । 

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ନିଜ ସ୍ୱାମୀ ସତୀଶଙ୍କ ନାଁ ବଡ଼ ବଡ଼ ଅକ୍ଷରରେ ମୁଣ୍ତରେ ଟାଟୁ କରିଛନ୍ତି । ଭଲପାଇବାର କୌଣସି ସୀମା ନାହିଁ, ତାହା ବୋଧ ହୁଏ ଏହି ଭିଡିଓରେ ଦେଖିବାକୁ ମିଳିଛି । ମହିଳା ଜଣକ ଟାଟୁ କରୁଥିବା ସମୟରେ ବେଶ୍‌ ଉତ୍ସାହିତ ମଧ୍ୟ ରହିଛନ୍ତି । ଇନ୍‌ଷ୍ଟାଗ୍ରାମରେ କିଙ୍ଗ ମେକର୍‌ ଟାଟୁ ଷ୍ଟୁଡିଓ ପେଜ୍‌ରେ ଏହି ଭିଡିଓ ସେୟାର କରାଯାଇଛି । ଏହାକୁ ଏଯାଏଁ ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି । କିଏ କମେଣ୍ଚରେ ‘ଟ୍ରୁ ଲଭ୍‌’ ଲେଖିଛି ତ କିଏ ‘ବସ୍‌ ଏସି ଏକ ଲଡ଼କି ଚାହିଏ’ ଲେଖିଛନ୍ତି ।

ମହିଳାଙ୍କ ଏହି ପ୍ରୟାସକୁ ଅନେକ ପ୍ରଶଂସା କରିଥିବା ବେଳେ ଅନେକ ନାପସନ୍ଦ ମଧ୍ୟ କରିଛନ୍ତି । ଲୋକେ ଟ୍ରୋଲ୍‌ କରି ଲେଖିଛନ୍ତି ଯେ, ‘ଏହା କେବଳ ବୋକାମି, ଟାଟୁ କରିଦେଲେ ପ୍ରେମ ପ୍ରମାଣିତ ହୁଏ ନାହିଁ । ଆଉ ଜଣେ ଲେଖିଛନ୍ତି କି ଏହା କେବଳ ଲୋକ ଦେଖାଣିଆ’ ।