ରାଜନୀତିରେ ଜନତା ଜନାର୍ଦ୍ଦନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ରାଜନେତାଙ୍କ ଭବିଷ୍ୟତ । ପୂର୍ବରୁ ଏହା ଅନେକ ଥର ପ୍ରମାଣିତ ହୋଇସାରିଛି । ଭାରତର ହାର୍ଟ ରାଜଧାନୀ ଦିଲ୍ଲୀର ରେଜଲ୍ଟ ଆସିବା ପରେ ଏହା ପୁଣିଥରେ ପ୍ରମାଣିତ ହୋଇଛି । ଭୋଟ ଗଣତି ଆଗକୁ ବଢିବା ସହ ଆସୁଛି ଦିଲ୍ଲୀ ଦଙ୍ଗଲର ଫଳାଫଳ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭହେବା ପରେ ଏଥର କିଏ ଦିଲ୍ଲୀ ସିଂହାସନ ଦଖଲ କରିବ ତା' ଉପରେ ଜାତୀୟ ରାଜଧାନୀ ଉପରେ ସାରା ଦେଶବାସୀଙ୍କ ନଜର ରହିଥିଲା ।
ଏପଟେ ଅଧିକାଂଶ ଏକଜିଟ୍ ପୋଲ ବିଜେପି ସପକ୍ଷରେ ମତ ଦେଇଥିଲେ । ଦୀର୍ଘ ୨୭ ବର୍ଷ ପରେ ସତ ହେବାକୁ ଯାଉଛି ବିଜେପିର ଦିଲ୍ଲୀ ଦଖଲ ସ୍ବପ୍ନ । ତେବେ ଯେଉଁ ରେଜଲ୍ଟ ଆସିଛି ତାକୁ ରାଜନୈତିକ ସମୀକ୍ଷକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ହାଟ୍ରିକ୍ ଆଶାରେ ଥିବା ଆପକୁ ଲାଗିଛି ବଡ଼ ଝଟକା । କେବଳ ଝଟକା ଲାଗିନି ନିଜ ଦିଲ୍ଲୀ ବିଧାନ ସଭା ଆସନରେ ପରାଜିତ ହୋଇଛନ୍ତି ଆପର ପୋଷ୍ଟରବୟ ଅରବିନ୍ଦ କେଜରିୱାଲ । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ୪୮ଟି ଆସନରେ ଆଗୁଆ ଅଛି ।
Also Read
ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ଆପ ମାତ୍ର ୨୨ଟି ଆସନରେ ଆଗୁଆ ଅଛି ଅପରପକ୍ଷରେ କଂଗ୍ରେସ ଶୂନରେ ଅଟକି ଯାଇଛି । ଅତ୍ୟଧିକ ଗର୍ବ ଏବଂ ମାତ୍ରାଧିକ ମିଛ ଯେ ମହଙ୍ଗା ପଡିଥାଏ । ଏହା କେଜରିୱାଲଙ୍କ କ୍ଷେତ୍ରରେ ଶତ ପ୍ରତିଶତ ସତ ପ୍ରମାଣିତ ହୋଇଛି । ଏ ସମ୍ପର୍କରେ ଚେତେଇ ଦେବା ପାଇଁ ସୋସିଆଲ ମିଡ଼ିଆ ୟୁଜର କେଜରିୱାଲଙ୍କ ବିଭିନ୍ନ ପୁରୁଣା ଭିଡିଓ ପୋଷ୍ଟ କରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ୍ କରୁଥିବା ଦେଖିବାକୁ ମିଳୁଛି । ଏସବୁ ଭିଡିଓକୁ ଦେଖି ଅନେକ ୟୁଜର ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି ।
ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲୀୟ ଅଧିନାୟକଙ୍କ ନୂଆ ଆଡ ଫିଲ୍ମ, ବିରାଟ କୋହଲିଙ୍କୁ କଲେ ଟ୍ରୋଲ
ସେୟାର ହୋଇଥିବା ଭିଡିଓରେ କେଜରିୱାଲ କହିଛନ୍ତି ତାଙ୍କୁ ହରାଇବା ପାଇଁ ମୋଦିଙ୍କୁ ଆହୁରି ଏକ ଜନ୍ମ ନେବାକୁ ପଡିବ । ଗୋଟିଏ ଜନ୍ମରେ ଦିଲ୍ଲୀ ଜିତିପାରିବେନି ମୋଦି । ୨୦୫୦ ପର୍ଯ୍ୟନ୍ତ ଆପକୁ ହରାଇ ପାରିବନି ବିଜେପି । ଏହି କଥା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନିଲଣ୍ଡରିଂ ମାମଲାରେ ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇନଥିଲେ କେଜରିୱାଲ ।
ଶେଷରେ ଏହି କେସରେ ତାଙ୍କୁ ଗିରଫ କରାଯାଇଥିଲା । ଫଳରେ ଦୁର୍ନୀତି ସମ୍ପର୍କରେ କହି ସରକାରକୁ ଆସିଥିବା ଆପକୁ ବଡ଼ ଝଟକା ଲାଗିଥିଲା । ଏହାପରେ ବି ନିଜର ଟାଣ ଛାଡ଼ିନଥିଲେ କେଜରିୱାଲ । ସେ ଦେଇଥିବା ବୟାନ କ୍ୟାମେରାରେ କଏଦ ହୋଇ ରହିଥିଲା । ଏସବୁକୁ ପୋଷ୍ଟ କରି ଟ୍ରୋଲ୍ କରୁଛନ୍ତି ସୋସିଆଲ ମିଡ଼ିଆ ୟୁଜର । ଅପରପକ୍ଷରେ ଜନତାଙ୍କ ରାୟକୁ ଗ୍ରହଣ କରିବା ସହ ଏକ ଭଲ ବିରୋଧୀ ଭୂମିକା ନିଭାଇବେ ବୋଲି କହିଛନ୍ତି ଦିଲ୍ଲୀର ପୁର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।