/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758181279.jpg)
Voyager-2’s Last Photo
ଅଗଷ୍ଟ ୨୦ ତାରିଖ ୧୯୭୭ ମସିହା । ଏକ ଐତିହାସିକ ଯାତ୍ରାରେ ବାହାରିଥିଲା ସ୍ପେସ୍କ୍ରାଫ୍ଟ ୱାଇଜର-୨ । ମହାକାଶର ମହାରହସ୍ୟକୁ ଭେଦିବାକୁ ମାନବ ସଭ୍ୟତା ଦ୍ବାରା ଆରମ୍ଭ ହୋଇଥିଲା ଏକ କୌତୁକିଆ ଗବେଷଣା । ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ୱାଇଜର ପ୍ରୋଗ୍ରାମ ଅଧୀନରେ ସ୍ପେସ୍କ୍ରାଫ୍ଟ ୱାଇଜର-୨କୁ ମହାକାଶକୁ ପଠାଯାଇଥିଲା । ଫ୍ଲୋରିଡ଼ାରୁ ସକାଳ ୭ଟା ୫୯ ମିନିଟରେ ଏହାକୁ ଏକ ଶକ୍ତିଶାଳୀ ରକେଟ ମାଧ୍ୟମରେ ଉତ୍କ୍ଷେପଣ କରାଯାଇଥିଲା । ଦୀର୍ଘ ଦିନର ଯାତ୍ରା ପରେ ଏହା ଧୀରେ ଧୀରେ ପୃଥିବୀ, ସୂର୍ଯ୍ୟ ତଥା ସୌରମଣ୍ଡଳର ଏକାଧିକ ରହସ୍ୟକୁ ଉନ୍ମୋଚନ କରିଥିଲା ।
ସମୟକ୍ରମେ ୱାଇଜର-୨ ମହାକାଶରେ ଥାଇ ପୃଥିବୀକୁ ପଠାଉଥିବା ଦୁର୍ଲଭ ସୂଚନା ଓ ଫଟୋ ଇତ୍ୟାଦି ବୈଜ୍ଞାନିକମାନଙ୍କ ମହାକାଶ ପ୍ରତି ଥିବା ଜିଜ୍ଞାସାକୁ ଦ୍ବିଗୁଣିତ କରିଥିଲା । ୱାଇଜର-୨ ପୃଥିବୀ ବାସୀଙ୍କ ପାଇଁ ଏକ ଆଶୀର୍ବାଦ ସଦୃଶ ପାଲଟିଥିଲା । ସେ ପଠାଇଥିବା ସୂଚନା ବୈଜ୍ଞାନିକଙ୍କ ଅନେକ ଦ୍ବନ୍ଦ୍ବର ସମାଧାନ କରିବା ସହ ମହାକାଶର ସତ୍ୟକୁ ଉଜାଗର କରିଥିଲା । ଏହି ସୂଚନାକୁ ଆଧାର କରି ମହାକାଶ ଶିକ୍ଷାରେ ଉନ୍ନତି ଆସିବା ସହ ବୈଜ୍ଞାନିକଙ୍କ ଆକଳନ ଓ ମହାକାଶର ରହସ୍ୟକୁ ନେଇ ଉପୁଜିଥିବା ଅନ୍ଧବିଶ୍ବାସର ଅନ୍ତ ଘଟିଲା ।
ୱାଇଜର-୨ ଏପରି ଏକ ସ୍ପେସ୍ ପ୍ରୋବ୍ ବା ସ୍ପେସ୍କ୍ରାଫ୍ଟ ଯାହାକି ଥରକରେ ଜୁପିଟର ବା ବୃହସ୍ପତି, ସାଟର୍ଣ୍ଣ ବା ଶନି, ୟୁରେନସ୍ ଓ ନେପଚୁନ୍କୁ ଭ୍ରମଣ କରିଥିଲା । ଖାଲି ସେତିକି ନୁହେଁ ଏହା ବିଭିନ୍ନ ଗ୍ରହର ଉପଗ୍ରହ ଓ ବଳୟକୁ ମଧ୍ୟ ଉଦ୍ଭାବନ କରିଛି । ୱାଇଜର-୨ ଏବେ ବି ନିରନ୍ତର ଗତି କରୁଛି । ଏବେ ଏହା ସୌରମଣ୍ଡଳ ବାହାରକୁ ଚାଲିଯାଇଛି । ସୂର୍ଯ୍ୟଙ୍କ ପ୍ରକୋପ ତଥା ଆଲୋକ ଠାରୁ କାହିଁ କେତେ ଦୂରରେ ରହିଛି ଏହି ସ୍ପେସ୍କ୍ରାଫ୍ଟ । ଘୋର ଅନ୍ଧକାରରେ ନିଜ ଯାତ୍ରାରେ ବେଶ ଆନନ୍ଦରେ ମାଡ଼ି ଚାଲିଛି ୱାଇଜର-୨ । ଏବେ ଇଣ୍ଟରଷ୍ଟେଲର ସ୍ପେସ୍ ହେଉଛି ୱାଇଜର-୨ର ଠିକଣା । ଯାହାକୁ ଆମେ ହେଲିଓସ୍ପିୟର ବୋଲି କହିଥାଉ ।
ଏବେ ୱାଇଜର-୨ ପୃଥିବୀଠାରୁ ପ୍ରାୟ ୧୩ ବିଲିୟନ ମାଇଲ ବା ୨୦.୮ ବିଲିୟନ କିଲୋମିଟର ଦୂରରେ ଘନ ଅନ୍ଧକାରରେ ଘୂରି ବୁଲୁଛି । ପୃଥିବୀ ପାଇଁ ମହାକାଶର ଆଉ କିଛି ରହସ୍ୟକୁ ସଂଗ୍ରହ କରିବାରେ ବ୍ୟସ୍ତ ରହିଛି ୱାଇଜର-୨ । ସବୁଠୁ ବଡ଼ କଥା ୱାଇଜର-୨ ଉତ୍କ୍ଷେପଣର ୪୮ ବର୍ଷ ପରେ ମଧ୍ୟ ଭୂପୃଷ୍ଠରେ ଥିବା ବୈଜ୍ଞାନିକମାନେ ଏହାସହ ଯୋଗାଯୋଗରେ ରହିଛନ୍ତି । କିନ୍ତୁ ବନ୍ଦ ରହିଛି ଏହାର କ୍ୟାମେରା । ନିକଟରେ ଏହାର କ୍ୟାମେରାକୁ ସବୁଦିନ ପାଇଁ ବନ୍ଦ କରିଦେଇଛନ୍ତି ନାସାର ବୈଜ୍ଞାନିକ ।
ସେପଟେ ସେୟାର କରିଛନ୍ତି ମହାକାଶରୁ ୱାଇଜର-୨ ଉତ୍ତୋଳନ କରିଥିବା ଶେଷ ଫଟୋକୁ । ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ଫଟୋଟି ହେଉଛି ନେପଚୁନ୍ ର । ଯାହା ଦେଖିବାକୁ ଭାରୀ ଭୟଙ୍କର । ୱାଇଜର-୨ ଉତ୍ତୋଳନ କରିଥିବା ଶେଷ ଫଟୋରେ ନେପଚୁନ୍ ସହ ତାର ସବୁଠୁ ବଡ଼ ଚନ୍ଦ୍ର ଟ୍ରାଇଟନ୍କୁ ଦେଖିବାକୁ ମିଳିଛି । ଏହି ଫଟୋକୁ ୱାଇଜର-୨ , ୨୮ ଅଗଷ୍ଟ ୧୯୮୯ ମସିହାରେ ଉତ୍ତୋଳନ କରିଥିଲା । ପୃଥିବୀ ଠାରୁ ପ୍ରାୟ ୪.୭ ବିଲିୟନ୍ କିଲୋମିଟର ଦୂରରେ ରହି ଏହି ରହସ୍ୟମୟ ଫଟୋକୁ କଏଦ କରିଥିଲା ୱାଇଜର-୨ ।
ନିକଟରେ ୱାଇଜର-୨ ର ସ୍ମୃତିରେ ନାସା, ୩୬ ବର୍ଷ ପୁରୁଣା ଏହି ଫଟୋକୁ ସେୟାର କରି ଚର୍ଚ୍ଚାର ପରିସର ଭିତରକୁ ଆସିଛି । ଏଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି, ଯେ ସୂର୍ଯ୍ୟଙ୍କ କିରଣ ନେପଚୁନ୍ର ଉପରି ଭାଗରେ ପଡ଼ିଛି । ଠିକ୍ ଅନୂରୂପ ଭାବେ ଏହାର ଚନ୍ଦ୍ର ଟ୍ରାଇଟନ୍ ର ଉପରି ଭାଗରେ ମଧ୍ୟ ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିଛି । ଏବେ ଆମ ଗହଣରେ ନାହିଁ ୱାଇଜର-୨ କିନ୍ତୁ ମହାକାଶର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ ସେ ଛାଡ଼ିଯାଇଛି ନିଜର ଅନୁଭବ, ଉପଲବ୍ଧି, ପ୍ରମାଣ ଓ ଅତୂଳନୀୟ ଭୂମିକା । ଯାହା ୱାଇଜର-୨କୁ ଅମର କରିଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)