• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଏସଏସ ପାଇଁ ଶୁଭାଂଶୁଙ୍କ ଫାଇନାଲ ରିହର୍ସଲ । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ଯିବା ପୂର୍ବରୁ ଫାଇନାଲ ରିହର୍ସଲ କରିଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ଯିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ଆସନ୍ତାକାଲି ଶୁଭାଂଶୁ ଏକ୍ସିଓମ -୪ ମିଶନରେ ଆଇଏସଏସ (ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ) ଯିବେ । ଶୁଭାଂଶୁ ଆସେମ୍ଲି ବିଲଡିଂରୁ ବାହାରି ରକେଟ ପର୍ଯ୍ୟନ୍ତ ଯିବା ଓ ସେଥିରେ ବସିବାର ରିହର୍ସଲ କରିଥିଲେ । ମିଶନ ଲଞ୍ଚ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ରିହର୍ସଲ କରାଯାଇଛି ।

ଏହି ଅବସରରେ ଶୁଭାଂଶୁ କହିଛନ୍ତି ‘ଏହା ଏକ ଚମତ୍କାର ଯାତ୍ରା ଥିଲା । ଏହି ମୂହୁର୍ତ୍ତ କହୁଛି ଆପଣ ଏଭଳି ଏକ ଯାତ୍ରାର ଅଂଶ ହେବାକୁ ଯାଉଛନ୍ତି ଯାହା ନିଜଠୁ ଖୁବ ବଡ଼ । କେବଳ ଏତିକି କହିବାକୁ ଚାହେଁ ମୁ ଖୁବ ଭାଗ୍ୟଶାଳୀ ଯେ ମତେ ଏହି ମିଶନର ଅଂଶ ହେବାକୁ ସୁଯୋଗ ମିଳିଲା । ଏକ୍ସିଓମ -୪ ମିଶନରେ ଚାରି ଦେଶର ୪ଜଣ ମହାକାଶଚାରୀ ୧୪ ଦିନ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ । ଏହି ମିଶନ ୧୦ଜୁନ ସଂଧ୍ୟା ୫ଟା ୫୪ରେ ଲଞ୍ଚ ହେବ । ଶୁଭାଂଶୁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ଯିବାରେ ପ୍ରଥମ ଓ ସ୍ପେସକୁ ଯିବାରେ ଦ୍ବିତୀୟ ଭାରତୀୟ ହେବେ। ଏହା ପୂର୍ବରୁ ରାକେଶ ଶର୍ମା ୧୯୮୪ରେ ସୋଭିୟତ ୟୁନିୟନର ସ୍ପେସକ୍ରାଫ୍ଟରେ ମହାକାଶକୁ ଯାଇଥିଲେ ।

ଅଧିକ ପଢନ୍ତୁ: ଡ୍ରାଗନ କ୍ୟାପସୁଲ୍ କ’ଣ... ମହାକାଶରେ କେତେ ଦିନ ରହିବେ ଶୁଭାଂଶୁ ଶୁକ୍ଳା ?

ଶୁଭାଂଶୁଙ୍କ ଫୁଲ ଡ୍ରେସ ରିହର୍ସଲ ସମୟର ଫଟୋ ବି ସାମନାକୁ ଆସିଛି । ଏକ୍ସିଓମ ମିଶନରେ ଭାରତ , ପୋଲାଣ୍ଡ, ହଙ୍ଗେରୀର ମହାକାଶଚାରୀ ସାମିଲ ଅଛନ୍ତି । ଶୁଭାଂଶୁ ଶୁକ୍ଲା ହେଉଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ନୋର ବାସିନ୍ଦା । ତାଙ୍କର ପ୍ରାଥମିକ ଶିକ୍ଷା ଲକ୍ଷ୍ନୋର ସିଟି ମୋଣ୍ଟେସରି ସ୍କୁଲରେ ହୋଇଥିଲା । ଯୁକ୍ତ ୨ ପରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଛନ୍ତି । ୨୦୦୬ ଜୁନ ୧୭ରେ ଭାରତୀୟ ବାୟୁସେନାର ଫାଇଟର ୱିଙ୍ଗରେ ସାମିଲ ହୋଇଥିଲେ ଶୁଭାଂଶୁ । ତାଙ୍କ ପାଖରେ ୨ହଜାର ଘଣ୍ଟାରୁ ଅଧିକ ସମୟ ବିମାନ ଉଡାଇବାର ଅନୁଭବ ରହିଛି । ସେ ସୁଖୋଇ ୩୦ ଏମକେଆଇ, ମିଗ୍ ୨୧, ମିଗ୍ ୨୯, ଜଗୁଆର ଭଳି ଯୁଦ୍ଧ ବିମାନ ଉଡାଇଛନ୍ତି ।

ଏଲନ ମସ୍କଙ୍କ କଂପାନୀ ସ୍ପେସ ଏକ୍ସର ଡ୍ରାଗନ କ୍ୟାପସୁଲରେ ଶୁଭାଂଶୁ ଓ ଅନ୍ୟ ମହାକାଶଚାରୀ ମାନେ ସ୍ପେସ ଷ୍ଟେସନକୁ ଉଡାଣ ଭରିବେ । ଏହି ମିଶନକୁ ଫାଲକନ ୯ ରକେଟରେ ଫ୍ଲୋରିଡାରେ ଅବସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବ । ଏକ୍ସିଓମ ମିଶନ ୪ ଏକ ପ୍ରାଇଭେଟ ସ୍ପେସ ଫ୍ଲାଇଟ ମିଶନ । ଆମେରିକାର ପ୍ରାଇଭେଟ ସ୍ପେସ କଂପାନୀ ଏକ୍ସିଓମ ସ୍ପେସ ଓ ନାସା ମିଳିତ ଭାବେ ଏହି ମିଶନ କରୁଛନ୍ତି । ଏକ୍ସିଓମ ସ୍ପେସର ଏହା ଚତୁର୍ଥ ମିଶନ । ପୂର୍ବରୁ ୩ଟି ମିଶନ ହୋଇସାରିଛି । ୧୭ ଦିନର ମିଶନ ଏକ୍ସିଓମ ୧ ଏପ୍ରିଲ ୨୦୨୨ରେ ଲଞ୍ଚ ହୋଇଥିଲା । ଏକ୍ସିଓମର ଦ୍ବିତୀୟ ମିଶନ ୨୦୨୩ ମେ ୨ରେ ଲଞ୍ଚ ହୋଇଥିଲା । ଏହି ମିଶନରେ ୪ଜଣ ମହାକାଶଚାରୀ ସ୍ପେସରେ ଆଠ ଦିନ ରହିଥିଲେ।

ତୃତୀୟ ମିଶନ ଜାନୁଆରୀ ୩, ୨୦୨୪ରେ ଲଞ୍ଚ ହୋଇଥିଲା । ଯେଉଁଥିରେ ମହାକାଶଚାରୀ ସ୍ପେସରେ ୧୮ ଦିନ ରହିଥିଲେ । ତେବେ ଏକ୍ସିଓମ ମିଶନ ୪ର ଉଦ୍ଦେଶ୍ୟ ହେଉଛି ପ୍ରାଇଭେଟ ସ୍ପେସ ଟ୍ରାଭେଲକୁ ପ୍ରୋତ୍ସାହିତ କରିବା । ଫଳରେ ଅଧିକରୁ ଅଧିକ ଲୋକ ମହାକାଶକୁ ଯିବାକୁ ଉତ୍ସାହିତ ହେବେ । ଏହି ମିଶନ ଭବିଷ୍ୟତରେ କର୍ମସିଆଲ ସ୍ପେସ ଷ୍ଟେସନ ପ୍ରତିଷ୍ଠାର ବି ଏକ ଅଂଶ ହେବ । ଏକ୍ସିଓମ -୪ ମିଶନ ମହାକାଶରେ ବିଭିନ୍ନ ବୈଜ୍ଞାନିକ ଅନୁସନ୍ଧାନ ଓ ପ୍ରୟୋଗକୁ ବି ତ୍ବରାନିତ କରିବ ।

ଏହି ମିଶନ ମାଇକ୍ରୋଗ୍ରାଭିଟିର ବିଭିନ୍ନ ପ୍ରୟୋଗ ସହ ମହାକାଶରେ ବିଭିନ୍ନ କୌଶଳର ପରୀକ୍ଷା ଓ ବିକାଶରେ ବି ସହାୟକ ହେବ । ଏହା ବିଭିନ୍ନ ଦେଶର ମହାକାଶଚାରୀଙ୍କୁ ଏକ ମଞ୍ଚ ବି ପ୍ରଦାନ କରିବ ଫଳରେ ଅନ୍ତରାଷ୍ଟ୍ରୀୟ ସହଯୋଗ ବି ବଢିବ । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ପୃଥିବୀ ଚାରିପଟେ ଘୁରୁଥିବା ଏକ ମହାକାଶ ଯାନ । ଏଥିରେ ମହାକାଶଚାରୀ ରୁହନ୍ତି ଓ ମାଇକ୍ରୋଗ୍ରାଭିଟିରେ ଅନେକ ପ୍ରକାର ପରୀକ୍ଷଣ କରନ୍ତି । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ ପୃଥିବୀ ଚାରିପଟେ ୨୮ହଜାର କିଲୋମିଟର ପ୍ରତି ଘଣ୍ଟା ବେଗରେ ବୁଲିଥାଏ । ପୃଥିବୀର ଥରେ ପରିକ୍ରମା କରିବାକୁ ଲାଗିଥାଏ ୯୦ ମିନିଟ ସମୟ ।