Advertisment

Crew Dragon Mission: ଡ୍ରାଗନ କ୍ୟାପସୁଲ୍ କ’ଣ... ମହାକାଶରେ କେତେ ଦିନ ରହିବେ ଶୁଭାଂଶୁ ଶୁକ୍ଳା ?

ଶୁଭାଂଶୁ ଶୁକ୍ଳା ଯେଉଁ କ୍ୟାପସୁଲ୍ରେ ଯାତ୍ରା କରିବେ ତାହା ହେଉଛି କ୍ରୁ ଡ୍ରାଗନ୍। କ୍ରୁ ଡ୍ରାଗନ୍ ମହାକାଶଚାରୀମାନଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନେଇଯାଉଥିବା ବେଳେ ବୈଜ୍ଞାନିକ ଉପକରଣ ଏବଂ ଅନ୍ୟାନ୍ୟ ଜିନିଷଗୁଡ଼ିକୁ କାର୍ଗୋ ଡ୍ରାଗନ୍ କ୍ୟାପସୁଲ୍ ମାଧ୍ୟମରେ ବହନ କରାଯାଏ। ଏଥିରେ ଛଅ ହଜାର କିଲୋଗ୍ରାମ ଜିନିଷ ବହନ କରିବାର କ୍ଷମତା ଅଛି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
କେମିତି କାମ କରେ ଡ୍ରାଗନ୍ କ୍ୟାପସୁଲ୍

କେମିତି କାମ କରେ ଡ୍ରାଗନ୍ କ୍ୟାପସୁଲ୍

ମହାକାଶରେ ଆଉ ଏକ ସ୍ୱର୍ଣ୍ଣିମ ଇତିହାସ ରଚିବା ଅପେକ୍ଷାରେ ଭାରତ । ଭାରତୀୟ ବାୟୁସେନା(IAF) ର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଖୁବ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ( ISS) ଅଭିମୁଖେ ଐତିହାସିକ ଯାତ୍ରା ଆରମ୍ଭ କରିବେ । Axiom Mission 4 (Ax-4) ମିଶନ ଅଧୀନରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲରେ ବସି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଅଭିମୁଖେ ଉଡ଼ାଣ ଭରିବେ ମହାକାଶଚାରୀ । ଏହି ଯାତ୍ରାରେ ଆଉ ୪ଟି ଦେଶର ଅନ୍ତରୀକ୍ଷ ଯାତ୍ରୀ ମଧ୍ୟ ସାମିଲ ଅଛନ୍ତି ।

Advertisment

ଡ୍ରାଗନ୍ ସ୍ପେସ୍କକ୍ରାଫ୍ଟ ଫ୍ଲୋରିଡାରେ ନାସାର କେନେଡି ସ୍ପେସ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉଡ଼ାଣ ଭରବ। ଏଥିପାଇଁ ଫ୍ଲୋରିଡାର ଲଞ୍ଚ ପ୍ୟାଡ୍ ୩୯A ରେ ପହଞ୍ଚିସାରିଛି କ୍ୟାପସୁଲ। ସେଠାରେ ଏହାକୁ ପ୍ରଥମ ଉଡ଼ାଣ ପାଇଁ ପ୍ରସ୍ତୁତ କରାଯାଉଛି। ଭାରତ ସହିତ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର ମହାକାଶଚାରୀମାନେ ଏହି ସ୍ପେସ୍କକ୍ରାଫ୍ଟ ସହିତ ଆକ୍ସିଅମ୍ ସ୍ପେସର ବ୍ୟକ୍ତିଗତ ମିଶନ ଅଧୀନରେ ମହାକାଶ ଯାତ୍ରା କରିବେ। ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରକେଟର ପ୍ରଥମ ଫଟୋ ସେୟାର କରିଥିଲା ସ୍ପେସଏକ୍ସ । ଡ୍ରାଗନକୁ ଜୁନ୍ ୧୦ ରେ ଫାଲକନ୍ ୯ରୁ ଉତକ୍ଷେପଣ କରାଯିବ।

ପ୍ରଥମେ ଡ୍ରାଗନର ଉଡ଼ାଣ ୮ ଜୁନ୍ ୨୦୨୫ ସନ୍ଧ୍ୟା ୬:୪୧ ରେ ସ୍ଥିର କରାଯାଇଥିଲା। ହେଲେ ପରେ ଏହାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏବେ ଏହା ୧୦ ଜୁନ୍ ରେ ଉଡ଼ାଣ କରିବ, କିନ୍ତୁ ଏହି ବିଳମ୍ବର କୌଣସି ସ୍ପଷ୍ଟ କାରଣ ଦିଆଯାଇ ନାହିଁ। ଗଣମାଧ୍ୟମ ଅନୁଯାୟୀ, ଉଡ଼ାଣ ସମୟରେ ପାଗ ଏବଂ ଉତକ୍ଷେପଣ ପୂର୍ବରୁ ଅନ୍ତିମ ପ୍ରକ୍ରିୟା ସମାପ୍ତିକୁ ଦୃଷ୍ଟିରେ ରଖି ଏହା କରାଯାଇଛି।

Advertisment

ତେବେ ଆସନ୍ତୁ ଜାଣିବା ଡ୍ରାଗନ୍ କ୍ୟାପସୁଲ୍ କ’ଣ, ଏହା କିପରି କାମ କରେ ଏବଂ ଶୁଭାଂଶୁ ଶୁକ୍ଳା ଏହି ମିଶନରେ କ’ଣ କ’ଣ କରିବାକୁ ଯାଉଛନ୍ତି।

ଡ୍ରାଗନ୍ କ୍ୟାପସୁଲ୍ କ’ଣ ?

ଡ୍ରାଗନ୍ କ୍ୟାପସୁଲ୍ ହେଉଛି ଏଲନ୍ ମସ୍କଙ୍କ ସ୍ପେସଏକ୍ସ କମ୍ପାନୀ ଦ୍ୱାରା ବିକଶିତ ଏକ ପୁନଃବ୍ୟବହାରଯୋଗ୍ୟ ମହାକାଶଯାନ । ଡ୍ରାଗନ୍ ସ୍ପେସକ୍ରାଫ୍ଟକୁ ଚାରି ଜଣ ମହାକାଶଚାରୀଙ୍କୁ ବହନ କରିବା ପାଇଁ ଡିଜାଇନ୍ କରାଯାଇଛି। ଅନ୍ତରୀକ୍ଷ ଯାତ୍ରୀ ଓ ସେମାନଙ୍କ ଜିନିଷକୁ ପୃଥିବୀରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନେଇ ସୁରକ୍ଷିତ ଭାବରେ ଫେରାଇ ଆଣିବା ଏହାର ଉଦ୍ଦେଶ୍ୟ । ଏହି ମହାକାଶ ଯାନର ଆକୃତି କ୍ୟାପସୁଲ ପରି, ସେଥିପାଇଁ ଏହାକୁ ଡ୍ରାଗନ୍ କ୍ୟାପସୁଲ୍ କୁହାଯାଉଛି । ନିକଟରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୮ ମାସ ଧରି ମହାକାଶରେ ଫସି ରହିବା ପରେ ଡ୍ରାଗନ୍ କ୍ୟାପସୁଲ୍ ମାଧ୍ୟମରେ ପୃଥିବୀକୁ ଫେରିଥିଲେ। ତାଙ୍କ ସହିତ ଅନ୍ୟ ୩ ଜଣ ସାଥୀ ମଧ୍ୟ ଥିଲେ।

ଡ୍ରାଗନ୍ କ୍ୟାପସୁଲ୍ ୨ ପ୍ରକାରର-

କାର୍ଗୋ ଡ୍ରାଗନ୍ (Cargo Dragon) - କାର୍ଗୋ ଡ୍ରାଗନ୍ କେବଳ ସାମଗ୍ରୀ ବୋହିବା ପାଇଁ ବ୍ୟବହାର କରାଯାଏ ।
କ୍ରୁ ଡ୍ରାଗନ୍ Crew Dragon) କିମ୍ବା ଡ୍ରାଗନ୍-୨ - ଯେଉଁଥିରେ ମହାକାଶଚାରୀ ଯାତ୍ରା କରିପାରିବେ।

ଶୁଭାଂଶୁ ଶୁକ୍ଳା ଯେଉଁ କ୍ୟାପସୁଲରେ ଯାତ୍ରା କରିବେ ତାହା ହେଉଛି କ୍ରୁ ଡ୍ରାଗନ୍। କ୍ରୁ ଡ୍ରାଗନ୍ ମହାକାଶଚାରୀମାନଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନେଇଯାଉଥିବା ବେଳେ ବୈଜ୍ଞାନିକ ଉପକରଣ ଏବଂ ଅନ୍ୟାନ୍ୟ ଜିନିଷଗୁଡ଼ିକୁ କାର୍ଗୋ ଡ୍ରାଗନ୍ କ୍ୟାପସୁଲ୍ ମାଧ୍ୟମରେ ବହନ କରାଯାଏ। ଏଥିରେ ଛଅ ହଜାର କିଲୋଗ୍ରାମ ଜିନିଷ ବହନ କରିବାର କ୍ଷମତା ଅଛି । କ୍ରୁ ଡ୍ରାଗନ୍ କ୍ୟାପସୁଲରେ ଟଚସ୍କ୍ରିନ୍ ଡିସପ୍ଲେ ସହିତ ତିନୋଟି ନିୟନ୍ତ୍ରଣ ପ୍ୟାନେଲ୍ ସ୍ଥାପନ ହୋଇଛି, ଯାହା ମହାକାଶଚାରୀମାନଙ୍କୁ ଏହି ସ୍ପେସ୍କ୍ରାଫ୍ଟକୁ ପରିଚାଳନା କରିବାରେ ସାହାଯ୍ୟ କରେ। ଏହି କ୍ୟାପସୁଲର ମୋଟ ଉଚ୍ଚତା ୮.୧ ମିଟର ଏବଂ ବ୍ୟାସ ୪ ମିଟର ବୋଲି କୁହାଯାଉଛି । ଡ୍ରାଗନ୍ କ୍ରୁ କ୍ୟାପସୁଲରେ ଏକ ଉଚ୍ଚ କୁଲିଂ ସିଷ୍ଟମ୍ ସହିତ ସ୍ୱତନ୍ତ୍ର ସ୍ପେସ୍ ସୁଟର ବ୍ୟବସ୍ଥା ରହିଛି ।

କିପରି କାମ କରେ ଡ୍ରାଗନ ?

ଡ୍ରାଗନ କ୍ୟାପସୁଲକୁ ସ୍ପେସଏକ୍ସର Falcon 9 ଦ୍ୱାରା ଉତକ୍ଷେପଣ କରାଯିବ । ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚିବା ପରେ ଡ୍ରାଗନ କ୍ୟାପସୁଲକୁ କକ୍ଷପଥରେ ଛାଡ଼ିଦେବ ରକେଟ । ଏହି କ୍ୟାପସୁଲ୍ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ। ଏହାର ଅର୍ଥ ହେଉଛି ଏହା ନିଜେ ISS ସହିତ ଡକ୍ ହୁଏ ଏବଂ ଉଡ଼ାଣକୁ ନିୟନ୍ତ୍ରଣ କରେ। ଅନ୍ୟପକ୍ଷରେ ଜରୁରୀକାଳୀନ ପରିସ୍ଥିତିରେ ହସ୍ତକ୍ଷେପ କରିବା ପାଇଁ ଜଣେ ପାଇଲଟ (ଶୁଭାଂଶୁ ଶୁକ୍ଳା ପରି)ଙ୍କର ଆବଶ୍ୟକତା ରହିଛି ।

୨୦୨୦ ମସିହାରେ ପ୍ରଥମ ଉଡ଼ାଣ

୨୦୨୦ ମସିହାରେ ଯାତ୍ରୀମାନଙ୍କୁ ନେଇ ପ୍ରଥମ ଉଡ଼ାଣ ଭରିଥିଲା କ୍ରୁ ଡ୍ରାଗନ୍ କ୍ୟାପସୁଲ୍ । ସ୍ପେସଏକ୍ସର ଏହି ମହାକାଶଯାନ ଡ୍ରାଗନ୍ ସ୍ୱୟଂଚାଳିତ ଭାବରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ସହିତ ସଂଯୋଗ କରିଥାଏ। ତେଣୁ ଏହା ମାଧ୍ୟମରେ ଯେକୌଣସି ମିଶନ୍ କରିବା ବହୁତ ସୁରକ୍ଷିତ ଏବଂ ସହଜ। କ୍ରୁ ଡ୍ରାଗନକୁ ମୋଟ ୧୫ଟି ମହାକାଶ ଅଭିଯାନରେ ବ୍ୟବହାର କରିବା ପାଇଁ ଡିଜାଇନ୍ କରାଯାଇଛି । ଏହାର ସବୁଠାରୁ ବିଶେଷ ବୈଶିଷ୍ଟ୍ୟ ହେଉଛି ଏଥିରେ ସ୍ଥାପିତ ଆଠଟି ସୁପରଡ୍ରାକୋ ଇଞ୍ଜିନ୍, ଏହା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ କ୍ୟାପସୁଲକୁ ରକେଟ୍ ଠାରୁ ପୃଥକ କରିପାରିବ। ଡ୍ରାଗନ କ୍ୟାପସୁଲର ଟ୍ରଙ୍କ ପ୍ୟାନେଲରେ ଏକ ସୌର ପ୍ୟାନେଲ ରହିଛି, ଯାହା ବିଦ୍ୟୁତ୍ ଉତ୍ପାଦନ କରେ।

ଡକିଂ ଓ ମିଶନ

ଅନ୍ତରୀକ୍ଷରେ ପହଞ୍ଚିବା ପରେ ଡ୍ରାଗନ ISS ସହ ଯୋଡ଼ି ହୋଇଯାଏ । ସେଠାରେ ଅନ୍ତରୀକ୍ଷ ଯାତ୍ରୀମାନେ ନିଜ କାର୍ଯ୍ୟ ସମ୍ପାଦନ କରି କିଛି ସପ୍ତାହ ପରେ ଡ୍ରାଗନ କ୍ୟାପସୁଲରେ ଫେରି ଆସନ୍ତି । ଫେରିବା ସମୟରେ କ୍ରୁ ଡ୍ରାଗନ କ୍ୟାପସୁଲ ଏକ ପାରାଚୁଟ୍ ମାଧ୍ୟମରେ ସମୁଦ୍ରରେ ଅବତରଣ କରେ।

ଶୁଭାଂଶୁ ଶୁକ୍ଳା କିଏ ?

ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ଆକ୍ସିଓମ ମିଶନ୪ ର ପାଇଲଟ ଭାବେ ଶୁଭାଂଶୁ ଶୁକ୍ଳାଙ୍କର ଚୟନ ହୋଇଛନ୍ତି । ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଶୁଭାଂଶୁଙ୍କ ଜନ୍ମ । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୂର୍ବ ଛାତ୍ର। ୧୭ ଜୁନ୍ ୨୦୦୬ ରେ ଭାରତୀୟ ବାୟୁ ସେନାରେ ଫାଇଟର ପାଇଲଟ ଭାବରେ ସେ ଯୋଗଦାନ କରିଥିଲେ । ମାର୍ଚ୍ଚ ୨୦୨୪ରେ ତାଙ୍କୁ ଗ୍ରୁପ କ୍ୟାପଟେନ ଦାୟିତ୍ବ ଦିଆଯାଇଥିଲା । ଋଷ ଏବଂ ଆମେରିକାରେ ଶୁଭାଂସୁ ଚାରି ବର୍ଷ ଧରି କଠୋର ତାଲିମ ନେଇଛନ୍ତି।

ସେ ସୁଖୋଇ-୩୦ ଏମକେଆଇ, ମିଗ-୨୧, ମିଗ-୨୯, ଜାଗୁଆର, ହକ୍, ଡୋର୍ନିଅର ଏବଂ ଏଏନ-୩୨ ଭଳି ବିଭିନ୍ନ ଯୁଦ୍ଧବିମାନରେ ୨,୦୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ସହିତ ଜଣେ ଅଭିଜ୍ଞ ଟେଷ୍ଟ ପାଇଲଟ। ତାଙ୍କର ୨୦୦୦ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣର ଅଭିଜ୍ଞତା ରହିଛି । ୨୦୧୯ରେ ହ୍ୟୁମାନ ସ୍ପେସଫ୍ଲାଇଟ ପ୍ରୋଗ୍ରାମ (HSP) ପାଇଁ ମନୋନୀତ ହେବା ପୂର୍ବରୁ ସେ ରୁଷର ଇଉରି ଗାଗାରିନ କସମୋନଟ ଟ୍ରେନିଂ ସେଣ୍ଟରରେ କଠିନ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ମାର୍ଚ୍ଚ ୨୦୨୪ରେ ତାଙ୍କୁ ଗ୍ରୁପ କ୍ୟାପଟେନ ଭାବେ ପଦୋନ୍ନତି ମିଳିଥିଲା। ସେହିପରି ଗଗନଯାନ ମିଶନ ପାଇଁ ମଧ୍ୟ ସେ ମନୋନୀତ ହୋଇଛନ୍ତି ।

ମହାକାଶରେ କେତେ ଦିନ ରହିବେ ଶୁଭାଂଶୁ ଶୁକ୍ଳା?

ଏକ୍ସିଅମ ସ୍ପେସ ଏବଂ ନାସା ସହଯୋଗରେ ପରିଚାଳିତ ଏକ୍ସ-୪ ମିଶନରେ ଶୁଭାଂଶୁ ଶୁକ୍ଳା ସହ ଆମେରିକାର ପୂର୍ବତନ ନାସା ମହାକାଶଚାରୀ ପେଗୀ ହ୍ୱିଟସନ (ମିଶନ କମାଣ୍ଡର), ପୋଲାଣ୍ଡର ସ୍ଲାୱୋସ୍ଜ ଉଜନାନସ୍କି-ବିସନେସ୍କି ଏବଂ ହଙ୍ଗେରୀର ଟିବୋର କାପୁ ମିଶନ ସ୍ପେଶାଲିଷ୍ଟ ଭାବେ ସାମିଲ ହେବେ। ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ପ୍ରାୟ ୧୪ ଦିନ ପାଇଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ରହିବେ। ସେ ମିଶନ ପାଇଲଟ୍ ଭୂମିକା ଗ୍ରହଣ କରିବା ସହ ଡ୍ରାଗନ୍ କ୍ୟାପସୁଲର ଲଂଚ, ଡକିଂ ଏବଂ ପ୍ରତ୍ୟାବର୍ତ୍ତନ ଉପରେ ନଜର ରଖିବେ।

ସାଥୀରେ କ’ଣ କ’ଣ ନେବେ ଶୁଭାଂଶୁ ?

ମହାକାଶଚାରୀମାନେ ସେମାନଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟକ୍ତିଗତ ଜିନିଷ ନେଇ ମହାକାଶକୁ ଯାତ୍ରା କରନ୍ତି । ଏଥିରେ ବ୍ୟକ୍ତିଗତ କିଟ, ଯେଉଁଥିରେ ଫଟୋ, ଧାର୍ମିକ ପ୍ରତୀକ, ପତାକା, ପାରିବାରିକ ସ୍ମୃତି ଇତ୍ୟାଦି ରଖିପାରିବେ । ଏହା ବ୍ୟତୀତ ମହାକାଶଚାରୀମାନେ ସେମାନଙ୍କ ସାଙ୍ଗରେ ବୈଜ୍ଞାନିକ ଉପକରଣ ନେଇଯାଆନ୍ତି , ଯାହା ସାହାଯ୍ୟରେ ସେମାନେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପରୀକ୍ଷଣ କରିପାରିବେ । ଏଥିରେ ମାଇକ୍ରୋଗ୍ରାଭିଟି ସହ ଜଡ଼ିତ ଜୈବିକ ଓ ଭୌତିକ ପ୍ରୟୋଗ ଆଦି ସାମିଲ । ଶୁଭାଂଶୁ ଶୁକ୍ଳା ସାଙ୍ଗରେ ଖାଦ୍ୟ ସାମଗ୍ରୀ ମଧ୍ୟ ନେଇପାରିବେ । ଏପରି ମିଶନରେ ଥିବା ମହାକାଶଚାରୀମାନଙ୍କୁ ଷ୍ଟେସନରୁ ହିଁ ସମସ୍ତ ଖାଦ୍ୟ ପ୍ରଦାନ କରାଯାଏ, କିନ୍ତୁ ଯାତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ପସନ୍ଦର କିଛି ଖାଦ୍ୟ କିମ୍ବା ସ୍ୱାଦିଷ୍ଟ ଖାଦ୍ୟ ସାଙ୍ଗରେ ନେଇ ଯାଇପାରିବେ। କେବଳ ଏତିକି ନୁହେଁ ପ୍ରାଥମିକ ଚିକିତ୍ସା ପାଇଁ କିଛି ଔଷଧ ମଧ୍ୟ ନେଇଯାଆନ୍ତି ମହାକାଶଚାରୀ ।

ଏହି ମିଶନର ଗୁରୁତ୍ୱ ?

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିବାର ସୁଯୋଗ ପାଇଥିବା ଭାରତର ଦ୍ୱିତୀୟ ବ୍ୟକ୍ତି ହେବେ ଶୁଭାଂଶୁ ଶୁକ୍ଳା । ତାଙ୍କ ପୂର୍ବରୁ ଭାରତୀୟ ମହାକାଶଚାରୀ ରାକେଶ ଶର୍ମା ୧୯୮୪ ମସିହାରେ ଉଡ଼ାଣ ଭରିଥିଲେ। ତେବେ ଘରୋଇ ଅନ୍ତର୍ଜାତୀୟ ମହାକାଶ ମିଶନରେ ପାଇଲଟ ଭାବରେ ମହାକାଶକୁ ଯାଉଥିବା ପ୍ରଥମ ଭାରତୀୟ ହେବେ ଶୁଭ୍ରାଂଶୁ । ଏହା ଭାରତର ମହାକାଶ ନୀତିରେ ଘରୋଇ ସହଭାଗୀତା ଏବଂ ବିଶ୍ୱ ସହଯୋଗକୁ ସୁଦୃଢ଼ କରିବ। ଲକ୍ଷ୍ନୌର ଶୁଭାଂଶୁ ଶୁକ୍ଳାଙ୍କ ଏହି ଉଡ଼ାଣ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଆଗାମୀ ସମୟରେ ଘରୋଇ ମହାକାଶ ଉଡ଼ାଣରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମଧ୍ୟ ସୂଚିତ କରେ। ଭାରତ ପାଇଁ ଏହା ଏକ ବଡ ଉପଲବ୍ଧି । ଏହି ମିଶନ ଭାରତକୁ ମହାକାଶ ଗବେଷଣାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ଦେବ । ଶୁଭାଂଶୁ ଶୁକ୍ଳାଙ୍କଙ୍କର ସଫଳତା ଦେଶର ଯୁବପିଢ଼ିଙ୍କୁ ମହାକାଶ ବିଜ୍ଞାନରେ କ୍ୟାରିଅର କରିବା ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ ।

SpaceX Crew Dragon Capsule Human Space Mission Space Mission
Advertisment
Advertisment