/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750939324.jpg)
Axiom-4 Mission
ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ (ISS) ଶୁଭାଂଶୁ ଶୁକ୍ଳା । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଛନ୍ତି ଶୁଭାଂଶୁ । ଆକ୍ସିଅମ-୪ ମିଶନର ସଫଳତାର ସହ ସଫ୍ଟ ଡକିଂ ହୋଇଛି । ପ୍ରାୟ ଅଢ଼େଇ ଘଣ୍ଟା ଧରି ଡକିଂ ପ୍ରକ୍ରିୟା ଚାଲିଥିଲା । ଡକିଂ ଶେଷ ହେବା ପରେ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ସ୍ପେଶ୍ ଷ୍ଟେସନରେ ପାଦ ରଖିଛନ୍ତି । ସେପଟେ ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲର ଡକିଂ ଦେଖି ଭାବବିହ୍ୱଳ ହୋଇଛନ୍ତି ଶୁଭାଂଶୁଙ୍କ ପରିବାର ।
ଇଣ୍ଟର ନ୍ୟାସନାଲ ସ୍ପେଶ୍ ଷ୍ଟେସନ୍ ସହ ଯୋଡ଼ି ହେଲା ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍ । ଲେଜର୍ ସେନ୍ସର୍ ଓ କ୍ୟାମେରା ସହାୟତାରେ ଅଟୋନମସ୍ ଡକିଂ ।#ISS#NASA#SubhanshuShukla#OTVpic.twitter.com/1TH0NoIv66
— ଓଟିଭି (@otvkhabar) June 26, 2025
ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଇଁ ଏହା ଏକ ଐତିହାସିକ ସଫଳତା । ଦୀର୍ଘ ୪୧ ବର୍ଷ ପରେ ମହାକାଶରେ ପାଦ ରଖିଛନ୍ତି ଆଉ ଜଣେ ଭାରତୀୟ । ୧୯୪୮ରେ ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିଲେ । ସୋଭିଏତ ଅଭିଯାନର ଏକ ଅଂଶ ଭାବରେ ସେ ମହାକାଶକୁ ଯାଇଥିଲେ । ବର୍ତ୍ତମାନ ଭାରତୀୟ ବାୟୁସେନାର ପାଇଲଟ୍ ଗ୍ରୁପ କ୍ୟାପ୍ଟେନ ୩୯ ବର୍ଷୀୟ ଶୁଭାଂଶୁ ଶୁକ୍ଲା ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିଛନ୍ତି ।
ଅଧିକ ପଢ଼ନ୍ତୁ: ଆକ୍ସିଅମ୍-୪ ମିଶନରେ ଶୁଭାଂଶୁଙ୍କ ସହ ଯାଇଛି କୁନି ମହାକାଶଚାରୀ
ଶୁଭାଂଶୁ ଶୁକ୍ଲାଙ୍କ ସହ ୩ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ୧୪ ଦିନ ରହିବେ । ଅନ୍ୟ ମହାକାଶଚାରୀ ହେଲେ ଆମେରିକାର କମାଣ୍ଡର ପେଗି ହ୍ୱିଟସନ, ପୋଲାଣ୍ଡର ବିଶେଷଜ୍ଞ ସ୍ଲାଓଜ ଉଜନାନସ୍କି-ୱିସ୍ନିୱିସ୍କିଓ ହଙ୍ଗେରୀର ଟିବୋର କାପୁ । ଏହି ମହାକାଶ ଅଭିଯାନରେ ସେମାନେ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବେ । ସେଥିରୁ ୭ଟି ଗୁରୁତ୍ବପୂର୍ଣ୍ଣ ସାଇଣ୍ଟିଫିକ୍ ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ଦେଇଛି ଇସ୍ରୋ, ଯାହାର ମଙ୍ଗ ଧରିବେ ନିଜେ ଶୁଭାଂଶୁ । ଏଥିସହ ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଭିଜ୍ଞତା ସାଉଁଟିବେ ।
ଗତ କାଲି ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍-୪ ମିଶନ । ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଥିଲା ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍ । ୨୮ ଘଣ୍ଟାର ଉଡାଣ ପରେ ଶୁଭାଂଶୁ ଶୁକ୍ଲା ଓ ତାଙ୍କ ଟିମ୍ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)