ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମହାକାଶକୁ ୪ ଜଣ ନୁହଁନ୍ତି ୫ ଜଣ ମହାକାଶଚାରୀ ଯାଇଛନ୍ତି। ୫ ଜଣଙ୍କ ଭିତରେ ରହିଛି ଛୋଟିଆ ସୁନ୍ଦର କୁନି ମହାକାଶଚାରୀ ଜୟ। ଜୟର ଉଚ୍ଚତା ହେଉଛି ମାତ୍ର ୫ ଇଞ୍ଚ। ତୁଳାର ହଂସଛୁଆ କଣ୍ଢେଇ । ଆକ୍ସିଅମ ୪ ମିଶନରେ ଜିରୋ ଗ୍ରାଭିଟି ଇଣ୍ଡିକେଟର ଭାବେ ଜୟକୁ ବ୍ୟବହାର କରାଯାଇଛି। ଡ୍ରାଗନ ସ୍ପେଶ କ୍ୟାପସୁଲ ଯେତେବେଳେ ଭୁପୃଷ୍ଠରୁ ୨୦୦ କିଲୋମିଟର ଉଚ୍ଚତାରେ ପହଞ୍ଚିଥିଲା ସେତେବେଳେ ଜିରୋ ଗ୍ରାଭିଟି ଅନୁଭବ ହୋଇଥିଲା। ଆଉ କ୍ୟାପସୁଲ ଭିତରେ ଭାସି ବୁଲୁଥିଲା ଜୟ। କହୁଥିଲା ଆମେ ଏଥର ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଠାରୁ ମୁକ୍ତ ।
ମା ସରସ୍ବତୀଙ୍କ ସଙ୍କେତ ଭାବରେ ଜୟକୁ ସାଙ୍ଗରେ ନେଇଛନ୍ତି ଶୁଭାଂଶୁ। ବିଦ୍ୟା ଦେବୀ ମା ସରସ୍ବତୀଙ୍କ ବାହନ ହେଉଛି ହଂସ। ହଂସ ହେଉଛି ଜ୍ଞାନ ଓ ଶୁଦ୍ଧତାର ପ୍ରତୀକ । ହଂସ କ୍ଷୀରରୁ ଯେପରି ପାଣିକୁ ଅଲଗା କରିଥାଏ ସେପରି ମହାକାଶରେ ହଂସ ଖରାପ ନଜରରୁ ରକ୍ଷା କରିବ ବୋଲି ଜୟକୁ ନେଇଛନ୍ତି ମହାକାଶଚାରୀ। ମହାକାଶଚାରୀ ମାନେ ୟୁଏସଏ, ହଙ୍ଗେରୀ, ଇଣ୍ଡିଆ, ପୋଲାଣ୍ଡ ଭଳି ଦେଶରୁ ଆସିଛନ୍ତି। ହଙ୍ଗେରୀର ମହାକାଶବିଜ୍ଞାନୀ ହଂସର ନାମ ଜୟ ଦେବାକୁ ପରାମର୍ଶ ଦେଇଥିଲେ।
Also Read
ସେପଟେ ସଫଳ ଲଞ୍ଚିଂର ପ୍ରାୟ ୧୦ ମିନିଟ ପରେ ମହାକାଶରୁ ଦେଶବାସୀଙ୍କୁ ପ୍ରଥମ ବାର୍ତ୍ତା ଦେଇଥିଲେ ଶୁଭାଂଶୁ। ଘଣ୍ଟାପ୍ରତି ୨୮ହଜାର କିଲୋମିଟର ବେଗରେ ପୃଥିବୀ ଚାରିପଟେ ବୁଲୁଥିବା ବେଳେ, କହିଥିଲେ- ଜୟ୍ ହିନ୍ଦ, ଜୟ୍ ଭାରତ୍।
ସୂଚନାଯୋଗ୍ୟ, ୪ ମହାକାଶଚାରୀ ସେଠାରେ ୧୪ ଦିନ ରହିବେ ଓ କରିବେ ୬୦ରୁ ଅଧିକ ଏକ୍ସପେରିମେଣ୍ଟ। ତେବେ ଭୂ-ପୃଷ୍ଠରୁ ୪ଶହ କିଲୋମିଟର ଉପରେ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ବୁଲୁଥିବା ସ୍ପେଶ ଷ୍ଟେସନ ସହ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲର ଡକିଂ ବା ଯୋଡ଼ିହେବା ପ୍ରକ୍ରିୟା ଯେତିକି ଗୁରୁତ୍ବପୂର୍ଣ୍ଣ, ସେତିକି ଜଟିଳ। ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ଶୁଭାଂଶୁ। ଡକିଂ ସଫଳ ହେଲେ ମହାକାଶଯାନରୁ ୪ ମହାକାଶଚାରୀ ବାହାରି ସ୍ପେଶ୍ ଷ୍ଟେସନରେ ପ୍ରବେଶ କରିବେ।
ସେଠାରେ ପ୍ରାୟ ୧୪ ଦିନର ରହଣି ଭିତରେ ସେମାନେ ୬୦ଟି ପରୀକ୍ଷାନିରୀକ୍ଷା କରିବେ। ଏଥିରୁ ୭ଟି ଗୁରୁତ୍ବପୂର୍ଣ୍ଣ ସାଇଣ୍ଟିଫିକ୍ ଏକ୍ସପେରିମେଣ୍ଟ ପାଇଁ ପ୍ରସ୍ତାବ ଦେଇଛି ଇସ୍ରୋ, ଯାହାର ମଙ୍ଗ ଧରିବେ ନିଜେ ଶୁଭାଂଶୁ। ଏଥିସହ ସାଉଁଟିବେ ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଙ୍ଗେନିଭା ଅଭିଜ୍ଞତା।
ଗତ କାଲି ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍-୪ ମିଶନ । ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଥିଲା ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍ । ଡ୍ରାଗନ୍ ସ୍ପେଶ କ୍ୟାପସୁଲରେ ସ୍ପେଶ ଷ୍ଟେସନକୁ ଯାଇଛନ୍ତି ୪ ମହାକାଶଚାରୀ ।