ଭସା ବାଦଲ ପରି ମନ ଆକାଶକୁ ଆସେ କେତେ ଯେ ସ୍ମୃତି । କିଛି ସବୁଦିନ ପାଇଁ ରହିଯାଏ, ଆଉ କିଛି ଉଭେଇ ଯାଏ । କେବେ କେବେ ଇଚ୍ଛା ହୁଏ ସ୍ମୃତିର ଭଙ୍ଗା ଡେଣାକୁ ସାହାରା କରି ପିଲାଦିନକୁ ଫେରିଯିବା ପାଇଁ.. ଆଉ ଝାଞ୍ଜି ଅପରାହ୍ନରେ ଆମ୍ବତୋଟାରେ ଯାଇ ଗାଁର ସାଙ୍ଗସାଥୀଙ୍କ ସହ ଦୋଳିରେ ଝୁଲିବା ପାଇଁ । ଆଉ ମା’ର ସେ ନାନାବାୟା ଗୀତକୁ ଆଈର ବୁଢ଼ୀ ଅସୁରୁଣୀ କାହାଣୀ ଶୁଣି ଅଚିନ୍ତାରେ ଶୋଇଯିବାକୁ । ଆପଣ କେବେ ଚିନ୍ତା କରିଛନ୍ତି ଏତେ ପରିଶ୍ରମ, ଚାପ ଏବଂ ଏତେ ସମୟ ବିତିଯିବା ସତ୍ତ୍ୱେ ଅନେକ ବର୍ଷର ସ୍ମୃତି କିପରି ଆଜି ବି ଆମ ହୃଦୟରେ ତାଜା ରହିଛି ? ପିଲାଦିନେ ଶୁଣିଥିବା କାହାଣୀର ଗୋଟି ଗୋଟି ଚରିତ୍ର କିପରି ଆଜି ବି ଆଖି ସାମ୍ନାରେ ନାଚି ଉଠେ । ବାସ୍ତବ କଥା ହେଲା ଆମର ମସ୍ତିଷ୍କ ଏକ ମେମୋରୀ ଚିପ୍ ପରି, ଯେଉଁଥିରେ ଅନଲିମିଟେଡ ଡାଟା ସେଭ ହୋଇପାରିବ । ଏ ସବୁରେ ସାହାଯ୍ୟ କରେ ମସ୍ତିଷ୍କର ବ୍ଲାକ ବକ୍ସ । ଏଇଥି ପାଇଁ ଜୀବନଯାକର ସୁଖଦୁଃଖର ସ୍ମୃତିକୁ ସାଇତି ରଖିବାରେ ସକ୍ଷମ ମଣିଷର ମସ୍ତିଷ୍କ ।
ବ୍ଲାକ ବକ୍ସ ଦ୍ୱାରା ମାନବ ମସ୍ତିଷ୍କର କାର୍ଯ୍ୟକୁ ବୁଝିବାକୁ ପ୍ରୟାସ କରାଯାଏ । ମସ୍ତିଷ୍କ ଭିତରେ କ’ଣ ଅଛି ଏବଂ ଏହା କିପରି ଆଚରଣ କରେ.. ବୈଜ୍ଞାନିକମାନେ ଧୀରେ ଧୀରେ ଏହି ରହସ୍ୟ ଉପରୁ ପରଦା ଉଠାଇବାକୁ ଯାଉଛନ୍ତି, ଯେଉଁଠି ଜୀବନର ସମସ୍ତ ସ୍ମୃତି ଗଚ୍ଛିତ ଥାଏ । ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଷ୍ଟ୍ରିଆ (ISTA) ଏବଂ ଭିଏନା ମେଡିକାଲ୍ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ମସ୍ତିଷ୍କରେ ଥିବା ହାଇପୋକ୍ୟାମ୍ପାଲ୍ CA3 ଉପରେ ଅଧ୍ୟୟନ କରି ସଫଳତା ପାଇଛନ୍ତି, ଯାହା ସ୍ମୃତିକୁ ସଂରକ୍ଷିତ ରଖିପାରେ । ନୂଆ କଥାକୁ ମନେ ରଖିବା ତଥା ସ୍ମୃତି ଶକ୍ତି ବଢ଼ାଇବା କାମ କରେ ହାଇପୋକ୍ୟାମ୍ପାଲ୍ । ଏଥିପାଇଁ ଅନ୍ୟ ଜୀବ ତୁଳନାରେ ମଣିଷର ମସ୍ତିଷ୍କ ଭିନ୍ନ ବୈଶିଷ୍ଟ୍ୟ ପ୍ରଦର୍ଶନ କରେ ।
Also Read
ଅଧିକ ପଢନ୍ତୁ: କେମିତି ମଝି ସମୁଦ୍ରରୁ ଉଦ୍ଧାର ହେବେ ୩ ଗଗନଯାତ୍ରୀ ? ଇସ୍ରୋ-ନୌସେନାର ପୂର୍ବାଭ୍ୟାସ
ପୂର୍ବରୁ ସମସ୍ତ ଗବେଷଣା ପ୍ରଥମେ ପଶୁମାନଙ୍କ ଉପରେ କରାଯାଉଥିଲା । ସେଥିପାଇଁ ମାନବ ମସ୍ତିଷ୍କର ସମସ୍ତ ରହସ୍ୟ ଭେଦ କରିପାରୁ ନଥିଲେ ଗବେଷକ । ଏହାର ସମାଧାନ ପାଇଁ ନିକଟରେ ଗବେଷକ ଦଳ ଜଣେ ଅପସ୍ମାର ରୋଗୀଙ୍କ ହିପୋକ୍ୟାମ୍ପଲ ଟିସୁ ଉପରେ ରିସର୍ଚ୍ଚ କରିଥିଲେ । ଅବଶ୍ୟ ଏଥିପାଇଁ ପ୍ରଥମେ ସେମାନଙ୍କୁ ରୋଗୀଙ୍କ ନ୍ୟୁରୋ ସର୍ଜନଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିଥିଲା । ISTAର ପିଟର ଜୋନାସ ଏବଂ ଜେକ ୱାଟସନଙ୍କ ନେତୃତ୍ୱରେ ନ୍ୟୁରୋ ସର୍ଜନ କାର୍ଲ ରୋସଲରଙ୍କ ସହ ଗବେଷକମାନେ ମଲ୍ଟି ସେଲୁଲାର ପ୍ୟାଚ୍-କ୍ଲମ୍ପ ରେକର୍ଡିଂ ଏବଂ ସୁପର ରିଜୋଲ୍ୟୁସନ୍ ମାଇକ୍ରୋସ୍କୋପି ପରି ଉନ୍ନତ କୌଶଳ ବ୍ୟବହାର କରି ଅଧ୍ୟୟନ କରିଥିଲେ ।
ଅଧ୍ୟୟନ ଅନୁସାରେ, ମାନବ ମସ୍ତିଷ୍କର CA3 ଅଞ୍ଚଳ ତୁଳନାତ୍ମକ ଭାବରେ ଅଧିକ ସ୍ପର୍ଶକାତର । ମାନବ ହିପୋକାମ୍ପସ୍ କେବଳ ମସ୍ତିଷ୍କର ଏକ ବୃହତ ସଂସ୍କରଣ ନୁହେଁ ବରଂ ଏହାର ଅନନ୍ୟ ଗୁଣ ରହିଛି । ଯାହା ମଣିଷର ସ୍ମୃତି କ୍ଷମତାକୁ ଆହୁରି ବୃଦ୍ଧି କରିଥାଏ । ସ୍ମୃତିଶକ୍ତି ଭଲରେ ବୁଝିବା ପାଇଁ ଭବିଷ୍ୟତରେ ମାନବ ମସ୍ତିଷ୍କର ଟିସୁ ଉପରେ ଅଧିକ ଗବେଷଣା ଜାରି ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି ଗବେଷକ । ମାନବ ମସ୍ତିଷ୍କର ନିର୍ଦ୍ଦିଷ୍ଟ ବୈଶିଷ୍ଟ୍ୟଗୁଡିକ ବିଚାର କରିବାକୁ ଭବିଷ୍ୟତର ସ୍ନାୟୁ ବିଜ୍ଞାନ ଅନୁସନ୍ଧାନର ଆବଶ୍ୟକତା ଥିବା କହିଛନ୍ତି ଜୋନାସ ।