ଗଗନଯାନ ମିଶନରେ ମଝି ସମୁଦ୍ରରୁ କେମିତି ସୁରକ୍ଷିତ ଉଦ୍ଧାର ହେବେ ଗଗନଯାତ୍ରୀ ? କ୍ରୁ ମଡ୍ୟୁଲରେ ମହାକାଶରୁ ଫେରିବା ପରେ ସମୁଦ୍ର ଭିତରୁ କେମିତି ଉଦ୍ଧାର କରିବ ନୌସେନା ? ଏହାର ପୂର୍ବାଭ୍ୟାସ କରିଛନ୍ତି ଇସ୍ରୋ ଓ ଭାରତୀୟ ନୌସେନା । ଏହି ପ୍ରକ୍ରିୟାକୁ କୁହାଯାଉଛି ୱେଲ୍ ଡେକ୍ ରିକଭରି ଟ୍ରାଏଲ୍ । ଗତ ୬ ତାରିଖରେ ବିଶାଖାପାଟଣା ତଟ ନିକଟରେ ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ୍ ପକ୍ଷରୁ ୱେଲଡେକ୍ ସିପ୍ ସହାୟତାରେ ଏହି ଟ୍ରାଏଲ୍ ହୋଇଛି ।
ଗଗନଯାନ ଶେଷ ପର୍ଯ୍ୟାୟରେ କ୍ରୁ ମଡ୍ୟୁଲ ସମୁଦ୍ରରେ ଖସିବା ପରେ, ଏହାକୁ କିପରି ଯଥାଶୀଘ୍ର ଉଦ୍ଧାର କରାଯାଇ ପାରିବ, ତାର ଅଭ୍ୟାସ କରାଯାଇଛି । ଏହି ସମୟରେ କ୍ରୁ ମଡ୍ୟୁଲର ଆକାର ଓ ଓଜନକୁ ଧ୍ୟାନ ଦିଆଯାଇଥିଲା ଏବଂ ସମସ୍ତ ଆମୂଳଚୁଳ ପ୍ରକ୍ରିୟାର ଅଭ୍ୟାସ କରାଯାଇଥିଲା । ସୂଚନା ଅନୁସାରେ, ୨୦୨୬ ମସିହା ଶେଷ ଆଡ଼କୁ ହେବାକୁ ଥିବା ଗଗନଯାନ ମିଶନରେ ପ୍ରଥମ ଥର ପାଇଁ ମହାକାଶକୁ ମଣିଷ ପଠାଇବ ଭାରତ ।
୩ ଜଣ ମହାକାଶଚାରୀ ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉପରକୁ ଯାଇ ୩ ଦିନ ରହିବେ ଏବଂ ପୃଥିବୀକୁ ସୁରକ୍ଷିତ ଫେରିବେ । ଏହା ପୂର୍ବରୁ ଚଳିତବର୍ଷ ଶେଷ କିମ୍ବା ୨୦୨୫ ଆରମ୍ଭରୁ ଏକ ମାନବବିହୀନ କ୍ରୁ ମଡ୍ୟୁଲକୁ ମହାକାଶକୁ ପଠାଯିବ । ସେପଟେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍କୁ ଯିବା ପାଇଁ ସରିଲା ୨ ଗଗନଯାତ୍ରୀଙ୍କ ପ୍ରାରମ୍ଭିକ ପର୍ଯ୍ୟାୟ ତାଲିମ । ୩ ମାସ ଧରି ଚାଲିଥିବା ଏହି ଟ୍ରେନିଂ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେବା ସହ, ସେହି ସମୟର ୨ଟି ନୂଆ ଫଟୋ ଜାରି କରିଛି ଇସ୍ରୋ ।
Also Read
ଅଧିକ ପଢ଼ନ୍ତୁ: ପୃଥିବୀକୁ ଧକ୍କା ଦେଇ ଋଷରେ ବିସ୍ଫୋରଣ ଘଟାଇଲା ଆଷ୍ଟ୍ରଏଡ୍; ରାତି ହୋଇଗଲା ଦିନ !
ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉଚ୍ଚତାରେ ବୁଲୁଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଭାରତୀୟ ମହାକାଶଚାରୀଙ୍କୁ ପଠାଇବା ପାଇଁ ଚାଲିଛି ଇସ୍ରୋ ଓ ନାସାର ମିଳିତ ଅଭିଯାନ । ଖୁବଶୀଘ୍ର ଆକ୍ସିଅମ୍-୪ ମିଶନରେ ସ୍ପେଶ ଏକ୍ସ ରକେଟରେ ସେଠାକୁ ଯିବେ ଗଗନଯାତ୍ରୀ । ଏଥିପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ପ୍ରାଇମ୍ କ୍ରୁ ଥିବା ବେଳେ, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ବ୍ୟାକଅପ୍ କ୍ରୁ ଅଛନ୍ତି ।
ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରଶିକ୍ଷଣରେ ସ୍ପେଶ୍ ଏକ୍ସ ସୁଟ୍ ଫିଟ୍ ଚେକ୍, ସ୍ପେଶ୍ ଫୁଡ୍ ସିଲେକ୍ସନ, ISS ଓ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ବିଭିନ୍ନ ଯନ୍ତ୍ରାଂଶ ସହ ପରିଚିତ ହେବା, ମହାକାଶରୁ ଫଟୋ ଉଠାଇବା, ଜରୁରୀ ଓ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା, ଦୈନନ୍ଦିନ ଅପରେସନ୍ ରୁଟିନ୍, କମ୍ୟୁନିକେସନ ପ୍ରଟୋକଲ୍ ପାଇଁ ତାଲିମ ଆଦି ସମ୍ପୂର୍ଣ୍ଣ ହୋଇଛି । ଆଗକୁ ୟୁଏସ୍ ଅର୍ବିଟାଲ ସେଗମେଣ୍ଟ ଓ ମାଇକ୍ରୋଗ୍ରାଭିଟି ରିସର୍ଚ୍ଚ ପାଇଁ ପରବର୍ତ୍ତୀ ପର୍ଯ୍ୟାୟ ପ୍ରଶିକ୍ଷଣ ନେବେ ଏହି ୨ ଗଗନଯାତ୍ରୀ ।
ସେମାନେ ଗତ ଅଗଷ୍ଟରୁ ଆମେରିକାରେ ଟ୍ରେନିଂ ଆରମ୍ଭ କରିଥିଲେ । ସୂଚନା ଯୋଗ୍ୟ ଯେ, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ଯିବା, ସେଠାରେ ରହିବା ଓ ସେଠାରୁ ପୁଣି ସୁରକ୍ଷିତ ପୃଥିବୀକୁ ଫେରିବା ନେଇ ଗଗନଯାତ୍ରୀ ହାସଲ କରିବାକୁ ଥିବା ଅଭିଜ୍ଞତା, ଇସ୍ରୋର ଗଗନଯାନ ମିଶନ ପାଇଁ ଖୁବ୍ ସହାୟକ ହେବ । ସେପଟେ ଗତ କିଛିଦିନ ତଳେ ପ୍ରଥମ ଶୁକ୍ର ମିଶନ୍ ପାଇଁ ତାରିଖ ଘୋଷଣା କରିଛି ଇସ୍ରୋ ।
୨୦୨୮ ମାର୍ଚ୍ଚ ୨୯ରେ ଭେନସ୍ ଅର୍ବିଟର୍ ମିଶନ ପଠାଇବାକୁ ଲକ୍ଷ୍ୟ ରଖିଛି ଭାରତ । ଏହାକୁ ଶୁକ୍ରଯାନ-୧ ବୋଲି କୁହାଯାଉଛି । ବାହୁବଳୀ ରକେଟ୍ LVM-3ରେ ଶୁକ୍ରଯାନ-୧ ଉତକ୍ଷେପଣ କରାଯିବ। ଏହା ଶୁକ୍ର ଗ୍ରହର କକ୍ଷପଥରେ ପହଞ୍ଚିବା ପାଇଁ ୧୧୨ ଦିନ ଲାଗିବ । ୨୦୨୮ ଜୁଲାଇ ୧୯ରେ ଏହା ଶୁକ୍ର କକ୍ଷପଥରେ ପହଞ୍ଚିବ ବୋଲି ଯୋଜନା ରହିଛି ।
ଶୁକ୍ରଯାନ-୧ରେ ଅତ୍ୟାଧୁନିକ ଅଲଟ୍ରାଭାଓଲେଟ୍ କ୍ୟାମେରା, ରାଡାର୍ ଓ ସେନ୍ସର ଆଦି ସମେତ ୧୯ଟି ପେଲୋଡ୍ ବା ଯନ୍ତ୍ରାଂଶ ଲାଗିବ । ଶୁକ୍ର ଗ୍ରହର ବାୟୁମଣ୍ଡଳ, ପୃଷ୍ଠଦେଶ ଓ ଭୌଗଳିକ ସ୍ଥିତିର ଫଟୋ ନେବା ସହିତ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବ ଶୁକ୍ରଯାନ । ଏଥିରେ ରୁଷ, ଫ୍ରାନ୍ସ, ସ୍ୱିଡେନ ଓ ଜର୍ମାନୀ ନିର୍ମିତ ଯନ୍ତ୍ରାଂଶ ମଧ୍ୟ ରହିବ ବୋଲି ସୂଚନା ମିଳିଛି । ଶୁକ୍ର ମିଶନ ପାଇଁ ୧୨ଶହ ୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।