କେବେ ପାଳନ ହୁଏ ଶାମ୍ୱ ଦଶମୀ
ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ଦିନ ଓଡ଼ିଆ ଘରେ ଶାମ୍ବ ଦଶମୀ ବା ସମ୍ବର ଦଶମୀ ପାଳନ କରାଯାଏ। ଏହି ଶାମ୍ବ ଦଶମୀ ସହ ସୂର୍ଯ୍ୟ ଉପାସନା ବେଶ୍ ଗଭୀର ଭାବେ ଜଡ଼ିତ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ସୃଷ୍ଟି ସ୍ଥିତି ପ୍ରଳୟର ମୂଳାଧାର, ଯାହାଙ୍କୁ ପୃଥିବୀର ଆଦିମ କାଳରୁ ଆଦି ଦେବତା ଭାବେ ପୂଜା କରାଯାଏ। ସୂର୍ଯ୍ୟ ପୁରାଣର ଅନ୍ୟନାମ ହେଉଛି ଶାମ୍ବ ପୁରାଣ। ସୂର୍ଯ୍ୟଭକ୍ତ ଶାମ୍ବଙ୍କୁ ଦେବର୍ଷି ନାରଦ ଏହି ପୁରାଣ ଶୁଣାଇଛନ୍ତି।
Also Read
ଶାମ୍ବ କିଏ?
ଶାମ୍ବ ହେଉଛନ୍ତି ଶ୍ରୀକୃଷ୍ଣ ଓ ଜାମ୍ବବତୀଙ୍କ ଗର୍ଭାଜାତ ପୁତ୍ର। ଏକଦା ଭଗବାନ ଶ୍ରୀକୃଷ୍ଣ ଦ୍ୱାରଦେଶରେ ପୁତ୍ର ଶାମ୍ବଙ୍କୁ ଦ୍ଵାରପାଳ ରୂପେ ଜଗାଇ ଦେଇ, ରାଣୀ ସତ୍ୟଭାମାଙ୍କ ସହ ରାଣୀଅନ୍ତପୁରରେ ପ୍ରେମାଶକ୍ତ ହେଲେ। ଶ୍ରୀକୃଷ୍ଣଙ୍କର ଶାମ୍ବଙ୍କ ପ୍ରତି ନିର୍ଦ୍ଦେଶ ଥିଲା ଯେ, କୌଣସି ବ୍ୟକ୍ତି ଆସିଲେ ମଧ୍ୟ ତାଙ୍କର ସୁଖ ସମ୍ଭୋଗରେ ଯେପରି ବ୍ୟାଘାତ ନଘଟେ। କିନ୍ତୁ ଏହି ସମୟରେ ମହା ପ୍ରତାପୀ ୠଷି ଦୁର୍ବାସା ଆସି ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଚାହିଁଲେ। ମାତ୍ର ଶାମ୍ୱ ମନା କରିବାରୁ, ୠଷି ଦୁର୍ବାସା ଅଗ୍ନିଶର୍ମା ହେଲେ। ଶାମ୍ବ ଅନନ୍ୟୋପାୟ ହୋଇ ଅନ୍ତପୁରରେ ପ୍ରେବଶ କଲେ। ଶୃଙ୍ଗାର କ୍ରୀଡ଼ାରତ ଶ୍ରୀକୃଷ୍ଣ ଶାମ୍ବଙ୍କୁ ଅତର୍କିତ ଭାବେ ଦେଖି କ୍ରୋଧରେ ଅଭିଶାପ ଦେଲେ ଯେ, ଆଜିଠାରୁ ତମେ କୁଷ୍ଠ ରୋଗରେ ପୀଡିତ ହୁଅ। ମାତ୍ର ପର ମୁହୂର୍ତ୍ତରେ ନିଜ ପୁତ୍ରକୁ ଅଭିଶାପ ଦେଇଥିବାରୁ ଲଜ୍ଜା ଓ ଯନ୍ତ୍ରଣା ଅନୁଭବ କରନ୍ତି।
ଶାମ୍ୱ କାହିଁକି କଲେ ସୂର୍ଯ୍ୟପୂଜା?
କିପରି ଏହି ଦୁରାରୋଗ୍ୟ ବ୍ୟାଧିରୁ ପୁତ୍ର ଶାମ୍ବଙ୍କୁ ଆରୋଗ୍ୟ କରାଇବେ, ସେକଥା ୠଷି ଦୁର୍ବାସାଙ୍କୁ ଜିଜ୍ଞାସା କଲେ ଭଗବାନ ଶ୍ରୀକୃଷ୍ଣ। ଦୁର୍ବାସା ନିର୍ଦ୍ଦେଶ ଦେଲେ, ପବିତ୍ର ପଞ୍ଚତୀର୍ଥର ସମାହାର କଳିଙ୍ଗ ଦେଶର ଅର୍କକ୍ଷେତ୍ରରେ ସୂର୍ଯ୍ୟପୂଜା କଲେ ଶାମ୍ବ ରୋଗମୁକ୍ତ ହେବେ। ଏପରି ଏକ ପୁଣ୍ୟ ଧାମରେ ନାରଦଙ୍କ ସହ ଶାମ୍ବ ଆସି ଉପସ୍ଥିତ ହେଲେ। ନାରଦଙ୍କଠାରୁ ଯୋଗମନ୍ତ୍ର ତୀର୍ଥ ପ୍ରଭୃତି ଜ୍ଞାତ ହୋଇ ଶାମ୍ବ ସୂର୍ଯ୍ୟଙ୍କୁ ଏକ ଲୟରେ ଚାହିଁ ଅର୍କକ୍ଷେତ୍ରରେ ଧ୍ୟାନମଗ୍ନ ହେଲେ।
ଅଧିକ ପଢ଼ନ୍ତୁ: ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କାହିଁକି କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ… କିପରି ପାଇଲେ ମୁକ୍ତି…
କେମିତି ଖ୍ୟାତ ହେଲା କୋଣାର୍କ
ସମୁଦ୍ର କୂଳର ବାୟୁ ଓ ଜଳରେ ଶାମ୍ବଙ୍କ କ୍ଷତସ୍ଥାନ ପୂରି ଉଠିଲା। ଶାମ୍ବ ଜଳତର୍ପଣ କରି ସୂର୍ଯ୍ୟଙ୍କର ବିଭିନ୍ନ ନାମକୁ ଧ୍ୟାନ କଲେ। ପରେ ସେ ସେହି ସମୁଦ୍ର ବେଳାରେ ରବି ନାରାୟଣ ବ୍ରତ କରିବା ଉଦ୍ଦେଶ୍ୟରେ ବାଲୁକାରେ ରବି ନାରାୟଣ ମୂର୍ତ୍ତି ଗଠନ କଲେ ଓ ବିବିଧ ପୁଷ୍ପଚନ୍ଦନ ଧୂପ ଗନ୍ଧାଦି ଶୋଡ଼ଶ ଉପଚାରରେ ପୂଜା ଉପାସନା କଲେ। ଯେଉଁଠାରେ ଶାମ୍ବ ଧ୍ୟାନରତ ଥିଲେ, ପରବର୍ତ୍ତୀ କାଳରେ ତାହା କୋଣାର୍କ ରୂପେ ଖ୍ୟାତ ହେଲା। ଯେଉଁଦିନ ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ବ୍ୟାଧିରୁ ମୁକ୍ତ ହେଲେ ସେହି ଦିନଟିକୁ ଶାମ୍ବ ଦଶମୀ ରୂପେ ପାଳନ କରାଗଲା।
ସମ୍ବର ଦଶମୀର ପୁରାଣ କଥା
ଏହି ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ଦିନକୁ ସମ୍ବର ଦଶମୀ ମଧ୍ୟ କୁହାଯାଏ। ଏହା ପଛରେ ରହିଛି ଏକ ପୌରାଣିକ କଥାବସ୍ତୁ। ଏକଦା ମୁନିଶ୍ରେଷ୍ଠ ନାରଦ, ଦ୍ୱାରକାକୁ ଶୁଭାଗମନ କରି କୃଷ୍ଣ-ରୁକ୍ମିଣୀଙ୍କ ନିକଟରେ ଉପସ୍ଥିତ ହେଲେ। ଦେବୀ ରୁକ୍ମିଣୀ ଦେବର୍ଷି ନାରଦଙ୍କୁ ଉପଯୁକ୍ତ ଆସନରେ ବସାଇ ଯଥାମାନ୍ୟ ଅର୍ଘ୍ୟ ପ୍ରଦାନ କଲେ। ଏହି ସମୟରେ ଦେବୀ ରୁକ୍ମିଣୀଙ୍କ ଶୀର୍ଣ୍ଣ ବଦନ, ଲୋତକପୂର୍ଣ୍ଣ ନୟନ ଦେଖି ନାରଦ ଏହାର କାରଣ ପଚାରିଲେ। ରୁକ୍ମିଣୀ କହିଲେ, ମଦନଙ୍କଠାରୁ ମଧ୍ୟ ସୁନ୍ଦର ପୁତ୍ର ତାଙ୍କର ଜନ୍ମ ହେଲା ପ୍ରଦ୍ୟୁମ୍ନ। ମାତ୍ର ତାହାକୁ ସୂତିକା ଗୃହରୁ କୌଣସି ରାକ୍ଷସ ହରଣ କରି ନେଲା। ସେଥିପାଇଁ ସେ ଅତ୍ୟନ୍ତ ଦୁଃଖିତା ଅଛନ୍ତି।
ରାକ୍ଷସକୁ ହତ୍ୟା କରିବା ଉପାୟ
ଏହା ଶୁଣି ନାରଦ କହିଲେ, ସୂର୍ଯ୍ୟଙ୍କ ପୂଜା କଲେ ସକଳ ଫଳ ଲାଭ ହୁଏ। ତୁମେ ମଧ୍ୟ ସୂର୍ଯ୍ୟଙ୍କର ପୂଜା କର, ନିଶ୍ଚିତ ସୁଫଳ ପାଇବ। ଏହା ଶୁଣି ରୁକ୍ମିଣୀ ପୌଷମାସ ଶୁକ୍ଳପକ୍ଷ ଦଶମୀ ଦିନ ଭକ୍ତି ସହକାରେ ପ୍ରଭାତରୁ ଉଠି, ବିଧି ରୂପେ ସ୍ନାନ କଲେ। ସୂର୍ଯ୍ୟ ଉଦୟ ବେଳାରେ ୭ ଗୋଟି ମଣ୍ଡଳ ନିର୍ମାଣ କରି ସେଥିରେ ତଣ୍ଡୁଳ, ଲିଆ, ଗୁଡ଼, ନଡ଼ିଆ ଓ ଅଦା ମିଶେଇ ଭୋଗ ନୈବେଦ୍ୟ ଅର୍ପଣ କଲେ। ପୀଠ ସ୍ଥାପନ ହେଲାପରେ ଭକ୍ତିର ସହ ବିଧି ଅନୁସାରେ ପୂଜା କଲେ। ଫଳରେ ପୁତ୍ର ବିଜୟୀ ବୀରବର ପ୍ରଦ୍ୟୁମ୍ନ, ସମ୍ବର ଦୈତ୍ୟକୁ ବଧ କରି ଗୃହକୁ ଆଗମନ କଲେ। ପ୍ରଦ୍ୟୁମ୍ନ ସମ୍ବରାସୁରକୁ ବିନାଶ କରି ଫେରିବା ଦିନଠୁ ଜଗତରେ ସମ୍ବର ଦଶମୀ ଖ୍ୟାତ ହେଲା।
ଶାମ୍ବ ଦଶମୀର ପୂଜା ବିଧି
ଏହି ଦିନ ଚଉରା ମୂଳେ ଗୋଟିଏ ପୂର୍ଣ୍ଣକୁମ୍ଭ ଓ ସୂର୍ଯ୍ୟଙ୍କ ପ୍ରତୀକ ସ୍ଵରୂପ ଏକ ଗୁଆ ସ୍ଥାପନ କରାଯାଇ, ବିଭିନ୍ନ ଫଳ କ୍ଷୀରି ଖେଚୁଡ଼ି ଆଦିରେ ପୂଜାର୍ଚ୍ଚନା କରାଯାଏ। ସମଗ୍ର ପୂଜାସାମଗ୍ରୀ ମଧ୍ୟରେ ଏକ ବୁଢ଼ା ଚକୁଳିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ସୂର୍ଯ୍ୟୋଦୟର ସାତଘଡ଼ି ମଧ୍ୟରେ ସମସ୍ତ ପୂଜାକାର୍ଯ୍ୟ ସମାପିତ ହୋଇଥାଏ। ତେଣୁ ଅନେକ ସ୍ଥାନରେ ଏହି ଶାମ୍ବ ଦଶମୀକୁ “ସାତଘଡ”ମଧ୍ୟ କୁହାଯାଏ। ଏକାଗ୍ର ଚିତ୍ତରେ ଶ୍ରଦ୍ଧାବାନ୍ ହୋଇ ବିଧି ଅନୁସାରେ ଏହି ବ୍ରତ କଲେ, ସୌଭାଗ୍ୟବତୀ ଏବଂ ସନ୍ତାନବତୀ ହୋଇ ନାରୀସୁଖ ଭୋଗ କରିବେ ଓ ସୁସ୍ଥ ଜୀବନଯାପନ କରିଥାଏ। ପିଲାମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଏହି ବ୍ରତ ପାଳନ କରନ୍ତି। କେତେକ ସ୍ଥଳରେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି କାମନା କରି ସ୍ତ୍ରୀ, ପୁରୁଷ, କିଶୋର, କିଶୋରିମାନେ ଶାମ୍ବ ଦଶମୀ ପାଳନ କରନ୍ତି।
ଓଡ଼ିଶାରେ ସୂର୍ଯ୍ୟ ଉପାସନା
ଉତ୍କଳ ସର୍ବଧର୍ମ ମିଳନର ଭୂଖଣ୍ଡ। ବୌଦ୍ଧ, ଜୈନ, ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବ୍ରାହ୍ମଣ୍ୟ, ଇସଲାମ, ବ୍ରାହ୍ମ, ଖ୍ରୀଷ୍ଟିଆନ୍ ଆଦି ପ୍ରତ୍ୟେକ ଧର୍ମର ମହାମିଳନ ଘଟିଛି ଏହି ଭୂମିରେ। ୧୫ଶ ଶତାବ୍ଦୀ ବେଳକୁ ଜଗନ୍ନାଥ ଧର୍ମ ଓ ସଂସ୍କୃତିରେ ପଞ୍ଚଦେବତା ଉପାସନା ହେଉଥିବାର ଜଣାଯାଏ।
“ଗଣେଶ ଭାସ୍କର ବିଷ୍ଣୁ ଶିବ ଦୁର୍ଗା ତଥୈଵଚ
ପଞ୍ଚଦେବ ସ୍ମରେନିତ୍ୟ ସର୍ବ ପାତକ ଦମନମ୍।”
ସୂର୍ଯ୍ୟପୂଜାର ପ୍ରସାର ୧୨ଶ ବା ୧୩ଶ ଶତାବ୍ଦୀ ବେଳକୁ ଭାରତ ବର୍ଷରେ ବ୍ୟାପକ ହୋଇଥିଲା। ୧୩ଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଲାଙ୍ଗୁଳା ନରସିଂହ ଦେବ, ଚନ୍ଦ୍ରଭାଗା କୂଳରେ ପୃଥିବୀ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତିଷ୍ଠା କରିଛନ୍ତି। ଅର୍କକ୍ଷେତ୍ର କୋଣାର୍କ, ଚନ୍ଦ୍ରଭାଗା ତୀର୍ଥର ମାଘସପ୍ତମୀ ମେଳା ଓ ଶମ୍ବର ଦଶମୀ ଓଡ଼ିଶାରେ ସୂର୍ଯ୍ୟପୂଜାର ମୂକସାକ୍ଷୀ।
ସବୁଠି ହୁଏ ସୂର୍ଯ୍ୟ ପୂଜା, କେବଳ ନାଁ ଅଲଗା
ସାରା ପୃଥିବୀରେ ଆଦି ଦେବତା ଭାବେ ଆଦିମ କାଳରୁ ପୂଜା ପାଉଛନ୍ତି ସୂର୍ଯ୍ୟଦେବ। ପୃଥିବୀରେ ମେକ୍ସିକୋ ଓ ଭାରତବର୍ଷରେ ସୂର୍ଯ୍ୟ ଉପାସନା ବିଶେଷ ଭାବରେ ଦେଖିବାକୁ ମିଳିଥାଏ। ଗ୍ରୀକ୍ ପୁରାଣରେ ସୂର୍ଯ୍ୟଙ୍କୁ ଆପଲୋ ଭାବେ ପୂଜାସ୍ତୁତି କରାଯାଇଛି। ଋକବେଦ, ଅଥର୍ବବେଦ, ବୌଦ୍ଧ ଜାତକ, ଜୈନଶାସ୍ତ୍ର, ଶୈବ, ଶାକ୍ତ, ଗାଣପତ୍ୟ, ସୌର, ବୈଷ୍ଣବ ଏବଂ ମହିମା ଧର୍ମ ସାହିତ୍ୟରେ ମଧ୍ୟ ସୂର୍ଯ୍ୟ ବନ୍ଦନା ଦେଖିବାକୁ ମିଳେ। ପଶ୍ଚିମବଙ୍ଗରେ ସୂର୍ଯ୍ୟଙ୍କ ନାମ ଗଙ୍ଗାଦିତ୍ୟ, ମୁର୍ଶିଦାବାଦରେ, କୁଶଦିତ୍ୟ, ସୋମାଦିତ୍ୟ ଏବଂ କୋଣାର୍କରେ ‘ ମୈତ୍ରାଦିତ୍ୟ’ରୂପେ ବିଦିତ। ଅଶ୍ୱାରୂଢ଼ ସୂର୍ଯ୍ୟଦେବ ଦ୍ଵିଭୂଜ ଓ ଚତୁର୍ଭୁଜ ରୂପେ ବର୍ଣ୍ଣିତ। କୋଣାର୍କର ସୂର୍ଯ୍ୟ ମୂର୍ତ୍ତିର ଦୁଇ ପାର୍ଶ୍ଵରେ କୁନ୍ତୀ ଓ ପିଙ୍ଗଳ ଶୋଭା ପାଆନ୍ତି।
ଅଧିକ ପଢ଼ନ୍ତୁ: ଶାମ୍ବଦଶମୀରେ ସୌର ମହାଯଜ୍ଞ ଓ ସୂର୍ଯ୍ୟ ରଥଯାତ୍ରା, ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ
ପରବର୍ତ୍ତୀ କାଳରେ ସୂର୍ଯ୍ୟ ଉପାସନା ଶୈବ ଓ ବୈଷ୍ଣବ ଧର୍ମରେ ସୀମିତ ହୋଇଥିବାରୁ ସୂର୍ଯ୍ୟ ରବିନାରାୟଣ ବା ବିରଞ୍ଚିନାରାୟଣ ରୂପେ ପୂଜିତ। ଆଦିମ କାଳରୁ ପ୍ରକୃତି ପୂଜାର ବିବିଧ ରୂପ ଦେଖିବାକୁ ମିଳେ ପୃଥିବୀର ବିଭିନ୍ନ ପ୍ରାନ୍ତରରେ। ଶାମ୍ବ ଦଶମୀ ବା ସୂର୍ଯ୍ୟ ପୂଜାର ଲୋକବିଶ୍ୱାସ ବା ଧାର୍ମିକ ଦିଗଟି ଯାହା ହେଉନା କାହିଁକି ଏହାର ଦର୍ଶନ ଓ ତାତ୍ତ୍ୱିକ ଦିଗଟିର ଗୁରୁତ୍ୱକୁ କେହି ଅସ୍ୱୀକାର କରିବେ ନାହିଁ। କାରଣ କ୍ଷିତି, ଅପ୍, ତେଜ, ମରୁତ, ବ୍ୟୋମରେ ଗଠିତ ମାନବ ଜୀବନ ତଥା ସହସ୍ର ଜୀବଜଗତ, ଉଦ୍ଭିଦ ଜଗତ ସୂର୍ଯ୍ୟତାପ ବିନା ବଞ୍ଚିରହିବା କଷ୍ଟକର। ସୁର୍ଯ୍ୟଶକ୍ତିର ଉପକାରୀ ରୋଗ ନିବାରଣ ଗୁଣଟିକୁ ଗଳ୍ପ ଛଳରେ ବୁଝାଇ ଦେବାର ତାତ୍ପର୍ଯ୍ୟ ହେଉଛି ଏହି ଶାମ୍ବ ଦଶମୀ ବା ସୂର୍ଯ୍ୟ ଉପାସନାରେ ନିହିତ, ଏହା ହିଁ ବିଶେଷ ପ୍ରଣିଧାନ ଯୋଗ୍ୟ।
-
sarojinisankhua212@gmail.com
-
Phone No- 7325 868 455