ଓଡ଼ିଶାର ପୁରପଲ୍ଲୀରେ ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ‘ଚିତାଲାଗି’ଠାରୁ ପୌଷ ଶୁକ୍ଳ ଦଶମୀ ‘ଶାମ୍ବଦଶମୀ’ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ। ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-
"ଅଇଲା ଚିତୋଉ ନାନୀ
ବାରଓଷା ପର୍ବ ସଙ୍ଗରେ ଘେନି,
ଶମ୍ବର ଦଶମୀ ଅଲଣାଦାଉ
ସବୁ ଓଷା ବାର ଏଇଠି ଥାଉ।"
ପୌଷ ଶୁକ୍ଳ ଦଶମୀ ଦିନ ‘ଶାମ୍ବ ଦଶମୀ’ ପାଳନ କରାଯାଏ। ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ, ସେହିପରି ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ।
Also Read
ମଣିଷ ଗୋଟିଏକୁ ପିଠା ଗୋଟିଏ:
ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କୁହାଯାଏ। ଏହାର କାରଣ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ। ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ କଥା ହେଉଛି- "ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ।" ଏହାର ଅର୍ଥ ଗୋଟିଏ ପିଠା, ଗୋଟିଏ ମଣିଷ ପାଇଁ ଯଥେଷ୍ଠ।
![Why odisha celebrate samba dashami Why odisha celebrate samba dashami](https://images.odishatv.in/uploadimage/library/16_9/16_9_5/IMAGE_1736336112.jpg)
କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବା ପ୍ରଚୁର ମିଳେ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ "ଘଡ଼ଘଡ଼ା ତିଅଣ" କୁହାଯାଏ। ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ।
କିପରି କରିବେ ପୂଜା:
ଓଡିଆ ମା’ମାନେ ନିଜ ପିଲାମାନଙ୍କ ଶୁଭ ମନାସୀ ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି। ଏହି ପର୍ବର ବିଶେଷତ୍ୱ ହେଉଛି ଆକାଶରେ ସୂର୍ଯ୍ୟଙ୍କର ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ।
- ପ୍ରଥମ ଧୂପ - ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ। ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି। ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପଢାଯାଏ।
- ଦ୍ୱିତୀୟ ଧୂପ - ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ। ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ। ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ।
- ତୃତୀୟ ଧୂପ - ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ସୂର୍ଯ୍ୟଦେବଙ୍କ ଅସ୍ତ ସମୟରେ। ଏହି ଧୂପରେ ମଧ୍ୟ ଏଣ୍ଡୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ।
ପୌରାଣିକ କାହାଣୀ:
ଶାମ୍ବପୁରାଣ:
ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଉପପୁରାଣ । ଏହି ପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ ହୋଇଛି। ଏହି ଶାମ୍ବପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀ ପୁତ୍ର ଶାମ୍ବଙ୍କୁ ଶୁଣାଇଛନ୍ତି। ଶାମ୍ବନାମାନୁସାରେ ଏହି ଦଶମୀକୁ ‘ଶାମ୍ବ ଦଶମୀ’, ଗାଁ ଗହଳରେ ‘ସମ୍ବର ଦଶମୀ’ ମଧ୍ୟ କୁହାଯାଏ।
ପୁରାଣ ଅନୁସାରେ ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀଙ୍କ ଗର୍ଭରୁ ଜନ୍ମ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ। ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରିଆଣିଥିଲେ। ବଳରାମଙ୍କ ସହାୟତାରେ ଲକ୍ଷଣାଙ୍କୁ ଶାମ୍ବ ବିବାହ କଲେ। ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ।
ଏହି ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଚାହିଁଲେ। ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକିଦେଲେ। ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବାର ଅଭିଶାପ ଦେଇଦେଲେ। ଶ୍ରୀକୃଷ୍ଣ ନିଜ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ।
ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦଭାବେ ବର୍ଣ୍ଣିତ। ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ। ସେହିଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି।
ଶାମ୍ବ ସେଠାରେ ସୂର୍ଯ୍ୟଙ୍କ ପୂଜାରାଧନା କଲେ। ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ତପସ୍ୟା କଲେ। ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ। ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ। ତାଙ୍କରି ଆଶୀର୍ବାଦ ବଳରେ ଶାମ୍ବଙ୍କ ଦୁରାରୋଗ୍ୟ ବ୍ୟାଧି ଦୂର ହେଲା ଓ ସେ ତାଙ୍କ ପୂର୍ବ ସୁନ୍ଦର ଶରୀର ପାଇଲେ।
ଶାମ୍ବ ବାଲୁକା ଶର୍ଯ୍ୟାରେ ସୂର୍ଯ୍ୟ ମୂର୍ତ୍ତି ଗଠନ କଲେ। ବିବିଧ ପୁଷ୍ପ, ଧୂପ, ଦୀପ, ଚନ୍ଦନ ଇତ୍ୟାଦିରେ ଷୋଡ଼ଶୋପଚାର ପୂଜା କରିଥିଲେ। ସେହି ସ୍ଥାନରେ ହିଁ ଆଜିର କୋଣାର୍କ ଅବସ୍ଥିତ।
![Why odisha celebrate samba dashami Why odisha celebrate samba dashami](https://images.odishatv.in/uploadimage/library/16_9/16_9_5/IMAGE_1736336156.jpg)
ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ। ଭାରତର ସାତଟି ସ୍ଥାନ – ଉଳ୍ଳାର୍କ, ପୁଣ୍ଡାର୍କ, ମାର୍କେତୋୟାର୍କ, ବାଲୋର୍କ, କୋଣାର୍କ, ଚାପାର୍କ ଏବଂ କଳିଙ୍ଗର କୋଣାର୍କ ସ୍ଥାପନ କଲେ। ପ୍ରଥମେ ସେ ଚନ୍ଦ୍ରଭାଗା ନଦୀକୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ (ଶାମ୍ବଦଶମୀ) ତିଥିରେ ମର୍ତ୍ତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ।
ଯେଉଁ ସ୍ଥାନରେ କୃଷ୍ଣ ପୁତ୍ର ଶାମ୍ବ ସୂର୍ଯ୍ୟଙ୍କ କୃପା ପ୍ରାପ୍ତି ନିମନ୍ତେ ତପଶ୍ଚରଣ କରିଥିଲେ ତାହା ମୈତ୍ରେୟବନ ନାମରେ ଖ୍ୟାତ। ସୂର୍ଯ୍ୟଙ୍କର ଅନ୍ୟ ନାମ ମିତ୍ର। ତାଙ୍କ ନାମାନୁସାରେ ଚନ୍ଦ୍ରଭାଗା ତୀରରୁ ଏକ ବ୍ୟାପକ ଅଞ୍ଚଳ ମୈତ୍ରେୟବନ ରହିଛି।
ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଏହି ପୂଜା ସମ୍ପର୍କରେ ଶାମ୍ବ ଜଣାଇବାରୁ ପ୍ରଭୁ ସୂର୍ଯ୍ୟଦେବ କହିଲେ, “ମୋର ପୂଜା ପାଇଁ ଉପଯୁକ୍ତ ପୁରୋହିତ ଭାରତ ବର୍ଷରେ ନାହାନ୍ତି। ଏଣୁ ଶାକ ଦ୍ୱୀପରୁ ମଗ ବ୍ରାହ୍ମଣଙ୍କୁ ଅଣାଇ ଏହି ପୂଜା କଲେ ମୁଁ ସନ୍ତୋଷ ଲାଭ କରିବିI
ଭବିଷ୍ୟ ପୁରାଣ ଅନୁସାରେ:
ନଯୋଗ୍ୟ ପରିଚର୍ଯ୍ୟାୟ ଜମ୍ବୁଦ୍ୱୀପେ ମମାନଘ।
ମମ ପୂଜା ପରାନ୍ କୃତ୍ୱା ଶାକଦ୍ୱୀପୀଦମାୟII
ତାହା ହିଁ ହେଲା। ଶାମ୍ବ ଶାକ ଦ୍ୱୀପରୁ ବ୍ରାହ୍ମଣ/ଗ୍ରହ ବ୍ରାହ୍ମଣମାନଙ୍କୁ ଅଣାଇ ଭାରତ ବର୍ଷରେ ସୂର୍ଯ୍ୟପୂଜାର ବ୍ୟବସ୍ଥା କରାଇଥିଲେ। ସେହିକାଳରୁ ଆମଦେଶରେ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ବ୍ରତପାଳନ ଓ ପୂଜାର ପ୍ରଚଳନ ରହିଛି।
![Why odisha celebrate samba dashami Why odisha celebrate samba dashami](https://images.odishatv.in/uploadimage/library/16_9/16_9_5/IMAGE_1736336195.jpg)
ଦେବର୍ଷି ନାରଦ କାହାଣୀ:
ନିଜେ ଦେବର୍ଷି ନାରଦ ମଧ୍ୟ ସୂର୍ଯ୍ୟଦେବଙ୍କ ଅଭିଶାପରେ କୁଷ୍ଠ ବ୍ୟାଧିରେ ଗ୍ରସ୍ତ ହୋଇଥିବା କଥା ରହିଛି। ନାରଦ ମଧ୍ୟ ଏ କ୍ଷେତ୍ରରେ ସୂର୍ଯ୍ୟଙ୍କର ଦ୍ୱାଦଶ ନାମ ଯଥା- ଆଦିତ୍ୟ, ଭାସ୍କର, ପ୍ରଭାକର, ଦିବାକର, ସହସ୍ରାଂଶୁ, ତ୍ରିଲୋକ-ଲୋଚନ, ଦେବେଦେବେଶ, ଛାୟାରମଣ, ଦିନକର, ଦ୍ୱାଦଶାତ୍ମକ ତ୍ରିବିକ୍ରମ, ସୂର୍ଯ୍ୟଦେବ ଜପ କରି ସୂର୍ଯ୍ୟ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ। ସେଥିପାଇଁ ଏ ଦଶମୀକୁ ଶାମ୍ବଦଶମୀ କୁହାଯାଏ।
ଇତିହାସ:
ସୂର୍ଯ୍ୟପୂଜାର ଇତିହାସ ଅତ୍ୟନ୍ତ ପ୍ରାଚୀନ। ଉଲ୍ଲେଖ ଅଛି ଦିଗ୍ବିଜୟୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଦରବାରରେ ମୟୂରଭଟ୍ଟ ନାମକ ଜଣେ ଅଗାଧ ସଂସ୍କୃତ ଜ୍ଞାନସଂପନ୍ନ କବି ଥିଲେ। ସେ କୁଷ୍ଠରୋଗାକ୍ରାନ୍ତ ହୋଇ ଶହେ ଶ୍ଲୋକ ବିଶିଷ୍ଟ ସୂର୍ଯ୍ୟସ୍ତୁତି ରଚନା କରି ନିତ୍ୟ ପାରାୟଣ କରି ବ୍ୟାଧିମୁକ୍ତ ହୋଇଥିଲେ।