• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Debendra Nath Parida

ପ୍ରଭୁ ଶିବଙ୍କ ଆରାଧନା ପାଇଁ ଅନେକ ପ୍ରକାର ବ୍ରତ ରହିଛି। କୁହାଯାଏ, ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଭକ୍ତମାନେ ୧୪ ପ୍ରକାରର ଓଷାବ୍ରତ ପାଳନ କରନ୍ତି। କିନ୍ତୁ ଏଥିମଧ୍ୟରୁ ମହାଶିବରାତ୍ରୀ ସବୁଠାରୁ ଅଧିକ ଲୋକପ୍ରିୟ। ଥରେ ଏହି ପ୍ରସଙ୍ଗରେ ଆଲୋଚନା କରୁ କରୁ ଦେବୀ ପାର୍ବତୀ, ସ୍ୱାମୀ ମହାଦେବଙ୍କୁ ପଚାରିଥିଲେ, ଆପଣଙ୍କ ଦୃଷ୍ଟିରେ ଆପଣଙ୍କୁ ସନ୍ତୁଷ୍ଟ କରିବାକୁ ସବୁଠାରୁ ପ୍ରିୟ ଓଷାପୂଜା କେଉଁଟା ଓ କାହିଁକି? ଏ ପ୍ରସଙ୍ଗରେ ପ୍ରଭୁ ଶିବ, ପତ୍ନୀ ପାର୍ବତୀଙ୍କୁ ପୌରାଣିକ ଘଟଣାଟିଏ ଉଦାହରଣ ଛଳରେ କହିଥିଲେ।

‘ପୂର୍ବ କାଳରେ କୃଷ୍ଣଶର୍ମା ନାମକ ଜଣେ ନୈଷ୍ଠିକ ବ୍ରାହ୍ମଣ ଥିଲେ। ସେ ବହୁତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ସବୁବେଳେ ଦାନ, ହୋମ, ଯଜ୍ଞ ଆଦି କରିଥାନ୍ତି। ବିଷ୍ଣୁ ପୂଜାରେ ସବୁବେଳେ ନିମଗ୍ନ ରୁହନ୍ତି। ଥରଟିଏ ସେ ପ୍ରବାସ ଯାଇଥିଲେ। ଦିନେ ସକାଳୁ ଉଠି ପୋଖରୀକୁ ଗାଧୋଇବାକୁ ଗଲେ। ପୋଖରୀର ଜଳ ଅତି ନିର୍ମଳ। ନୀଳ ଓ ରକ୍ତ ରଙ୍ଗର ପଦ୍ମଫୁଲ ଫୁଟି ମନୋହର ଦେଖା ଯାଉଥାଏ। ବ୍ରାହ୍ମଣ ସ୍ନାନ କରିବା ପାଇଁ ପାଣିରେ ପାଦ ଦେବା ପୂର୍ବରୁ ନିକଟରେ ପଡ଼ିଥିବା ଘଣ୍ଡେ ଇଟା ଉପରେ ପାଦ ଘସାଘସି କଲେ। ସ୍ନାନ ତର୍ପଣ ଆଦି ପୋଖରୀ କୂଳରେ ଶେଷ କରି ବିଷ୍ଣୁ ପୂଜା ପାଇଁ ଗଲେ। ତା ପରଦିନ ସ୍ନାନ ଶୌଚ ହେବା ବେଳେ ଏକ କାଳସର୍ପ ଦଂଶନରେ ସେ ପ୍ରାଣ ହରାଇଥିଲେ।

ମୃତ୍ୟୁ ପରେ ବ୍ରାହ୍ମଣଙ୍କ ଆତ୍ମାକୁ ନେବା ପାଇଁ ଯମଦୂତମାନେ ଆସିଲେ। ତାଙ୍କୁ ଧର୍ମଦେବତାଙ୍କ ସଭାରେ ହାଜର କରାଗଲା। ଯମରାଜା କହିଲେ- ‘ବିପ୍ରବର ! ତୁମେ ପୂଜା ଆରାଧନା, ବିଷ୍ଣୁପୂଜା, ହୋମଯଜ୍ଞ ଦ୍ୱାରା ବହୁତ ପୁଣ୍ୟ ଅର୍ଜନ କରିଥିଲ। ମାତ୍ର ଦୁର୍ଭାଗ୍ୟ ବଶତଃ ପୋଖରୀ କୂଳରେ ପଡ଼ିଥିବା ଶିବଙ୍କର ଇଟାଖଣ୍ଡ ଉପରେ ଗୋଡ଼ ଘଷି ଦେବାରୁ ତୁମର ସବୁ ଧର୍ମ ନାଶ ଯାଇଛି। ଶିବ ଦ୍ରବ୍ୟ ହରଣ ଦୋଷରେ ତୁମେ ଦୂଷିତ ହୋଇଗଲ।

ଶିବ ଦ୍ରବ୍ୟ ହରଣ କଲେ ୩ଟି ଦୋଷ ଲାଗେ। ସେଗୁଡ଼ିକ ହେଲା- ଦେବସ୍ୱ, ବ୍ରହ୍ମସ୍ୱ ଓ ରାଜସ୍ୱ। ଏହାର ଦଣ୍ଡ ଓ ପ୍ରାୟଶ୍ଚିତ ସ୍ୱରୂପ, ଦୋଷୀକୁ ରୌରବ ନର୍କରେ ୧ ହଜାର ବର୍ଷ, କୃମି ରୂପରେ ମଳ ନର୍କରେ ୧ ହଜାର ବର୍ଷ ଏବଂ ପିଶାଚ ରୂପରେ ଅୟୁତେ ବର୍ଷ ରହି ଆତ୍ମାକୁ କଷ୍ଟ ଭୋଗିବାକୁ ପଡ଼ିଥାଏ। ହେ ବିପ୍ର ! ତୁମେ ଅଜାଣତରେ ଏ ଅପକର୍ମ କରିଥିବାରୁ, ତୁମକୁ କେବଳ ପିଶାଚ ରୂପରେ ରହିବାକୁ ପଡ଼ିବ। ସୁତରାଂ ତୁମେ ସେହି ପୋଖରୀ ହୁଡ଼ାରେ ଥିବା ଗଛରେ ଅୟୁତେ ବର୍ଷ ପର୍ଯ୍ୟନ୍ତ ପିଶାଚ ହୋଇ ଅବସ୍ଥାନ କର।

ବ୍ରାହ୍ମଣ ହାତ ଯୋଡ଼ି ପଚାରିଲେ- ‘ପ୍ରଭୁ ! ସାମାନ୍ୟ ଇଟା ଖଣ୍ଡେ, ତାହା ଶିବଙ୍କର ସଂପତ୍ତି କିପରି ହେଲା ମତେ କୃପା କରି କୁହନ୍ତୁ।’

ଯମ ଦେବତା କହିଲେ- ‘ଏକଦା କାଶ୍ମୀର ଦେଶରେ ଜଣେ ଶିବଭକ୍ତ ବ୍ରାହ୍ମଣ ରହୁଥାନ୍ତି। ସେ ଯେଉଁଭଳି ନୈଷ୍ଠିକ ଥିଲେ, ସେହିଭଳି ବେଦବେଦାଙ୍ଗ ଶାସ୍ତ୍ରରେ ଧୂରନ୍ଧର ପଣ୍ଡିତ ମଧ୍ୟ ଥିଲେ। ସେ ଗଙ୍ଗାଯମୁନା ନଦୀର ସଙ୍ଗମ ସ୍ଥଳରେ ଏକ ମନୋରମ ଆଶ୍ରମ କରି ସେଥିରେ ରହୁଥାନ୍ତି। ସବୁବେଳେ ସ୍ନାନସଂଧ୍ୟା, ତର୍ପଣ, ପୂଜା ଆରାଧନାରେ ସମୟ କଟାନ୍ତି। ଦିନକର କଥା। ବ୍ରାହ୍ମଣ ଯାଇ ଋଷି ଭଗବାଳୀଙ୍କ ଆଶ୍ରମରେ ପହଞ୍ଚିଲେ ଅତିଥି ହୋଇ। ଋଷି ଭଗବାଳୀ, ବ୍ରାହ୍ମଣଙ୍କର ଯଥାବିଧି ସତ୍କାର କଲେ। ମୃଗଛାଲ ଆସନରେ ବସାଇ ଫଳମୂଳ ସମର୍ପଣ କଲେ। କହିଲେ- ‘ହେ ବ୍ରାହ୍ମଣ ! ଆପଣ ଶିବଙ୍କ ସମାନ ଅଟନ୍ତି। ଫଳମୂଳ ଭୋଜନ କରି ମୋତେ ସୁଖୀ କରାନ୍ତୁ।’

ବ୍ରାହ୍ମଣ କହିଲେ- ‘ମହାଶୟ ! ମୁଁ ଏ ପର୍ଯ୍ୟନ୍ତ ଶିବପୂଜା କରିନାହିଁ। ଉମା ମହେଶ୍ୱରଙ୍କୁ ଦର୍ଶନ ନକରି ମୁଁ କୌଣସି ଦ୍ରବ୍ୟ ଭୋଜନ କରେନାହିଁ।’

ଋଷି ଭଗବାଳୀ କହିଲେ- ‘ଦେବଦେବ ମହାଦେବ ସ୍ୱୟଂ ପରଂବ୍ରହ୍ମ ଅଟନ୍ତି। ସେ ସମସ୍ତଙ୍କ ଦେହରେ ବିରାଜମାନ କରିଅଛନ୍ତି। ତୁମେ ହୃଦୟ କମଳରେ ତାହାଙ୍କୁ ଦର୍ଶନ କରି ଆହାର ଗ୍ରହଣ କର। ଏଥିରେ କୌଣସି ଦୋଷ ନାହିଁ।’

ଏହା ଶୁଣି ବ୍ରାହ୍ମଣ କହିଲେ- ‘ହେ ଋଷି ପ୍ରବର ! ପୂର୍ବରୁ ମୋର ଏହିଭଳି ବ୍ରତ ଅଛି। ପ୍ରାଣ ଚାଲିଗଲେ ମଧ୍ୟ ଶିବଲିଙ୍ଗ ପୂଜା ନକରି ମୁଁ ଜଳ ମଧ୍ୟ ସେବନ କରେନାହିଁ। ଶାସ୍ତ୍ରରେ ଅଛି, ଶିବଙ୍କ ଦର୍ଶନରେ ଯେତିକି ପୂଣ୍ୟଲାଭ ହୁଏ, ତାଙ୍କୁ ଛୁଇଁ ସେବା କଲେ ଅଧିକ ପୁଣ୍ୟ ଲାଭ ହୁଏ। ଶିବଙ୍କ ପୂଜା କରୁଥିବା ଲୋକ ଯଦି କୌଣସି କାରଣରୁ ଲୋଭଗ୍ରସ୍ତ ହୋଇ ପୂଜା ନକରି ଅନ୍ନ ପ୍ରଭୃତି ଖାଦ୍ୟପେୟ ଗ୍ରହଣ କରେ, ସେ ପିଶାଚ ହୋଇ ରୁହେ। ତେଣୁ ମୁଁ ମୋ ବ୍ରତ କଦାପି ଭାଙ୍ଗିପାରିବି ନାହିଁ।’

ବ୍ରାହ୍ରଣଙ୍କର ଏ ଦୃଢୋକ୍ତି ଶୁଣି ଋଷି କହିଲେ- ‘ହେ ଦ୍ୱିଜଶ୍ରେଷ୍ଠ ! ଆପଣ ଶିବଙ୍କ ପରମ ଭକ୍ତ ଭଳି ମନେ ହେଉଛନ୍ତି। ଆପଣଙ୍କଠାରୁ ମୋର ବହୁତ କଥା ଶିଖିବା ଉଚିତ। କୃପା କରି ମୋତେ ଶିବ ପୂଜାର ବିଧାନ ଓ ଫଳଶ୍ରୁତି ବିଷୟରେ ପରାମର୍ଶ ଦେଇ କୃତାର୍ଥ କରନ୍ତୁ।’

ବ୍ରାହ୍ମଣ କହିଲେ- ‘ପ୍ରତ୍ୟୁଷରୁ ଶିବଲିଙ୍ଗ ଦର୍ଶନ କଲେ ସହସ୍ର ଅଶ୍ୱମେଧ ଯଜ୍ଞ ମିଳିଥାଏ। ମଧ୍ୟାହ୍ନରେ ଶିବଲିଙ୍ଗ ଦର୍ଶନ କଲେ ଆଜନ୍ମ ପାପ ଦୂର ହୋଇଥାଏ। ସଂଧ୍ୟା ସମୟରେ ଶିବଲିଙ୍ଗ ଦର୍ଶନ କଲେ ଇହଲୋକରେ ସମସ୍ତ ସୁଖ ମିଳେ। ବ୍ରହ୍ମହତ୍ୟା ଭଳି ତୁଷ୍କର ପାପ ନାଶ ହୁଏ। ପରଲୋକରେ ସେ ଶିବଲୋକ ପ୍ରାପ୍ତ ହୋଇଥାଏ। ଦୈନିକ ଶିବଲଙ୍ଗି ଦର୍ଶନକାରୀ ଭଗବାନ ଶିବଙ୍କର ପ୍ରିୟଜନ ହୋଇଥାଏ। ଦୈନିକ କୋଶେ ରାସ୍ତା ଚାଲି ଚାଲି ଶିବଙ୍କ ଦର୍ଶନ କରୁଥିବା ଲୋକ ପାଖରେ ପାପ ପ୍ରବେଶ କରିପାରେ ନାହିଁ। ଶିବଲିଙ୍ଗ ପ୍ରଦକ୍ଷିଣ କରି ନିତ୍ୟଦର୍ଶନ କଲେ କୋଟିଏ ଅଶ୍ୱମେଧ ଫଳ ମିଳିଥାଏ। ଚତୁର୍ଦ୍ଦଶୀ ଦିନ ଶିବଲିଙ୍ଗ ଦର୍ଶନ କଲେ କୈଳାସପୁରୀରରେ ରହିବା ସୁଯୋଗ ମିଳିଥାଏ।

ଶିବରାତ୍ରୀ ବ୍ରତ କରିବା ଲୋକର ସୁକୃତି କହିଲେ ନସରେ। ବ୍ରାହ୍ମଣ ଏହି ବ୍ରତ କଲେ ବୈଦିକତା ପ୍ରାପ୍ତ ହୁଏ। ରାଜା ଏହି ବ୍ରତ କଲେ ବିଜୟୀ ହୁଅନ୍ତି। ବୈଶ୍ୟମାନେ ଧନଲାଭ କରନ୍ତି ଓ ଶୁଦ୍ରମାନେ ମୋକ୍ଷଗତି ପ୍ରାପ୍ତ ହୁଅନ୍ତି। ସୋମବାର ଦିନ ଶିବ ଦର୍ଶନ ସବୁଠାରୁ ଉତ୍ତମ। ଶିବଲିଙ୍ଗ ନିକଟରେ ଥିବା ଜଳଧାରକୁ ଶିବଗଙ୍ଗା କୁହାଯାଏ। ସେ ଜଳରେ ନିତ୍ୟ ସ୍ନାନ କଲେ ଶିବ ସଦନରେ ବାସ କରିବାର ସୁଯୋଗ ପ୍ରାପ୍ତି ହୋଇଥାଏ। ଶିବାଳୟରେ ଶିବ ଦର୍ଶନ ପୂର୍ବକ ଦଣ୍ଡବତ କରୁଥିବା ଲୋକ, ସେ ସ୍ଥାନରେ ଥିବ ଧ୍ୱନି ରେଣୁର ସଂଖ୍ୟା ଯେତେ ସେତିକି ବର୍ଷ ପର୍ଯ୍ୟନ୍ତ ଶିବଲୋକରେ ସୁଖ ପାଇଥାଏ। ସେହିଭଳି ଶିବଲିଙ୍ଗ ଉପରେ ଶୀତଳ ଜଳ ଅଭିଷେକ କଲେ ବାରସ୍ୱତୀ ଭୁବନରେ, କ୍ଷୀର ଅଭିଷେକ କଲେ ବିଷ୍ଣୁଲୋକ, ଦଧି ଅଭିଷେକ କଲେ ଚନ୍ଦ୍ରାଲୋକ, ମହୁ ଓ ଘିଅରେ ଅଭିଷେକ କରାଇଲେ ଅଗ୍ନିଲୋକ, ଲହୁଣୀ ଘଷିରେ ବ୍ରହ୍ମଲୋକ, ଲକ୍ଷେ ଚମ୍ପା ସମର୍ପଣ କଲେ କିମ୍ବା ଲକ୍ଷେ ବେଲପତ୍ରି ସୁଗନ୍ଧ ଚନ୍ଦନ ଦେଇ ଶିବପୂଜା କରି ତାହାର ଅକ୍ଷୟ ପୁଣ୍ୟଫଳ ଲାଭ ହୁଏ। ମାଟିରେ ଶିବଲିଙ୍ଗ ସ୍ଥାପନ କରି ପଞ୍ଚାକ୍ଷର ମନ୍ତ୍ରରେ ଆରାଧନା କଲେ ସକଳ ପାପ କ୍ଷୟ ହୋଇଥାଏ।

ସେହିଭଳି ହାତ ପାଦ ନଧୋଇ ଶିବଦର୍ଶନ ଓ ପ୍ରଦକ୍ଷିଣ ବେଳେ ଶିବ ସମର୍ପିତ ଫୁଲଫଳ ଡେଇଁବା କୁଦି କରି ଦର୍ଶନ କରିବା, ଶିବ ଏବଂ ବୃଷଭଙ୍କ ମଝି ସ୍ଥାନରେ ରହି ଶିବ ଦର୍ଶନ କରିବା ଅତି ପାପାଚାର। ଏହା ବ୍ରହ୍ମହଣା ଦୋଷ ଅର୍ଜନ କରିଥାଏ।

‘ହେ ଋଷି ପ୍ରବର ! ଆଜି ମହାଶିବରାତ୍ରୀ। ମୁଁ ରାତିରେ ଶିବପୂଜା କରି ଉଜାଗର ରହିବି। କାଲି ମଧ୍ୟାହ୍ନରେ ଯାହା କିଛି ଆହାର କରିବା କଥା।’

ଏହା ଶୁଣି ଋଷି ଭଗବାଳୀ ଆନନ୍ଦିତ ହୋଇ ବ୍ରାହ୍ମଣଙ୍କ ସହିତ ମିଶି ଶିବରାତ୍ରୀ ବ୍ରତ ପାଳନ କଲେ। ସେଠାରେ ଏକ ଶିବଲିଙ୍ଗ ସ୍ଥାପନା କରି ପ୍ରତିଷ୍ଠା କରାଇଲେ। ଦ୍ୱିଜ ତା ପରଦିନ ଆହାର ଗ୍ରହଣ କରି ସ୍ୱ-ସ୍ଥାନକୁ ଫେରିଗଲେ। ଋଷି ସେହି ପ୍ରତିଷ୍ଠିତ ଶିବଲିଙ୍ଗ ପାଇ ଏକ ଦେଉଳ ତିଆରି କଲେ। ସେଠାରେ ଶିବଗଙ୍ଗା ନାମକ ସେହି ପୁଷ୍କରିଣୀଟି ଖୋଳାଇଥିଲେ। କାଳକ୍ରମେ ଋଷିଙ୍କ ଦେହାନ୍ତ ପରେ ସେ ଦେଉଳ ଜରାଜୀର୍ଣ୍ଣ ହୋଇ ଭାଙ୍ଗିଗଲା। ସେ ଦେଉଳର ଇଟାଖଣ୍ଡ କେତେକ ପୁଷ୍କରିଣୀ ଆଖାପଖରେ ପଡ଼ିରହିଛି। ତୁମେ ସେ ଇଟାଖଣ୍ଡରେ ପାଦ ଦେଇ ଏ ଦୋଷ ପାଇଛ।

ଏହା ଯମଙ୍କଠାରୁ ଶୁଣିବା ପରେ, କୃଷ୍ଣଶର୍ମା ପିଶାଚ ରୂପରୁ କିଭଲି ଉଦ୍ଧାର ପାଇପାରିବେ କହିବା ପାଇଁ ଯମ ଦେବତାଙ୍କୁ ପ୍ରାର୍ଥନା କଲେ। ଯମ ଦେବତା କହିଲେ- ‘ତୁମେ ପିଶାଚ ରୂପରେ ସେ ପୁଷ୍କରିଣୀ ଗଛରେ ରହିବ। ତୁମର କୌଣସି ଶିଷ୍ୟ ଯଦି ସେଠାକୁ ଆସି ଶିବରାତ୍ରୀ ବ୍ରତ ପାଳନ କରିବ ଏବଂ ସେ ବ୍ରତର ଫଳ ତୁମକୁ ଅର୍ପଣ କରିବ, ତେବେ ତୁମେ ଶାପମୁକ୍ତ ହୋଇପାରିବ।’

ଏହାପରେ କୃଷ୍ଣଶର୍ମା ସେ ବୃକ୍ଷ ଉପରେ ପିଶାଚ ହୋଇ ଅବସ୍ଥାନ କଲେ। ଦୀର୍ଘ ଚଉଦ ବର୍ଷ ପରେ ଦୈବ ଯୋଗକୁ ତାଙ୍କର ‘ନିରଘ’ ନାମକ ଜଣେ ଶିଷ୍ୟ ସେ ନିକାଞ୍ଚନ ସ୍ଥାନକୁ ଶିବରାତ୍ରୀ ପାଳନ ପାଇଁ ଆସିଲେ। ବିଧି ପୂର୍ବକ ଉଜାଗର ରହି ସେ ବ୍ରତ ପାଳନ କଲେ। ତା ପରଦିନ ସେ ସ୍ନାନ କରିବା ସମୟରେ ପିଶାଚରୂପି କୃଷ୍ଣଶର୍ମା ଅଦୃଶ୍ୟରେ ରହି ନିଜ ଶିଷ୍ୟକୁ ନିଜର ପରିଚୟ ଦେଇ ସମସ୍ତ ଘଟଣା ଶୁଣାଇଲେ। ଗୁରୁ ସେବାଠାରୁ ପୁଣ୍ୟ ନାହିଁ। ତେଣୁ ଶିଷ୍ୟ ନିରଘ ଅତି ଆନନ୍ଦରେ ଆଞ୍ଜୁଳାଏ ଜଳ ଧରି- ‘ମୋର ଶିବରାତ୍ରୀ ବ୍ରତଫଳ ମୋର ଗୁରୁ ପିଶାଚରୂପୀ କୃଷ୍ଣଶର୍ମାଙ୍କୁ ଦାନ କଲି’ ବୋଲି କହି ଗଛ ଉପରକୁ ଜଳ ଫିଙ୍ଗି ଦେଲେ।

ସଙ୍ଗେ ସଙ୍ଗେ କୃଷ୍ଣଶର୍ମାଙ୍କ ପାପ ମୋଚନ ହେଲା। ସେ ନିଜର ପୂର୍ବ ରୂପ ଫେରି ପାଇଲେ। ଶିଷ୍ୟ ନିରଘଙ୍କୁ କୁଣ୍ଢାଇ ପକାଇ ଆଶିଷ ବର୍ଷଣ କଲେ କୃଷ୍ଣଶର୍ମା। ଦେହତ୍ୟାଗ ପରେ ଗୁରୁଶିଷ୍ୟ ଦିହେଁ ଯାକ ମୋର ପରମ ସୁଖମୟ ଶିବପୁରୀରେ ସ୍ଥାନ ପାଇ ସ୍ଥାୟୀ ଭାବେ ରହୁଛନ୍ତି।

ଶିବଙ୍କଠାରୁ ପାର୍ବତୀ ଏଭଳି ଶିବରାତ୍ରୀ ବ୍ରତ ମାହାତ୍ମ୍ୟ ଶ୍ରବଣ କରି କୃତଜ୍ଞତା ଜ୍ଞାପନ କଲେ। ଶିବରାତ୍ରୀ ଦିନ ଶିବ ମନ୍ଦିରରେ ଉଜାଗର ରହି ଏହି ବ୍ରତକଥା ଯେଉଁମାନେ ପଠନ ଶ୍ରବଣ କରିବେ, ଅଶେଷ ପୁଣ୍ୟଫଳ ପାଇବେ ବୋଲି ଆଧ୍ୟାତ୍ମିକ ବିଶ୍ୱାସ ରହିଛି।

OTV is now on Whatsapp

Join and get latest news update delivered to you via whatsapp

Join Now