Advertisment

Mahabharat Story: ଅର୍ଜୁନ ଓ ହନୁମାନଙ୍କ ଭେଟ ଏବଂ ବ୍ରାହ୍ମଣଙ୍କ ଅପହୃତ ଶିଶୁମାନଙ୍କ କାହାଣୀ

କାହିଁକି ସାନ ଏକ ମାଙ୍କଡ଼ ବେଶ ଧରିଲେ ହନୁମାନ? କିଏ ଜନ୍ମ ହେଉ ହେଉ ବ୍ରାହ୍ମଣର ଶିଶୁମାନଙ୍କୁ ଅପହରଣ କରୁଥିଲା? କୃଷ୍ଣ କାହିଁକି ଅର୍ଜୁନଙ୍କୁ ରଥରେ ବସେଇ ପୃଥିବୀ ବାହାରକୁ ଘେନି ଯାଇଥିଲେ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
ମହାଭାରତରେ ହନୁମାନ

ମହାଭାରତରେ ହନୁମାନ

ଅର୍ଜୁନ ରାମେଶ୍ୱର ଯାଇଥାନ୍ତି । ରାମେଶ୍ୱରରୁ ରାବଣର ଲଙ୍କା ପର୍ଯ୍ୟନ୍ତ ବାନରସେନାଙ୍କ ସହାୟତାରେ ତ୍ରେତୟା ଯୁଗରେ ମହାପ୍ରଭୁ ଶ୍ରୀରାମ ରାମସେତୁ ଗଢେଇଥିଲେ । ସେଇ ସେତୁରେ ସେ ଲଙ୍କା ଯାଇ ରାବଣକୁ ମାରି ମାଆ ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ବନବାସ ସମୟରେ ଏକା ଏକା ବୁଲୁଥିବା ବେଳେ ଅର୍ଜୁନ ସେ ସେତୁ ପାଖରେ ଠିଆ ହୋଇ ଭାବୁଥିଲେ, ପ୍ରଭୁ ରାମଚନ୍ଦ୍ର ଏତେ କଷ୍ଟ କରି ଏତେଦିନ ଧରି ଗୋଡି ପଥରରେ ସେତୁ ଗଢୁଥିଲେ କାହିଁକି? ତାଙ୍କପରି ଧର୍ନୁଧର ବୀର ଚାହିଁଥିଲେ ତ କେବଳ ତୀର ଯୋଡି ନିମିଷକରେ ସେତୁ ଗୋଟେ ତିଆରି କରିପାରିଥାନ୍ତେ । ମୁଁ ତ ଚାହିଁଲେ ସ୍ୱର୍ଗରୁ ପୃଥିବୀକୁ ଇନ୍ଦ୍ରଙ୍କ ଐରାବତ ହାତୀ ସହଜରେ ଆସିଲା ପରି ସେତୁ ପାହାଚ ତିଆରି କରିଦେଇ ପାରିବି । ତେବେ କ'ଣ ରାମଙ୍କର ଧର୍ନୁବିଦ୍ୟାରେ ସେମିତି କିଛି ଦକ୍ଷତା ନଥିଲା କି? ମନେ ମନେ ହିସାବ ଲାଗାଇଲେ ଅର୍ଜୁନ । 

Advertisment

ସଂଯୋଗକୁ ଅର୍ଜୁନ ଯେଉଁ ଗଛତଳେ ଛିଡା ହୋଇ ଏମିତି କଥା ସବୁ ଭାବୁଥିଲେ, ସେଇ ଗଛରେ ହନୁମାନ ବିଶ୍ରାମ କରୁଥିଲେ । ଅର୍ଜୁନ ତାଙ୍କ ମନରେ କ'ଣ ସବୁ ଚିନ୍ତା କରୁଛନ୍ତି ସବୁ କିଛି ଜାଣିପାରୁଥିଲେ ହନୁମାନ । ପ୍ରଭୁ ଶ୍ରୀରାମଙ୍କ ବିଷୟରେ ଅର୍ଜୁନଙ୍କ ଏମିତିକା ଅପମାନଜନକ ଚିନ୍ତା ହନୁମାନଙ୍କୁ ଭଲ ଲାଗିଲାନି । ସେ ତୁରନ୍ତ ଏକ ସାନ ମାଙ୍କଡ ରୂପ ନେଇ ଗଛ ତଳକୁ ଓହ୍ଲାଇଲେ। ନିଜର ପରିଚୟ ନଦେଇ ସେ ଅର୍ଜୁନଙ୍କୁ କହିଲେ, ଏତେ ଗୁଡେ ବାନରସେନା ତୀରରେ ତିଆରି ସେତୁ ଉପରେ ଯାଇଥିଲେ ତାହା ଭାଙ୍ଗିପଡିଥାନ୍ତା ବୋଲି ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଚନ୍ଦ୍ର ପଥରର ସେତୁ ଗଢେଇଥିଲେ । ଅର୍ଜୁନଙ୍କୁ ପାଖରେ ଥିବା ଏକ ଛୋଟ ନଈକୁ ଦେଖାଇ ହନୁମାନ କହିଲେ ତୁମେ ଯଦି ପାରିବ ଏଇ ସାନ ନଈ ଉପରେ ତୀରର ଛୋଟ ସେତୁ କରି ମୋତେ ଦେଖାଅ । ମୁଁ ଆଗ ଦେଖେ ତମ ତୀରରେ ତିଆରି ସେତୁଟି ମୋ ଶରୀରର ଭାର ସମ୍ଭାଳୁ ପାରୁଛି ନା ନାହିଁ । 

ଛୋଟିଆ ଗୋଟେ ବାନରର କଥା ଶୁଣି ଅର୍ଜୁନ ହସିଲେ ଓ ତୁରନ୍ତ ଆପଣା ତୁଣୀରରୁ ଶର ବାହାର କରି ଧନୁରେ ଯୋଖିଲେ । ଅଳ୍ପ ସମୟ ଭିତରେ ନଦୀ ଉପରେ ଅର୍ଜୁନଙ୍କ ତୀରର ସେତୁ ତିଆରି ହୋଇଗଲା । ହନୁମାନ ଗୋଟେ ଖେପାରେ ସେ ସେତୁ ପାଖରେ ପହଞ୍ଚି ଯେମିତି ତାଙ୍କର ଡାହାଣ ଗୋଡଟି ସେ ସେତୁ ଉପରେ ରଖିଛନ୍ତି, ଆଖିପିଛୁଡାରେ ସେ ସେତୁ ଭାଙ୍ଗି ନଦୀ ଭିତରକୁ ଖସି ପଡିଲା । ସାନ ମାଙ୍କଡଟି ଅର୍ଜୁନଙ୍କ ଆଡକୁ ଚାହିଁ ହସି ହସି କହିଲେ ସତରେ ତମକୁ ଏବେବି ଲାଗୁଛି ତୁମେ ଇନ୍ଦ୍ରଭୁବନରୁ ଐରାବତ ଆସିବା ପାଇଁ ସେତୁ ନିର୍ମାଣ କରିଦେବ?  

Advertisment

ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ । ବଡ ଖରାପ ଲାଗିଲା ତାଙ୍କୁ । ସେ ବୁଝିଗଲେ ତାଙ୍କୁ ସେତୁ ଗଢିବାକୁ କହିଥିବା ସାନ ମାଙ୍କଡଟି ଯାହା ଦିଶୁଛନ୍ତି କଦାପି ସେଇଆ ନୁହଁନ୍ତି । ନିଶ୍ଚୟ କେହିଜଣେ ଛଦ୍ମ ବେଶରେ ତାଙ୍କର ଗର୍ବକୁ ଖର୍ବ କରିବାକୁ ଆସିଛନ୍ତି । ଅର୍ଜୁନ ତୁରନ୍ତ ଅସ୍ତ୍ର ତ୍ୟାଗ କରି ସେ ବାନର ଆଗରେ ହାତ ଯୋଡି କହିଲେ ମୋତେ କ୍ଷମା କରନ୍ତୁ ମହାଶୟ । ଅନେକ ଅସ୍ତ୍ର ଶସ୍ତ୍ର ବିଦ୍ୟାରେ ମୋର ପାରଙ୍ଗମାତା ଅଛି । ମୋ ଜାଣିବାରେ ମୋ ସମକ୍ଷକ ଧର୍ନୁଦ୍ଧର ପୁରା ଭାରତବର୍ଷରେ ଆଉ କେହି ଜଣେ ହେଲେ ନାହିଁ । ତଥାପି ମୁଁ ଆଶ୍ଚର୍ଯ୍ୟ ମୋ ତିଆରି ସେତୁ ଆପଣଙ୍କ ଗୋଟେ ପାଦର ଭାରକୁ ସମ୍ଭାଳିବାକୁ ଅସମର୍ଥ କେମିତି? ସତ କୁହନ୍ତୁ ତ ଆପଣ କିଏ? 

ମହାଭାରତ କଥାମହାଭାରତ କଥା

ହନୁମାନ ହସିଲେ । କହିଲେ ଧନଞ୍ଜୟ ମଣିଷର ଶକ୍ତି ସୀମିତ । କୌଣସି ଦୈବୀ ଶକ୍ତିର ଆଶୀର୍ବାଦ ବିନା ସେ ଅସହାୟ । କିନ୍ତୁ ନିର୍ବୋଧ ମଣିଷ ଏତିକି ମାତ୍ର ସରଳ କଥାକୁ ବୁଝିପାରେନି । ସକଳ ସଂସାରକୁ ଯେଉଁ ଶକ୍ତି ନିୟନ୍ତ୍ରଣ କରୁଛି ସେ ବିଶ୍ୱ ନିୟନ୍ତାଙ୍କୁ ମଣିଷ ଭୁଲିଯାଏ ଓ ନିଜକୁ କେନ୍ଦ୍ର ବୋଲି ବିବେଚନା କରେ । ଗୋଟେ କାମ କର,ଏବେ ତୁମେ ତୁମ ସଖା କୃଷ୍ଣଙ୍କ ନାମକୁ ସ୍ମରଣ କରି ତୀର ସନ୍ଧାନ କରି ପୁଣିଥରେ ଆଉ ଏକ ସେତୁ ସେଇଠି ନିର୍ମାଣ କର । 

ଅର୍ଜୁନ ବାନରଙ୍କ କଥା ମାନି ସେଇଆ କଲେ । ଧନୁରୁ ପ୍ରତିଟି ତୀର ଛାଡିବା ପୂର୍ବରୁ ସଖା କୃଷ୍ଣଙ୍କ ନାମ ସ୍ମରଣ କଲେ । ପୁଣି ଥରେ ସେତୁ ନିର୍ମାଣ ହେଇଗଲା । ଏଥର ଯେତବେଳେ ହନୁମାନ ସେ ନୂଆ ସେତୁ ଉପରେ ପାଦ ରଖିଲେ ସେତୁ ଆଉ ଭାଙ୍ଗିଲାନି । ତାପରେ ହନୁମାନ ତାଙ୍କ ରୂପ ବଦଳାଇଲେ ଓ ଧିରେ ଧିରେ ତାଙ୍କର ବିରାଟ ରୂପରେ ପ୍ରକଟ ହେଲେ । ସେତୁ ଉପରେ ନାଚ କୁଦ କଲାପରେ ବି ଏଥର ସେତୁ ଆଉ ଭାଙ୍ଗିଲାନି ।

ଅର୍ଜୁନ ଏବେ ହନୁମାନଙ୍କ ପ୍ରକୃତ ପରିଚୟ ଜାଣିଗଲେ ଓ ପାଦତଳେ ପଡି କ୍ଷମା ପ୍ରର୍ଥନା କଲେ । ହନୁମାନ କହିଲେ ତ୍ରେତୟା ଯୁଗରେ ରାମଙ୍କ ନାମ ନେଇ ପାଣିରେ ପଥର ଭାସିଲା ଓ ଲଙ୍କା ଯାଏଁ ସେତୁ ନିର୍ମାଣ ହେଲା । ଦ୍ୱାପର ଯୁଗରେ ତୁମେ କୃଷ୍ଣଙ୍କ ନାମ ନେଲ ବୋଲି ତୀରରେ ତିଆରି ସେତୁ ଭାଙ୍ଗିଲାନି । ସେବେ ପ୍ରଭୁ ଶ୍ରୀରାମ ଚାହିଁଥିଲେ ଏକା ଏକା ତୀରରେ ସେତୁ ନିର୍ମାଣ କରିପାରିଥାନ୍ତେ, କିନ୍ତୁ ବାନରମାନଙ୍କ ଦ୍ୱାରା ସେତୁ ନିର୍ମାଣ କରାଇ, ପ୍ରଭୁ ଆମମାନଙ୍କ ମନରେ ଆତ୍ମବିଶ୍ୱାସ ଭରିଦେଇଥିଲେ। ରାମଙ୍କ ବିନା ମୁଁ କିଛି ନୁହେଁ । ସେମିତି କୃଷ୍ଣଙ୍କ ବିନା ତୁମେ ବି କିଛି ନୁହେଁ । ମନେରଖ, ତୁମେ ନର ସେ ନାରାୟଣ । 

ଅର୍ଜୁନଙ୍କ ଆତ୍ମଗର୍ବ ଖର୍ବ ହୋଇସାରିଥିଲା । ସେ ହାତ ଯୋଡି ହନୁମାନଙ୍କୁ କ୍ଷମା ପ୍ରର୍ଥନା କଲେ ଓ ପଚାରିଲେ ପ୍ରଭୁ ଏହି ନର ନାରାୟଣ କଥାଟି କଣ? ହନୁମାନ କହିଲେ ବ୍ୟସ୍ତ ହୁଅନି, ଅପେକ୍ଷା କର, ସମୟ ଆସିଲେ ତୁମେ ତୁମ ପ୍ରଶ୍ନର ଉତ୍ତର ପାଇଯିବ ।

ଏ ଘଟଣା ଘଟିବା ପରେ ଅନେକ ଦିନ ବିତିଗଲା । ଅର୍ଜୁନ ତାଙ୍କ ବନବାସ ସାରି ଇନ୍ଦ୍ରପ୍ରସ୍ଥକୁ ଫେରି ଆସିସାରିଥାନ୍ତି । ଥରେ ତାଙ୍କ ପାଖରେ ଭୟରେ କାତର ଜଣେ ବ୍ରାହ୍ମଣ ଆସି ପହଞ୍ଚିଲେ ଓ କହିଲେ ତାଙ୍କ ପତ୍ନୀ ଯେତେଥର ଗର୍ଭବତୀ ହେଉଛନ୍ତି, ସେତେଥର ଠିକ୍ ପ୍ରସବ ପରେ ପରେ ତାଙ୍କ ସନ୍ତାନ ହଠାତ୍ ଅର୍ନ୍ତଦ୍ଧାନ ହୋଇଯାଉଛନ୍ତି । କେହି କିଛି କାରଣ ଜାଣିପାରୁନାହାଁନ୍ତି। ଏବେ ତାଙ୍କ ପତ୍ନୀ ଆଉଥରେ ଗର୍ଭବତୀ । ସେ ଭୟ କରୁଛନ୍ତି ଘଟଣାର ପୁନରାବୃତ୍ତି ହୁଏତ ହୋଇପାରେ । ତେଣୁ ସେ ଅର୍ଜୁନଙ୍କୁ ଅନୁରୋଧ କରୁଛନ୍ତି ତାଙ୍କ ସନ୍ତାନଙ୍କୁ ବଞ୍ଚାନ୍ତୁ। ଅର୍ଜୁନ ବ୍ରାହ୍ମଣଙ୍କୁ ନିର୍ଭୟ ଦେଇ କହିଲେ, ଦରକାର ହେଲେ ମୃତ୍ୟୁର ଦେବତା ଯମଙ୍କ ସହ ଲଢେଇ କରିବେ । ଯଦି ଅସଫଳ ହୁଅନ୍ତି ଜୀବନ ହାରିଦେବେ । 

କିଛିଦିନ ପରେ ବ୍ରାହ୍ମଣୀର ଗର୍ଭ ବେଦନା ଆରମ୍ଭ ହେଲା । ଅର୍ଜୁନ ବ୍ରାହ୍ମଣଙ୍କ କୁଟୀରକୁ ତୀରରେ ଚାରିଦିଗରୁ ନିବୁଜ କରି ତା ଦୁଆର ମୁହଁରେ ନିଜେ ପ୍ରହରା ଦେଲେ । ଅର୍ଜୁନଙ୍କୁ ସହାୟତା କରିବାକୁ କୃଷ୍ଣ ବି ପହଞ୍ଚିଲେ । କିଛି ସମୟ ପରେ ବ୍ରାହ୍ମଣଙ୍କ ପତ୍ନୀ ସନ୍ତାନ ଜନ୍ମ କଲେ । ବାହାରେ ଥାଇ ଅର୍ଜୁନ ଓ କୃଷ୍ଣ ନବଜାତକର କୁଆଁ କୁଆଁ କାନ୍ଦ ବି ଶୁଣିଲେ । କିନ୍ତୁ ସାଙ୍ଗେ ସାଙ୍ଗେ ସବୁ ନୀରବ ହେଇଗଲା । ବ୍ରାହ୍ମଣ କାନ୍ଦି କାନ୍ଦି କୁଟୀର ବାହାରକୁ ଆସି କହିଲେ, ହେ ଅର୍ଜୁନ ତୁମେ ମୋ ପିଲାକୁ ରକ୍ଷା କରିପାରିଲନି । ଏ ପିଲାଟି ବି ଜନ୍ମ ପରେ ପରେ ଶୂନ୍ୟ ହେଇଗଲା ।

ଅର୍ଜୁନ କିଛି ବୁଝିପାରିଲେନି । ଶତ ସତର୍କତା ପରେ ବି ପିଲଟି ଉଭାନ ହେଲା କେମିତି? ପୂର୍ବ ଶପଥ ଅନୁସାରେ ସେ ଯେତବେଳେ ଜୀବନ ହାରିବାକୁ ବସିଲେ, ସେତେବେଳେ କୃଷ୍ଣ କହିଲେ, ସଖା ଟିକେ ଅପେକ୍ଷା କର । ଚାଲ ତୁମକୁ ଗୋଟେ ଦୃଶ୍ୟ ଦେଖାଇବି । ତାପରେ କୃଷ୍ଣ ତାଙ୍କ ରଥରେ ବସେଇ ଅର୍ଜୁନଙ୍କୁ ନେଇ ସେଠୁ ବାହାରିଗଲେ ।  

ଅର୍ଜୁନ ଦେଖିଲେ କୃଷ୍ଣଙ୍କ ରଥ ଧିରେ ଧିରେ ପୃଥିବୀକୁ ପଛରେ ଛାଡି ଆକାଶ ଆଡକୁ ଚାଲିଲା । ପଛରେ ବଣ ଜଙ୍ଗଲ ନଦୀ ଓ ସମୁଦ୍ର ରହିଗଲେ । ସେମାନେ ମହାଆକାଶର ଅନେକ ଗ୍ରହ ନକ୍ଷତ୍ର ଓ ତାରକା ମଣ୍ଡଳ ଟପି ଆଗକୁ ଆଗକୁ ଯାଉଥାନ୍ତି । ରଥର ବେଗ ବଢି ସାରିଥାଏ । କିଛି ବାଟପରେ ଗାଢ ଅନ୍ଧାକାରରେ ଆଉ କିଛି ବି ଦେଖାଗଲାନି । କୃଷ୍ଣ ତାଙ୍କ ସୁଦର୍ଶନ ଚକ୍ରକୁ ପଠେଇଲେ ଅନ୍ଧାର କାଟି ବାଟ ଦେଖାଇବାକୁ । ଅର୍ଜୁନ ଜାଣୁଥିଲେ ସେମାନେ ଗୋଟି ଗୋଟି କରି ସାତ ସମୁଦ୍ର ପାର କରୁଛନ୍ତି । ଶେଷରେ ସେମାନେ କ୍ଷୀର ସାଗରରେ ପହଞ୍ଚିଲେ । ଅର୍ଜୁନ ଦେଖିଲେ ସାଗର ମଝିରେ ସହସ୍ର ଫଣାର ଅନନ୍ତ ଶେଷନାଗ କୁଣ୍ଡଳୀ କାଟି ଅଛନ୍ତି ଓ ନାଗ ଶେଜ ଉପରେ ଅର୍ଦ୍ଧଶୟନରେ ଅଛନ୍ତି ଚର୍ତୁଭୂଜ ନାରାୟଣ । ଚାରି ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଉଛି । ନାରାୟଣଙ୍କ ପଦ ପାଖରେ ବସିଛନ୍ତି ଐଶ୍ୱର୍ଯ୍ୟ ଓ ଧନର ଦେବୀ ମାଆ ଲକ୍ଷ୍ମୀ । ଅର୍ଜୁନ ହାତ ଯୋଡି, ଆଖି ବନ୍ଦ କରି ଲକ୍ଷ୍ମୀ ନାରାୟଣଙ୍କୁ ପ୍ରଣାମ କଲେ । ଆଖି ଖୋଲିଲା ପରେ ଦେଖିରେ ବିଷ୍ଣୁଙ୍କ ହାତରେ ଅନେକ ଶିଶୁ । କୃଷ୍ଣ କହିଲେ ଏ ସବୁ ହେଉଛନ୍ତି ସେଇ ବ୍ରାହ୍ମଣଙ୍କର ଜନ୍ମ ପରେ ପରେ ଅପହୃତ ଶିଶୁମାନେ ।

ଅର୍ଜୁନ କିଛି ବୁଝିପାରୁନଥିଲେ । କୃଷ୍ଣ ଓଠରେ ସ୍ମିତ ହାସ ଖେଳେଇ କହିଲେ ବ୍ରାହ୍ମଣର ଶିଶୁମାନେ ଅପହୃତ ହେଉଥିଲେ ଏଇଥିପାଇଁ ଯେ ତୁମେ ତା'ର କାରଣ ଜାଣିବାକୁ ଏଇଠିକୁ ଦିନେ ଆସିବ ଓ ତୁମ ଜନ୍ମର ଏବଂ ଅସ୍ଥିତ୍ୱର ପ୍ରକୃତ କାରଣ ଜାଣିବ। ତୁମ ମନରେ ପ୍ରଶ୍ନ ଥିଲା ପରା ନର ଓ ନାରାୟଣ କ'ଣ? ହେ ପାର୍ଥ, କେବଳ ଆଜି ନୁହେଁ ଆମେ ଦୁହେଁ ଆଗରୁ ଅନେକ ଥର ନର ଓ ନାରାୟଣ ଭାବରେ ଜନ୍ମ ନେଇଛେ । ଧର୍ମର ସଂସ୍ଥାପନ ପାଇଁ ଆମେ ଅନେକ ଯୁଦ୍ଧ ଲଢିଛେ । ଅନେକ ଯୁଦ୍ଧ ଜିତିଛେ । ବିଭିନ୍ନ ଯୁଗରେ ଅନେକ ଦୁଷ୍ଟ ଶକ୍ତିଙ୍କୁ ବିନାଶ କରି ସଂସାରରେ ଶାନ୍ତି ପ୍ରତିଷ୍ଠା କରିଛେ । ଏବେ ଏଇ ଜନ୍ମରେ ତୁମେ ଅର୍ଜୁନ ଓ ମୁଁ କୃଷ୍ଣ। ଆମର ପୃଥିବୀକୁ ଆସିବାର ଏକ ମାତ୍ର ଉଦ୍ଦେଶ୍ୟ ହେଲା ଧର୍ମ ପ୍ରତିଷ୍ଠା କରିବା । ଆମେ ଦୁହେଁ ଦୁହିଁଙ୍କର ପରିପୂରକ । ଜଣକ ବିନା ଅନ୍ୟ ଜଣକର ଅସ୍ଥିତ୍ୱର କିଛି ଅର୍ଥ ନାହିଁ । 

ଅର୍ଜୁନ ହାତ ଯୋଡି ଆଉ ଥରେ ସମସ୍ତଙ୍କୁ ପ୍ରଣାମ କଲେ ।

Kidnapping Case Mahabharat Lord Hanuman Mahabharat Story
Advertisment
Advertisment