Advertisment

Dola Purnima 2025: ଏହି ଫଗୁଣରେ ଦୋଳଗୋବିନ୍ଦ ବୋଲାଇ, ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି

ସାରା ଦେଶରେ ପାଳନ ହେଉଥିବା ରଙ୍ଗର ଉତ୍ସବ ହୋଲି, ଓଡ଼ିଶାରେ ନୂଆ ପରମ୍ପରା ନେଇ ପାଳନ ହୁଏ। ଏଠି ଠାକୁରମାନେ ହିଁ ପ୍ରଥମେ ହୋଲି ଖେଳନ୍ତି। ଯାହାକୁ କୁହାଯାଏ ମେଳଣ। ଗୋଟିଏ ଜାଗାରେ ଦିଅଁମାନେ ବିମାନରେ ଆସି ଏକାଠି ହୁଅନ୍ତି, ତା ପରେ ଭୋଗ ଖାଇ ହୋଲି ଖେଳନ୍ତି। ଏହା ପରଦିନ ହିଁ ମଣିଷମାନେ ହୋଲି ଖେଳନ୍ତି। ଅର୍ଥାତ ଦୋଳ ପରଦିନ ହୁଏ ହୋଲି।

author-image
Sarojini Sankhua
ଅଦ୍ୟତନ ହୋଇଛି
history and mythology behind odia holo festival dola purnima

history and mythology behind odia holo festival dola purnima

ଦୋଳେ ଚ ଦୋଳଗୋବିନ୍ଦ, ଚାପେ ଚ ମଧୁସୂଦନ, ରଥସ୍ଥ୍ୟ ବାମନଂ ଦୃଷ୍ଟ୍ୱା, ପୁନର୍ଜନ୍ମ ନ ବିଦ୍ୟତେ। ଦୋଳ ବିମାନରେ ଦୋଳଗୋବିନ୍ଦ। ଯାହାଙ୍କ ଦର୍ଶନରୁ ମିଳେ ଅଶେଷ ପୁଣ୍ୟ। ମୋକ୍ଷପ୍ରାପ୍ତି ହୁଏ। ଏ ବିଶ୍ଵାସଟି ସମାଜରେ ପ୍ରଚଳିତ। ଗଣପର୍ବ ଦୋଳ। ଦ୍ୱାପର ଯୁଗରେ ରାଧାକୃଷ୍ଣଙ୍କର ଅନନ୍ୟ ଲୀଳା। ଫଗୁଣର ଫଗୁଖେଳ। ଏଇ ପରମ୍ପରାଟି ଜନଜୀବନରେ ଏବେବି ଅନୁସୃତ। ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥି ‘ଦୋଳ ପୂର୍ଣ୍ଣିମା’ ନାମରେ ଅଭିହିତ। ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଦିଠାରୁ ଅବିର ଅର୍ପଣ କରାଯାଇଥାଏ।

Advertisment

ପ୍ରତି ଘରର ଦୁଆରକୁ ନିଜେ ଆସନ୍ତି ଠାକୁର

ଦୋଳପର୍ବ। ଓଡ଼ିଆ ଜନଜୀବନର ଏକ ରୁଦ୍ଧିମନ୍ତ ଆଶା ଆନନ୍ଦର ପ୍ରତୀକ। ନିଜେ ମହାପ୍ରଭୁ ଆସିବେ ପ୍ରତି ଦୁଆରକୁ ଅତିଥି ହୋଇ ଆସିବେ। ସବୁ ଦିନ ସିନା ଲୋକେ ଦିଅଁ ଦର୍ଶନ କରିବାକୁ ମନ୍ଦିରକୁ ଯାଆନ୍ତି, କିନ୍ତୁ ଏହି ଦୋଳଯାତ୍ରା ସମୟରେ ଦିଅଁ ବିମାନରେ ବସି ଲୋକଙ୍କ ଦୁଆରକୁ ଆସନ୍ତି। ଭକ୍ତପ୍ରାଣ ଓଡ଼ିଆ ଜୀବନରେ ଏହା ଏକ ଅହେତୁକ ଉଲ୍ଲାସ। ମହାପ୍ରଭୁଙ୍କଠାରେ ‘ଚଣା” ଭୋଗ ଲାଗେ ସେ ପ୍ରସାଦ ବଣ୍ଟାଯାଏ। ଏହା ଖାଇବା ଦ୍ୱାରା ମଣିଷ ଦୁର୍ବାର କାମଶକ୍ତିର ପ୍ରଖରତାକୁ ରୋକିପାରେ ବୋଲି କେତେକ ମତବ୍ୟକ୍ତ କରନ୍ତି। ଯା’ହେଉ ଏହି ଚଣା-ଚର୍ବଣରେ ଲୋକେ ସଂଯମ ଶିକ୍ଷା ପାଆନ୍ତି। ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ। ଦୋଳପୂର୍ଣ୍ଣମୀ ଦିନ ଠାକୁରମାନଙ୍କୁ ମନ୍ଦିରର ଦକ୍ଷିଣପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆ ଯାଇଥାଏ। ସେହି ମଣ୍ଡପର ନାମ ଦୋଳ ମଣ୍ଡପ। ସେଠାରେ ପୂଜାର୍ଚ୍ଚନା କରାଯିବା ସଙ୍ଗେସଙ୍ଗେ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ନାଲି ଅବିର ଅର୍ପଣ କରାଯାଇଥାଏ।

ମୁସଲମାନଙ୍କଠୁ ବି ଭୋଗ ଖାଇଥାନ୍ତି ଠାକୁର

ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରା ପାଇଁ ଉତ୍ସାହ ଉଦ୍ଦୀପନାରେ ଝୁମି ଉଠେ। ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ କିମ୍ବା ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ ଏବଂ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି ଠାକୁରେ। ଏହା ଏପରି ଏକ ସାମୁହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ- ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କ ଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମଗ୍ରହଣ କରିଥିଲେ ସେମାନଙ୍କ ଦୁଆରେ ମଧ୍ୟ ପ୍ରଭୁ ଭୋଗ ଖାଇଥାନ୍ତି।

Advertisment

ଦୋଳ ମେଳଣରେ ଏକ ହୁଅନ୍ତି ସବୁ ଠାକୁର

ଶୈବପୀଠ ସହିତ ବୈଷ୍ଣବ ଭକ୍ତ ଓ ପୀଠର ସୌହାର୍ଦ୍ଦ୍ୟ ବୃଦ୍ଧିରେ ଦୋଳ ମେଲଣ ଓ ଦୋଳ ମଣ୍ଡପ ସାହାଯ୍ୟ କରିଥାଏ। ସାଧାରଣତଃ ଶୈବ, ଶାକ୍ତ କିମ୍ବା ଅନ୍ୟ ନିର୍ବିବାଦୀୟ ପୀଠରେ ବା ତାଙ୍କ ନିକଟରେ ଆୟୋଜିତ ହୋଇଥାଏ ଦୋଳ ମେଲଣ। ସେଠାରେ ପଞ୍ଚରାତ୍ର ବ୍ୟାପୀ ଚାଚେରୀରେ ସନ୍ଧ୍ୟାଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା ଓ ପରିଭ୍ରମଣ କରୁଥିବା ରାଧାକୃଷ୍ଣଙ୍କ ବିମାନ ଆସି ସାମୟିକ ରହିଥାଏ। ସାରା ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଏହି ମେଲଣର ଅନନ୍ୟ ପରମ୍ପରା, ଐତିହ୍ୟ ଓ ନାମକରଣ ରହିଛି।

ତେବେ ମୁଖ୍ୟତଃ ଏହି ଦୋଳ ମେଲଣ ତିନି ଭିନ୍ନ ଭିନ୍ନ ପ୍ରକାରର। ଫାଲଗୁନର ରାଜଦୋଳ ମେଲଣ, ଅର୍ଥାତ ଫଗୁ (ଶୁକ୍ଳପକ୍ଷ) ଦଶମୀଠାରୁ ଫଗୁଣ ପୂର୍ଣ୍ଣିମା ପର୍ଯ୍ୟନ୍ତ। ପଞ୍ଚୁଦୋଳ ମେଲଣ, ପାଞ୍ଚଦିନ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଚୈତ୍ରମାସ କୃଷ୍ଣ ପଞ୍ଚମୀ ପର୍ଯ୍ୟନ୍ତ। ଦଶଦୋଳ, ଦଶଦିନ ବ୍ୟାପୀ ମେଲଣ ଅର୍ଥାତ ଫଗୁଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ନବମୀ ପର୍ଯ୍ୟନ୍ତ।

ଦୋଳି ଖେଳରୁ ଦୋଳ ଯାତ୍ରା

ଓଡ଼ିଶାର ସବୁ ଅଞ୍ଚ ଅଞ୍ଚଳରେ ଦୋଳଯାତ୍ରା ମହାସମାରୋହରେ ପାଳନ ହୁଏ। ଦୋଳ ଉତ୍ସବର ମୁଖ୍ୟ ଆରାଧ୍ୟ ଦେବତା ଶ୍ରୀରଧା ଓ ଶ୍ରୀକୃଷ୍ଣଙ୍କୁ ଦୋଳରେ ବସାଇ ଝୁଲାଇ ଝୁଲାଇ ଖେଳାଉଥିବାରୁ ଏହି ଉତ୍ସବର ନାମ ଦୋଳଯାତ୍ରା ରଖା ଯାଇଛି। ଓଡ଼ିଶାର ବହୁ ପର୍ବ ପରି ଦୋଳ ଚାଚେରୀ ଆଉ ମେଲଣ ଉଭୟ ଯାତ୍ରା ଓ ସ୍ଥାନୀୟ ସମାବେଶର ଉଲ୍ଲେଖଯୋଗ୍ୟ ସମ୍ମିଶ୍ରଣ। ଶ୍ରୀ ଚୈତନ୍ୟ ଜୟନ୍ତୀ ଭାବରେ ସଂକୀର୍ତ୍ତନ, ଖୋଳ, କରତାଳର ଏହା ମହାଉତ୍ସବ ରୂପେ ପରିଗଣିତ। ଅବଶ୍ୟ, ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନା ଥଙ୍କ ମଧ୍ୟରେ ଅଭେଦ୍ୟତା ସ୍ଥାପିତ ହୋଇଥିବାରୁ କେତେକ ଝୁଲଣ ମଣ୍ଡପ ବା ପୀଠରେ ଶ୍ରୀକୃଷ୍ଣଙ୍କ ସ୍ଥାନରେ ଜଗନ୍ନାଥଙ୍କ ମୂର୍ତ୍ତି ଶୋଭା ପାଇଥାଏ।

ଶ୍ରୀ ମନ୍ଦିରରେ ଦୋଳ ପୂର୍ଣ୍ଣିମା

ରଥଯାତ୍ରାଦେବସ୍ନାନ ପୂର୍ଣ୍ଣିମାକୁ ବାଦ ଦେଲେ ଦୋଳଯାତ୍ରା ପୁରୀମନ୍ଦିରର ଏକ ବିଶିଷ୍ଟ ପର୍ବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ଯାନିଯାତ୍ରା ସମ୍ପର୍କରେ ଯେଉଁସବୁ ଉଲ୍ଲେଖ ରହିଛି, ତାହାରି ମଧ୍ୟରେ ଦୋଳଯାତ୍ରାର ବିଶେଷ ଗୁରୁତ୍ୱ ସ୍ୱୀକୃତ ହୋଇଛି। ଦୋଳରେ ଦୋଳ ଗୋବିନ୍ଦ, ଚନ୍ଦନ ଯାତ୍ରାର ଚାପରେ ମଧୁସୂଦନ ଓ ରଥଯାତ୍ରାରେ ରଥ ଉପରେ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଆପ୍ତବାକ୍ୟ ଓ ବିଶ୍ୱାସ ରହିଛି। ଏହି ଦୋଳଯାତ୍ରାକୁ ବୈଷ୍ଣବୀୟ ଢଙ୍ଗରେ ପାଳନ କରାଯାଏ।

ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ। ଚାଚେରୀ ଶବ୍ଦଟି ସଂସ୍କୃତ ଚାର୍ଚ୍ଚରୀରୁ ଆସିଛି। ଏହି ସଂସ୍କୃତ ଶବ୍ଦର ଅର୍ଥ ସୌଭାଗ୍ୟ ବୋଲି କୁହାଯାଏ। ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଶ୍ରୀଦେବୀ (ମହାଲକ୍ଷ୍ମୀ) ଓ ଭୂଦେବୀ (ଧରିତ୍ରୀ ମାତା) ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାକୁ ଯାଆନ୍ତି। ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି।

ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ୍ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି। ସେଠୁ ତାହା ପରେ ସେ ୪ ଦିନ ଧରି ଗାଁ-ଗାଁ ବୁଲି ଫଗୁ ଖେଳନ୍ତି। ତେଣୁ 'ଚାରିଚାରି'ରୁ ଚାଚେରୀ ନାଁ ଆସିଛି ବୋଲି ମଧ୍ଯ କୁହାଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ। ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ।

ଦୋଳରେ ଫଗୁ ଖେଳ

ଦୋଳ ପୂର୍ଣ୍ଣିମାରେ ଫଗୁ ବା ଅବିର ଖେଳର ଏକ ବିଶେଷତ୍ୱ ରହିଛି। ଫଗୁ ବସନ୍ତ ରୋଗର ଏକ ପ୍ରତିଷେଧକ।ଏହି ଫଗୁ ଖେଳକୁ ନେଇ ଅଚ୍ୟୁତାନନ୍ଦ ଦାସ ତାଙ୍କ ‘ଗୋପାଳଙ୍କ ଓଗାଳ’ ଦ୍ୱିତୀୟ ଭାଗରେ କହିଛନ୍ତି—

"ଶୁଣ ଲଉଡ଼ିଆ ଭାଇ କହୁଛି ଉତ୍ତର
ପୂର୍ବଜନ୍ମେ ରାଧିକା ଯେ ମାଗିଥିଲେ ବର
ଫଗୁଣ ମାସେ ତପସ୍ୟା ହୋଇଲାକ ପୂର୍ଣ୍ଣ
ପୁଷ୍ପମାନେ ବିକଶି ଦିଶନ୍ତି ରଙ୍ଗବର୍ଣ୍ଣ
ଚନ୍ଦ୍ରମୁଖୀ ବୋଇଲେ ହେ ଶୁଣ ନାରାୟଣ
ଦ୍ୱାପରେ ଯାହା ହୋଇବ କହିଲେ ଆପଣ
ଯେତେବେଳେ ଆମ୍ଭେ ଗୋପପୁରେ ରହିଥିବା
କହୁଅଛି ବୃନ୍ଦାବନେ କେଳି ଆଚରିବା
ଏହି ଫଗୁଣରେ ଦୋଳଗୋବନ୍ଦ ବୋଲାଇ
ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି "

ଦୋଳ ପୂର୍ଣ୍ଣିମାରେ ବାଡି ଖେଳ

ଓଡିଆମାନଙ୍କ ପର୍ବ ପର୍ବାଣୀଗୁଡ଼ିକ କେବଳ ଆମର ଧର୍ମୀୟ ଭାବନା ସହ ଜଡ଼ିତ ନଥାଏ ବରଂ ଆମର ଖାଦ୍ୟ, ପୋଷାକ, ରୁଚି ତଥା ମନୋରଞ୍ଜନ ପାଇଁ ଅବସର ତିଆରି କରେ। ସେହିପରି ଦୋଳଯାତ୍ରାର ମନୋରଞ୍ଜନର ମୁଖ୍ୟ ଆକର୍ଷଣ କାଠି ଲଉଡ଼ି ଖେଳ। ଦ୍ୱାପର ଯୁଗରେ ଗୋପପୁରରେ ଶ୍ରୀକୃଷ୍ଣ୍ନ ଓ ବଳରାମ ଅନ୍ୟ ଗୋପାଳ ସାଥୀମାନଙ୍କ ସହ ଗାଈ ଚରାଇବା ବେଳେ ଦୁଇ ହାତରେ ବାଡ଼ି ଧରି ବୀରତା ପ୍ରଦର୍ଶନ ପୂର୍ବକ ବାଡ଼ି ଖେଳି ମନୋରଂଜନ କରୁଥିଲେ।

ଗୋଟିଏ ଦଳ ବାଡ଼ିଧରି ଆକ୍ରମଣ କରୁଥିବାବେଳେ, ଅନ୍ୟଦଳ ବିଭିନ୍ନ କୌଶଳ ପ୍ରଦର୍ଶନ କରି ବାଡି ସାହାଯ୍ୟରେ ଆକ୍ରମଣକୁ ପ୍ରତିହତ କରୁଥିଲେ। ସେହି ଖେଳକୁ ଅନୁସରଣ କରି ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଗୋପାଳମାନେ ଏକା ରଙ୍ଗର ପୋଷାକ ପିନ୍ଧି ଅଣ୍ଟାରେ କାଚ୍ଛଟା, ଘାଗୁଡି, ବଂଶୀ ବାନ୍ଧନ୍ତି। ମଥାରେ ଠେକା ବାନ୍ଧି ଜାମୁଡାଳ ଓ ଗଳାରେ ଫୁଲହାର ପିନ୍ଧନ୍ତି। ଦୁଇ ହାତରେ ଥାଏ ଦୁଇ ଲଉଡ଼ି। ଲଉଡ଼ି ଭେରୁ ବା କେନ୍ଦୁ କାଠରେ ପ୍ରସ୍ତୁତ ହୋଇଥାଏ। ଏହାର ମାପଥାଏ ଏକହାତ ଚାଖଣ୍ଡେ।

ଏହି ବାଡ଼ି ଖେଳ ଏକ ଦଳଗତ ନୃତ୍ୟ, ଯେଉଁଠି ୧୨ରୁ ୨୪ ଜଣ ଗୋପାଳ ଅଂଶଗ୍ରହଣ କରିଥାନ୍ତି। ଜଣେ ଜଣେ ଦଳପତିଙ୍କ ଅଧିନାୟକତ୍ୱରେ ଗୋପାଳମାନେ ଗୋଷ୍ଠୀଗତ ଭାବେ ବିଭକ୍ତ ହୋଇ ଲଉଡ଼ି ବାଡ଼ିର ତାଳେ ତାଳେ ନାଚି ଉଠନ୍ତି। ମଇଁଷିର ଶିଙ୍ଘ ବାଦ୍ୟର ତାଳେ ତାଳେ ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ଖେଳ ସାଙ୍ଗରେ ଯେଉଁ ଗୀତ ବୋଲିଥାନ୍ତି ତାକୁ ଓଗାଳ କୁହାଯାଏ। ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ରଚିତ ‘ଗୋପାଳ ଓଗାଳ’ ଗାନ ସାଙ୍ଗକୁ ବାଦ୍ୟର ତାଳେ ତାଳେ ଗୋପାଳମାନେ ପ୍ରତ୍ୟେକ ନିଜର ଡାହାଣ ଓ ବାମ ପାଖରେ ଥିବା ସହଯୋଗୀମାନଙ୍କ ବାଡି ସହିତ ନିଜ ବାଡିକୁ ପିଟି ଶବ୍ଦ ସୃଷ୍ଟି କରିଥାନ୍ତି।

ଦୋଳ ପୂର୍ଣ୍ଣିମାରେ ଅନୁକୂଳ

ଆମ ପରମ୍ପରାରେ ଯାହା କିଛି ନୂଆ ଆସେ କିମ୍ବା ପ୍ରଥମେ ବ୍ୟବହାର ହୁଏ ତାହା ପ୍ରଥମେ ଠାକୁରଙ୍କ ପାଖରେ ଭୋଗ ଲାଗେ ବା ଅନୁକୂଳ ହୁଏ। ଦିଅଁଙ୍କୁ ସମର୍ପି ଦେଇ ସର୍ବ ମଙ୍ଗଳ ଜଗନ୍ନାଥ ନାଁରେ ସବୁ ଶୁଭ ହୁଏ। ସେମିତି ଦୋଳ ପୂର୍ଣ୍ଣିମାରେ ଦୁଇଟି ଜିନିଷ ଅନୁକୂଳ ହୋଇଥାଏ। ଗୋଟିଏ ହେଲା ଆମ୍ବ ଓ ଆଉ ଗୋଟିଏ ହେଲା ପାଞ୍ଜି। ଯେମିତି ଠାକୁରଙ୍କୁ କଷି ଆମ୍ବ ଅର୍ପଣ କରି ଆମେ ରାଜା ଫଳ ଆମ୍ବ ଖାଇବା ଆରମ୍ଭ ହୁଏ, ସେମିତି ବୈଶାଖରୁ ମାସ ଗଣନା ଆରମ୍ଭ ହେଉଥିଲେ ବି ଫାଲଗୁନ ପୂର୍ଣ୍ଣିମାରେ ନୂତନ ପାଞ୍ଜି ଠାକୁରଙ୍କ ଆଗରେ ଅନୁକୂଳ ହୁଏ। ଏହାକୁ ପାଞ୍ଜି ଅନୁକୂଳ ବୋଲି କୁହାଯାଏ। ପ୍ରତ୍ୟେକ ଶୁଭ ଅଶୁଭ କାର୍ଯ୍ୟ, ପର୍ବ ପର୍ବାଣୀ ପାଇଁ ନିୟମିତ ଭାବରେ ପାଞ୍ଜି ଉପରେ ନିର୍ଭର କହିବାକୁ ହୁଏ। ଏମିତିକି ବହୁତ ଘରେ ଆମିଷ ଆସିବା ଆଗରୁ ବି ତିଥି ଜାଣିବା ପାଇଁ ପାଞ୍ଜି ଦେଖାଯାଏ। ତେଣୁ ନୂଆ ପାଞ୍ଜିର ବ୍ୟବହାର ପୂର୍ବରୁ ଦୋଳବେଦୀରେ ଉପବିଷ୍ଟ ଠାକୁରଙ୍କ ଆଗରେ ତାହା ପଢାଯାଏ। ତାପରେ ତାକୁ ବ୍ୟବହାର କରାଯାଇଥାଏ। ଓଡ଼ିଶାରେ ପ୍ରତି ସ୍ଥାନ ରେ ଏହି ପ୍ରଥା ପାଳନ ହୋଇଥାଏ।

Odisha Holi Dola Purnima Dola Dola Melana Dola Utsav
Advertisment
Advertisment