ସୋସିଆଲ ମିଡ଼ିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ତେବେ କଂଗ୍ରେସର ନୂଆ ମୁଖିଆଙ୍କ ବୟାନ ପରେ ସୁର ପୁଣି ଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରେଶ ରାଉତରାୟଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ ବୋଲି ଚର୍ଚ୍ଚା ହେଉଛି ।
ସୁର କହିଛନ୍ତି, ଫେରାଇ ନେଲେ କଂଗ୍ରେସ ପାଇଁ ଫୁଲ ଦମ୍ରେ କାମ କରିବି । କଂଗ୍ରେସର ପୁରୁଣା ନେତା ଓ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି । କିନ୍ତୁ ସେ ଏଯାଏଁ ଭକ୍ତ ଚରଣ ଦାସଙ୍କ ସହ କଥା ହୋଇ ନାହାନ୍ତି । ସୁର କହିଛନ୍ତି, ସମସ୍ତଙ୍କୁ ନେଇ ଚାଲିବାକୁ ପ୍ରସ୍ତାବ ଦେଇଛନ୍ତି ନୂଆ ପିସିସି ସଭାପତି । କିନ୍ତୁ ଭକ୍ତ ଦାସ ତାଙ୍କ ସହ କିମ୍ବା ସେ ଭକ୍ତଙ୍କ ସହ କଥା ହୋଇ ନାହାନ୍ତି ବୋଲି କହିଛନ୍ତି ସୁରେଶ ରାଉତରାୟ । ଅପରପକ୍ଷରେ ଗତକାଲି ମାନସ ଚୌଧୁରୀଙ୍କ ଉପରୁ ନିଲମ୍ବନ ଉଠିଥିବାରୁ ସୁରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ନିର୍ବାଚନ ବେଳେ ସୁରେଶ ରାଉତରାୟଙ୍କୁ ନିଲମ୍ବନ କରିଥିଲା କଂଗ୍ରେସ ।
Also Read
ଅଧିକ ପଢ଼ନ୍ତୁ: ୪ ଦିନ ପରେ + ୨ ପରୀକ୍ଷା, ହେଲେ ଏଯାଏଁ ବାହାରିଲାନି ସାମ୍ପୁଲ ପ୍ରଶ୍ନପତ୍ର
ସୂଚନା ଥାଉକି, ଦୀର୍ଘ ୭ ମାସର ପ୍ରତୀକ୍ଷା ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ତେବେ ପିସିସି ସଭାପତି ହେଉ ହେଉ ଘର ସଜାଡ଼ିବାକୁ ପ୍ରାଥମିକତା ଦେବେ ବୋଲି ଭକ୍ତ କହିବା ସହ ଦଳ ଛାଡିଥିବା ନେତା ଫେରି ଆସିବାକୁ ବି ନିବେଦନ କରିଥିଲେ । ରାଜନୀତି ସମୀକ୍ଷକ କହିଛନ୍ତି ଭକ୍ତଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ଅଗ୍ନି ପରୀକ୍ଷା ।
ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି ଓଡ଼ିଶାରେ ଅତି ଦୁର୍ବଳ ସ୍ଥିତିରେ ଥିବା ଦେଶର ସର୍ବ ପୁରାତନ ଦଳକୁ କେମିତି ଟ୍ରାକ୍ କୁ ଆଣିବେ ଭକ୍ତ ? ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ଓ କ୍ଷମତା ଦଖଲ ପରେ କେମିତି ଗେରୁଆ ଦଳକୁ କରିବେ ମୁକାବିଲା ? ବିଜେଡିର ଭୋଟ୍ ବ୍ୟାଙ୍କକୁ ଛଡ଼ାଇ ଆଣିବାରେ ସଫଳ ହେବ ତ ଭକ୍ତଙ୍କ ରଣନୀତି ? ଦଳର ସବୁ ବର୍ଗର ନେତା ଓ କର୍ମୀଙ୍କୁ ଏକାଠି ନେଇ ଚାଲିବା ଓ କଂଗ୍ରେସର ପୁରୁଣା ରୋଗକୁ ମ୍ୟାନେଜ୍ କରିବା ଭକ୍ତଙ୍କ ପାଇଁ ହେବ କାଠିକର ପାଠ । ଏବେ ଦେଖିବାର କଥା ରାଜ୍ୟ କଂଗ୍ରେସକୁ କେତେ ବଳ ଦେଉଛି ଏଆଇସିସିର ଭକ୍ତ ସଂଜିବନୀ ।