/odishatv-khabar/media/post_attachments/uploadimage/library/16_9/16_9_0/BJD_1738148461.jpg)
BJD
ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ହେଉଛନ୍ତି ସ୍ୱର୍ଗତ ନବ କିଶୋର ଦାସ। ତାଙ୍କୁ କ’ଣ ପାଇଁ ହତ୍ୟା କରାଗଲା? ତା’ର କାରଣ ଆଜି ପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ନବଙ୍କ ସମର୍ଥକ ବାରମ୍ୱାର ଚିତ୍କାର କରୁଥିଲେ ସୁଦ୍ଧା ପୂର୍ବ ବିଜେଡି ସରକାର ନିଦା ବିଷ୍ଣୁ ସାଜିଥିଲେ। ହେଲେ ହତ୍ୟାର ମୋଟିଭ୍ ସମ୍ପର୍କରେ କିଛି କହିଲେ ନାହିଁ। କେବଳ ଲୋକ ଦେଖାଣିଆ ଭାବେ ହତ୍ୟା ଅଭିଯୋଗରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଗିରଫ କରି ଚୁପ୍ ବସିଗଲେ। ଆଜି ହତ୍ୟାକାଣ୍ଡର ଦୁଇବର୍ଷ ପୂର୍ତ୍ତି ସମାରୋହରେ ନବଙ୍କୁ ଭଲପାଉଥିବା ନେତାମାନେ ତାଙ୍କୁ ମନେ ପକାଇଛନ୍ତି। ଆଉ ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି। ନବଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଖୁଲମ୍ଖୁଲା କହିଛନ୍ତି।
ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ନବକିଶୋର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ପୂର୍ବତନ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଝାରସୁଗୁଡାକୁ ଏକ ଆଧୁନିକ ସହରରେ ପରିଣତ କରିବା ପାଇଁ ଶପଥ ନେଇଥିଲେ ସ୍ୱର୍ଗତ ନବ ଦାସ। ତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। ଆଶ୍ଚର୍ଯ୍ୟର କଥା ସେହି ସମୟରେ ବିଧାନସଭାରେ ମାନ୍ୟବର ଗୃହମନ୍ତ୍ରୀ ନିଜର ଉତ୍ତରରେ ନବଙ୍କର ହତ୍ୟା ଏକ ଷଡଯନ୍ତ୍ର ବୋଲି କହିଥିଲେ। ମାତ୍ର ସେ ସରକାର ପଛଘୁଞ୍ଚା ଦେଇ CBI ତଦନ୍ତ ବଦଳରେ କ୍ରାଇମ୍ଇବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାକୁ ଚାପି ଦେଇଥିଲେ ସେହି ସମୟର ସରକାର। ଗୋପାଳ ବୋଲି ଜଣେ ସାଧାରଣ ଲୋକ କାହିଁକି ହତ୍ୟା କଲା ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା: ଦୀପାଳି ଦାସଙ୍କ ବଡ଼ ବୟାନ, କହିଲେ...
ସେ ଆହୁରି କହିଛନ୍ତି, ନବ ଦାସ ମତେ କହିଥିଲେ ସେହି ସମୟର ତତ୍କାଳୀନ ଝାରସୁଗୁଡା କଲେକ୍ଟର ଓ ଏସ୍ପି ଝାରସୁଗୁଡାର କୋଲ ଏରିଆ ଛାଡ଼ିବା ପାଇଁ କହିଥିଲେ। ମାତ୍ର ସ୍ୱର୍ଗତ ନବ ଦାସ ଉତ୍ତରରେ କହୁଥିଲେ ମୁଁ ୨୯ ଜିଲ୍ଲାରେ ମୁଣ୍ଡ ପୂରାଉନି। ମାତ୍ର ମୋ ଜିଲ୍ଲାକୁ ମୁଁ ଛାଡିବିନି। ଆଉ ଏନେଇ ମୁଁ ହାଇକମାଣ୍ଡଙ୍କ ସହ କଥା ହେଉଛି। ଏ ସବୁ କଥା ଆମ ମନରେ ସନ୍ଦେହ ସୃଷ୍ଟି କରୁଛି। ସେ ସମୟରେ ରାଜ୍ୟ ସରକାର ଖାମଖିଆଲି ହୋଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନର ରାଜ୍ୟ ସରକାର ନବଙ୍କ ହତ୍ୟା ପଛରେ ଯେଉଁ ବଡ଼ ବଡ ଲୋକ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରି ନବନକୁ ନ୍ୟାୟ ଦେଲେ ଆମେ ସମସ୍ତେ ଖୁସି ହେବୁ ବୋଲି ଶ୍ରୀ ସାଲୁଜା କହିଛନ୍ତି।
ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସ୍ୱର୍ଗତ ନବ ଦାସଙ୍କ ସହ ମୋର କେବେ ବି ଭଲ ସମ୍ପର୍କ ନଥିଲା। ଆମ ଭିତରେ ଝଗଡାର କାରଣ କିଛି ନଥିଲା। ହୁଏତ ଆମେ ଦୁଇଜଣ ଯାକ ଭିନ୍ନ ଚରିତ୍ରର ବ୍ୟକ୍ତି। ସେଥିପାଇଁ ଆମେ କେବେ ପରସ୍ପରକୁ ପସନ୍ଦ କରୁନଥିଲୁ। ନବ ଆଉ ମୋ’ ଭିତରେ ଗୋଟିଏ ସମ୍ପର୍କ ଥିଲା, କିଏ ଆଗ ଗୁଳି ଖାଇବ? ମାତ୍ର ୨୦୦୯ ମସିହାରେ ଆମର ସାମାନ୍ୟ କଥାବାର୍ତ୍ତା ଆରମ୍ଭ ହେଲା। ତା’ପରେ ଆମ ଭିତରେ ବନ୍ଧୁତା ନଥିଲେ ମଧ୍ୟ ଶତ୍ରୁତା କମି ଯାଇଥିଲା। ନବ ଦାସଙ୍କ ମୃତ୍ୟୁକୁ ନେଇ ଅନେକ କିଛି ରହସ୍ୟ ହୋଇରହିଛି।
ତେବେ ସରକାରଙ୍କ ଅନେକ ନିୟମଗତ ଔପଚାରିକତା ଥାଏ। ନବ ଦାସଙ୍କ ହତ୍ୟାକୁ ନେଇ CBI ତଦନ୍ତ ପାଇଁ ଆମେ ଓଡ଼ିଶା ସରକାରଙ୍କୁ କହିବୁ। ଅନେକ କଥା ମନରେ ସନ୍ଦେହ ସୃଷ୍ଟି କରୁଛି। ଗୋପାଳର ସହ ନବ ଦାସଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା। ତେଣୁ ସିଏ ନବ ଦାସଙ୍କୁ ମାରିଲା କାହିଁକି? ଗୁଳି ବାଜିଥିବା ସାର୍ଟ, ଗୁଳି ଓ ଗାଡି ଗଲା କୁଆଡେ? ମୁଁ ପୂର୍ବରୁ ବିଧାନସଭାରେ କହିଥିଲି ନବ ଦାସ ହତ୍ୟା ପଛରେ ଜଣେ IPS, ଜଣେ IAS ଓ ଦୁଇଜଣ ରାଜନେତାଙ୍କୁ ହାତ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଅଧିକ ପଢ଼ନ୍ତୁ: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି?
ସେପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ନଈ ନଦେଖୁଣୁ ଲଙ୍ଗଳା କାହିଁକି ହେବା ? କୌଣସି ପ୍ରସ୍ତାବ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ହସ୍ତଗତ ହୋଇନାହିଁ। ବିନା କାରଣରେ ହତ୍ୟା ହୁଏନାହିଁ। ସବୁ ହତ୍ୟା ପଛରେ ପର୍ଯ୍ୟାପ୍ତ ତଦନ୍ତ ଓ ମୋଟିଭ ଥାଏ। ଯିଏ ଗିରଫ ହୋଇଛନ୍ତି ତାଙ୍କର କୌଣସି ଇଣ୍ଟେନ୍ସନ୍ ଓ ମୋଟିଭ ନଥିଲା ନବ ଦାସଙ୍କୁ ହତ୍ୟାକରିବା ପାଇଁ। ଯେଉଁଦିନ ନବ ଦାସଙ୍କର ହତ୍ୟା ହେଲା ଓ ଗୋପାଳକୁ ପୋଲିସ କାବୁ କଲା, ତା’ପରେ ତାଙ୍କ ସ୍ତ୍ରୀ(ଗୋପାଳଙ୍କ ସ୍ତ୍ରୀ) କହିଲେ ମୋ ସ୍ୱାମୀଙ୍କ ମାନସିକ ସ୍ଥିତି ଠିକ ନଥିଲା। ଏହା ଏକ ଲିଖିତ ସ୍କ୍ରିପ୍ଟ। ଗୁଳି, କାର କୁଆଡେ ଗଲା? ସରକାର ଯାହାକୁ ହଇରାଣ କରିବାକୁ ଚାହାଁନ୍ତି, ତା’ପଛରେ ଭିଜିଲାନ୍ସ ଲଗେଇ ଦିଆଯାଏ। ଆଉ ଯେଉଁଠି ଦୋଷୀକୁ ବଂଚେଇବାକୁ ଚାହାଁନ୍ତି, ସେଠ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଏ। ବିନା କାରଣରେ ହତ୍ୟା ହୁଏନି। ପୂର୍ବ ସରକାରଙ୍କ ତଦନ୍ତ ଦିଗହୀନ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ନବ ଦାସ ହତ୍ୟାର ସମସ୍ତ ତଥ୍ୟ ନଷ୍ଟ ହୋଇଯାଇଛି। କୋର୍ଟଙ୍କ ଅନୁମତି ନେଇ ଆଉ ଥରେ ତଦନ୍ତକୁ ଖୋଲା ଯାଇପାରିବ। ମାମଲାକୁ ପୁଣି ଥରେ ତଦନ୍ତ କରିବାକୁ ହେଲେ କିଛି ନୂତନ ତଥ୍ୟ ଦରକାର। ଯେଉଁ ଚାର୍ଜସିଟ ପ୍ରସ୍ତୁତ ହୋଇଛି, ତାହାର ବିଚାରର କୌଣସି ମୂଲ୍ୟନାହିଁ। ଯେଉଁମାନେ ସେ ସମୟରେ ତଦନ୍ତ କରୁଥିଲେ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସ୍ପଷ୍ଟ ଜଣା ପଡୁଥିଲା ସେମାନେ ତଦନ୍ତକୁ ଦିଗହରା କରୁଥିଲେ ବୋଲି ସୁରେଶ ପୂଜାରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ଉତ୍କର୍ଷ ଓଡ଼ିଶାରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; କହିଲେ-‘ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ’...
ସୂଚନାରୁ ପ୍ରକାଶ, ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଶ୍ରୀ ଦାସ ବ୍ରଜରାନଗର ଯାଉଥିବା ବେଳେ ଗାନ୍ଧୀ ଛକଠାରୁ ତାଙ୍କ ସମର୍ଥକମାନେ ଅଟକାଇଥିଲେ। ନବ ଦାସ ଗାଡ଼ିରୁ ଓହ୍ଲାଇ କର୍ମୀଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଝାରସୁଗୁଡ଼ା ପରେ ଭୁବନେଶ୍ୱରରେ ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)