• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

କୋରେଇରେ ଏକ ସଭାରେ ଉଦବୋଧନ ଦେବା ବେଳେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ବିଜେଡିରେ କିଭଳି ଷଡଯନ୍ତ୍ର କରାଯାଇଥିଲା, ତାହା କହିଛନ୍ତି । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କୋରେଇର ବିଧାୟକ ଥିଲେ ପ୍ରଫୁଲ୍ଲଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇ । ସେହି ସମୟରେ ପ୍ରଫୁଲ୍ଲ ଥିଲେ ବିଜେଡିର ସୁକିନ୍ଦା ବିଧାୟକ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ବି । ତେବେ ୨୦୧୪ ବିଧାନସଭା ନିର୍ବାଚନରେ ପ୍ରୀତିରଞ୍ଜନଙ୍କୁ କୋରେଇ ପରିବର୍ତ୍ତେ ସୁକିନ୍ଦାରୁ ଟିକେଟ୍ ଦେଇଥିଲା ବିଜେଡି । ନିର୍ବାଚନ ଲଢିନଥିଲେ ପ୍ରଫୁଲ୍ଲ । ପରିସ୍ଥିତି ଏମିତି ହୋଇଥିଲା ଯେ, ପୁଅକୁ ଜିତାଇବାକୁ ସେ ଅଣ୍ଟାଭିଡି ବାହାରିଥିଲେ ।

୨୦୧୪ରେ ପ୍ରୀତିରଞ୍ଜନଙ୍କୁ ସୁକିନ୍ଦା ପଠାଇ କୋରେଇରେ ଅଭିନେତା ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଆକାଶ ହେଉଛନ୍ତି ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକଙ୍କ ପୁଅ । ଯାଜପୁର ରାଜନୀତିରେ ପ୍ରଫୁଲ୍ଲ ଘଡେଇ ଓ ମାୟାଧର ନାୟକଙ୍କ ମଧ୍ୟରେ ଥିଲା ଅହିନକୁଳ ସଂପର୍କ । ନବେ ଦଶକରେ ମାୟାଧରଙ୍କ ଘନିଷ୍ଠ ସହଯୋଗୀ ଶ୍ୟାମାପଦ ରାଉତଙ୍କୁ ହତ୍ୟା କରାଯାଇଥିଲା । ରାଜ୍ୟର ସେତେବେଳର ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ପ୍ରଫୁଲ୍ଲ ଘଡେଇଙ୍କୁ ଜଣେ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ପରେ ସିବିଆଇ କୋର୍ଟରେ ଖଲାସ ହୋଇଥିଲେ ଏହି ପୂର୍ବତନ ମନ୍ତ୍ରୀ । ପ୍ରଫୁଲ୍ଲଙ୍କ ପୁଅକୁ କୋରେଇରୁ ହଟେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ପୁଅକୁ ଦିଆଯାଇଥିଲା ବିଜେଡି ଟିକେଟ୍ । ଉଭୟ ପ୍ରୀତିରଞ୍ଜନ ଓ ଆକାଶ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ।

ମିଡନାଇଟ୍ ଅପରେସନ ଟର୍ଣ୍ଣିଂପଏଣ୍ଟ ?

ବିଜେଡିର ତତ୍କାଳୀନ ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ରଙ୍କ ପାଖଲୋକ ଭାବେ ଜଣାଶୁଣା ଥିଲେ ପ୍ରଫୁଲ୍ଲ । ତେବେ ମିଡ୍ ନାଇଟ୍ ଅପରେସନ ପରେ ତାଙ୍କୁ ବିଶ୍ୱାସକୁ ନେଇପାରିନଥିଲେ ନବୀନ ପଟ୍ଟନାୟକ । କୋଣଠେସା ହୋଇ ରହିଥିବା ସେତେବେଳର ଧର୍ମଶାଳା ବିଧାୟକ କଳ୍ପତରୁ ଦାସ ଧିରେ ଧିରେ ସକ୍ରିୟ ହୋଇଥିଲେ । ୨୦୧୪ ନିର୍ବାଚନରେ ଦଳର ଟିକେଟ୍ ବଣ୍ଟନ ଠାରୁ ଆରମ୍ଭ କରି ବିଭିନ୍ନ ନିଷ୍ପତ୍ତିରେ ତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲା ଦଳ । ତେଣୁ ଯାଜପୁର ରାଜନୀତିରେ ସେ ଏପରି ଗୋଟିଚାଳନା କରିଥିଲେ ବୋଲି ରାଜନୀତି ସମୀକ୍ଷକମାନେ କୁହନ୍ତି । ତା ପରେ ଦଳରେ ପ୍ରଫୁଲ୍ଲ ଘଡେଇଙ୍କ ପତିଆରା କମିଥିଲା । ପୁଅକୁ ଟିକେଟ୍ ଦିଆଯାଇଥିଲେ ବି ପ୍ରଫୁଲ୍ଲଙ୍କୁ ଅଣଦେଖା କରାଯାଇଥିବା ତାଙ୍କ ସମର୍ଥକମାନେ କୁହନ୍ତି । ତେବେ ପ୍ରଶ୍ନ ଉଠୁଛି କୋରେଇ କାହିଁକି ? କାହିଁକି କୋରେଇରେ ଏମିତି କହିଲେ ପ୍ରଫୁଲ୍ଲ ଘଡେଇ ? ପ୍ରୀତିରଞ୍ଜନଙ୍କର ସୁକିନ୍ଦା ଯିବାକୁ ଇଚ୍ଛା ନଥିଲା, ତାଙ୍କୁ ଷଡଯନ୍ତ୍ର କରାଯାଇ କୋରେଇରୁ ପଠାଇ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ : ପ୍ରଫୁଲ୍ଲଙ୍କ ବିସ୍ଫୋରକ ମନ୍ତବ୍ୟରେ ଘାଇଲା ବିଜେଡି; ସାମ୍ନାକୁ ଆସିଲେ ପ୍ରମିଳା

ଅଶୋକ ଦାସଙ୍କ ଗଡ଼ ଥିଲା କୋରେଇ

କୋରେଇ ହେଉଛି ସେହି ନିର୍ବାଚନମଣ୍ଡଳୀ ଯେଉଁଠୁ ପ୍ରଫୁଲ୍ଲ ୧୯୭୧ରେ ବିଧାନସଭା ନିର୍ବାଚନରେ ଜିତିଥିଲେ । ଏହା ପରେ ଏଇଠୁ ବାରମ୍ୱାର ବିଧାନସଭାକୁ ନିର୍ବାଚିତ ହେଉଥିଲେ ଅଶୋକ ଦାସ । ସ୍ୱର୍ଗତ ଅଶୋକ ଦାସ ହେଉଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ବାପା । କେବଳ ୧୯୮୫ରେ କୋରେଇରୁ ଜିତିଥିଲେ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ । ଏହି ୫ ବର୍ଷ ଛାଡିଦେଲେ ୧୯୭୪ରୁ ୨୦୦୪ ପର୍ଯ୍ୟନ୍ତ ଅଶୋକ ଦାସ ଥିଲେ କୋରେଇ ବିଧାୟକ । ୨୦୦୪ରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଜେଡି-ବିଜେପି ମେଣ୍ଟର ବିଜେପି ପ୍ରାର୍ଥୀ ସଞ୍ଚିତା ମହାନ୍ତି । ସେ ହିଁ ଅଶୋକ ଦାସଙ୍କ ଠାରୁ ଆସନ ଛଡାଇ ନେଇଥିଲେ ।

ଅଶୋକ ଦାସ କୋରେଇ ଆସନରୁ ଛିଡା ହେବାର କାରଣ ହେଉଛି ସେତେବେଳେ ଯାଜପୁର ବିଧାନସଭା ଆସନ ସଂରକ୍ଷିତ ଥିଲା । ଅଶୋକ ଦାସ ଜନତା ଦଳ (ଏସ) ର ରାଜ୍ୟ ସଭାପତି ଥିଲାବେଳେ ୨୦୦୭ ମସିହାରେ ଏହି ଆସନରେ ଲଢ଼ିବା ଆଶାରେ ପ୍ରଣବ ପ୍ରକାଶ କୋରେଇ ଅଞ୍ଚଳରେ ବୁଲାବୁଲି କରୁଥିଲେ ବୋଲି କୁହାଯାଏ । ପ୍ରୀତିରଞ୍ଜନ ମଧ୍ୟ ରାଜନୈତିକ ଆଶା ରଖି କୋରେଇ ଯାଉଥିଲେ । ତେଣୁ କୋରେଇ ଦୁଇଜଣଙ୍କ ନଜରରେ ଥିଲା ବୋଲି କୁହାଯାଇପାରିବ । ପରେ ପ୍ରଣବ ପ୍ରକାଶ ବିଜେଡିରେ ଯୋଗ ଦେଇଥିଲେ । ଯାଜପୁର ବିଧାନସଭା ଆସନ ୨୦୦୯ରେ ଅଣସଂରକ୍ଷିତ ଘୋଷିତ ହୋଇଥିଲା । ପ୍ରଣବ ଯାଜପୁର ଆସନରୁ ବିଜେଡିରୁ ଲଢ଼ି ଜିତିଥିଲେ ।

କାହାର ହେବ କୋରେଇ ?

କୋରେଇ ହେଉଛି ଏମିତି ଏକ ଆସନ ଯେଉଁଠି ବାହାର ଅଞ୍ଚଳର ଲୋକ ପ୍ରାର୍ଥୀ ହୋଇ ଜିତୁଥିଲେ ବୋଲି ଅଭିଯୋଗ ହୁଏ । କୋରେଇର ଅନେକ ଲୋକ କୁହନ୍ତି, ଏଠି ବାରଭାଇ ଆଖଡ଼ା । ଯାଜପୁର ଜିଲ୍ଲା ରାଜନୀତିରେ କେତେକ ନିର୍ଦ୍ଦିଷ୍ଟ ପରିବାର ହିଁ ସବୁବେଳେ ଆଗରେ ରହୁଥିଲେ । ସେମାନଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଥିବାର ସବୁବେଳେ ଚର୍ଚ୍ଚା ହୁଏ । କିନ୍ତୁ ଏବେ ପ୍ରଫୁଲ୍ଲଙ୍କ ବୟାନ ଏହାକୁ ସ୍ପଷ୍ଟ କରିଦେଲା । ୨୦୨୪ ନିର୍ବାଚନରେ କୋରେଇ ଆସନରୁ ଲଢିବା ପାଇଁ ଇଚ୍ଛୁକ ଥିଲେ ପ୍ରୀତିରଞ୍ଜନଙ୍କ ଅଭିନେତ୍ରୀ ପତ୍ନୀ ଝିଲିକ୍ । ସେ ନିର୍ବାଚନ ପୂର୍ବରୁ କୋରେଇ ମଧ୍ୟ ଯାଇଥିଲେ । ଲୋକଙ୍କ ମତାମତ ନେଉଥିଲେ । ଝିଲିକ୍ କୋରେଇରୁ ବିଜେଡି ପ୍ରାର୍ଥୀ ହେଉଥିବା ନେଇ ଆଲୋଚନା ବି ହେଉଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଝିଲିକଙ୍କ ପରିବର୍ତ୍ତେ ପ୍ରଣବପ୍ରକାଶଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇରୁ ପ୍ରାର୍ଥୀ କରିଥିଲା ବିଜେଡି । ସେ ପରାଜୟ ବରଣ କରିଥିଲେ । ଏମିତି ବି ଚର୍ଚ୍ଚା ହୁଏ, ଏହି ସନ୍ଧ୍ୟାରାଣୀଙ୍କୁ ପ୍ରୀତିରଞ୍ଜନଙ୍କ ସମର୍ଥକମାନେ କୁଆଡେ ସମର୍ଥନ ଦେଇନଥିଲେ । ଭିତରେ ଭିତରେ ଏହି ବିବାଦ ଥିବାର ଅନେକ ବିଜେଡି ନେତା ମଧ୍ୟ ସ୍ୱୀକାର କରନ୍ତି । ତେଣୁ ଯାଜପୁର ଜିଲ୍ଲାରେ କୋରେଇ ହିଁ ହୋଇଛି ବିଜେଡି କଳିର ମଞ୍ଜି । ଏହା ନିଃସନ୍ଦେହରେ କୁହାଯାଇ ପାରିବ ।  

ଅଧିକ ପଢ଼ନ୍ତୁ : ନବୀନ ନିବାସରୁ ଫୋନ୍ ଆସିଲେ କାହିଁକି ହୁଏ ସନାଙ୍କ ଦେହ ଖରାପ ?

OTV is now on Whatsapp

Join and get latest news update delivered to you via whatsapp

Join Now