ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିବାକୁ ପୁଣିଥରେ ଉଦ୍ୟମ । ବଲାଙ୍ଗିର ପାଟଣାଗଡ଼ର ବ୍ରହ୍ମପୁରା ବ୍ଲକ୍ ଛକରେ ଥିବା ବିଜବାବୁଙ୍କ ପ୍ରତିମୂର୍ତ୍ତିରେ ଆଜି ଜଣେ ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିଲା । ଏ ସଂକ୍ରାନ୍ତରେ ପୋଲିସ୍ ଜଣେ ମାନସିକ ଭାରସମ୍ୟ ହରାଇଥିବା ବ୍ୟକ୍ତିକୁ ଗିରଫ କରି ତଦନ୍ତ ଚଳାଇଛି ।
କିଏ ନିଆଁ ଲଗାଇଲା, କାହିଁକି ନିଆଁ ଲଗାଇଲା ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । କିନ୍ତୁ, ଏହାରି ଭିତରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ, ନିଆଁ ଆଉ କେହି ନୁହେଁ ବରଂ ପ୍ରତିମୂର୍ତ୍ତି ସାମ୍ନାରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣଙ୍କ ହିଁ ଲଗାଇଛି । ଖବର ପାଇ ପୋଲିସ ପହଞ୍ଚି ସଂପୃକ୍ତ ବ୍ୟକ୍ତି ଯୁଗଳ ସାହୁକୁ ଗିରଫ କରିଛି । ଆଇଜି ହିମାଂଶୁ ଲାଲ୍ କହିଛନ୍ତି, ଅଭିଯୁକ୍ତ ଜଣକ ମାନସିକ ଭାରସମ୍ୟ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
Also Read
ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ପ୍ରାୟ ଦେଢ଼ବର୍ଷ ତଳେ ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ ମେହେର ଏଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଏହି ସ୍ଥାନକୁ ବିଜୁ ଛକ ନାମରେ ନାମିତ କରିଥିଲେ । ପୂର୍ବରୁ ଏହା ପର୍ଶୁରାମ ଛକ ଭାବେ ପରିଚିତ ଥିଲା । ଛକ ନାଁ ବଦଳା ଯିବାକୁ ବ୍ରାହ୍ମଣ ସମାଜ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା ।
ବିବାଦ ବଢ଼ିବା ପରେ ସେବେଠାରୁ ପ୍ରତିମୂର୍ତ୍ତିକୁ ଜରିପାଲ ଘୋଡ଼ାଇ ରଖାଯାଇଥିଲା । କିନ୍ତୁ, ଆଜି ସକାଳେ ପ୍ରତିମୂର୍ତ୍ତିଟି ଜଳୁଥିବା ସ୍ଥାନୀୟ ଲୋକ ଦେଖିଥିଲେ ।ଏହି ଘଟଣାକୁ ନେଇ ସରୋଜ ମେହେର ନିଜ ସମର୍ଥକଙ୍କ ସହ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିଙ୍କୁ ଏଭଳି ନଷ୍ଟ କରିବାକୁ ଉଦ୍ୟମ କରାଯିବା ଏହା ପ୍ରଥମ ଘଟଣା ନୁହେଁ ।
ଅଧିକ ପଢ଼ନ୍ତୁ: ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ସଭାପତି
କିଛିଦିନ ପୂର୍ବରୁ କଟକ ଜିଲ୍ଲା ମାହାଙ୍ଗା ଉମରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡ କାଟି ଦେଇଥିଲେ ଦୁବୃର୍ତ୍ତ । ଠିକ୍ ବିଜୁ ଜୟନ୍ତୀ ପୂର୍ବରୁ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ପୋଲିସ୍ ଉପସ୍ଥିତିରେ ଭଙ୍ଗା ମୂର୍ତ୍ତିରେ ମୁଣ୍ଡ ଯୋଡ଼ା ହୋଇଥିଲା । ଅନ୍ୟପକ୍ଷରେ ଗତ ଏପ୍ରିଲ ପହିଲାରେ କଟକ ମହାନଦୀ ବିହାରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳାଇ ସବୁଜରୁ ତମ୍ବା ରଙ୍ଗ କରି ଦିଆଯାଇଥିଲା ।
ଆଉ ଏବେ ପାଟଣାଗଡ଼ରୁ ଯେଉଁ ଚିତ୍ର ଆସିଛି ତାକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି । ବିଜେଡି ପ୍ରେସମିଟ୍ କରି କହିଛି , ବିଜୁ ବାବୁଙ୍କୁ ଅପମାନିତ କରିବାକୁ ରୀତିମତ ହୀନ ଷଡ଼ଯନ୍ତ୍ର ଚାଲିଛି, ଓଡ଼ିଶାବାସୀ ଏହାର ଜବାବ ଦେବେ ।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ନିନ୍ଦା କରିବାସହ ଏହା ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ବାସ କରନ୍ତି ଓ ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ଏପଟେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।