• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବନ୍ଦେ ଉତ୍କଳ ଜନନୀର ବନ୍ଦନା ସାଙ୍ଗକୁ ହାତରେ ହାତ ଛନ୍ଦି ସାନ୍ତାଳୀ ନୃତ୍ୟର ଅଭ୍ୟାସ କରୁଛନ୍ତି ସ୍କୁଲ ପିଲା । ସ୍କୁଲ ପରିସର ବି ସଜେଇ ହେଉଛି ମହାମହିମଙ୍କ ସ୍ୱାଗତ ପାଇଁ । ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ଓ କୁନ୍ତଳାକୁମାରୀ ସାବତ ଛାତ୍ରୀ ନିବାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଆସିବା ନେଇ ସଜେଇ ହୋଇଛି । ୧୯୭୦ରୁ ୭୪ ଯାଏଁ ଏଠାରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ସେହି ହଷ୍ଟେଲରେ ରହୁଥିଲେ ।

ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ନିଜେ ପଢ଼ୁଥିବା ସ୍କୁଲ୍‌ରେ ପଡ଼ିବ । ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ସେ ଏଠାକୁ ଆସିବାକୁ ଥିବା ବେଳେ, ଚୂଡ଼ାନ୍ତ ପର୍ଯ୍ୟାୟରେ ତାଙ୍କର ସ୍ୱାଗତ ପ୍ରସ୍ତୁତି ରହିଛି । ହଷ୍ଟେଲରେ ସେ ରହୁଥିବା ବିର୍ସାମୁଣ୍ଡା ଓ ତୁଳସୀ ମୁଣ୍ଡା ବ୍ଲକ୍‌କୁ ବି ସଜାଯାଇଛି । ସେ ଶୋଉଥିବା ଖଟକୁ ବି ସେଠି ରଖାଯାଇଛି ।

ନିଜର ୧୩ ଜଣ ସହପାଠିନୀଙ୍କୁ ବି ଭେଟିବେ ଦ୍ରୌପଦୀ । ମନେପକାଇବେ ନିଜ ଛାତ୍ରାବସ୍ଥାକୁ, ୫ ଦଶନ୍ଧି ତଳର ପୁରୁଣା ସ୍ମୃତିକୁ। ଏଥିପାଇଁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ଉତ୍ସାହିତ ଥିବା ବେଳେ, କରୋନା ସତର୍କତା ଭାବେ ୧୧୩ ଜଣଙ୍କର RTPCR ଟେଷ୍ଟ୍ ହୋଇଛି ।

ସେହିଦିନ ରାଷ୍ଟ୍ରପତି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଓ ହଷ୍ଟେଲ୍ ବୁଲି ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସେଠି ବି ଜୋର୍‌ସୋର୍‌ରେ ଚାଲିଛି ପ୍ରସ୍ତୁତି ।

କାଲି ଦିନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ ।  ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପର୍‌ରେ ସିଧାସଳଖ ପୁରୀ ଯିବେ ରାଷ୍ଟ୍ରପତି । ଚପର୍ ତାଳବଣିଆରେ ଓହ୍ଲାଇବା ପରେ ସେଠୁ ସଡ଼କପଥରେ ଶ୍ରୀମନ୍ଦିରକୁ ଯିବେ । ପୁରୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ମୁତୟନ ହେବେ । ୨୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଏସ୍ପି ଓ କମାଣ୍ଡାଣ୍ଟଙ୍କ ସମେତ ପ୍ରାୟ ୧୭୦ ଜଣ ଅଧିକାରୀ ରହିବେ ।

ଆଜି ବାୟୁସେନାର ୫ଜଣିଆ ଟିମ୍ ତାଳବଣିଆ ହେଲିପ୍ୟାଡ୍‌ରେ ସ୍ଥିତି ଯାଞ୍ଚ କରିଛନ୍ତି । ପୋଲିସର କାର୍‌କେଡ୍‌ରେ ରିହର୍ସାଲ୍ ବି ସରିଛି । କାଲି ମଧ୍ୟାହ୍ନରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବା ପରେ, ସିଂହଦ୍ୱାର ନିକଟରେ ତାଙ୍କୁ ସ୍ୱାଗତ କରିବେ ଗଜପତି ମହାରାଜା ।  ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ ପଟ୍ଟଚ୍ଚିତ୍ର । ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କର ପ୍ରାୟ ୧ ଘଣ୍ଟାର ଦର୍ଶନ କାର୍ଯ୍ୟକ୍ରମ ରହିଛି । ଏହାପରେ ରାଜଭବନକୁ ଯାଇ ସେ ମହାପ୍ରସାଦ ସେବନ କରିବେ ।

ପୁରୀ ରୁ ଅପରାହ୍ଣରେ ଭୁବନେଶ୍ୱର ଫେରି, ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦ୍ରୌପଦୀ ମୁର୍ମୁ । ରାଜଭବନରେ ତାଙ୍କର ରାତ୍ରିଯାପନ ବ୍ୟବସ୍ଥା ହୋଇଛି । ଗସ୍ତର ଦ୍ୱିତୀୟ ଦିନରେ ସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଶେଷ ଜୟଦେବ ଭବନରେ କାର୍ଯ୍ୟକ୍ରମ ରହିଛି ।

ଏହାପରେ ସେ ଦିଲ୍ଲୀ ବାହୁଡ଼ିଯିବେ । ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁ ବୁକ୍ ପ୍ରୋଟୋକଲ୍ ଅନୁସାରେ ରାଜଧାନୀରେ ବି ୩୪ ପ୍ଳାଟୁନ୍ ପୋଲିସ୍ ଫୋର୍ସ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଜି ଗାର୍ଡ ଅଫ୍ ଅନର୍ର ରିହର୍ସାଲ୍ ଓ ଡ୍ୟୁଟି ବ୍ରିଫିଂ ସହିତ ରାଷ୍ଟ୍ରପତିଙ୍କ ସମସ୍ତ ଗନ୍ତବ୍ୟ ସ୍ଥଳକୁ ସରିଛି ଫୁଲ୍‌ଡ୍ରେସ୍ କାର୍‌କେଡ୍‌ ରିହର୍ସାଲ୍ ।

(ରିପୋର୍ଟ- ପୁରୀରୁ ପ୍ରଦୀପ ମହାନ୍ତି, ଭୁବନେଶ୍ୱରରୁ ଜଗଦୀଶ ଦାସ, ଦୀପକ ଖିଲାର, କପିଳେନ୍ଦ୍ର ପ୍ରଧାନ ଓ ଆଲୋକ ମହାନ୍ତି)